କୁହାଯାଏ, ଦୂର ପର୍ବତ ସୁନ୍ଦର। ଆମ ପାଖରେ ନଥିବା, ଆମଠାରୁ ଦୂରରେ ଥିବା ମଣିଷ ବା ଜିନିଷ ଆମର ସବୁବେଳେ ପସନ୍ଦ। ମୁଁ ଅନେକ ମହିଳାଙ୍କ ସଂସ୍ପର୍ଶରେ ଆସିଛି ଏବଂ ସେମାନଙ୍କ ସହ କଥା ହେବାବେଳେ ଲକ୍ଷ୍ୟ କରିଛି, ସବୁବେଳେ କର୍ମଜୀବୀ ମହିଳାମାନେ ଭାବନ୍ତି ଗୃହିଣୀମାନେ ବେଶୀ ଭାଗ୍ୟବାନ ଏବଂ ଗୃହିଣୀମାନେ ଭାବନ୍ତି କର୍ମଜୀବୀମାନେ ଅଧିକ ଭାଗ୍ୟବାନ।
ଅଳ୍ପଦିନ ତଳେ ମୁଁ କେତେଜଣ ମହିଳାଙ୍କ ଗହଣରେ ବସିଥିଲି। ସେମାନଙ୍କ ମଧ୍ୟରୁ ଜଣେ କହିଲେ, ‘‘ଚାକିରିଆ ଝିଅଙ୍କର ବଡ଼ ଭାଗ୍ୟ। ଅଫିସ୍ ଗଲେ, ଆସିଲେ। ଘରକାମର ଟେନ୍ସନ୍ ନାହିଁ। ଆଉ ଆମ ଫଟା ଭାଗ୍ୟ କଥା ନକହିଲେ ଭଲ। ଦିନରୁ ରାତିଯାଏ ଘର କାମ କରି କରି ନାକେଦମ୍।’’ ଏ କଥାର ଉତ୍ତର ଦେଇ ଜଣେ ଚାକିରିଆ ମହିଳା କହିଲେ, ‘‘ଆମ ଜୀବନ ଏତେ ସହଜ ନୁହେଁ, ଯେମିତି ତମେ ଭାବୁଛ। ସକାଳ ପାଞ୍ଚଟାରେ ଉଠ। ଘରେ ସମସ୍ତଙ୍କ ପାଇଁ ଜଳଖିଆ କର, ପିଲାଙ୍କ ଟିଫିନ୍ ସଜାଡ଼, ସେମାନଙ୍କୁ ସ୍କୁଲ୍ ପାଇଁ ପ୍ରସ୍ତୁତ କର, ସ୍କୁଲ୍ ବସ୍ ଯାଏ ନେଇ ଛାଡ଼, ଘର ପାଇଁ ସଉଦା, ପରିବା, ମାଛ, ଅଣ୍ଡା, ଚିକେନ୍ ଆଣ। ତେଣେ ଅଫିସ୍ ଡେରି ହେଇଯାଉଥିବ, ଏଣେ ତରତର ହେଇ ରୋଷେଇ ସାର। ନିଜ ଟିଫିନ୍ ପ୍ୟାକ୍ କର ଆଉ ଅଫିସ୍ ବାହାର। ପୁଣି ଅଫିସ୍ରେ ଅଧିକାଂଶ ଦିନ ବ୍ୟସ୍ତତାରେ କଟେ। ଏଣେ ବସ୍ଙ୍କର ଆଦେଶ ଉପରେ ଆଦେଶ। କୋଡ଼ିଏ ମିନିଟ୍ର ଲଞ୍ଚ୍ବ୍ରେକ୍ ଛାଡ଼ିଦେଇ ଦିନସାରା ମିଟିଙ୍ଗ୍ ନହେଲେ କମ୍ପ୍ୟୁଟର ସାମ୍ନାରେ ବସ। ମୁହୂର୍ତ୍ତଟେ ବି ଫୁର୍ସତ୍ ନାହିଁ। ଘରକୁ ଫେରିବା ବେଳକୁ ଶାଶୂ ଏମିତି ମୁହଁ କରିଥିବେ, ଯେମିତି ଅଫିସ୍ ଯାଇ ମୁଁ ଗୋଟେ ବହୁତ ବଡ଼ ଅପରାଧ କରିଛି। ଏବେ ଟିକେ ଧୁଆଧୋଇ ହୋଇ ପିଲାଙ୍କ ପାଠପଢ଼ା ପାଖରେ ବସ। ହୋମ୍ୱାର୍କ କରାଅ। ସ୍ୱାମୀ ଘରକୁ ଫେରିଲେ, ତାଙ୍କ କଥା ବୁଝ। ତା’ପରେ ରାତି ପାଇଁ ଖାଇବା ପ୍ରସ୍ତୁତ କର। ରାତିରେ ସମସ୍ତେ ଖାଇ ସାରିବା ପରେ ରୋଷେଇଘର ପରିଷ୍କାର କରି, ସଜଡ଼ାସଜଡ଼ି ସାରି ଶୋଇବାକୁ ଗଲାବେଳକୁ କୋଉଦିନ ରାତି ବାରଟାରୁ କମ୍ ନୁହେଁ। ସକାଳେ ଜଣେ ସଫାସଫି, ବାସନ ମଜାମଜି, ପରିବା କଟାକଟି କରିବାକୁ ଆସେ ବୋଲି ଟିକେ ଚଳିଯାଏ। ପିଲାଙ୍କ ସ୍କୁଲ୍ କାମଠୁ ଆରମ୍ଭ କରି ଘରର ଯେତେକ କାମ, ପୁଣି କାମ କରିବାକୁ ଆସୁଥିବା ଲୋକଙ୍କ କାମର ତଦାରଖ, ଘର ଖର୍ଚ୍ଚ ତଥା ସଉଦାପତ୍ରର ହିସାବ ରଖିବା, ଶାଶୂଶଶୁରଙ୍କ ସେବାଯତ୍ନ, ଔଷଧପତ୍ର ଆଣିବା, ପରିବାର, ବନ୍ଧୁବାନ୍ଧବରେ ଯେତିକି ଉତ୍ସବ, ଏ ସବୁର ଖିଆଲ ରଖିବା, ତା’ ସହ ଗୋଟେ ଫୁଲ୍ଟାଇମ୍ ଚାକିରି। ବେଳେବେଳେ ତ ଏମିତି ଲାଗେ, ଯେମିତି ମୋ ପାଖରେ ନିଃଶ୍ୱାସ ନେବାକୁ ମୁହୂର୍ତ୍ତଟେ ବି ସମୟ ନାହିଁ। କାହା ଆଗରେ ଅଭିଯୋଗ କରିବାର ଅଧିକାର ବି ନାହିଁ। ଯଦି କାହା ଆଗରେ ଦୁଃଖ କଥା କହେ, ତେବେ ଉତ୍ତର ଆସେ- ଚାକିରି ଛାଡ଼ି ଦଉନ! କିଏ ବାଧ୍ୟ କରୁଛି କି? ନା। କେହି ବାଧ୍ୟ କରୁନାହାନ୍ତି।’’
ଗୃହିଣୀମାନଙ୍କ ପାଇଁ ମୋର ଯଥେଷ୍ଟ ସମ୍ମାନ ରହିଛି। ମୋ ମା’ ବି ଜଣେ ଗୃହିଣୀ। ମୁଁ ଦେଖିଛି ଘର ସମ୍ଭାଳିବା ସହ ଚାରି ଚାରି ଜଣ ପିଲାଙ୍କୁ ମଣିଷ କରିବା ପାଇଁ ସେ କେତେ କଷ୍ଟ ନ ସହିଛି। ଯେତିକି ତ୍ୟାଗ ସେ କରିଛି, ମୁଁ ତ ତା ଜାଗାରେ ଥିଲେ ପାରି ନଥାନ୍ତି। ହେଲେ ମୋ ଚାକିରିର ଗୁରୁତ୍ବ ମୋ ପାଇଁ କ’ଣ, ମୁଁ ତାହା ଶବ୍ଦରେ ବୁଝେଇ ପାରିବିନି। ନିଜ ଆବଶ୍ୟକତା ପାଇଁ ନିଜେ ଟଙ୍କା ରୋଜଗାର କରିବାର ଆତ୍ମସନ୍ତୋଷ, କର୍ମକ୍ଷେତ୍ରରେ ମୋର ପ୍ରତ୍ୟେକ ସଫଳତା, ମୋ କାମ ପାଇଁ ଯେବେ ଯେବେ ମୋ ବସ୍ ସାବାସୀ ଦିଅନ୍ତି; ମତେ ଏମିତି ଲାଗେ ଯେମିତି ୟାଠୁ ଅଧିକ ଖୁସି ଆଉକିଛି ନାହିଁ। ଯେତେ ଯାହା ହେଇଗଲେ ବି ଏ ଖୁସିକୁ ମୁଁ ନିଜଠୁ ଦୂରେଇ ଦେଇପାରିବିନି। ମୋର କାହା ପାଖରେ କିଛି ଅଭିଯୋଗ ନାହିଁ। ଚାକିରି କରିବା ସମ୍ପୂର୍ଣ୍ଣ ଭାବରେ ମୋ ନିଜ ପସନ୍ଦ। ଏଥିରୁ ପାଉଥିବା ସବୁ ସୁଖ ଆଉ ଦୁଃଖ ପାଇଁ ମୁଁ ନିଜେ ଦାୟୀ।
ହେଲେ କେବେ କେବେ ଲାଗେ, ଭଲ ହୁଅନ୍ତା ଯଦି କେହି ମୁଁ ଅଫିସ୍ରୁ ଫେରିଲାବେଳକୁ ମୋତେ ହସି ହସି ଦି’ପଦ କଥାରେ ସ୍ୱାଗତ କରନ୍ତା। କେହି ଯଦି ମତେ ପଚାରନ୍ତା, ତୋ ଦିନଟା କେମିତି କଟିଲା? ତୋର କ’ଣ ଦରକାର କି? ଯଦି ମୋ ସ୍ବାମୀ ଦିନକ ପାଇଁ ସଉଦା ଆଣିବା କି ପିଲାଙ୍କୁ ସ୍କୁଲ୍ ପାଇଁ ପ୍ରସ୍ତୁତ କରିବାର ଦାୟିତ୍ୱ ନେଇପାରନ୍ତେ! ଯଦି ମୋ ଶାଶୂ କେବେ ମତେ ଅଟକାଇ ରାତି ଖାଇବା ନିଜେ ରୋଷେଇ କରିଦିଅନ୍ତେ! ଯଦି ମତେ କୋଉଦିନ ଏମିତି ଲାଗନ୍ତା, ସବୁବେଳେ, ସବୁ କାମ, ସବୁ ଦାୟିତ୍ୱ ଖାଲି ମୋର ନୁହେଁ; ମୁଁ ଥକିଗଲେ, ମୋ ପାଇଁ, ମୋ’ଠୁ କାମ ଛଡ଼ାଇନେବା ପାଇଁ ମୋ ସାରା ପରିବାର ମୋ ସଙ୍ଗରେ ଅଛନ୍ତି!
ତନୟା ପଟ୍ଟନାୟକ
ସଂପାଦକ