ଆଜି ମାତୃ ଦିବସ। ତେଣୁ ଆଜିର ‘ପ୍ରଥମ ସ୍ତମ୍ଭ’ ମୋ ମା’ ପାଇଁ ଉତ୍ସର୍ଗୀକୃତ। ଅନେକଙ୍କ ପାଇଁ ସେ ସୁଦତ୍ତା। ପୁଣି କେତେକଙ୍କ ପାଖରେ ସେ ରୀନା ନାଁରେ ପରିଚିତା। କଟକ ସହରରେ ତା’ର ଜନ୍ମ। ତିନି ଭାଇଭଉଣୀଙ୍କ ଭିତରେ ସେ ବଡ଼। କେବେ କେବେ ମଜାରେ ସେ କହେ, ଯେତେବେଳେ ତା’ ପାଇଁ ପ୍ରସ୍ତାବ ଖୋଜା ହେଉଥିଲା, ତା’ର ଗୋଟିଏ ବଡ଼ ସର୍ତ୍ତ ଥିଲା- ସେ କୌଣସି ରାଜନେତାଙ୍କୁ ବିବାହ କରିବନାହିଁ। ମୋ ଅଜା ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜଣେ ସାମ୍ବାଦିକରୁ ରାଜନେତା ହୋଇଥିଲେ। ଜଣେ ରାଜନେତାର ପାରିବାରିକ ଜୀବନର ଜଞ୍ଜାଳ ଓ ଯନ୍ତ୍ରଣାକୁ ଅତି ନିକଟରୁ ଦେଖିଥିବାରୁ ଏସବୁ ଠାରୁ ମା’ ଦୂରରେ ରହିବାକୁ ସ୍ଥିର କରିଥିଲା। ସେ ସମୟରେ ମୋ ବାବା ସୌମ୍ୟରଂଜନ ପଟ୍ଟନାୟକ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ ଏବଂ ବିବାହ ବେଳକୁ ସେ ଷ୍ଟଡିଲିଭ୍‌ରେ ଇଂଲଣ୍ଡରେ ରହି ପିଏଚ୍‌ଡି କରୁଥିଲେ। ବିବାହ ପରେ ମା’ ତାଙ୍କ ପାଖରେ ଇଂଲଣ୍ଡରେ ରହି ନିଜର ଦ୍ବିତୀୟ ସ୍ନାତକୋତ୍ତର ଡିଗ୍ରିି ସମାପ୍ତ କଲା।
ମା’ କେବେ କେବେ ପୁରୁଣା ଦିନର ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁୁ ମନେପକାଇ ଖୁବ୍‌ ଖୁସି ହୁଏ। ଥରେ ଜଣେ ଲୋକ ଘରକୁ ଆସିଥିଲେ। ମୁହଁ ପଢ଼ି ସେ ଭବିଷ୍ୟତ କହିପାରୁଥିଲେ। ବାବାଙ୍କ ମୁହଁ ପଢ଼ି ସେ କହିଲେ, ସେ ଚାକିରି ଛାଡ଼ିବେ ଏବଂ ବୃତ୍ତି ପରିବର୍ତ୍ତନ କରିବେ। ମା’ ଏ କଥାକୁ ହସରେ ଉଡ଼େଇ ଦେଲା। ଗୋଟେ ସୁରକ୍ଷିତ ସରକାରୀ ଚାକିରି କିଏ ଛାଡ଼େ! କିନ୍ତୁ କଥାରେ ଅଛି, କପାଳ ଲିଖନ, କେ କରିବ ଆନ। ଶେଷରେ ଭବିଷ୍ୟବାଣୀ ସତହେଲା। କିଛିଦିନ ପରେ ବାବା ଚାକିରି ଛାଡ଼ି ଓଡ଼ିଶା ଫେରି ଆସିଲେ ଓ ଦୈନିକ ଖବରକାଗଜ ‘ସମ୍ବାଦ’ ପ୍ରତିଷ୍ଠା କଲେ। ପରେ ପରେ ରାଜନୀତିରେ ମଧ୍ୟ ପ୍ରବେଶ କଲେ। ମା’ର ବନାରସର ଜଣେ ଅଧ୍ୟାପକଙ୍କ ସ୍ତ୍ରୀ ଭାବରେ ସରଳ ଶାନ୍ତିପୂର୍ଣ୍ଣ ଜୀବନଯାପନର ସ୍ୱପ୍ନ ସେଇଠି ଅଧାରେ ରହିଗଲା।
ପିଲାଦିନେ ମା’ ଆମକୁ ପ୍ରାୟ ଶୋଇଲା ବେଳେ କାହାଣୀ ଶୁଣାଏ। ପ୍ରତ୍ୟେକ ରାତିରେ ଗୋଟିଏ ଇଂରାଜୀ ବହିର କାହାଣୀକୁ ଖୁବ୍‌ ସରଳ ଭାବେ ଓଡ଼ିଆରେ ଅନୁବାଦ କରି ଆମକୁ କହେ। ସେ ଏତେ ସରଳ ଓ ସୁନ୍ଦର ଭାବେ ବର୍ଣ୍ଣନା କରେ ଯେ ଗପ କହିଲା ବେଳେ ତା’ ପାଖରେ କିଏ ଶୋଇବ, ତାକୁ ନେଇ ଆମ ଦି’ଭଉଣୀଙ୍କ ଭିତରେ ଝଗଡ଼ା ଲାଗିଯାଏ। ଆଜି ମା’ର ଅନୁବାଦ ଦକ୍ଷତା ବିଷୟରେ ଭାବିଲା ବେଳେ ମତେ ବହୁତ ଆଶ୍ଚର୍ଯ୍ୟ ଲାଗେ। ମା’ ଛୋଟବେଳୁ ଆମକୁ ଯୋଗ, ଧ୍ୟାନ, ମନ୍ତ୍ର ଓ ଶ୍ଳୋକାଭ୍ୟାସ କରାଉଥିଲା। ସେ ନିଜେ ଆଧ୍ୟାତ୍ମିକତାରେ ବିଶ୍ୱାସ ରଖିବା ସହ ଆମକୁ ପିଲାଦିନୁ ସଙ୍ଗରେ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟକୁ ନେଇଯାଉଥିଲା।
ମା’ ନିଜପାଇଁ କେବେ ଦାମୀ ଗହଣା ବା ଶାଢ଼ି କିଣିବା ମୋର ମନେନାହିଁ। କିନ୍ତୁ ବହି କିଣିବାରେ ତା’ର ଆଦୌ ଦ୍ବିଧା ନଥାଏ। ବିପୁଳ ସଂଖ୍ୟକ ପୁସ୍ତକ ଓ ଅଡିଓ କ୍ୟାସେଟ୍ ସଂଗ୍ରହ ଥିଲା ତା’ର ସବୁଠାରୁ ବଡ଼ ନିଶା। ଆଉ ଏ ସବୁକୁ ସେ ନିଜର ମୂଲ୍ୟବାନ୍ ସମ୍ପତ୍ତି ମଣୁଥିଲା। ସବୁବର୍ଷ ମା’ ସଙ୍ଗରେ ପୁସ୍ତକ ମେଳା ବୁଲିଯିବା ମୋ ପାଇଁ ଏକ ଅନନ୍ୟ ସ୍ମୃତି ହୋଇ ରହିଛି।
ମା’ଠାରୁ ପାଇଥିବା ସବୁଠୁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଭଦ୍ରତା ଓ ନମ୍ରତା। ତିନି ତିନିଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ଜଣେ କ୍ଷମତାଶାଳୀ ରାଜନେତାଙ୍କ ଝିଅ ହିସାବରେ ତା’ପାଖରେ ସାମାନ୍ୟ ଗର୍ବ କି ଅହଂକାର ଥିବା ମୁଁ କେବେ ଅନୁଭବ କରିନାହିଁ। ପିଲାଦିନୁ, ଆଜିଯାଏ କେବେହେଲେ ସେ କାହାକୁ କଠୋର ଭାଷାରେ କିଛି କହିବା ମୁଁ ଦେଖିନାହିଁ। କେବେ କାହା ଉପରେ ରାଗିବା, କେବେ କୌଣସି ଅଧିକାର ସାବ୍ୟସ୍ତ କରିବା କିମ୍ବା ପଦବି କି କ୍ଷମତାର ଅପବ୍ୟବହାର କରିବା ମୋ ନଜରକୁ ଆସିନାହିଁ।
ସେ ତା’ର ଚାରିପାଖରେ ଥିବା ଲୋକମାନଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରୁଥାଏ। ମା’ ସବୁବେଳେ ଚୁପ୍‌ଚାପ୍‌, କେବେ କାହା ବିଷୟରେ ମନ୍ଦ ଗପେନାହିଁ। ସମସ୍ତଙ୍କ ପାଇଁ ତା’ର ଅପାର ଦୟା। ନିଜେ ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ପଡ଼ିଯାଏ। କେବେ ସାମନାକୁ ଆସି ଧ୍ୟାନ ଆକର୍ଷଣ କରିବା ପାଇଁ ସେ ପ୍ରଯତ୍ନ କରିଥିବା ମୁଁ ଦେଖିନାହିଁ। ପଛରେ ଥାଇ ନିରବରେ ସବୁ କାମ କରିବାରେ ତା’ର ଆନନ୍ଦ। ଶାନ୍ତ, ସରଳ ଜୀବନରେ ସେ ଖୁସି। ଏସବୁ କାରଣରୁ ହୁଏତ ସେ ସାଧାରଣ ଲାଗୁଥାଇପାରେ। କିନ୍ତୁ, ତା’ର ଏହି ସ୍ବଭାବ ଓ ସୁଗୁଣ ଯୋଗୁଁ ସେ ମୋ ପାଇଁ ଅସାଧାରଣ।
ଲୋକମାନେ ପ୍ରାୟତଃ ପଚାରନ୍ତି, ମୋର ଆଦର୍ଶ କିଏ? ଅନେକ ସ୍ୱାଭାବିକ ଭାବରେ ଭାବନ୍ତି ମୋ ବାବା। ହଁ, ବାବାଙ୍କଠାରୁ ମୁଁ ଅନେକ କିଛି ଶିଖିଛି। ତାଙ୍କ ଅର୍ଜିତ କୃତିକୁ ଆଗକୁ ନେବାପାଇଁ ମୁଁ ସମର୍ପିତ। ଯଦିବା ତାଙ୍କର ସୁ-ଉଚ୍ଚ ପ୍ରତିଷ୍ଠା, ସଫଳତା ଓ  ସିଦ୍ଧି ସହ ମୁଁ କେବେ ସମକକ୍ଷ ହୋଇପାରିବି ନାହିଁ; କିନ୍ତୁ ମୁଁ  ଯଦି ମୋ ମା’ ଭଳି ହୋଇପାରିବି, ତେବେ ସବୁଠାରୁ ଅଧିକ ଖୁସି ହେବି। 

Advertisment

ତନୟା ପଟ୍ଟନାୟକ
ସଂପାଦକ