ଆଗରୁ ଯଦି କେବେ କାହା ସଙ୍ଗରେ ଦେଖା ହୋଇ ଯାଉଥିଲା, ଆମେ ପଚାରୁଥିଲୁ, କେମିତି ଅଛ? କ’ଣ ଚାଲିଛି? ଘରେ ସବୁ ଭଲ ତ? କିନ୍ତୁ ଏବେ ସେ ସବୁ କଥା ଆଉ ନାହିଁ। ବହୁତ ଦିନ ପରେ ଯଦି କାହା ସଙ୍ଗରେ ଦେଖା ହୋଇଯାଉଛି, ତେବେ ଶୁଣିବାକୁ ମିଳୁଛି, ଆରେ କେତେ ଝଡ଼ିଯାଇଛୁ! କ’ଣ କରୁଛୁ? କ’ଣ ଖାଉଛୁ? ମୋତେ ଟିକେ କହ। ନହେଲେ ଦେହ ଟିକେ ଲାଗିଯାଇଛି ବୋଧେ! ଜିମ୍‌ଫିମ୍‌ ଯାଉନୁ କି? ଆରମ୍ଭରୁ ଶେଷଯାଏ ସେଇ ଗୋଟାଏ କଥା- ଓଜନ ଆଉ ରୂପ। ଯେମିତି ସଂସାରରେ ଆଉ କିଛି କଥା ହିଁ ନାହିଁ! ଏ ଦୁନିଆରେ ଆମ ପାଇଁ ‌କେତେ କ’ଣ ଅଛି। ଆମେ ସଫଳ ହୋଇପାରିବା, ଦୟାବାନ୍ ହୋଇପାରିବା, ପ୍ରତିଭାବାନ୍ ହୋଇପାରିବା, ଶାନ୍ତସରଳ ସ୍ବଭାବର ଭଲ ମଣିଷଟେ ହୋଇପାରିବା। ହେଲେ ଆଜିକାଲି କିଛି ଲୋକଙ୍କ ପାଇଁ ପତଳା ହେବାଟା ଯେମିତି ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପାଲଟିଯାଇଛି।

Advertisment

ଆଉ କାହା କଥା କାହିଁକି? ମୁଁ ମୋ ନିଜ କଥା କହୁଛି। ଗତ ୧୫ ବର୍ଷ ହେବ ମୁଁ ମୋ ଓଜନ କମେଇବା ପାଇଁ ଚେଷ୍ଟା କରୁଛି। ଯେତେ ପ୍ରକାରର ଡାଏଟ୍ ଅଛି, ମୁଁ ବୋଧେ ସବୁକୁ ନେଇ ପରୀକ୍ଷାନିରୀକ୍ଷା କରି ସାରିଥିବି। କିଟୋ ଡାଏଟ୍, ଜିଏମ୍ ଡାଏଟ୍, ମିଲିଟାରି ଡାଏଟ୍, ବନ୍ଧାକୋବି ସୁପ୍ ଡାଏଟ୍, ଫଳରସ ଡାଏଟ୍ ଇତ୍ୟାଦି ଇତ୍ୟାଦି। କିନ୍ତୁ କିଛି ଫାଇଦା ହୋଇନାହିଁ। ମୋତେ ୧୨ ବର୍ଷ ଲାଗିଗଲା ବୁଝିବା ପାଇଁ ଯେ ଅସୁବିଧାଟା କେଉଁଠି। ମୋ ଲକ୍ଷ୍ୟ ଥିଲା କେବଳ ଓଜନ କମେଇବା। ଫିଟ୍ ରହିବା କେବେ ମୋର ଲକ୍ଷ୍ୟ ହିଁ ନଥିଲା। ଆଗକୁ କେଉଁ ସାଙ୍ଗର ବାହାଘର ଆସୁଛି କି କିଛି ଫଙ୍କ୍‌ସନ୍‌ ଅଛି, ତେବେ ମୋତେ ଝଡ଼ିବାର ଅଛି। ଗୁଗୁଲ୍ କରୁଥିଲି- ୧୦ ଦିନରେ ୫ କିଲୋ କେମିତି କମିବେ? ତା’ପରେ ଆରମ୍ଭ ହେଇ ଯାଉଥିଲା ଗୋଟେ ଅସମ୍ଭବ ଡାଏଟ୍‌ ଅଭ୍ୟାସ। ୨/୩ ଦିନରେ ଜଣାପଡ଼ିଯାଉଥିଲା କି ମୋ ଦ୍ବାରା ଏସବୁ ହେବ ନାହିଁ। ଡାଏଟ୍‌ଟା ବନ୍ଦ ହେବ ହିଁ ହେବ। ଅତିଷ୍ଠ ହୋଇ ନିଜକୁ ବିଫଳ ମନେକରି ପୁଣିଥରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆରମ୍ଭ କରିଦେଉଥିଲି। ଏହା ପ୍ରତିଥରର କାହାଣୀ। ମୁଁ ସେତେବେଳେ ବୁଝି ପାରୁ ନଥିଲି ଯେ ୧୦ ଦିନରେ ୫ କିଲୋ ଓଜନ କମାଇବା କେବଳ ଅସମ୍ଭବ ନୁହେଁ, ଏଭଳି ଚେଷ୍ଟା ବି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ଆମ ପିଢ଼ି ଓ ଅଧିକାଂଶ ଯୁବକଯୁବତୀଙ୍କୁ ଏବେ ପତଳା ହେବା ନିଶା ଚଢ଼ିଛି। ସାମାଜିକ ଗଣମାଧ୍ୟମ ଓ ସ୍ମାର୍ଟଫୋନ୍ କ୍ୟାମେରାର ଫିଲ୍‌ଟର୍‌ ଏ ସବୁକୁ ଅଧିକ ପ୍ରଶ୍ରୟ ଦେଉଛି। ସିନେତାରକା ଓ ମଡେଲ୍‌ମାନଙ୍କ ନିଖୁଣ ଶରୀର ଓ ତ୍ବଚା ଦେଖି ଆମର ବି ତାଙ୍କ ଭଳି ହେବା ପାଇଁ ଇଚ୍ଛା ହେଉଛି। କିନ୍ତୁ ଆମେ ଭୁଲିଯାଉଛୁ ଯେ ଆମେ ଦେଖୁଥିବା ଫଟୋରେ ଫଟୋସପ୍ ଓ ଏୟାରବ୍ରସ୍‌ ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରୟୋଗ କରାଯାଇଛି। ତା’ଛଡ଼ା ପରଦାରେ ଭଲ ଦେଖାଯିବା ସେମାନଙ୍କ କାମ, ସେଇଟା ହିଁ ତାଙ୍କର ପେସା। ସେଥିପାଇଁ ସେମାନେ ବର୍ଷ ତମାମ ପରିଶ୍ରମ କରନ୍ତି। ଯୁବପିଢ଼ି କଥା ଛାଡ଼ନ୍ତୁ। ୭/୮ ବର୍ଷର କୁନି କୁନି ପିଲା, ଯେଉଁମାନଙ୍କର ଖାଇବା ଓ ଖେଳିବା ବ୍ୟତୀତ ଆଉ କିଛି ଚିନ୍ତା ରହିବା କଥା ନୁହେଁ, ସେମାନେ ମଧ୍ୟ ସାମାନ୍ୟ ଓଜନ ବଢ଼ିଲେ ବିଚଳିତ ହୋଇପଡୁଛନ୍ତି।

ଆଜିକାଲି ସ୍ମାର୍ଟଫୋନ୍ ଓ ସେଲ୍‌ଫି କ୍ୟାମେରାରେ ଏମିତି ସବୁ ଫିଲ୍‌ଟର୍‌ ଆସୁଛି, ଯାହା ଜଣଙ୍କ ଚେହେରାକୁ ସଂପୂର୍ଣ୍ଣ ବଦଳାଇ ଦେଉଛି। ଫଟୋ ଉଠିବା ପରେ ସମସ୍ତେ ସମାନ ଦିଶୁଛନ୍ତି। ସମସ୍ତଙ୍କର ରଙ୍ଗ ସମାନ, ଓଠ ସମାନ, ନାକ ସମାନ ଓ କାହା ମୁହଁରେ ଟିକିଏ ବି ଦାଗ ଦିଶୁନି। ଆମେ ସବୁବେଳେ ଏକ ଅଭିଯୋଗ ମାନସିକତାରେ ରହିଯାଉଛେ। ଯାହାର କୁଞ୍ଚୁକୁଞ୍ଚିଆ କେଶ, ତା’କୁ ସିଧା ଦରକାର; ଯାହାର ସିଧା କେଶ, ତା’କୁ କୁଞ୍ଚକୁଞ୍ଚିଆ ଦରକାର। ପୁଣି ଯାହାର ରଙ୍ଗ କମ୍ ତା’କୁ ଗୋରା ହେବା ଦରକାର ଓ ଗୋରା ଲୋକଙ୍କୁ ଶ୍ୟାମଳ ତ୍ବଚା ପସନ୍ଦ। ମୋ ହାତ କେତେ ମୋଟା, ମୋ ମୁହଁ କେତେ ବଡ଼, ମୋ ନାକ କେତେ ଚେପା; ଏମିତି ଚିନ୍ତା କରି ଆମେ ସବୁବେଳେ ଅସନ୍ତୁଷ୍ଟ ହୋଇଥାଉ। ଅସୁବିଧା ହେଉଛି, ଆମେ ନିଜ ଶରୀରକୁ ନେଇ ସନ୍ତୁଷ୍ଟ ନୁହେଁ ଓ ସ୍ବାଭାବିକ ଭାବେ ଆମେ ଯେପରି ଦିଶନ୍ତି ସେଥିରେ ଖୁସି ରହିପାରନ୍ତି ନାହିଁ। ଅନ୍ୟ ସହ ନିଜକୁ ତୁଳନା କରି ଅଯଥାରେ ବିବ୍ରତ ହୁଅନ୍ତି।  ଅସଲରେ ଆମେମାନେ ବୁଝିବାକୁ ପ୍ରସ୍ତୁତ ନୁହେଁ କି ଈଶ୍ବର ହିଁ ଜଣଙ୍କୁ ଅନ୍ୟ ଜଣଙ୍କଠାରୁ ଭିନ୍ନ କରି ଗଢ଼ିଛନ୍ତି। କିଏ ଡେଙ୍ଗା, କିଏ ଗେଡ଼ା, କିଏ ମୋଟା, କିଏ ପତଳା, କିଏ ଗୋରା ଓ କିଏ କଳା; ସମସ୍ତେ ସମସ୍ତଙ୍କଠାରୁ ଅଲଗା। ଏହି ଭିନ୍ନତା ଭିତରେ ହିଁ ସୌନ୍ଦର୍ଯ୍ୟ ଭରି ରହିଛି। ତେବେ କିଏ ସ୍ଥିର କଲା ଯେ ଗୋରା ଭଲ, କଳା ହେଲେ ଖରାପ, ମୋଟା ଅସୁନ୍ଦର, ପତଳା ସୁନ୍ଦର?

ଭଲ ଦେଖାଯିବାକୁ ଚେଷ୍ଟା କରିବା ଆଦୌ ଖରାପ କଥା ନୁହେଁ। ହେଲେ ଅନ୍ୟ ଆଖିରେ ଭଲ ଦିଶିବା ପାଇଁ ପ୍ରଥମେ ନିଜକୁ ଭଲପାଇବା ଦରକାର। ଯଦି ଈଶ୍ବର ଦେଇଥିବା ଏ ସୁସ୍ଥ ଓ ସୁନ୍ଦର ଶରୀରକୁ ଆମେ ସମ୍ମାନ ଦେବା, ତା’ର ଯତ୍ନ ନେବା, ଭଲ ଅଭ୍ୟାସ କରିବା, ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ଧ୍ୟାନ ଦେବା ତ ଆମେ ଆପେ ଆପେ ଭଲ ଦେଖାଯିବା। ଅବାସ୍ତବ ସୌନ୍ଦର୍ଯ୍ୟ ପଛରେ ଧାଇଁବା ଆଦୌ ଜରୁରି ନୁହେଁ। ଚାଲନ୍ତୁ, ଆମେ ଆମର ସ୍ବାତନ୍ତ୍ର୍ୟକୁ ନେଇ ଖୁସି ହେବା। ନିଜେ ନିଜକୁ ଭଲପାଇବା ଏବଂ ମନରେ ଏଇ ବିଶ୍ବାସ ରଖିବା ଯେ ‘ମୁଁ ସୁନ୍ଦର’!

ତନୟା ପଟ୍ଟନାୟକ
ସଂପାଦକ