ବର୍ତ୍ତମାନ ଚାଲିଛି ପରୀକ୍ଷାଫଳର ଋତୁ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଆମ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରୁଥିବା ଦେଖି ବହୁତ ଆନନ୍ଦ ଲାଗୁଛି। ଦଶମ ବୋର୍ଡ ପରୀକ୍ଷା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ, କାରଣ ଛାତ୍ର ଜୀବନରେ ଆମପାଇଁ ଏହା ହେଉଛି ପ୍ରଥମ ବଡ଼ ପରୀକ୍ଷା। ମୋ ସ୍କୁଲ୍‌ ସମୟରେ, ଆମେ ଅଷ୍ଟମ ଶ୍ରେଣୀରୁ ହିଁ ଏହି ପରୀକ୍ଷା ପାଇଁ ମାନସିକ ଭାବରେ ପ୍ରସ୍ତୁତ ହେଉଥିଲୁ। ଆରମ୍ଭ ହେଉଥିଲା ଓଲଟ ଗଣନା। ଆଉ ଦୁଇବର୍ଷ... ଆଉ ଗୋଟିଏବର୍ଷ...ଚାହୁଁଚାହୁଁ ପରୀକ୍ଷା ଆସି ମୁଣ୍ଡ ଉପରେ। ଆମ ମନରେ ଧାରଣା ଦିଆଯାଇଥିଲା ଯେ ଏହା ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଦଶମ ବୋର୍ଡରେ ଭଲ କରିବା ପରେ ଜୀବନ ସଜାଡ଼ି ହୋଇଯାଏ। ତା’ପରେ ଭବିଷ୍ୟତ ପାଇଁ ଆଉ ଚିନ୍ତା କରିବା ଦରକାର ନାହିଁ। ବାସ୍ ଏଇ ବର୍ଷଟା ପରିଶ୍ରମ କରିଦେଲେ ଗଲା।

Advertisment

ବାସ୍ତବରେ ଦେଖିବାକୁ ଗଲେ,ଏହା କେବଳ ଆରମ୍ଭ ମାତ୍ର। ଦଶମ ପରେ ଦ୍ୱାଦଶ, ତା’ପରେ ବିଭିନ୍ନ ପ୍ରବେଶିକା ପରୀକ୍ଷା। ପୁଣି ନିଯୁକ୍ତି ଲାଗି ପରୀକ୍ଷା, କର୍ମ ଜୀବନର ମୂଲ୍ୟାୟନ ଓ ପଦୋନ୍ନତି ଲାଗି ପରୀକ୍ଷା; ଜୀବନରେ ଯେମିତି ପରୀକ୍ଷାର ଶେଷ ନାହିଁ। ବାସ୍ତବରେ ଜୀବନର ପ୍ରତି ପର୍ଯ୍ୟାୟରେ ଆମକୁ ଭିନ୍ନ ଭିନ୍ନ ଧରଣର ପରୀକ୍ଷା ଦେବାକୁ ହୁଏ। କିଛି ବଡ଼, କିଛି ଛୋଟ। କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇ ନପାରେ। ପ୍ରକୃତରେ ଗୋଟିଏ ପରୀକ୍ଷାରେ ଭଲ ହୋଇଗଲେ ଏହାର ଫଳାଫଳ ଆଜୀବନ ସଫଳତାର  ଗ୍ୟାରେଣ୍ଟି ଦିଏନାହିଁ। ସେହିପରି କୌଣସି ପରୀକ୍ଷାରେ ବିଫଳ ହେବା ମଧ୍ୟ ସବୁ ସମ୍ଭାବନାର ଅନ୍ତ ନୁହେଁ। ଯଦିଓ ଆଜିର ଦୁନିଆରେ ପାଠପଢ଼ା କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ଚାଲିଛି, କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ବୁଝିବାକୁ ହେବ ଯେ ପରୀକ୍ଷାର ଫଳାଫଳ ସବୁକିଛି ନୁହେଁ। ହଁ, ପାଠପଢ଼ା ପ୍ରତି ଧ୍ୟାନ ଦେବା, ଭଲ ଚିନ୍ତା କରିବା, ନିଜଲକ୍ଷ୍ୟ ନିର୍ଦ୍ଦିଷ୍ଟ କରି ସେ ଦିଗରେ ଅଗ୍ରସର ହେବା, ସ୍ୱପ୍ନ ପୂରଣ ପାଇଁ କଠିନ ପରିଶ୍ରମ କରିବା, ସେଥିପାଇଁ ନିଜକୁ ସମର୍ପଣ କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।

ଏବେ ପିତାମାତା ଓ ଶିକ୍ଷକମାନଙ୍କର ଅବାସ୍ତବ ଆକାଂକ୍ଷା ଯୋଗୁଁ  ବହୁ ଛାତ୍ରଛାତ୍ରୀ ଅତ୍ୟଧିକ ପ୍ରତିଯୋଗିତା ମନୋଭାବର ବଶବର୍ତ୍ତୀ ହୋଇ କେବଳ ସଫଳତା ପ୍ରାପ୍ତି ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ସଫଳତା ସହ ବିଫଳତା ପାଇଁ ପ୍ରସ୍ତୁତ ହେବା ମଧ୍ୟ ଜରୁରି। ଯଦି ଦିନ ଅଛି ତେବେ ରାତି ଅଛି; ଯଦି ଭଲ ଅଛି, ତେବେ ମନ୍ଦ ମଧ୍ୟ ଅଛି। ଜୀବନରେ ଉଠାଣି-ଗଡ଼ାଣି ଓ ଉଚ୍ଚା-ନୀଚା ହେଉଛି କଠୋର ବାସ୍ତବତା, ଯାହାକୁ କେହି ଏଡ଼ାଇ ପାରିବେ ନାହିଁ। ଆମେ ଆମ ପିଲାମାନଙ୍କୁ ବିଫଳତାର ମୁକାବିଲା ପାଇଁ ପ୍ରସ୍ତୁତ କରିବା ଦରକାର। ସେମାନଙ୍କ ଭିତରେ ଏପରି ଦକ୍ଷତା ଭରି ଦେବାକୁ ପଡ଼ିବ, ଯେପରି କୌଣସି ବି ପରିସ୍ଥିତି ସହ ଲଢ଼ିବା ପାଇଁ ତାହା ବଳ ଯୋଗାଉଥିବ। ଘଣ୍ଟାର ପ୍ରତ୍ୟେକ କଣ୍ଟା ଯେପରି ସେମାନଙ୍କ ହିସାବରେ ଗଡ଼ିବ ବା ଅଟକିବ ନାହିଁ। ସେମାନଙ୍କ ଜୀବନର ବିଭିନ୍ନ ମୋଡ଼ରେ ପ୍ରତିକୂଳ ପରିସ୍ଥିତି ଆସିବ; ତାହାର ମୁକାବିଲା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ। ହେଲେ ଆମେ ଅଭିଭାବକମାନେ ସଫଳତା, ପୁରସ୍କାର ଓ ଚମତ୍କାର ପ୍ରଦର୍ଶନ ନିଶାରେ ଏମିତି ମସଗୁଲ୍‌ ହୋଇଯାଇଛୁ ଯେ ପିଲାମାନଙ୍କୁ ପରାଜୟ ସାମନା କରିବାର କୌଶଳ ଶିଖାଇବାକୁ ଭୁଲିଯାଇଛୁ। ଏହାର ଫଳସ୍ୱରୂପ ପରୀକ୍ଷା ବା କୌଣସି ପ୍ରଦର୍ଶନର ଚାପ ସହି ନପାରି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଭଳି ଘଟଣା ଆମକୁ ବାରମ୍ବାର ଅପରାଧୀବୋଧ କରାଉଛି।

ଆଜିର ଦୁନିଆ ସୁଯୋଗରେ ପରିପୂର୍ଣ୍ଣ। ବର୍ତ୍ତମାନ ପିଲାଙ୍କ ଆଗରେ ଏତେ ରାସ୍ତା, ଏତେ ଦିଗ, ଏତେ ବିକଳ୍ପ ଉପଲବ୍ଧ ଯେ ତାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ପିତାମାତା ଓ ପରିବାର ପିଲାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ଅନୁସରଣ କରିବାକୁ ଏବଂ ଏପରି ଏକ କ୍ଷେତ୍ର ବାଛିବାକୁ ଉତ୍ସାହ ଦେବା ଉଚିତ, ଯାହା ପ୍ରତି ସେମାନେ ପ୍ରକୃତରେ ଆଗ୍ରହୀ। ନିଜର ଅପୂର୍ଣ୍ଣ ସ୍ୱପ୍ନ ପୂରଣ କରିବା ପାଇଁ ପିଲାଙ୍କ ଉପରେ ଚାପ ପକାଇବା ଆଦୌ ଗ୍ରହଣୀୟ ନୁହେଁ। କିଛି ବର୍ଷ ପରେ, କେହି ପ୍ରକୃତରେ ମନେରଖି ନଥିବ ଯେ ସେ ଦଶମ କିମ୍ବା ଦ୍ୱାଦଶରେ କେତେ ମାର୍କ ପାଇଥିଲା, କେଉଁ ଗ୍ରେଡ୍‌ କିମ୍ବା କେଉଁ ରୢାଙ୍କ୍‌ ମିଳିଥିଲା। ଅସଲରେ, ମାର୍କସିଟ୍ କାହାର ଚରିତ୍ର ବଦଳାଇ ପାରିବ ନାହିଁ କିମ୍ବା ମାର୍କସିଟ୍‌ଟିଏ ସଫଳତାର ଗ୍ୟାରେଣ୍ଟି କାର୍ଡ ନୁହେଁ।

ଆମର କଥା, କାର୍ଯ୍ୟ ଓ ଆଚରଣ ହେଉଛି ସଫଳତାର ମାପକାଠି। କେତେ ଆନ୍ତରିକତାର ସହିତ ଆମେ କାମ କରୁଛେ, ଆମ ଚାରିପାଖର ଦୁନିଆ ପାଇଁ ଆମେ କେତେ ଯତ୍ନବାନ୍‌, ଉଦାର ଓ ବିଚାରଶୀଳ ଏବଂ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାରେ ଆମର ଦକ୍ଷତା କିଭଳି, ଏସବୁ ହିଁ ନିର୍ଣ୍ଣୟ କରେ ଜୀବନରେ ଆମେ କେତେ ସଫଳ। କୌଣସି ଗୋଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯିବା ଆମର ଲକ୍ଷ୍ୟ ନ ହେଉ, ବରଂ ଜୀବନର ପ୍ରତି ପରୀକ୍ଷାରେ ଯେଭଳି କୃତକାର୍ଯ୍ୟ ହୋଇପାରିବା‌, ସେ ଦିଗରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ଅଧିକ ଜରୁରି।     

ତନୟା ପଟ୍ଟନାୟକ
ସଂପାଦକ