ପିଲାମାନେ କେତେବେଳେ କୁଆଡୁ କ’ଣ ଯେ ପଚାରି ଦିଅନ୍ତି, ତା’ର ଉତ୍ତର ଆମ ପାଖରେ ନଥାଏ। ସେତେବେଳେ ଆମେ ବୁଝିପାରୁ, ଆମ ଜ୍ଞାନର ପରିସୀମା କେତେ କମ୍। କ’ଣ, କାହିଁକି, କେମିତି? ପିଲାଙ୍କର ଏଭଳି କୌତୁକିଆ ପ୍ରଶ୍ନ ଶୁଣିବାକୁ ମଜା ତ ଲାଗେ, ତା’ସହ ସେଥିରୁ ନୂଆ ନୂଆ କଥା ବି ଶିଖିବାକୁ ମିଳେ। ଆଉ ଏସବୁ ଚିରଦିନ ପାଇଁ ସୁନ୍ଦର ସ୍ମୃତିଟିଏ ହୋଇ ମନରେ ସାଇତା ହୋଇଯାଏ। ମା’ ସବୁ ସ୍କୁଲ୍‌ବସ୍‌ର ରଙ୍ଗ ହଳଦିଆ କାହିଁକି? ମରିଗଲା ପରେ କ’ଣ ହୁଏ? ତମେ ଯଦି ମତେ ଭଲପାଉଛ, ତା’ହେଲେ ମୋ ଉପରେ ରାଗୁଛ କାହିଁକି? ମୋ ୬ ବର୍ଷୀୟ ପୁଅର ଦିନ ଆରମ୍ଭ ହୁଏ ଏମିତି ପ୍ରଶ୍ନରୁ, ଆଉ ସରେ ବି ସେଇ ପ୍ରଶ୍ନରେ।

Advertisment

ଏବେ ଦିନେ ସେ ମତେ ପଚାରିଲା, ‘‘ଆମ ପେଟରେ ଏ ନାହି (ନାଭି) କାହିଁକି ଅଛି?’’ ମୁଁ କହିଲି, ‘‘ନାହି ଆମ ଶରୀରର ଗୋଟେ ଅଙ୍ଗ, ସେଥିପାଇଁ ଅଛି।’’ ‘‘କିନ୍ତୁ କାହିଁକି ଅଛି? ଏଇଟା ଆମର କି କାମରେ ଦରକାର?’’ ‘‘ତୁ ଯେତେବେଳେ ମୋ ପେଟରେ ଥିଲୁ,ଏଇ ନାହି ତତେ ମୋ ସହିତ ଯୋଡ଼ି ରଖିଥିଲା। ତୋ ନାହିରୁ ଗୋଟେ ନାଡ଼ ଆସି ମୋ ସହ ତତେ ଯୋଡ଼ିଥିଲା। ସେଇ ବାଟେ ସବୁ ଭିଟାମିନ୍ ଆଉ ପୋଷକତତ୍ତ୍ବ ମୋ’ଠାରୁ ତତେ ମିଳୁଥିଲା।’’ ଏତକ ଶୁଣିବା ପରେ  ତା’ ପ୍ରଶ୍ନବାଣ ଆରମ୍ଭହେଲା। ‘‘ତମେ ଯାହା ଖାଉଥିଲ, ମତେ ସେସବୁ ଖାଇବାକୁ ମିଳୁଥିଲା? ଆଚ୍ଛା, ତା’ହେଲେ ତମେ ମତେ ଆଉଥରେ ଖାଇଦିଅ। ମୁଁ ତମ ପେଟ ଭିତରକୁ ପୁଣିଥରେ ପଳେଇବି। ତମେ ଯୋଉ ସବୁବେଳେ ମୁଁ ଖାଉନି ଖାଉନି ବୋଲି କହୁଛ, ମତେ ଆଉ କିଛି ଖାଇବାକୁ ପଡ଼ିବନି। ଆମ ଦି’ଜଣଙ୍କ ପାଇଁ ତମେ ଏକୁଟିଆ ଖାଇଦେବ।’’
କିଛି ସମୟ ନିରବ ରହିଲା ପରେ ପୁଣି କ’ଣ ତା’ ମୁଣ୍ଡକୁ ଜୁଟିଲା କେଜାଣି, ମତେ ପଚାରିଲା, ‘‘ଏବେ ଯେହେତୁ ଆଉ ସେ ନାଭିନାଡ଼ ନାହିଁ, ଆମେ କ’ଣ ତା’ହେଲେ ଅଲଗା ହେଇଗଲେ? ଆଉ ତ ଆମେ ଯୋଡ଼ିହୋଇ ନାହେଁ?’’ ମୁଁ କହିଲି,‘‘ନାଭିନାଡ଼ ଥାଉ କି ନଥାଉ, ଆମେ ସବୁଦିନ ପାଇଁ ଏକାଠି ରହିବା।’’ 
ମୁଁ ବଡ଼ହେଲେ ବି ତମେ ଏବେ ଯେମିତି ମତେ ଭଲପାଉଛ, ସେତେବେଳେ ସେମିତି ଭଲପାଇବ?’’

‘‘ହଁ, ମୁଁ ତତେ ସବୁବେଳେ ଏମିତି ଭଲପାଇବି,’’ ମୁଁ ଉତ୍ତର ଦେଲି। ତା’ପରେ ଟିକେ ଗମ୍ଭୀର ହେଇ ସେ ଭାବୁକଟେ ଭଳି ମତେ କହିଲା, ‘‘ମୁଁ ବଡ଼ ହେଲେ ବି ତମପାଇଁ ତ ଏମିତି କୁନିପିଲା ହେଇ ରହିବି। ଏ ଦୁନିଆରେ ଯିଏ ଯେତେ ବଡ଼ ହେଲେ ବି ସମସ୍ତେ କୁନିପିଲା। ତମେ ବି କୁନିପିଲା।’’

‘‘କେମିତି?’’ ମୁଁ ପଚାରିଲି। ‘‘ଦେଖ, ଅଜା ଆଉ ଆଈଙ୍କ ପାଇଁ ତମେ ହେଲ କୁନିପିଲା। କାହା ପାପା ଆଉ ମା’ ଥିଲା ପର୍ଯ୍ୟନ୍ତ, ସେ ତ ସବୁବେଳେ ତାଙ୍କ ପାଖରେ କୁନିପିଲା ହେଲା ନା?’’
ବେଳେବେଳେ ପିଲାମାନେ ଏମିତି କିଛି ପଚାରିଦିଅନ୍ତି, ଯାହା ଆମକୁ ରାତି ଉଜାଗର ରହି ଭାବିବାକୁ ବାଧ୍ୟକରେ। ଏକଥା ସତ ଯେ ବାପାମା’ଙ୍କ ପାଇଁ ସେମାନଙ୍କ ସନ୍ତାନ ସବୁବେଳେ ପିଲା। ସେମାନଙ୍କ ପାଇଁ ସବୁବେଳେ ଭଲପାଇବା ନିଃସର୍ତ୍ତ ଥାଏ। ହେଲେ ଆମ ବାପାମା’ଙ୍କ ପାଇଁ ଆମ ଭଲପାଇବା? ଆମେ ସେମାନଙ୍କୁ ଅଧିକ ଭଲପାଉ ନା ସେମାନେ ଆମକୁ ଅଧିକ ଭଲପାଆନ୍ତି? ମୁଁ ଅନେକ ସମୟରେ ଏ ବିଷୟରେ ଭାବେ। ହୁଏତ ଏ ପ୍ରଶ୍ନର ଠିକ୍‌ ଉତ୍ତର ନଥାଇପାରେ। କିନ୍ତୁ ବାପାମା’ଙ୍କ ଭଲପାଇବାର ତୁଳନା ନାହିଁ। ସେ ଭଲପାଇବାର ସୀମା ନାହିଁ।

ସବୁ ଛୋଟପିଲାଙ୍କ ପାଇଁ ସେମାନଙ୍କ ଦୁନିଆ ହେଉଛନ୍ତି ବାପାମା’। ସ୍ନେହ, ଶିକ୍ଷା, ସୁରକ୍ଷା, ସବୁକିଛି ପିତାମାତାଙ୍କ ଠାରୁ ହିଁ ମିଳିଥାଏ। ଏ ସମ୍ପର୍କରେ କୌଣସି ଆବିଳତା ନଥାଏ। କିନ୍ତୁ ଧୀରେ ଧୀରେ ପିଲାମାନେ ଯେତେ ବଡ଼ ହୁଅନ୍ତି, ସମ୍ପର୍କ ବି ସେମିତି ଧୀରେ ଧୀରେ ଜଟିଳ ହୋଇଯାଏ। ଅନାବନା ଭାବନା ଯୋଡ଼ି ହୋଇଯାଏ। ଆମ ଅନୁଭୂତି ଆମ ଭଲପାଇବାକୁ ପ୍ରଭାବିତ କରେ। ପିତାମାତାଙ୍କ ପାଇଁ ଆମ ଭଲପାଇବାରେ ସର୍ତ୍ତ ପ୍ରବେଶ କରିଯାଏ। ଅନେକ ‘ଯଦି’, ‘କିନ୍ତୁ’, ‘ପରନ୍ତୁ’ ସମ୍ପର୍କର ନିବିଡ଼ତାକୁ ନିର୍ଦ୍ଧାରଣ କରେ। ଯଦି ଏସବୁ ଘଟୁ ନଥାନ୍ତା, ତେବେ ଅନେକ ବାପା ଓ ମାଆ ନିରବରେ ସେମାନଙ୍କ ସନ୍ତାନସନ୍ତତିଙ୍କ ପାଇଁ କାନ୍ଦୁଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁ ନଥାନ୍ତା। ସନ୍ତାନ ପରିତ୍ୟକ୍ତ ମାତାପିତାଙ୍କ ଲାଗି ଜରାଶ୍ରମର ଅଭାବ ପରି ଘଟଣା ଆମ ନଜରକୁ ଆସୁ ନଥାନ୍ତା। ମୋ ପୁଅ କହେ, ପୃଥିବୀରେ ସବୁଠୁ ଅଧିକ ସେ ମତେ ଭଲପାଏ। ମୁଁ ତା’ର ଏଇସବୁ କଥାକୁ ମୋ ସ୍ମୃତିରେ ଜାବୁଡ଼ି ଧରିବା ପାଇଁ ଚାହେ। କାରଣ ମୁଁ ଜାଣେ, ଏ ସମୟ ସବୁଦିନ ରହିବ ନାହିଁ। ଆଜି ମୁଁ ତା’ ପାଇଁ ସବୁକିଛି। ହେଲେ ସମୟ ବଦଳିବ। ଧୀରେ ଧୀରେ ସେ ବଡ଼ହେବ। ତା’ ଦୁନିଆ, ତା’ ପରିସର ବଢ଼ିବ। ତା’ ଭଲପାଇବା ବାଣ୍ଟିହେବ। ଆମ ପରି ସେ ବି ଦିନେ ବାପା ହେବ। ସେତେବେଳେ ତା’ ଭଲପାଇବାର ପରିଭାଷା ହୁଏ ତ ବଦଳି ଯାଇଥିବ। ଦୁନିଆ, ସମାଜ ଓ ପରିବାର ଏମିତି ନିୟମରେ ଚାଲେ। ବୋଧହୁଏ ଭଗବାନ ସମ୍ପର୍କର ତରାଜୁରେ ପିତାମାତା ଆଉ ସନ୍ତାନର ପରସ୍ପର ପ୍ରତି ସ୍ନେହ ଓ ଆଦରର ଭାରସାମ୍ୟ ଏମିତି ହିଁ ରକ୍ଷା କରିଥାଆନ୍ତି।

ତନୟା ପଟ୍ଟନାୟକ
ସଂପାଦକ