ମୋଜୀବନରେ ସବୁଠାରୁ କଠିନ କାର୍ଯ୍ୟ ହେଉଛି କାହାକୁ ‘ନା’ କହିବା। ‘ନା’ ବୋଲି କହିବାକୁ କେଜାଣି କାହିଁକି ଭାରି ଅଡୁଆ ଅଡୁଆ ଲାଗେ। ମତେ ନିଜକୁ ଦୋଷୀ ପରି ଲାଗେ। ସବୁବେଳେ ଯିଏ ଯାହା କହିଲା, ‘ହଁ’ କହିଦେବାଟା ହେଉଛି ମୋର ଅଭ୍ୟାସ। ଏମିତିକି କେବେ କେବେ ଇଚ୍ଛା ନ ଥାଇ ବି ମୁଁ ‘ହଁ’ ମାରିଦିଏ। ମତେ ଲାଗେ ‘ନା’ କହିବା ସ୍ୱାର୍ଥପରତା ହେବ। ତା’ଛଡ଼ା ସାମ୍ନା ଲୋକକୁ ମନା କରିଦେଲେ, ସେ କ’ଣ ଭାବିବ? ମୁଁ ଭାବେ ‘ହଁ’ କଲେ ଲୋକ ମତେ ଅଧିକ ପସନ୍ଦ କରିବେ। ତେଣୁ ବେଳେ ବେଳେ ଯେତେ କଷ୍ଟ ପଡ଼ିଲେ ବି ମୁଁ କୌଣସି କାମକୁ ମନା କରିପାରେନି।
ଦିନକର କଥା। ମୁଁ ମୋର ଜଣେ ସାଙ୍ଗ ସହ ବସିଥାଏ। ସେତିକିବେଳେ ମୋର ଗୋଟେ ଫୋନ୍ ଆସିଲା। ଫୋନ୍ କରିଥିବା ଲୋକଜଣକ ମତେ କିଛି ଅନୁରୋଧ କଲେ ଓ କୃତଜ୍ଞତା ଜଣାଇଲେ। ଫୋନ୍ କଟିବା ପରେ ମୋ ସାଙ୍ଗ ମୋ ମୁହଁର ଭାବରୁ ବୋଧେ କିଛି ଆଭାସ ପାଇଲା, କ’ଣ ହେଇଛି ବୋଲି ମତେ ପଚାରିଲା। ମୁଁ କହିଲି, ଫୋନ୍‌ରେ ଜଣେ ପରିଚିତ ଲୋକ ଥିଲେ। ସେ ମୋତେ ଏମିତି ଏକ ଅନୁରୋଧ କରିଛନ୍ତି, ଯାହା ପୂରଣ କରିବା ମୋ ପାଇଁ ବଡ଼ କଷ୍ଟକର ବ୍ୟାପାର। କିନ୍ତୁ ମୁଁ ତ ମନା କରିପାରିଲିନି। ତାଙ୍କୁ ‘ହଁ’ କରିଦେଲି। ଏବେ ସେଥିପାଇଁ ସମୟ ବାହାର କରିବା ବି ବଡ଼ କାଠିକର ପାଠ।
‘‘ତା’ହେଲେ ତୁ ‘ହଁ’ କଲୁ କାହିଁକି ?’’ ମୋ ସାଙ୍ଗ ପଚାରିଲା।
‘‘ମନା କରିଦେବି କେମିତି! ସେ କ’ଣ ଭାବିବେ?’’
‘‘କେହି କିଛି ଭାବିବେନି। କେବଳ ତୁ ହିଁ ଅଧିକ ଭାବୁଛୁ। ଯେଉଁ କାମ କରିବାକୁ ତତେ ନାକେଦମ୍‌ ହେବାକୁ ପଡ଼ିବ, ଯେଉଁ କାମ କରିବାରେ ତୋର ତିଳେହେଲେ ଆଗ୍ରହ କି ଖୁସି ନାହିଁ, ପୁଣି ତୋର ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସବୁକୁ ପଛରେ ପକେଇ ଏମିତି କାମକୁ ‘ହଁ’ ମାରିବାରେ ମାନେ କିଛି ନାହିଁ।’’ 

Advertisment

‘‘ଦେଖ୍! ଯେତେବେଳେ ତୁ କୌଣସି କଥାକୁ ‘ନା’ କରୁଛୁ, ସେତେବେଳେ ପରୋକ୍ଷରେ ଆଉ କୌଣସି କଥାକୁ ‘ହଁ’ କରୁଛୁ। ଠିକ୍‌ ସେମିତି, ଯେତେବେଳେ କାହାକୁ କେଉଁ କାମ ଲାଗି ‘ହଁ’ କରୁଛୁ, ସେତେବେଳେ ଆଉ କାହାକୁ ଅନ୍ୟ କେଉଁ କାମ ପାଇଁ  ତୁ ‘ନା’ କରୁଛୁ।’’
ମତେ ତା’ କଥାଗୁଡ଼ାକ ଟିକେ ଅବୁଝା ଅବୁଝା ଲାଗିଲା। ସେ ମତେ ବୁଝେଇଦେଲା- ଆମ ସମସ୍ତଙ୍କ ପାଖରେ ଦିନରେ କିଛି ନିର୍ଦ୍ଧାରିତ ସମୟ ଥାଏ। ସେତିକି ସମୟ ଭିତରେ ଆମେ କ’ଣ କରିବା ତାହା ଆମ ଉପରେ ନିର୍ଭର କରେ। କେଉଁ କାମ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ? କେଉଁ କାମ କରିବାରେ ଆମକୁ ଆନନ୍ଦ ମିଳିବ? ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଯଦି ଆମ ପାଖରେ ଅଛି, ତେବେ ‘ହଁ’ ଆଉ ‘ନା’ କରିବାର ନିଷ୍ପତ୍ତି ନେବାରେ ଆମକୁ କୌଣସି ଅସୁବିଧା ହେବ ନାହିଁ।
ଯଦି ଅଫିସ୍‌ରେ ମୋ କାମ ସରିବା ପରେ ଆଉ କିଛି ଅଧିକା କାମ କରିବା ପାଇଁ ମୁଁ ମନା କରୁଛି, ତା’ହେଲେ ମୁଁ ମୋ ପିଲା ଓ ପରିବାର ସହିତ କିଛି ଅଧିକ ମୁହୂର୍ତ୍ତ ବିତେଇବା ପାଇଁ ‘ହଁ’ କରୁଛି, ଯାହା ନିଶ୍ଚିତ ଭାବରେ ମୋ ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ମୋ ସାଙ୍ଗମାନଙ୍କ ସହ ସିନେମା ଦେଖିବାକୁ ଯିବା ପାଇଁ ମୋର ଇଚ୍ଛା ନାହିଁ, ଆଉ ମୁଁ ମନା କରୁଛି; ତା’ ମାନେ ମୁଁ ଅନେକ ଦିନରୁ ସମୟ ଅଭାବ ହେତୁ ପଢ଼ିପାରି ନଥିବା ମୋ ପସନ୍ଦର ଉପନ୍ୟାସଟିକୁ ଆଜି ନିରୋଳାରେ ବସି ଶେଷ କରିବାର ନିଷ୍ପତ୍ତିକୁ ‘ହଁ’ କରୁଛି। ତେଣୁ ଯେତେବେଳେ ଚାପରେ ପଡ଼ି କେଉଁ ଅଦରକାରୀ କାମକୁ ତୁମେ ‘ହଁ’ କରୁଛ, ଠିକ୍‌ ସେତେବେଳେ ତୁମେ କୌଣସି ଅଧିକ ଦରକାରୀ କାମକୁ ମନା କରିଦେଉଛ। କେବଳ ‘ନା’ କରିପାରିବିନି ବୋଲି କହି ନପାରି ନିଜ ସାମର୍ଥ୍ୟ ବାହାରେ ପ୍ରତିଶ୍ରୁତି ଦେବା ଏବଂ ସେଥିପାଇଁ ନିଜକୁ ଯନ୍ତ୍ରଣା ଦେବା କାହାପାଇଁ ବି ଉପକାରୀ ସାବ୍ୟସ୍ତ ହୋଇପାରିବ ନାହିଁ।
ଆମର ଏଇ କଥାବାର୍ତ୍ତା ଆଜିର ନୁହେଁ, ଦି’ ବର୍ଷ ତଳର। ଆଉ ସେଇଦିନଠାରୁ ଦୁଇ ବର୍ଷ ହେଇଗଲା ମୁଁ ‘ନା’ କରିବା ଅଭ୍ୟାସ କରୁଛି। ନୂଆବର୍ଷଟିଏ ଆସିଲେ ଏହାକୁ ସଂକଳ୍ପ ଭାବେ ଗ୍ରହଣ କରୁଛି। ସତ କହିବାକୁ ଗଲେ ‘ନା’ କହିବା ଆଦୌ ସହଜ ନୁହେଁ, କିନ୍ତୁ ଜୀବନର ପ୍ରତିଟି କ୍ଷେତ୍ରରେ ଏହା ନିହାତି ଆବଶ୍ୟକ। ମୁହଁମତରେ ସବୁକଥାକୁ ‘ହଁ’ ନକରି, ଆବଶ୍ୟକ ସ୍ଥଳେ ପାରିବିନି ବୋଲି କହିଦେଲେ ସାମୟିକ ଭାବେ ଅସହଜ ଲାଗିପାରେ, କିନ୍ତୁ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ସହ ସମୟ ଆଉ ଶକ୍ତିର ସଦୁପଯୋଗ ସମ୍ଭବ ହୋଇପାରିବ ଏବଂ କାର୍ଯ୍ୟରେ ସନ୍ତୋଷ ଓ ଅସନ୍ତୋଷର ବିଚାରକୁ ନ୍ୟାୟ ମିଳିପାରିବ।

ତନୟା ପଟ୍ଟନାୟକ
ସଂପାଦକ