୨୦୧୭ ମସିହାର କଥା। ମୁଁ ଚାରି ମାସର ଅନ୍ତଃସତ୍ତ୍ବା ଥାଏ। ଦିନେ ମତେ ଭୀଷଣ ଜ୍ୱର ହେଲା ଓ ତାର ଦୁଇଦିନ ପରେ ଆକସ୍ମିକ ଗର୍ଭପାତ ହୋଇଗଲା। ଏହି ଅପ୍ରତ୍ୟାଶିତ ଧକ୍କାରେ ମୋ ମନ ଗଭୀର ଦୁଃଖ ଓ ଯନ୍ତ୍ରଣାରେ ଭରିଗଲା। କାହିଁକି ଏହି ଗର୍ଭପାତ ହେଲା ତାର କାରଣ ଜଣାପଡ଼ିଲା ନାହିଁ। ଫଳରେ ଏକ ଅଜଣା ଭୟ ମୋ’ ମନକୁ ଗୋଟାପଣେ ଗ୍ରାସ କରିବସିଥିଲା। ମୁଁ ଭାବିଚାଲିଥିଲି, ଯଦି ଏହାର ପୁନରାବୃତ୍ତି ହୁଏ? ମୁଁ ବେଳକୁ ବେଳ ଆହୁରି ଭୟଭୀତ ଓ ନିରାଶବୋଧ କରୁଥିଲି। କିଛି ସପ୍ତାହ ପରେ ବାବା ମତେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାମର୍ଶ କରିବା ପାଇଁ କହିଲେ। ଆଉ ଏକଥା ବି ଜଣାଇଦେଲେ, ସେ ଜଣେ ସୁପ୍ରସିଦ୍ଧ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ। ସେ କିଛି ଭଲ ଉପଦେଶ ଦେଇପାରନ୍ତି। ଯଦିବା ମୁଁ ଆଗରୁ ତାଙ୍କ ବିଷୟରେ ଶୁଣିଥିଲି, କିନ୍ତୁ ତାଙ୍କ ସହ ମୋର ପ୍ରତ୍ୟକ୍ଷ ପରିଚୟ ନଥିଲା। ଓଡ଼ିଶାର ସବୁ ଅଞ୍ଚଳରୁ ଲୋକେ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସନ୍ତି। ପ୍ରସୂତି କ୍ଷେତ୍ରରେ ସେ ଜଣେ ଦିଗ୍ଗଜ। ବାବାଙ୍କ କଥା ଶୁଣି ମୁଁ ସଙ୍ଗେସଙ୍ଗେ କହିଲି, ‘‘ନା ନା। ସେ ନୁହେଁ। ସେ ଭାରି ବ୍ୟସ୍ତ ଲୋକ। ଜଣେ କିଏ ଅଳ୍ପ ବୟସ୍କ ଡାକ୍ତର ହେଲେ ଭଲ ହୁଅନ୍ତା, ଯିଏ ଫୋନ୍ କି ହ୍ବାଟ୍ସଆପ୍ରେ ସବୁବେଳେ ଉପଲବ୍ଧ ହୋଇପାରୁଥିବେ।’’ କିଛିଦିନ ପରେ ପୁଣି ବାବା ମୋତେ ଫୋନ୍ କରି କହିଲେ, ‘‘ଆଜି ଚାରିଟା ବେଳେ ପୂର୍ଣ୍ଣବାବୁଙ୍କ ସହ ତୋ ସାକ୍ଷାତ ପାଇଁ ମୁଁ ବ୍ୟବସ୍ଥା କରିଦେଇଛି। ଯାଇକି ଦେଖା କରିଦେବା।’’ ମୁଁ ପୁଣିଥରେ ତାଙ୍କୁ ମନାକଲି। ଏଥର ସେ ଟିକେ ବିରକ୍ତ ହୋଇ କହିଲେ, ‘‘ଆରେ ମୁଁ ତାଙ୍କଠୁ ସମୟ ମାଗି ସାରିଛି। ନ ଯିବାଟା ଅଭଦ୍ରାମି ହେବ। ଥରେ ହେଲେ ଯାଇ ଦେଖା ତ କରିଦେ। ତା’ପରେ ଯିବୁ ନଯିବୁ ତୋ ଇଛା। କେହି ତତେ ବାଧ୍ୟ କରିବେ ନାହିଁ।’’ ସେଦିନ ନିର୍ଦ୍ଧାରିତ ସମୟରେ ମୁଁ , ମୋ ସ୍ୱାମୀ, ବାବା ଆଉ ଆମର ଜଣେ ପାରିବାରିକ ବନ୍ଧୁ ରତନ ସିହ୍ନା, ଡାକ୍ତର ପୂର୍ଣ୍ଣ ମହାପାତ୍ରଙ୍କ କ୍ଲିନିକ୍ରେ ପହଞ୍ଚିଲୁ। କ୍ଲିନିକ୍ ବାହାରେ ପ୍ରବଳ ଗହଳି ଏବଂ ଭିତରେ ବିଭିନ୍ନ ବର୍ଗର ଲୋକଙ୍କର ଅସମ୍ଭବ ଭିଡ଼। କିଛି ଲୋକଙ୍କ ହାତରେ ବ୍ୟାଗ୍ ଓ ପୁଟୁଳି ମଧ୍ୟ ଥାଏ। ସେମାନେ ନିଶ୍ଚୟ କଟକ ବାହାରୁ ଆସିଥିବେ। ରତନବାବୁ କହିଲେ, ‘‘ସାର୍ ଯେମିତି ହେଲେ ତାଙ୍କୁ ପରାମର୍ଶ କରିବାକୁ ଆସିଥିବା ସବୁ ରୋଗୀଙ୍କୁ ସାକ୍ଷାତ କରନ୍ତି। ଏମିତିରେ ପ୍ରାୟ ସବୁଦିନ ସେ ରାତି ଦୁଇଟା ପର୍ଯ୍ୟନ୍ତ ରୋଗୀ ଦେଖନ୍ତି।’’
ରତନବାବୁ ଆମକୁ ନେଇ କ୍ଲିନିକ୍ର ଗୋଟିଏ ଛୋଟିଆ କୋଠରିରେ ବସେଇଦେଲେ। ଡାକ୍ତର ମହାପାତ୍ରଙ୍କୁ ଆଗରୁ କେବେ ମୁଁ ଦେଖି ନଥିଲି। ସେ ଜଣେ ନିଶ୍ଚୟ କ୍ଷୀଣକାୟ, ଅବିଶ୍ରାନ୍ତ ଚାପଗ୍ରସ୍ତ ଓ ଚିଡ଼ିଚିଡ଼ା ସ୍ବଭାବର ମଣିଷଟିଏ ହୋଇଥିବେ ବୋଲି ମୁଁ କଳ୍ପନା କରିଥିଲି। ପ୍ରାୟ ଅଧଘଣ୍ଟା ପରେ ସେ ଆସିଲେ। ମୋ ଭାବନାର ସମ୍ପୂର୍ଣ୍ଣ ବିପରୀତ। ଡେଙ୍ଗା, ହୃଷ୍ଟପୁଷ୍ଟ ଶରୀର, ହସକୁରା ମୁହଁ, ଆଖିରେ ଚମକ। ସେ ଏକ ସର୍ଜିକାଲ୍ ପୋଷାକ ପିନ୍ଧିଥାନ୍ତି, ଯେଉଁଥିରେ ଠାଏଁଠାଏଁ ରକ୍ତଛିଟା ଲାଗିଥାଏ। ମୁଣ୍ଡର ଧଳାଚୁଟି ସବୁ ଆଲୁରୁବାଲୁରୁ, ସେ ଆଇନଷ୍ଟାଇନ୍ଙ୍କ ପରି ଦେଖାଯାଉଥାଆନ୍ତି। ତାଙ୍କ ଖୋଲା ହସ ଆଉ ଆଚରଣ ଦେଖି, ସେ ମତେ ପୂରା ସାନ୍ତାକ୍ଳଜ୍ ପରି ଲାଗୁଥାନ୍ତି। ଡାକ୍ତର ମହାପାତ୍ର ଆମକୁ ଅଭିବାଦନ ଜଣାଇ ବାବାଙ୍କ ସହ ଦି’ପଦ କଥା ହେଲାପରେ ମୋ ଆଡ଼କୁ ଚାହିଁଲେ। ମୁଁ ତାଙ୍କୁ ସଂକ୍ଷେପରେ ମୋ’ ଅସୁବିଧା ଜଣେଇଲି ଓ ମୋ ଫାଇଲ୍ ତାଙ୍କ ଆଡ଼କୁ ବଢ଼ାଇଦେଲି। ଫାଇଲ୍ ଭିତରେ ଥିବା ରିପୋର୍ଟ ଓ ପ୍ରେସ୍କ୍ରିପ୍ସନ୍ଗୁଡ଼ିକ ଉପରେ ସେ କିଛିକ୍ଷଣ ନଜର ବୁଲେଇ ଫାଇଲ୍ଟିକୁ ବନ୍ଦ କରିଦେଲେ। ମୁଁ ମୋର ସମସ୍ୟା ସମ୍ପର୍କରେ ଆହୁରି ଜଣେଇବାକୁ ଚାହୁଁଥିଲି। ହେଲେ ସେ କହିଲେ, ‘‘ବ୍ୟସ୍ତ ହେବା ଦରକାର ନାହିଁ। ସବୁ ଠିକ୍ ହେଇଯିବ। ଭଗବାନଙ୍କ ଉପରେ ଭରସା ରଖ।’’ ସେଇ ଗୋଟିଏ ସାକ୍ଷାତରେ ମୋ ଚିନ୍ତାଧାରା ପୂରାପୂରି ବଦଳିଗଲା। ମୁଁ କେବଳ ଯିବା କଥା ବୋଲି ଯାଇଥିଲି। ନିଷ୍ପତ୍ତି କରିସାରିଥିଲି ଯେ ତାଙ୍କ ପାଖକୁ ଆଉ ଯିବିନାହିଁ। କିନ୍ତୁ ଫେରିଲାବେଳକୁ ମୁଁ ଅତ୍ୟନ୍ତ ସକାରାତ୍ମକ ଆଉ ଆଶାବାଦୀ ହୋଇ ଫେରିଥିଲି। ମୋ ମନରେ ବସା ବାନ୍ଧିଥିବା ଭୟ, ଆଶଙ୍କା ସବୁ ଦୂରେଇ ଯାଇଥିଲା ଏବଂ ମତେ ଲାଗୁଥିଲା, ମୁଁ ଏ ଲୋକ ଉପରେ ସମ୍ପୂର୍ଣ୍ଣ ଭରସା କରିପାରିବି। ସେବେଠାରୁ ମୋର ପୁଅ ଜନ୍ମ ହେବା ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ଭାବେ ତାଙ୍କ ତତ୍ତ୍ୱାବଧାନରେ ଥିଲି ଏବଂ ସେ ସମୟରେ ତାଙ୍କଠାରୁ ପାଇଥିବା ପ୍ରେରଣା, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ କେବେ ବି ଭୁଲିପାରିବି ନାହିଁ। ମୋ ପାଇଁ ସେ ଜଣେ ହିରୋ।
ମୁଁ କୃତଜ୍ଞତା ଜ୍ଞାପନ ପୂର୍ବକ ଦୁନିଆର ସେହି ସବୁ ଡାକ୍ତରଙ୍କ ପାଖରେ ମୁଣ୍ଡ ନୁଆଁଉଛି, ଯେଉଁମାନେ କେବଳ ଆମର ଚିକିତ୍ସା କରନ୍ତିନାହିଁ, ବରଂ ଆମ ଭୟ ଦୂର କରିଦିଅନ୍ତି ଏବଂ ଆମ ଭିତରେ ଆଶା ସୃଷ୍ଟି କରନ୍ତି। ଫିସ୍ ବାବଦରେ ଆମେ କିଛି ଟଙ୍କା ଦେଉଥିଲେ ବି, ଏହି ଡାକ୍ତରମାନଙ୍କ ପାଖରେ ଆମେ ସବୁବେଳେ ଋଣୀ। ଔଷଧ ଶରୀରକୁ ରୋଗରୁ ମୁକ୍ତ କରିଥାଏ। ହେଲେ ଜଣେ ଭଲ ଡାକ୍ତର ଆମକୁ ଭରସା ଦେଇଥାଆନ୍ତି। ଭରସା ହିଁ ଏ ଦୁନିଆର ସବୁଠାରୁ ଶକ୍ତିଶାଳୀ ଔଷଧ।
ତନୟା ପଟ୍ଟନାୟକ
ସଂପାଦକ