୧୯୯୦ ମସିହା ଆରମ୍ଭ ସମୟରେ ଆମ ଘରେ ଧ୍ରୁବ କାମ କରୁଥିଲା। ସେ ଘରର ଜଣେ କର୍ମଚାରୀ ନଥିଲା, ବରଂ ଆମ ପରିବାରର ଜଣେ ସଦସ୍ୟ ଥିଲା। ସେତେବେଳକୁ ମୁଁ ଛୋଟ ହେଇଥାଏ। ଧ୍ରୁବ ଆମ ଘରଲୋକଙ୍କ ବୋଲହାକ କରିବା, ଆମକୁ ସ୍କୁଲ୍‌ ନେବା ଆଣିବା କରିବା, ହାଟବଜାର କରିବା ଇତ୍ୟାଦି ସବୁ ଛୋଟମୋଟ କାମ କରିଦିଏ। ସେତେବେଳେ ଅନେକ ଯୁବକଙ୍କ ପରି ତା’ର ବି ଗୋଟେ ସ୍ୱପ୍ନ ଥିଲା- ସେ ଜଣେ ସୁନ୍ଦରୀ ଆଉ ସର୍ବଗୁଣସମ୍ପନ୍ନା ଝିଅକୁ ବାହା ହେବ।
ଧ୍ରୁବ ପାଇଁ ଯେବେ ପ୍ରଥମ ବିବାହ ପ୍ରସ୍ତାବ ଆସିଲା, ଅନେକ ଆଶା ନେଇ ସେ ତା’ ଗାଁକୁ ଗଲା। ସେଠାରୁ ଘରକୁ ଫେରିଲା ପରେ ମୋ ମା’ ଉତ୍ସୁକତାର ସହ ପଚାରିଲା, ‘‘ଆରେ ଝିଅ ଦେଖିଲୁ? କେମିତି ଲାଗିିଲା?’’ ଧ୍ରୁବ କହିଲା, ‘‘ଭଲ ଯେ, ହେଲେ ଟିକେ ଉଚ୍ଚା କମ୍‌।’’ ଆମେ ଏ ବିଷୟରେ ଆଉ ବିଶେଷ କିଛି ଭାବିଲୁନି। କାରଣ ପସନ୍ଦର ସାଥୀଟିଏ ବାଛିବାକୁ ଆଉ ପାଇବାକୁ ସେ ଯୋଗ୍ୟ। କେତେ ମାସ ପରେ ପୁଣି ଗୋଟିଏ ପ୍ରସ୍ତାବ ଆସି ପହଞ୍ଚିଲା। ସେ ଝିଅ ଦେଖିବାକୁ ଗଲା ଆଉ ଫେରିଆସି କହିଲା,‘‘ରଙ୍ଗଟା ଟିକେ ସାବନା।’’ ସେମିତି ଆଉଥରେ କହିଲା, ‘‘ଝିଅଟା ଚେପଟାନାକୀ।’’ ଆଉ ଜଣେ ଝିଅ ପସନ୍ଦ ଆସିଲାନି, କାରଣ ସେ ଟିକେ ଟେରୀ ଥିଲା। ପୁଣି ଆଉ ଜଣଙ୍କୁ ସେମିତି ନାକଚ କରିଦେଲା, କାରଣ ସେ ଝିଅକୁ ରାନ୍ଧି ଆସୁ ନଥିଲା। ଏମିତି କାରଣଗୁଡ଼ିକର ତାଲିକା କ୍ରମଶଃ ଲମ୍ବା ହେଉଥିଲା। କିନ୍ତୁ ଧ୍ରୁବ ତା’ ଜିଦ୍‌ରୁ ଟଳୁ ନଥିଲା। ତାକୁ ତା’ ମନଲାଖି ଗୋଟିଏ ଚାଉଳରେ ଗଢ଼ା ନିଖୁଣ ଝିଅଟେ ଦରକାର।

Advertisment

ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡ଼ିଗଲା। ଧ୍ରୁବର ବିବାହ ବୟସ ଗଡ଼ିଯାଉଥିଲା ହେଲେ ଆସୁଥିବା ପ୍ରସ୍ତାବକୁ ନାକଟେକିବା କମୁ ନଥିଲା। ଅନେକ ଭଲ ପ୍ରସ୍ତାବ ଆସୁଥିଲା, ହେଲେ କେହି ବି ଧ୍ରୁବର ପସନ୍ଦ ସହ ମେଳ ଖାଉ ନଥିଲେ। ଧୀରେ ଧୀରେ ସମୟ ଅତିକ୍ରାନ୍ତ ହେଉଥିଲା ଆଉ ଧ୍ରୁବ ପାଇଁ ପ୍ରସ୍ତାବ ଆସିବା ବି କମିଯାଉଥିଲା। ତଥାପି ତା’ର ବାଛିବା କମୁ ନଥିଲା। ଏଣିକି ତା’ ପରିବାର ଲୋକେ ତାକୁ କହିବା ଆରମ୍ଭ କଲେ, ‘‘ତୋର ଝିଅ ବାଛିବା ବୟସ ଗଡ଼ିଗଲାଣି। କୋଉଠି ଗୋଟେ ‘ହଁ’ ନକଲେ ଏଥର ଅଭିଆଡ଼ା ହେଇ ରହିବାକୁ ପଡ଼ିବ।’’ ଶେଷରେ ଦିନେ ଧ୍ରୁବ ଘୋଷଣା କଲା, ସେ ବାହା ହେଉଛି। ଧ୍ରୁବ ବାହା ହେଉଥିବା ଜାଣି ଆମେସବୁ ବହୁତ ଖୁସି ହୋଇଗଲୁ।

ହେଲେ ସେ କହିଲା, ‘‘ଗାଁ ବାଟ, କାହିଁକି ଯିବେ, ମୁଁ ଷୋଳ ମଙ୍ଗଳା ଗଲେ ବୋହୂକୁ ନେଇକି ଆସିବି।’’ ସେ ଏମିତି କହିବାରୁ ଆମେ ତା’ ବାହାଘରକୁ ଯାଇ ନଥିଲୁ, ହେଲେ ପ୍ରବଳ ଉତ୍କଣ୍ଠାର ସହ ଧ୍ରୁବ ଆଉ ତା’ ସ୍ତ୍ରୀର ଆସିବାକୁ ଅପେକ୍ଷା କରି ରହିଥିଲୁ। ଧ୍ରୁବ ଶେଷରେ କେମିତି ଝିଅକୁ ପସନ୍ଦ କଲା, ତାହା ‌ଜାଣିବାକୁ ଆମେ ଖୁବ୍‌ ଉତ୍ସୁକ ଥିଲୁ। ଏତେ ବାଛି ବାଛି ବାହା ହୋଇଛି ମାନେ, ଝିଅ କେମିତି ହୋଇଥିବ, କେମିତି ଦେଖାଯାଉଥିବ; ଏମିତି ଗୁଡ଼ାଏ ପ୍ରଶ୍ନରେ ଆମେ ଘାରି ହେଉଥିଲୁ। ଶେଷରେ ଦିନେ ଧ୍ରୁବ ତା’ ସ୍ତ୍ରୀ ସଙ୍ଗରେ ଆସି ଆମଘରେ ପହଞ୍ଚିଲା। ଦୁହେଁ ଏକାଠି ଠିଆ ହୋଇଥିଲେ। ଧ୍ରୁବ ସ୍ତ୍ରୀର ଓଢ଼ଣା ତା’ ମୁହଁଯାଏ ଲମ୍ବିଥିଲା। ସେ ଯେମିତି ଓଢ଼ଣା ଉଠେଇଲା, ଆମେସବୁ ଆଚମ୍ବିତ ହୋଇଗଲୁ! ପୁଣି ଆମ ଭିତରୁ ବି କେହି କେହି ହସ ରୋକିପାରିଲେ ନାହିଁ। ଏକଦା ଧ୍ରୁବ ପ୍ରତ୍ୟାଖ୍ୟାନ କରିଥିବା ସମସ୍ତ ଗୁଣ ତା’ ସ୍ତ୍ରୀ ଠାରେ ପ୍ରତୀତ ହେଉଥିଲା। ଦଶବର୍ଷ ଧରି ଧ୍ରୁବ ଖୋଜୁଥିବା ତା’ ସ୍ବପ୍ନର ଝିଅ ତ ସେ ନଥିଲା! କାରଣ ଧ୍ରୁବ ଚାଳିଶ ପାର କରିସାରିଥିଲା ଆଉ ତା’ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

କଥାରେ ଅଛି, ‘ଲେମ୍ବୁ ଅତି ଚିପୁଡ଼ିଲେ ପିତା।’  ଧ୍ରୁବର ବାହାଘର ତା’ର ଏକ ସ୍ପଷ୍ଟ ଉଦାହରଣ। ବିନା ଦାଗରେ ଜହ୍ନ ବି ସୁନ୍ଦର ଦିଶନ୍ତା ନାହିଁ। ଜୀବନ ଅଛି ମାନେ କିଛି ନା କିଛି ତ୍ରୁଟିବିଚ୍ୟୁତି ଅଛି। ଏହା ହିଁ ଜୀବନର ସୌନ୍ଦର୍ଯ୍ୟ। କୌଣସି ବ୍ୟକ୍ତି କିମ୍ବା ପରିସ୍ଥିତି ସଂପୂର୍ଣ୍ଣ ନୁହେଁ। ସବୁର ଭଲ, ମନ୍ଦ ଏବଂ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ପରିସ୍ଥିତିକୁ ଦେଖି, ବୁଝିବିଚାରି ତଦନୁସାରେ କାର୍ଯ୍ୟ କରିବାକୁ ହୋଇଥାଏ। ସବୁକିଛି ନିଜ ଇଚ୍ଛା ଅନୁସାରେ ହେବ, ନିଜ ମନମୁତାବକ ହେବ; ଏହା ସବୁବେଳେ ସମ୍ଭବ ହୋଇ ନଥାଏ। ନିଜର ଅଭିଳଷିତ ଆକାଂକ୍ଷା ପୂରଣ ଲାଗି ସୁଯୋଗକୁ ମାତ୍ରାଧିକ ଅପେକ୍ଷା କଲେ କେବେ କେବେ ନିରାଶାର ସାମ୍ନା କରିବାକୁ ପଡ଼ିଥାଏ। ଜୀବନରେ ଉଭୟ ଉତ୍‌ଥାନ ଓ ପତନ ଆସେ, ଆଉ ଉଭୟକୁ ଗ୍ରହଣ କରି ଆମକୁ ଆଗକୁ ବଢ଼ିବାକୁ ହୋଇଥାଏ। ତେଣୁ ନିଜ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲେ ଏହି ଅସମ୍ପୂର୍ଣ୍ଣ ଦୁନିଆର ପ୍ରତିଟି ମୁହୂର୍ତ୍ତକୁ ମନଭରି ଉପଭୋଗ କରିହେବ।

ତନୟା ପଟ୍ଟନାୟକ
ସଂପାଦକ