କିଛି ବର୍ଷ ତଳର କଥା। ମୁଁ ଦିଲ୍ଲୀରେ ଥାଏ। କିଛି ସାଙ୍ଗଙ୍କ ସହ ସନ୍ଧ୍ୟାବେଳେ ମୁଁ ସିନେମା ଦେଖିବାପାଇଁ ଯାଇଥାଏ। ମଧ୍ୟାନ୍ତର ସମୟରେ ହଠାତ୍ ମୋତେ ଲାଗିଲା ଯେମିତି ମୋ ପଛ ଧାଡ଼ିରେ କେହି ଓଡ଼ିଆରେ କଥା ହେଉଛନ୍ତି। ମୁଁ ପଛକୁ ବୁଲି ଦେଖିଲି ଦି’ଜଣ କଲେଜ୍ ପଢୁଆ ଝିଅ ମୋ ପଛରେ ବସିଛନ୍ତି। ମୁଁ ପଚାରିଦେଲି, ‘‘ତମେ ଓଡ଼ିଆ?’’ ଥମ୍ କରି ତାଙ୍କ କଥାବାର୍ତ୍ତା ବନ୍ଦ ହୋଇଗଲା ଓ କିଛି ନ ବୁଝିଲା ଭଳି ସେମାନେ ମୋତେ ଚାହିଁ ରହିଲେ। ତାଙ୍କର ଏଭଳି ପ୍ରତିକ୍ରିୟା ଦେଖି ମୁଁ ଇତସ୍ତତଃ ହୋଇଗଲି। ମୁଁ ଆଉ ଭୁଲ୍ ଶୁଣିଲିନି ତ? ସେମାନେ ବଙ୍ଗଳା କି ଅସମୀୟା ଭାଷାରେ କଥା ହେଉଥିଲେ କି? ମୋ’ ପ୍ରଶ୍ନ ଠିକ୍ରେ କାଳେ ଶୁଣିପାରି ନଥିବେ ଭାବି ପୁଣି ଥରେ ପଚାରିଲି, ‘‘ଆପଣମାନେ ଓଡ଼ିଆରେ କଥା ହେଉଥିଲେ ନା?’’ ଏଥର ମଧ୍ୟ ମୋତେ କୌଣସି ଉତ୍ତର ମିଳିଲା ନାହିଁ। ମୋତେ ଟିକେ ଅଡ଼ୁଆ ଲାଗିଲା। ଭାଗ୍ୟକୁ ଏହି ସମୟରେ ପ୍ରେକ୍ଷାଳୟରେ ଆଲୋକ ଲିଭିଆସିଲା। ପୁଣି ଥରେ ସିନେମା ଆରମ୍ଭ ହେଲା। ମୋର କିନ୍ତୁ ସିନେମାରେ ମନ ଲାଗୁ ନଥିଲା। କିଛି ସମୟ ପୂର୍ବରୁ ଘଟିଯାଇଥିବା ଛୋଟ ଘଟଣାଟି ମୋ ମନରେ ଗୁଡ଼େଇତୁଡ଼େଇ ହେଉଥିଲା। ମୁଁ ନିଶ୍ଚିତ ଥିଲି ଏମାନେ ଓଡ଼ିଆରେ ହିଁ କଥା ହେଉଥିଲେ। ମୁଁ ଯଦି ତାଙ୍କ ଜାଗାରେ ଥାଆନ୍ତି ଓ ମୋ ଆଗ ସିଟ୍ବାଲା ମୋତେ ଏମିତି ପଚାରିଥାନ୍ତା, ମୁଁ ବହୁତ ଖୁସି ହୋଇଯାଇ ଥାଆନ୍ତି।
ଓଡ଼ିଶା ବାହାରେ ଜଣେ ଓଡ଼ିଆ ଦେଖା ହେଇଗଲେ ନିଜର କେହି ଦେଖାହେଲା ପରି ଲାଗେ। ତା’ହେଲେ ସେମାନେ କାହିଁକି ମୋର ଗୋଟିଏ ସରଳ ପ୍ରଶ୍ନକୁ ନ ବୁଝି ପାରିଲା ଭଳି ଅଣଦେଖା କଲେ! ସିନେମା ସମାପ୍ତ ହେଲା। ଦର୍ଶକମାନେ ବାହାରକୁ ବାହାରୁଥାନ୍ତି। ସେ ଦୁଇଜଣ ଝିଅ ମୋ ଆଗେଆଗେ ଯାଉଥାନ୍ତି। ମୁଁ ନିଜକୁ ଆଉ ଅଟକେଇ ପାରିଲିନି। ସେମାନେ କ’ଣ ଭାବିବେ ସେକଥା ଚିନ୍ତା ନ କରି ତାଙ୍କ କାନ୍ଧରେ ହାତ ରଖି ଡାକିଲି ଏବଂ ଇଂରାଜୀରେ କହିଲି, ‘‘ମୋ ନାଁ ତନୟା। ଆମ ଘର ଭୁବନେଶ୍ୱର। ଯେହେତୁ ଆପଣମାନେ ଓଡ଼ିଆରେ କଥା ହେଉଥିଲେ, ମୋତେ ଲାଗିଲା ନିଶ୍ଚୟ ଓଡ଼ିଶାର ହେଇଥିବେ। ସେଇଥିପାଇଁ ମୁଁ ପଚାରୁଥିଲି।’’ ଦୁଇ ସେକେଣ୍ଡ୍ର ନିରବତା ପରେ ସେମାନଙ୍କ ଭିତରୁ ଜଣେ କହିଲା, ‘‘ହଁ, ଆମେ ଓଡ଼ିଆ। ଆମ ଘର ଢେଙ୍କାନାଳ। ବର୍ଷେ ହେଲା ଆମେ ଦିଲ୍ଲୀକୁ ପଢ଼ିବାକୁ ଆସିଛୁ। ନୂଆନୂଆ ଆସିବା ପରେ ଆମ ଘର କେଉଁଠି କେହି ପଚାରିଲେ ଢେଙ୍କାନାଳ ତ ଦୂରର କଥା, ଓଡ଼ିଶା କେଉଁଠି ଅନେକ ଲୋକ ଜାଣି ପାରୁ ନଥିଲେ। ଆମକୁ ଭାରି ଲାଜ ଲାଗୁଥିଲା। ଏମିତି ଏକ ଛୋଟ ସହରରୁ ଆସି ଦେଶର ରାଜଧାନୀରେ ଲୋକଙ୍କ ସହ ମିଶିବା ଏବଂ ଚଳିବାରେ ଆମକୁ ଟିକେ ଅସୁବିଧା ହେଉଥିଲା। ସେଥିରେ ଓଡ଼ିଶା ଭଳି ଏକ ପଛୁଆ ଅଞ୍ଚଳରୁ ଆସିଛୁ ବୋଲି କାଳେ କେହି ଆମକୁ ହୀନ ମନେକରିବ, ସେଇ ଚିନ୍ତାରେ ଆମେ ଘାରି ହେଉଥିଲୁ। ଦିନେ ଆମର ଜଣେ ସିନିୟର୍ ଆମକୁ ବୁଝେଇଲେ, ଦେଖ୍ ଏଠି ଓଡ଼ିଆମାନଙ୍କୁ କେହି ପଚାରନ୍ତିନି। ଓଡ଼ିଶାକୁ ପ୍ରାୟ କେହି ଚିହ୍ନନ୍ତି ନାହିଁ। ସେଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ କହି ଆସୁଛି ମୋ ଘର କଲିକତା। ବେଶି ଖୋଳିତାଡ଼ି ପଚାରିଲେ, କହିଦିଏ ମୁଁ ଓଡ଼ିଆ। ହେଲେ ଓଡ଼ିଶାରେ କେବେ ରହିନାହିଁ। ସେବେଠୁ ଆମେ ବି ଏହି ସୂତ୍ର ଆପଣେଇ ନେଲୁ। ଆପଣ ହଠାତ୍ ପଚାରି ଦେବାରୁ କ’ଣ ଉତ୍ତର ଦେବୁ ବୁଝିପାରିଲୁନାହିଁ।’’
ମୁଁ ଛଅ ବର୍ଷ ଓଡ଼ିଶା ବାହାରେ ରହି ପାଠ ପଢ଼ିଛି। ଏବେ ପରିସ୍ଥିତିରେ ପରିବର୍ତ୍ତନ ଆସିଛି। କିନ୍ତୁ ଏହା ସତ ଯେ ଆଗରୁ ଅନେକ ଲୋକ ଓଡ଼ିଶା ସମ୍ପର୍କରେ ଅବଗତ ନଥିଲେ। ଓଡ଼ିଶାର ପରିଚୟ ଦେଲାବେଳେ ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ, ପୁରୀ ଜଗନ୍ନାଥଙ୍କ କଥା, ଏମିତି ଅନେକ କଥା କହି ବୁଝାଇବାକୁ ପଡ଼େ। ଆମ ରାଜ୍ୟ ସମ୍ପର୍କରେ ଲୋକଙ୍କର ଏ ଅଜ୍ଞତା ଦେଖି ବାଧେ ସତ, କିନ୍ତୁ ମୋତେ କେବେ ଲାଜ ଲାଗିନାହିଁ। ବରଂ କେବେକେବେ କେହି ନ ଜାଣିପାରିଲେ ମୁଁ ଚିଡ଼େଇଲା ପରି କହେ, ସ୍କୁଲରେ ଭୂଗୋଳ ପଢ଼ିନ କି? ମହାନଦୀ, କୋଣାର୍କ ସୂର୍ଯ୍ୟମନ୍ଦିର, ହୀରାକୁଦ ବନ୍ଧ ଏସବୁ କେଉଁଠି ଜାଣିନ? ଦିଲ୍ଲୀ ହେଉକି ପୁନା କି ଲଣ୍ଡନ, ମୁଁ ସବୁବେଳେ ସାଙ୍ଗମାନଙ୍କୁ ଓଡ଼ିଶା ବୁଲିବା ପାଇଁ ବାଧ୍ୟ କରିଛି। ସେଥିପାଇଁ ସେମାନେ ଥଟ୍ଟାରେ କହନ୍ତି, ‘ଆସିଗଲା ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର୍’। ବିଭିନ୍ନ ସମୟରେ ମୋ ନିମନ୍ତ୍ରଣରେ ଅନେକ ବନ୍ଧୁ ଓଡ଼ିଶା ଆସିଛନ୍ତି। ଓଡ଼ିଶାର ସୌନ୍ଦର୍ଯ୍ୟ, ଦେଶୀ ଖାଦ୍ୟ, କାରୁକାର୍ଯ୍ୟ ଏବଂ ଓଡ଼ିଆମାନଙ୍କ ଆତିଥେୟତା ସେମାନଙ୍କୁ ବିମୋହିତ କରିଛି। ସେମାନେ ସିନା ମଜାରେ କହନ୍ତି, କିନ୍ତୁ ମୋତେ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର୍ ବୋଲି ଡାକିଲେ ଖୁବ୍ ଆତ୍ମସନ୍ତୋଷ ମିଳେ। ବାସ୍ତବରେ ପ୍ରତ୍ୟେକ ଓଡ଼ିଆ ଆମ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର୍। ଯଦି ଆମେ ନିଜ ମାଟିକୁ ସମ୍ମାନ ନ ଦେବା, ନିଜ ଅଞ୍ଚଳ ପାଇଁ ଗର୍ବ ଅନୁଭବ ନ କରିବା, ନିଜ ରାଜ୍ୟକୁ ଭଲ ନ ପାଇବା, ଅନ୍ୟଠାରୁ ସମାନ କଥା କିପରି ଆଶା କରିବା?
ତନୟା ପଟ୍ଟନାୟକ
ସଂପାଦକ