ଓଡ଼ିଶାରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ପାଇଁ ମୁଁ ନିଷ୍ପତ୍ତି ନେଲି। ସିବିଏସ୍‌ଇରେ +୨ କଳା ପଢ଼ିବା ପାଇଁ ଦିଲ୍ଲୀର ଡିପିଏସ୍ ଆର୍‌କେପୁରମ୍ ସ୍କୁଲ୍‌ ଥିଲା ସେତେବେଳର ସର୍ବୋତ୍ତମ ଅନୁଷ୍ଠାନ। ମୁଁ ଦଶମ ପରୀକ୍ଷାରେ ଯେତିକି ନମ୍ବର ରଖିଥିଲି, ତାହା ସେ ସ୍କୁଲ୍‌ରେ ନାମ ଲେଖାଇବା ପାଇଁ ଯଥେଷ୍ଟ ନଥିଲା। ତେଣୁ ମୁଁ ଅନ୍ୟ ବିକଳ୍ପ ବିଷୟରେ ବିଚାର କରୁଥିବା ବେଳେ ଆମର ଜଣେ ପାରିବାରିକ ବନ୍ଧୁ ପ୍ରସ୍ତାବ ଦେଲେ, ଯଦି ପୂର୍ବତନ ସାଂସଦ ଭାବରେ ଜୟନ୍ତୀ ମ୍ୟାଡାମ୍‌ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କୁ ସୁପାରିସ କରିଦିଅନ୍ତେ, ତେବେ ନାମଲେଖାଟା ହୋଇଯାଆନ୍ତା। ସତ କହିବାକୁ ଗଲେ, ମୋ ପାଇଁ କେହି ସୁପାରିସ କରୁ ବୋଲି ମୁଁ ଆଦୌ ଚାହୁ ନଥିଲି। ପିଲାଦିନୁ କାହାଠାରୁ କୌଣସି ସୁବିଧା ନେବା ସପକ୍ଷରେ ମୁଁ ନଥିଲି। ମା’ ଆଈ ସହ କଥା ହୋଇ ମୋତେ କହିଲା,‘‘ଆଈର ତ କିଛି ଅସୁବିଧା ନାହିଁ, ତତେ କାହିଁକି ଏତେ ଖରାପ ଲାଗୁଛି?’’

Advertisment

ଆଈ ସେତେବେଳକୁ ଦିଲ୍ଲୀରେ ଥାଏ। ମା’ ଆଉ ମୁଁ ଯାଇ ଦିଲ୍ଲୀରେ ପହଞ୍ଚିଗଲୁ। ଆଈ ଯୋଗୁଁ ପ୍ରିନ୍‌ସିପାଲ୍‌ଙ୍କ ସହ ସାକ୍ଷାତ ପାଇଁ ଆମକୁ ସହଜରେ ସମୟ ମିଳିଯାଇଥାଏ। ନିର୍ଦ୍ଦିଷ୍ଟ ଦିନ ଓ ସମୟରେ ଆମେ ତିନିଜଣ ସ୍କୁଲ୍‌ରେ ପହଞ୍ଚିଲୁ। ଅଳ୍ପ ସମୟର ଅପେକ୍ଷା ପରେ ସ୍କୁଲ୍‌ର ଜଣେ ଅଧିକାରୀ ଆମକୁ ପ୍ରିନ୍‌ସିପାଲ୍‌ଙ୍କ ପ୍ରକୋଷ୍ଠକୁ ପାଛୋଟି ନେଲେ। ଆଈ ଉପସ୍ଥିତିରେ ତାଙ୍କ ସହ ଆଲୋଚନା ଖୁବ୍‌ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଏବଂ ଦୁଇ ଦିନ ପରେ ଆସି ଦେଖା କରିବାକୁ ସେ କହିଲେ। ତାଙ୍କ ଅଫିସ୍‌ରୁ ବାହାରି ଆସିବା ବେଳେ, ଆମକୁ ସ୍ୱାଗତ ଜଣାଇଥିବା ଅଧିକାରୀଜଣକ ବାଟେଇ ଦେବାପାଇଁ ଆମ ସହ ବାହାରକୁ ଆସିଲେ। ବାଟରେ କଥାଛଳରେ ସେ ପଚାରିଲେ,“ପୂର୍ବତନ ସାଂସଦ ଜୟନ୍ତୀ ନଟରାଜନ୍‌ ଆପଣଙ୍କ ପାଇଁ କହିଛନ୍ତି ନା?’’ ମୁଁ ଚଟାପଟ୍‌ ଉତ୍ତର ଦେଲି,‘‘ନା।

ଓଡ଼ିଶାର ଜୟନ୍ତୀ ପଟ୍ଟନାୟକ।’’ କଂଗ୍ରେସ ନେତ୍ରୀ ଜୟନ୍ତୀ ନଟରାଜନ୍‌ ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୁଣି କଂଗ୍ରେସର ଜାତୀୟ ମୁଖପାତ୍ର ହୋଇଥିବାରୁ ଦିଲ୍ଲୀରେ ଖୁବ୍‌ ଜଣାଶୁଣା ଥିଲେ। ଯେହେତୁ ଉଭୟଙ୍କ ନାମ ଜୟନ୍ତୀ ଥଲା ଏବଂ ଉଭୟ କଂଗ୍ରେସର ପୂର୍ବତନ ସାଂସଦ, ତେଣୁ ଏକାଧିକ ସମାନତା ହେତୁ ଅଧିକାରୀ ଜଣକ ଦ୍ବନ୍ଦ୍ବରେ ପଡ଼ି ଜୟନ୍ତୀ ପଟ୍ଟନାୟକଙ୍କୁ ଜୟନ୍ତୀ ନଟରାଜନ୍ ଭାବିନେବା ସ୍ୱାଭାବିକ ଥିଲା। ମୁଁ କିନ୍ତୁ ମନେ ମନେ ଭାରି ଛଟପଟ ହେଉଥିଲି। ଆଈ ଯୋଗୁଁ ଏ ସ୍କୁଲ୍‌ରେ ମୋ ଆଡ୍‌ମିସନ୍‌ ହେଉଥିବା କଥାଟା ମାଛକଣ୍ଟା ଭଳି ମୋ ଗଳାରେ ଅଟକି ରହିଥାଏ। ଏଣେ ଫେରିବା ବାଟରେ ସେ ଭଦ୍ରମହିଳାଜଣକ ଅଜାଣତରେ ହେଉପଛେ ଆଈର ପରିଚୟକୁ ଏମିତି ଭୁଲ୍ କରି କହିବା ମତେ ଭାରି ଅଡୁଆ ଲାଗୁଥିଲା। ଅପମାନିତବୋଧ କରିବା ପାଇଁ କାରଣ ଯଦି ବା ଯଥେଷ୍ଟ ନଥିଲା, କିନ୍ତୁ ମୋ ମନରେ ଆଘାତ ଲାଗିଥିଲା। ମୁଁ ଘରେ ପହଞ୍ଚି ମା’କୁ ସିଧା ସିଧା କହିଦେଲି, ଦୁଇ ଦିନ ପରେ ମୋର ଆଉ ସେ ସ୍କୁଲ୍‌କୁ ଯିବାର ନାହିଁ କି ସେଠି ପାଠ ପଢ଼ିବାର ନାହିଁ। ଯୋଗ୍ୟତା ଅନୁସାରେ ମୋତେ ଯେଉଁଠି ମିଳିବ, ମୁଁ ସେଇଠି ପଢ଼ିବି। ମୋ ତାଲିକାର ଦୁଇ ନମ୍ବରରେ ଥିଲା ବାରାଖମ୍ବା ରୋଡ୍‌ର ମଡର୍ଣ୍ଣ ସ୍କୁଲ୍‌। ତା’ପରଦିନ ବିନା କୌଣସି ସୁପାରିସରେ ସେଠାରେ ମୋ ନାମଲେଖା ହୋଇଗଲା।

ନୂଆ ସହର, ନୂଆ ସ୍କୁଲ୍‌, ନୂଆ ପରିବେଶ, ନୂଆ ସାଙ୍ଗସାଥୀ ଆଉ ନୂଆ ନୂଆ ଅନୁଭୂତି। ସ୍କୁଲ୍‌ରେ ପ୍ରଥମ ଦିନରୁ ମୁଁ ଲକ୍ଷ୍ୟ କଲି ପ୍ରାୟ ଲୋକ ମୋ ନାଁ ଭୁଲ୍ ଉଚ୍ଚାରଣ କରୁଛନ୍ତି। ‘ତନୟା’ ପରିବର୍ତ୍ତେ ଅଧିକାଂଶ ପିଲା ମତେ ‘ତାନିଆ’ ଡାକୁଛନ୍ତି। ମୁଁ ତାନିଆ ନୁହେଁ, ତନୟା ବୋଲି ବାରମ୍ବାର ବୁଝାଇଲେ ବି ‌ବୁଲିବାଲି ସେଇ ତାନିଆରେ ପହଞ୍ଚି ଯାଉଥାଆନ୍ତି। ଉତ୍ତର ଭାରତରେ ତାନିଆ ଏକ ସାଧାରଣ ନାଁ ଏବଂ ମୋ ଶ୍ରେଣୀରେ ହିଁ ତିନିଜଣ ତାନିଆ ଥିଲେ। ଅନେକ ଦିନ ଯାଏ, ଯିଏ ମୋ ନାଁକୁ ଭୁଲ୍‌ ଉଚ୍ଚାରଣ କରୁଥିଲା, ମୁଁ ତାକୁ ସୁଧାରୁଥିଲି। ଜୋର୍‌ ଦେଇ କହୁଥିଲି, ମୋ ନାଁ ତାନିଆ ନୁହେଁ, ତନୟା। ହେଲେ କିଛି ସପ୍ତାହ ପରେ ମୁଁ ଥକିଗଲି। ଆଉ ଲଢ଼ି ପାରିଲି ନାହିଁ। ପରିସ୍ଥିତି ସହ ସାଲିସ୍‌ କରିଦେଲି। ସେମାନେ ମୋ ନାଁ, ମୋ ପରିଚୟକୁ ତାଙ୍କ ଢାଞ୍ଚା‌େର ପକାଇଦେଲେ। ମୁଁ ତାକୁ ଗ୍ରହଣ କରିନେଲି। ଆଗରୁ କେବେ କିଏ ନାଁ ପଚାରିଲେ, ଅତି ଗର୍ବ ଓ ଯତ୍ନର ସହ କହୁଥିଲି-ତନୟା। ମୁଁ ବି କହିବା ଆରମ୍ଭ କରିଥିଲି-ତାନିଆ!

ଦିଲ୍ଲୀରେ ଦୁଇ ବର୍ଷର ଅନୁଭୂତି ମୋ ପାଇଁ ବେଶ୍ ସ୍ମରଣୀୟ ଥିଲା। ସାଙ୍ଗସାଥୀଙ୍କ ସହ ଖୁବ୍‌ ଭଲରେ ସମୟ କଟିଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବା ସହ ମୋତେ ନେତୃତ୍ୱ ନେବାର ସୁଯୋଗ ବି ମିଳିଥିଲା। ଦ୍ବିତୀୟ ବର୍ଷ ଶେଷ ପରୀକ୍ଷାରେ ମୁଁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲି। ହେଲେ ଯେବେ ବି ଦିଲ୍ଲୀର ସ୍କୁଲ୍‌ ଦିନଗୁଡ଼ିକୁ ମୁଁ ମନେପକାଏ, ମନଟା ଭାରି ଗୋଳେଇଘାଣ୍ଟି ହୁଏ। ନିଜକୁ ମୁଁ ପଚାରେ- ସ୍କୁଲ୍‌ରେ ମୋ ନାଁଟା ସେମାନେ ବଦଳାଇଦେଲେ, ଆଉ ମୁଁ ତାକୁ କେମିତି ଏତେ ସହଜରେ ଗ୍ରହଣ କରିନେଲି? ସେଦିନ ସ୍କୁଲ୍‌ ଅଧିକାରୀଜଣକ ଆଈର ନାଁକୁ ଭୁଲ୍‌ ଉଚ୍ଚାରଣ କରିଦେବାରୁ ମୁଁ ଅପମାନିତବୋଧ କରି ସ୍କୁଲ୍‌ ବଦଳାଇବାର ନିଷ୍ପତ୍ତି ନେଇଗଲି, କିନ୍ତୁ ମୋ ନିଜ ନାଁ, ନିଜ ପରିଚୟ ବଦଳିଯିବାକୁ କେମିତି ଅନୁମତି ଦେଲି? କାହିଁକି ମୁଁ ଶେଷ ପର୍ଯ୍ୟନ୍ତ ଲଢ଼ି ପାରିଲି ନାହିଁ? ମୁଁ ଇଚ୍ଛା କରିଥିଲେ, ମୋ ନାଁ ଠିକ୍‌ ଉଚ୍ଚାରଣ ନହେବା ପର୍ଯ୍ୟନ୍ତ ଲଢ଼ି ପାରିଥାନ୍ତି! କେମିତି ମୁଁ ଏତେ ସହଜରେ ହାରିଗଲି? କେମିତି ନିଜ ପରିଚୟ ସହ ସାଲିସ୍‌ କରିଦେଲି? ଏବେ ବି ଏ ଗ୍ଲାନିବୋଧରୁ ମୁଁ ମୁକୁଳି ପାରୁନାହିଁ।

ତନୟା ପଟ୍ଟନାୟକ
ସଂପାଦକ