ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରିତ ହୋଇ ମୁଁ ପ୍ରାୟ ଦୁଇ ସପ୍ତାହ ହେବ ଆମେରିକା ଗସ୍ତରେ ଅଛି। କିଛିଦିନ ତଳେ ମୁଁ ନେଭାଡାର ରୋନୋରେ ଆସି ପହଞ୍ଚିଛି। କାର୍ଯ୍ୟକ୍ରମର ସୂଚୀ ଅନୁଯାୟୀ, ଆମେରିକାର ବିଭିନ୍ନ ସହର ପରିଦର୍ଶନ କରି ସେଠାକାର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଶେଷଜ୍ଞଙ୍କୁ ଭେଟୁଛି। ସେମାନଙ୍କ ସହ ବ୍ୟବସାୟ ଓ ଉଦ୍ୟମିତାରେ ସଂଘର୍ଷ, ସଫଳତା ଓ ଆହ୍ୱାନ ସମ୍ପର୍କରେ ମତ ଆଦାନପ୍ରଦାନ ବି ହେଉଛି।
ଏକ ଆଲୋଚନାଚକ୍ରରେ ଜଣେ ବରିଷ୍ଠ ପ୍ରତିନିଧି ନେଭାଡାର ଭୂତ ସହରଗୁଡ଼ିକ ସମ୍ପର୍କରେ ସୂଚନା ଦେଲେ। ‘ଭୂତ ସହର’ ଶବ୍ଦଟି ଶୁଣି କୌତୂୂହଳବଶତଃ ମୁଁ ତାଙ୍କୁ ଏହା କ’ଣ ବୋଲି ପଚାରିଲି। ତାଙ୍କ ଉତ୍ତର ମତେ ଖୁବ୍ ଆଶ୍ଚର୍ଯ୍ୟାନ୍ବିତ କଲା। ସେ କହିଲେ, ଏକଦା ଏଇ ସହରଗୁଡ଼ିକ ବିଭିନ୍ନ ଖଣିରେ ପରିପୂର୍ଣ୍ଣ ଥିଲା ଏବଂ ଏଠାରେ ପ୍ରଚୁର ଖଣିଜଦ୍ରବ୍ୟ ଉତ୍ପାଦନ ହେଉଥିଲା। ଫଳରେ ସହରଗୁଡ଼ିକ ଚଳଚଞ୍ଚଳ ବାଣିଜ୍ୟିକ କେନ୍ଦ୍ରରେ ପରିଣତ ହୋଇଥିଲା। ସୁନା, ରୁପା ଓ ନାନାଦି ମୂଲ୍ୟବାନ୍ ଖଣିଜ ପଦାର୍ଥ ବ୍ୟବସାୟ ମାଧ୍ୟମରେ ଭାଗ୍ୟ ଚମକାଇବା ପାଇଁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଛୁଟି ଆସୁଥିଲେ, ଏହା ସହରଗୁଡ଼ିକର ଦ୍ରୁତ ପ୍ରଗତିରେ ମଧ୍ୟ ସହାୟକ ହେଉଥିଲା। ପ୍ରାକୃତିକ ସଂପଦ ଅସରନ୍ତି ନୁହେଁ, ଧୀରେ ଧୀରେ ଖଣି ସରିଆସିଲା। ସମ୍ବଳ ଶେଷ ହେବାକୁ ଲାଗିଲା। ଲୋକେ ସହର ଛାଡ଼ିବା ଆରମ୍ଭ କଲେ। ସମୟ ସ୍ରୋତରେ, ଏକଦା ସମୃଦ୍ଧିରେ ଚକମକ କରୁଥିବା ଏହି ସହରଗୁଡ଼ିକ ପରିତ୍ୟକ୍ତ ଅବସ୍ଥାକୁ ଆସିଗଲା। ଆଜି ପୁରାତନ ଯୁଗର ଭଗ୍ନାବଶେଷ ପରି ଠିଆ ହୋଇଥିବା ଏହି ସହରଗୁଡ଼ିକୁ ‘ଭୂତ ସହର’ କୁହାଯାଉଛି। ତାଙ୍କଠାରୁ ଏସବୁ ଶୁଣିବା ପରେ ମୋର ହୃଦ୍ବୋଧ ହେଲା- ସମ୍ବଳ ଯେତେ ଅଧିକ ପରିମାଣରେ ଥାଉନା କାହିଁକି, ଯଦି ତାହାର ସୁପରିଚାଳନା କରା ନଯାଏ, ତେବେ ତାହା କ୍ଷଣସ୍ଥାୟୀ।
ନେଭାଡାରେ ଏମିତି ଅନେକ ଭୂତ ସହର ଅଛି। ମାତ୍ର କିଛି ଦଶନ୍ଧି ପୂର୍ବରୁ ଖଣି ଥିଲା ଏଠାକାର ଅର୍ଥନୀତିର ମେରୁଦଣ୍ଡ। କର୍ମ ଓ ଭାଗ୍ୟ ପରୀକ୍ଷା ପାଇଁ ଅନେକ ଲୋକ ଏହି ବିଚ୍ଛିନ୍ନ ଅଞ୍ଚଳକୁ ଚାଲିଆସୁଥିଲେ। କିନ୍ତୁ ଦିନେ ଖଣି ସବୁ ଶୋଷିତ ହୋଇ ସରିଯିବା ପରେ ସହରଗୁଡ଼ିକ କ୍ରମଶଃ ପଛୁଆ ହୋଇଗଲେ। ଆଜି ନେଭାଡାରେ ହାତଗଣତି ସକ୍ରିୟ ଖଣି ବାକି ଅଛି। ଏହି ଭୂତ ସହରର କାହାଣୀ ଆମକୁ ମଣିଷର ଅସରନ୍ତି ଅଭିଳାଷ ତଥା କୌଣସି ସମ୍ବଳ ଓ ସମ୍ପଦର ମାତ୍ରାଧିକ ଶୋଷଣର କରୁଣ ପରିଣାମ ସମ୍ପର୍କରେ ଚେତାଇ ଦେଇଥାଏ।
ନେଭାଡାର ଭୂତ ସହରରୁ ହଠାତ୍ ମୋର ଆମ ରାଜ୍ୟ କଥା ମନେପଡ଼ିଗଲା। ଠିକ୍ ନେଭାଡା ପରି ଖଣି ଓ ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ଖଣିକୁ ନେଇ ତା’ର ସର୍ବୋତ୍କୃଷ୍ଟ ସମୟ ଦେଖିଛି। ଗତ ଦୁଇ ଦଶନ୍ଧି ଭିତରେ ରାଜ୍ୟରେ ଲୁହାପଥର, କୋଇଲା, ବକ୍ସାଇଟ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଖନନ ଦ୍ରୁତଗତିରେ ବୃଦ୍ଧିପାଇଛି। ଏହା ଏକ ଅସନ୍ତୁଳିତ ପରିବେଶକୁ ଆମନ୍ତ୍ରଣର କାରଣ ମଧ୍ୟ ସାଜିଛି। ବେଆଇନ ଖଣି ଖନନ, ଉପଲବ୍ଧ ସମ୍ବଳର ଅନିୟନ୍ତ୍ରିତ ଶୋଷଣ ଏବଂ ସଠିକ୍ ଯୋଜନାର ଅଭାବ ଆଜି ଜମି, ଜଳ ଓ ଜଙ୍ଗଲର ଅପୂରଣୀୟ କ୍ଷତି ଘଟେଇବାକୁ ଯାଉଛି। ଅତ୍ୟଧିକ ଆର୍ଥିକ ଲାଭ ପାଇବା ପାଇଁ ଆମକୁ ଦିନକୁ ଦିନ ଭାରୀ ମୂଲ୍ୟ ଦେବାକୁ ପଡୁଛି। ଦ୍ରୁତବେଗରେ ବୃଦ୍ଧି ପାଉଥିବା ପାରିବେଶିକ ଅବକ୍ଷୟ ଓ ବ୍ୟାପକ ବିସ୍ଥାପନ ଏହାର ଏକ ନମୁନା ମାତ୍ର।
ଓଡ଼ିଶାରେ ଆଜି ଆମେ ଖଣି ସମ୍ବନ୍ଧୀୟ ବ୍ୟାପକ କାର୍ଯ୍ୟକଳାପ ଦେଖୁଛେ। କିନ୍ତୁ ଖଣିଖାଦାନ ସରିଗଲା ପରେ ନେଭାଡାର ସହରଗୁଡ଼ିକର ଯେଉଁ ଅବସ୍ଥା ହେଲା, ଓଡ଼ିଶାର ସେପରି ଏକ ସମ୍ଭାବ୍ୟ ଭବିଷ୍ୟତକୁ ଅଣଦେଖା କରିହେବ ନାହିଁ। ଆମକୁ ନିଶ୍ଚିତ କରିବାକୁ ପଡ଼ିବ, ଓଡ଼ିଶା ଯେପରି ଦିନେ ଏପରି ଦୁର୍ଭାଗ୍ୟର ଶିକାର ନହୁଏ। ଏଥିପାଇଁ ବ୍ୟାପକ ଯୋଜନା ଆବଶ୍ୟକ। ଖନନ ଦ୍ୱାରା କିପରି ପରିବେଶ ଉପରେ କମ୍ ପ୍ରଭାବ ପଡ଼ିବ ଏବଂ ଏହା ଦୀର୍ଘସ୍ଥାୟୀ ହୋଇପାରିବ, ଖନନ ପରେ ଖଣିକୁ ବନ୍ଧ୍ୟା ବା ଅବ୍ୟବହୃତ ଛାଡ଼ିଦେବା ପରିବର୍ତ୍ତେ କିପରି ତାହା ପୁନଃଉପଯୋଗୀ ହୋଇପାରିବ, ସେ ଦିଗରେ ଚିନ୍ତା କରାଯିବା ଆବଶ୍ୟକ। ସେହିପରି ସବୁଜ ଖଣି ଯେପରିକି, ଜମିର ପୁନରୁଦ୍ଧାର, ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବାରୋପ କରାଯିବା ମଧ୍ୟ ଜରୁରି। କିପରି ଖଣି ବା ଭିତ୍ତିଭୂମିର ପୁନଃବ୍ୟବହାର କରାଯାଇପାରିବ, ସେଦିଗରେ ଅଧିକ ଅନୁସନ୍ଧାନ କରାଯିବା ଦରକାର। ଖଣି ଉତ୍ତୋଳନ ପରର ଯୋଜନା, ସେଠାରେ କିପରି ସ୍ଥାୟୀ ଶିଳ୍ପ ପ୍ରତିଷ୍ଠା କରାଯିବ, ଏ ସମ୍ପର୍କରେ ପୂର୍ବ ପ୍ରସ୍ତୁତି ସହ ଭବିଷ୍ୟତରେ ଏହି ଅଞ୍ଚଳଗୁଡ଼ିକ ଯେପରି ଭୂତ ସହର ପାଲଟି ନଯାଏ ସେଥିପ୍ରତି ଆଗରୁ ସତର୍କ ରହିବାକୁ ହେବ।
ନେଭାଡାରୁ ସ୍ପଷ୍ଟ ଶିକ୍ଷା ମିଳେ, ଆଜି ଯାହା ସମୃଦ୍ଧି ପରି ଦେଖାଯାଉଛି, କାଲି ତାହା ଆମକୁ ଘୋର ବିପଦକୁ ଠେଲି ଦେଇପାରେ। ଏଣୁ ଖଣି କାର୍ଯ୍ୟରେ ଲିପ୍ତଥିବା ସମୟରେ ଆମକୁ ଆଗାମୀ ଭବିଷ୍ୟତ କଥା ଭାବିବାକୁ ହେବ। କେବଳ ଆର୍ଥିକ ସମୃଦ୍ଧି ନୁହେଁ, ସନ୍ତୁଳିତ ପରିବେଶ ଓ ସୁସ୍ଥ ସମାଜ କଥା ଚିନ୍ତା କରିବାକୁ ପଡ଼ିବ। ଆମ ଭବିଷ୍ୟତ ଆମ ହାତରେ।
ତନୟା ପଟ୍ଟନାୟକ
ସଂପାଦକ