ଗତ ସପ୍ତାହେ ଧରି ମୁଁ ‘ସମ୍ବାଦ’ର ବିଭିନ୍ନ ଆଞ୍ଚଳିକ ସଂସ୍କରଣ ପରିଦର୍ଶନ କରୁଛି, ଯେଉଁଠାରେ ଆମେ ମାଟ୍ରିକ୍ ପରୀକ୍ଷାରେ ଏ-ୱାନ୍ ଗ୍ରେଡ୍ କିମ୍ବା ଶତକଡ଼ା ନବେ ଓ ତା’ଠାରୁ ଅଧିକ ମାର୍କ ରଖିଥିବା ପ୍ରତ୍ୟେକ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରୁଛୁ। ଏକ ଛୋଟ ପ୍ରୟାସ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରତିଭା ପୂଜାର ପରମ୍ପରାରେ ପରିଣତ ହୋଇଛି। ଚଳିତବର୍ଷ ସାରା ଓଡ଼ିଶାରେ ମୋଟ୍ ୧୭୦୦ ଛାତ୍ରଛାତ୍ରୀଙ୍କୁ ଏ-ୱାନ୍ ଗ୍ରେଡ୍ ମିଳିଛି ଏବଂ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା, ନିଷ୍ଠା ଓ କଠିନ ପରିଶ୍ରମକୁ ସ୍ବୀକୃତି ଦେବାକୁ ଏହି ଅଭିଯାନରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଭାଗ୍ୟବାନ୍ ଅନୁଭବ କରୁଛି।
ଗତ ୧୨ ତାରିଖରେ ‘ସମ୍ବାଦ’ର ବାଲେଶ୍ୱର ସଂସ୍କରଣ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ‘ମାଟ୍ରିକ ଚାମ୍ପିଅନ୍ସ ୨୦୨୫’ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରରେ ଚାନ୍ଦିପୁରରେ ଅବସ୍ଥାପିତ ଡିଆର୍ଡିଓର ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ ହିମାଂଶୁଶେଖର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସେଦିନ ଥିଲା ବୁଦ୍ଧ ପୂର୍ଣ୍ଣିମା। ତାଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ ବୁଦ୍ଧଦେବଙ୍କ ଜୀବନର ଏକ ଛୋଟ କାହାଣୀ ଶୁଣାଇଥିଲେ। ଏକ ଅରଣ୍ୟରେ ଅହିଂସକ ନାମକ ଦୁର୍ଦ୍ଦାନ୍ତ ଦସ୍ୟୁ ଥିଲା। ସେ ଯାହାକୁ ଆକ୍ରମଣ କରୁଥିଲା ତା’ର ବୁଢ଼ାଆଙ୍ଗୁଠିକୁ କାଟି ମାଳା କରି ବେକରେ ପିନ୍ଧୁଥିଲା। ଫଳରେ ଲୋକେ ତାକୁ ଅଙ୍ଗୁଳିମାଳ ଦସ୍ୟୁ ଡାକିବାକୁ ଲାଗିଲେ। ସେ ଥରେ ଯାହାର ଆଙ୍ଗୁଠି କାଟୁଥିଲା, ପରବର୍ତ୍ତୀ ସମୟରେ ଯଦି ସେ ବ୍ୟକ୍ତି ତା’ହାବୁଡ଼ରେ ପଡୁଥିଲେ, ତେବେ ତାଙ୍କୁ ଆଘାତ ଦେଉ ନଥିଲା। ଥରେ ସେଇ ଅରଣ୍ୟରେ ବୁଦ୍ଧଦେବଙ୍କର ଅଙ୍ଗୁଳିମାଳ ଦସ୍ୟୁ ସହିତ ଭେଟ ହେଲା। ତାକୁ ଦେଖି ବୁଦ୍ଧଦେବ ଆଦୌ ବିଚଳିତ ହୋଇ ନଥିଲେ। ବୁଦ୍ଧଙ୍କ ମୁହଁରେ ଭୟର ଲେଶମାତ୍ର ଚିହ୍ନ ନଦେଖି ଦସ୍ୟୁ କହିଲା,‘‘ମତେ ଦେଖି ତୁମକୁ ଭୟ ଲାଗୁନି? ତମେ ଜାଣିଛ, ମୁଁ କିଏ? ମୋ ବେକରେ ଯେତିକି ଆଙ୍ଗୁଠି ଦେଖୁଛ, ସେତିକି ଲୋକଙ୍କୁ ମୁଁ ହତ୍ୟା କରିଛି। ତଥାପି ମୋତେ ଦେଖି ତମକୁ ଡର ମାଡୁନି?’’
ବୁଦ୍ଧ ସ୍ମିତ ହସି କହିଲେ,‘‘ଯଦି ତୁମେ ବଳବାନ୍, ଏଇ ଅରଣ୍ୟରେ ଥିବା ଏକ ବୃକ୍ଷର ଛୋଟ ଡାଳ ଛିଡ଼େଇ ପାରିବ?’’ ଦସ୍ୟୁ ଅଟ୍ଟହାସ୍ୟ କରି କହିଲା, ‘‘ମୋ ପରି ପରାକ୍ରମଶାଳୀ ଲୋକକୁ ତମେ ଏଇ ସାମାନ୍ୟ କଥା କହୁଛ? ଛୋଟ ଡାଳ କ’ଣ, ମୁଁ ଚାହିଲେ ଅନେକ ବୃକ୍ଷର ବିଶାଳ ଡାଳ ମାନ କ୍ଷଣକରେ ଭାଙ୍ଗିଦେଇ ପାରିବି।’’ ଏହା କହି ସେ ଗଛର ଡାଳଟିଏ ଭାଙ୍ଗି ଆଣିଲା। ଏବେ ସେଇଟିକୁ ପୁଣିଥରେ ଗଛରେ ଯୋଡ଼ିଦେବା ପାଇଁ ବୁଦ୍ଧ କହିବାରୁ ଅଙ୍ଗୁଳିମାଳ ଚିନ୍ତିତ ହେଇ ପଡ଼ିଲା। ବୁଦ୍ଧ ତାକୁ ବୁଝାଇଦେଲେ,‘‘କ୍ଷମତାର ଅପବ୍ୟବହାର କରିବା, ଶକ୍ତିର ଦୁରୁପଯୋଗ କରିବା ଅତି ସହଜ, କିନ୍ତୁ ନିଜ ଶକ୍ତି ସାମର୍ଥ୍ୟର ଶାନ୍ତିପୂର୍ଣ୍ଣ ଉପଯୋଗ କରିବା କଷ୍ଟସାଧ୍ୟ।’’ ଏହା ଶୁଣି ଦସ୍ୟୁ ମନରେ ଜ୍ଞାନ ଜାଗୃତ ହେଲା। ସେ ନିଜ ଭୁଲ୍ ବୁଝିପାରିଲା ଏବଂ ବୁଦ୍ଧଙ୍କ ଶିଷ୍ୟତ୍ବ ଗ୍ରହଣ କଲା।
ଶ୍ରୀଯୁକ୍ତ ପଣ୍ଡା କାହାଣୀଟି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ସତ, କିନ୍ତୁ ଏହା ଆମ ସମାଜର କ୍ଷମତାଶାଳୀ ବର୍ଗ ପାଇଁ ଅଧିକ ପ୍ରଯୁଜ୍ୟ ମନେହୁଏ। ସେ ନେତା ହୁଅନ୍ତୁ ବା ଅଧିକାରୀ, କୌଣସି ଅନୁଷ୍ଠାନର ମୁଖ୍ୟ ହୁଅନ୍ତୁ ବା ଗାଁର ମୁରବି କିମ୍ବା କୌଣସି ପରିବାରର ମୁଖିଆ; କ୍ଷମତାରେ ଥିବା ବ୍ୟକ୍ତିମାନେ ଅଧିକାଂଶ କ୍ଷେତ୍ରରେ େଯଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ତାହା ଏହି କାହାଣୀ ସହ ସମ୍ପୂର୍ଣ୍ଣ ଭାବରେ ଖାପ ଖାଇଯାଉଛି। ତେଣୁ ଆଜି ‘ପ୍ରଥମ ସ୍ତମ୍ଭ’ରେ ସେହି କାହାଣୀଟିକୁ ଲେଖିବାକୁ ଇଚ୍ଛା ହେଲା। କ୍ଷମତା ଏକ ସରୁ ସୂତା ପରି, ସହଜରେ ଛିଡ଼ିଯାଏ; ହେଲେ ଥରେ ଛିଡ଼ିଗଲେ ଆଉଥରେ ଯୋଡ଼ି ହୁଏନାହିଁ। ଯେତେବେଳେ କ୍ଷମତାଶାଳୀମାନେ ଗର୍ବରେ ଅନ୍ଧ ହୋଇ କାର୍ଯ୍ୟ କରନ୍ତି କିମ୍ବା ନିଜ ଶକ୍ତିର ଅପବ୍ୟବହାର କରନ୍ତି, ସେମାନେ ନିମିଷକରେ ନିଜର ବିଶ୍ୱସନୀୟତାକୁ ଭାଙ୍ଗି ଦିଅନ୍ତି, ଯାହାକୁ ସଜାଡ଼ିବା କଷ୍ଟକର।
ବୁଦ୍ଧଦେବ ଶିକ୍ଷା ଦେଇଥିଲେ ଯେ ପ୍ରକୃତ ଶକ୍ତି ଦୟା, ସଚ୍ଚୋଟତା ଓ ଆତ୍ମସଂଯମରେ ନିହିତ ଥାଏ, ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇବାରେ ନୁହେଁ। ଯେତେବେଳେ ପାଖକୁ ଅଧିକ କ୍ଷମତା ଆସେ ସେତେବେଳେ ଅତି ସତର୍କତାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଭଗବାନ ବୁଦ୍ଧ କହିଥିଲେ, ଲୋଭ ଓ ମୋହ ଆମକୁ ଅନ୍ଧ କରିପକାଏ। ଅହଂକାରର ବଶବର୍ତ୍ତୀ ହୋଇ ଅାମେ କ୍ଷମତାର ଦୁରୁପଯୋଗ କରୁ। ଫଳରେ ଜୀବନ ଯନ୍ତ୍ରଣା ଜର୍ଜରିତ ହୋଇଉଠେ। ଜନନାୟକମାନେ ନମ୍ର ହେଲେ ସେମାନଙ୍କର ମହାନତା ପ୍ରତିପାଦିତ ହୁଏ। ସେମାନେ କରୁଣାର ପଥ ଅନୁସରଣ କରିବା ସହ ସମାଜରେ ଘଟୁଥିବା ଉଭୟ ଭଲ ଓ ଭେଲ ପାଇଁ ଉତ୍ତରଦାୟୀ ରହିବା ଉଚିତ। କ୍ଷମତା ବିଭାଜନ ଓ ଦମନ ପାଇଁ ନୁହେଁ, ସମାଜର ମଙ୍ଗଳ ପାଇଁ ସମର୍ପିତ ହେବା ବିଧେୟ।
ତନୟା ପଟ୍ଟନାୟକ
ସଂପାଦକ