ଏମିତି ଏକ ଅବସ୍ଥାର କଳ୍ପନା କରନ୍ତୁ, ଯେଉଁଠି ଆପଣ ନିରାଶା ଓ ଅସହାୟତା ଛଡ଼ା ଆଉ କିଛି ଖୋଜି ପାଉନାହାନ୍ତି। ଆପଣ ନିଶ୍ଚିତ ହୋଇସାରିଛନ୍ତି ଯେ କେବଳ ମୃତ୍ୟୁ ହିଁ ଆପଣଙ୍କର ଯନ୍ତ୍ରଣାକୁ ଲାଘବ କରିପାରିବ। ସବୁଦିନ ଏମିତି ଏକ ବୋହି ହେଉ ନଥିବା ବୋଝ ସହ ନିଦରୁ ଉଠୁଛନ୍ତି। ଆପଣ ବଞ୍ଚିବାକୁ ଚାହାନ୍ତି, କିନ୍ତୁ ପରିସ୍ଥିତି ଗଳାକୁ ଏମିତି ଚିପି ଧରୁଛି ଯେ ଆପଣ ଶ୍ବାସରୁଦ୍ଧ! ବ୍ୟାକୁଳ ହୋଇ ଟିକିଏ ସାନ୍ତ୍ବନା, ସମବେଦନା ଖୋଜୁଛନ୍ତି, ସଂକଟରୁ ମୁକୁଳିବା ପାଇଁ ଛଟପଟ ହେଉଛନ୍ତି, ହେଲେ ଏ ସବୁ ଆପଣଙ୍କ ପହଞ୍ଚରୁ ବହୁଦୂରରେ। ପୁଣି ଆପଣଙ୍କ ଚାରିପାଖରେ ବନ୍ଧୁବାନ୍ଧବ ଓ ପରିବାରବର୍ଗ, ସମସ୍ତେ ଅଛନ୍ତି; ତଥାପି ଆପଣ ଭୀଷଣ ଭାବରେ ଏକାକୀତ୍ବର ଶିକାର। ଆପଣଙ୍କ ଚାରିପାଖର ପୃଥିବୀ କୋଳାହଳମୟ, କିନ୍ତୁ ଆପଣ ଗଭୀର ଉଦାସୀନତା ଭିତରେ ବୁଡ଼ି ରହିଛନ୍ତି। ପରିସ୍ଥିତି ସହ ଲଢ଼ିବା ପାଇଁ ଆପଣ କ୍ଳାନ୍ତ ଓ ଅସମର୍ଥ, ନିଜ ମନକଥା କହିବା ଲାଗି ବି ଭୟଭୀତ!
ଏଭଳି ମାନସିକତା ଭିତରେ ସନ୍ତୁଳି ହେଉଛନ୍ତି କୋଟି କୋଟି ମଣିଷ। ଆଉ ଶେଷରେ ବାଛି ନେଉଛନ୍ତି ଆତ୍ମହତ୍ୟାର ପଥ। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱପାଇଁ ଏହା ଏକ ମହାସଙ୍କଟ ଭାବେ ଉଭା ହୋଇଛି, ଯାହାକୁ ଆମେ ଆଦୌ ଅଣଦେଖା କରିପାରିବା ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପୃଥିବୀରେ ପ୍ରତି ୪୦ ସେକେଣ୍ଡ୍ରେ ଜଣେ ଆତ୍ମହତ୍ୟା କରୁଛନ୍ତି, ଯାହାଙ୍କ ବୟସ ୧୫ରୁ ୨୯ ବର୍ଷ ମଧ୍ୟରେ। ପୁଣି ମୃତ୍ୟୁର ଚତୁର୍ଥ ପ୍ରମୁଖ କାରଣ ପାଲଟିଛି ଆତ୍ମହତ୍ୟା। ଭାରତରେ ଏହି ସ୍ଥିତି ଆହୁରି ଉଦ୍ବେଗଜନକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟ ଅନୁସାରେ, ୨୦୨୨ରେ ଆତ୍ମହତ୍ୟାଜନିତ ମୃତ୍ୟୁସଂଖ୍ୟା ଥିଲା ୧,୭୦,୯୨୪, ଯାହା ସର୍ବକାଳୀନ ରେକର୍ଡ। ୨୦୨୧ ମସିହାରେ ଆତ୍ମହତ୍ୟା ହାର ପ୍ରତି ୧ ଲକ୍ଷରେ ୧୨.୪% ଥିଲାବେଳେ ୨୦୨୨ରେ ଏଥିରେ ଆହୁରି ୪.୨% ବୃଦ୍ଧି ଘଟିଛି। ଚିନ୍ତାଜନକ କଥାଟି ହେଲା, ଏ ମଧ୍ୟରୁ ୬୭ ଭାଗ ହେଉଛନ୍ତି ଯୁବା, ଯାହାଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ। ସେହି ବର୍ଷ କେବଳ ଛାତ୍ରଛାତ୍ରୀମାନଙ୍କ ମୃତ୍ୟୁ ସଂଖ୍ୟା ୧୩,୦୪୪ ଛୁଇଁଥିଲା। ଦେଶର ଜନସଂଖ୍ୟାର ୬୫ ପ୍ରତିଶତଙ୍କ ବୟସ ୩୫ ବର୍ଷରୁ କମ୍ ହୋଇଥିବା ହେତୁ ଏହି ସମସ୍ୟା ଆମ ପାଇଁ ଏକ ବଡ଼ ଆହ୍ବାନ। ଆଉ ମୋର ଦୃଢ଼ ବିଶ୍ୱାସ,ଏହାକୁ ଅଟକା ଯାଇପାରିବ। କିନ୍ତୁ ସାମାଜିକ ପ୍ରତିବନ୍ଧକ, ଅବହେଳା ଓ ଅନ୍ଲାଇନ୍ରେ ରୀତିମତ ମିଥ୍ୟା ପ୍ରଚାର ଯୋଗୁଁ ସେମାନଙ୍କ କରୁଣ ଚିତ୍କାର ହଜିଯାଉଛି।
ଯୁବପିଢ଼ି ଭିତରେ ଦେଖାଦେଇଥିବା ଆତ୍ମହତ୍ୟା ପ୍ରବଣତାକୁ ଇନ୍ଧନ ଯୋଗାଉଛି ସୋସିଆଲ୍ ମିଡିଆ। ଆଦର୍ଶ ଜୀବନଶୈଳୀ, ସୁଖୀ ଜୀବନର ସୂତ୍ର, ଭ୍ରମଣ ଓ ଜୀବନଦର୍ଶନ ବିଷୟ ସମ୍ବଳିତ ମାଳମାଳ ସୋସିଆଲ୍ ମିଡିଆ ପୋଷ୍ଟିଂ କେବଳ ମୁଖା ବା ଲୋକଦେଖାଣିଆ! ସେସବୁ ବାସ୍ତବ ଖୁସିର ପରିପ୍ରକାଶ ନୁହେଁ, ବରଂ ସହାୟତା ଭିକ୍ଷାର ନିରବ ଚିତ୍କାର! ମୁଁ ଅନେକ ବନ୍ଧୁଙ୍କୁ ସକାରାତ୍ମକ ପୋଷ୍ଟ ଉହାଡ଼ରେ ସେମାନଙ୍କ ହତାଶାକୁ ଲୁଚେଇବା ଦେଖିଛି। ଅସଲରେ ଯନ୍ତ୍ରଣା ସ୍ବୀକାର କରିବାକୁ ଆମେ ବିଫଳତା ମନେକରୁ। ତେଣୁ ସମ୍ପୂର୍ଣ୍ଣ ଭାଙ୍ଗି ନପଡ଼ିବା ପର୍ଯ୍ୟନ୍ତ ବିଭିନ୍ନ ମିଥ୍ୟା ପୋଷ୍ଟ କରି ନିଜର କଷ୍ଟ ଲୁଚାଇବାର ପ୍ରୟାସ କରିଥାଉ। ଅନ୍ୟପକ୍ଷରେ ଏହାର ମୁକାବିଲା ଲାଗି ଉପଲବ୍ଧ ମାନସିକ ସ୍ୱାସ୍ଥ୍ୟ ସେବା ବି ପର୍ଯ୍ୟାପ୍ତ ନୁହେଁ। ଦେଶର ଗ୍ରାମାଞ୍ଚଳରେ ଏହା ବିରଳ ଏବଂ ସହରାଞ୍ଚଳରେ ଏହି ସେବା ବହୁତ ମହଙ୍ଗା। ବିଶ୍ବବ୍ୟାପୀ ଭାରତ ଭଳି ନିମ୍ନ ଆୟସମ୍ପନ୍ନ ରାଷ୍ଟ୍ରଗୁଡ଼ିକରେ ପ୍ରତି ଲକ୍ଷେ ଲୋକରେ ଜଣେ ମାତ୍ର ମନୋଚିକିତ୍ସକ ଅଛନ୍ତି, ଯେଉଁଠି ଉଚ୍ଚ ଆୟକାରୀ ରାଷ୍ଟ୍ରରେ ଏହି ସଂଖ୍ୟା ପ୍ରତି ଲକ୍ଷେରେ ୧୨ ଜଣ।
ଏହା ହିଁ ହେଉଛି କିଛି କରିବାର ସମୟ। ମାନସିକ ସ୍ୱାସ୍ଥ୍ୟ ପାଇଁ ପାଣ୍ଠି ଓ ପାଣ୍ଠି ପାଇଁ ନୀତି ଆବଶ୍ୟକ। ଭାରତ ସରକାର ୨୦୨୨ ବଜେଟ୍ରେ ଏଥିପାଇଁ ଯେତିକି ଅର୍ଥ ବରାଦ କରିଥିଲେ, ତାହା ସମୁଦ୍ରକୁ ଶଙ୍ଖେ। ବିଦ୍ୟାଳୟଗୁଡ଼ିକରେ ବାର୍ଷିକ ୪ ପ୍ରତିଶତ ହାରରେ ଆତ୍ମହତ୍ୟା ବଢୁଛି। ସେଠାରେ ପରାମର୍ଶଦାତା ନିୟୋଜନ ଏବଂ ସେମାନଙ୍କୁ ଉଚ୍ଚକୋଟୀର ତାଲିମ ଆବଶ୍ୟକତା ରହିଛି। ଗାଁରୁ ସହର ଯାଏ, ସବୁଠି ମାନସିକ ଚିକିତ୍ସା ଓ ପରାମର୍ଶ ବ୍ୟବସ୍ଥା ବି ଜରୁରି। ସବୁ ଅଞ୍ଚଳରେ ସ୍ନେହା ପରି ହେଲ୍ପଲାଇନ୍ ଉପଲବ୍ଧ ହେବା ମଧ୍ୟ ଆବଶ୍ୟକ। ଜଣେ ସାଧାରଣ ଲୋକ ଭାବେ ଆମେ କ’ଣ କରିପାରିବା? ଆସନ୍ତୁ ସେ ଚିତ୍କାର ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରିବା। ଫେସ୍ବୁକ୍, ଟୁଇଟର୍ରେ ପଡ଼ିଥିବା ସେ ଅତି ଉତ୍ସାହଜନକ ପୋଷ୍ଟକୁ ପରଖିବା, ଆମଠାରୁ ଦୂରେଇଯାଉଥିବା ସାଙ୍ଗଙ୍କୁ ଖୋଜିବା, ସେମାନଙ୍କ ପାଖରେ ପହଞ୍ଚିବା। ସେମାନଙ୍କୁ କହିବା, ଜୀବନରେ କୌଣସି ସମସ୍ୟା ଏତେ ବଡ଼ ନୁହେଁ, ଯାହାପାଇଁ ନିଜ ଜୀବନ ହାରିବାକୁ ପଡ଼ିବ। ସେମାନଙ୍କ ସହ ଆଦରପୂର୍ଣ୍ଣ ବାର୍ତ୍ତାଳାପ ବହୁ ଜୀବନ ବଞ୍ଚାଇପାରିବ।
ପ୍ରତ୍ୟେକ କ୍ଷତି କ୍ଷତାକ୍ତ କରେ, କିନ୍ତୁ ଜୀବନ ଦାନ ଦେଇଥିବା ପ୍ରତ୍ୟେକ କାହାଣୀ ପ୍ରମାଣ କରେ ଯେ ଆମେ ଏହି ଚିତ୍ରକୁ ବଦଳାଇ ପାରିବା। ପ୍ରୋଫାଇଲ୍ ସ୍କ୍ରିନ୍ ନୁହେଁ, ତା’ର ଆର ପାଖକୁ ଦେଖନ୍ତୁ। ଯାହାକୁ ଆପଣ ପୋଷ୍ଟ ଭାବୁଛନ୍ତି, ତାହା ପୋଷ୍ଟ ନୁହେଁ, କାହାର ଯନ୍ତ୍ରଣା ଜର୍ଜରିତ ଚିତ୍କାର ହୋଇପାରେ। ଚାଲନ୍ତୁ! ଲାଇକ୍ କରିବା ପରିବର୍ତ୍ତେ ପରସ୍ପର ପାଇଁ ବଞ୍ଚିବା ଆରମ୍ଭ କରିବା। ୟା’ ପରେ ଯେଉଁ ଜୀବନ ଆମେ ବଞ୍ଚାଇବା, ତାହା ହୁଏତ ଆମ ଆତ୍ମୀୟଙ୍କ ଭିତରୁ କାହାର ହୋଇପାରେ!
ତନୟା ପଟ୍ଟନାୟକ
ସଂପାଦକ