କିଛି ଦିନ ପୂର୍ବରୁ ଘରକୁ ଫେରିବା ବାଟରେ ହଠାତ୍ ରଥ ମାଉସୀଙ୍କ ସହ ଦେଖା ହେଇଗଲା। ରଥ ମାଉସୀ-ମଉସା ଆମ ସୋସାଇଟିରେ ରହନ୍ତି। ମଝିରେ ମଝିରେ ଯିବା ଆସିବା ବାଟରେ ତାଙ୍କ ସହିତ ମୋର ଦେଖା ହେଇଯାଏ। ମଉସା ଟିକେ ଚୁପ୍ଚାପ୍ ଲୋକ। ହେଲେ ମାଉସୀ ଭାରୀ ଗପୁଡ଼ି ଓ ସ୍ନେହୀ। ଏତେଦିନ ଯାଏଁ ଦେଖା ନଥିଲା, କୁଆଡ଼େ ଯାଇଥିଲ କି ବୋଲି ପଚାରିବାରୁ ମାଉସୀ ଆରମ୍ଭ କଲେ, “ଆରେ ତୁ ଜାଣିନୁ କି, ମୁଁ ପରା ବାଙ୍ଗାଲୋର ଯାଇଥିଲି ଝିଅଘରକୁ। ସେ ଡାକିଲା, ଆସେ,ମାସେ ଖଣ୍ଡେ ରହି ବୁଲାବୁଲି କରି ଯିବୁ। ମୋର ବି ନାତିଟା କଥା ଭାରି ମନେପଡୁଥିଲା। ମଉସା ତ ଘର ଛାଡ଼ି କୁଆଡ଼େ ଯିବା ଲୋକ ନୁହନ୍ତି, ମୁଁ ମାସେ ପାଇଁ ଯାଇଥିଲି, ଛଅମାସ ପରେ ଫେରୁଛି।’’ ମୁଁ କହିଲି, ‘‘ଭଲ ହେଲା ଆଉ! ନାତିକୁ ଛାଡ଼ି ଆସିବାକୁ ଜମାରୁ ମନ ହେଇ ନଥିବ।’’ ମୁହଁଟା ଆମ୍ବିଳା କରି ମାଉସୀ କହିଲେ, ‘‘ହଁ, ନାତିଟୋକାକୁ ଛାଡ଼ି ଆସିବାକୁ ଇଛା ହଉ ନଥିଲା। ହେଲେ ମିଛ କାହିଁକି କହିବି ଝିଅ, ସେଠି ମୁଁ ଯେମିତି ହଟହଟା ହେଇଛି ନା, ଛାଡ଼ ଛାଡ଼! ଗଙ୍ଗା ଗଲି ଯେତିକି, ଫଳ ପାଇଲି ସେତିକି।’’ କିଛି ନବୁଝିପାରିଲା ପରି ମୁଁ ପଚାରିଲି, “ମାଉସୀ ! କ’ଣ ଅସୁବିଧା ହେଇଛି କି?’’ ସେ କହିଲେ, “କ’ଣ ଆଉ କହିବି ! ନିଜ ନାତି, ନିଜ ଝିଅ ସେସବୁ ଠିକ୍ ଯେ, ମୁଁ ପୁଣି ପାରିଲେ ହବ ନା! ସ୍ୱାମୀ ସ୍ତ୍ରୀ ଦିହେଁ ଚାକିରିଆ। ନାତି ଯେତେବେଳେ ଜନ୍ମ ହେଲା, ମୁଁ ଯାଇ ଗୁଡ଼େ ଦିନ ରହିକି ଆସିଥିଲି। ସେତେବେଳ କଥା ଅଲଗା ଥିଲା। ଝିଅକୁ ଲମ୍ବା ଛୁଟି ମିଳିଥିଲା। ଟୋକାଟା ବି ଖାଇବା, ଶୋଇବା କୋଉଥିରେ ହଇରାଣ କରୁ ନଥିଲା। ଦେଖାରଖା କରିବାକୁ ଝିଅଟେ ରଖିଥିଲେ।
କାମ ଚଳିଯାଉଥିଲା। କିନ୍ତୁ ଏଥର ପହଞ୍ଚିଲାବେଳକୁ ପରିସ୍ଥିତି ପୂରା ଅସମ୍ଭାଳ। ଦି’ଜଣଯାକ ସକାଳୁ ଉଠି ଅଫିସ୍ ବାହାରିଯାଆନ୍ତି। ଗଲା ପୂର୍ବରୁ ଝିଅ ରୋଷେଇବାସ ସାରିଦେଇଥାଏ। ଏଇ ଟୋକା ପାଇଁ ସକାଳେ, ଦିପହରେ କ’ଣ ସବୁ ଖାଇବ, ସଜାଡ଼ି ଦେଇ ଯାଇଥାଏ। ମୁଁ ଯୋଉଦିନ ପହଞ୍ଚିଲି, ଝିଅ ମୋତେ ବୁଝେଇଦେଲା, ତତେ କିଛି କରିବାର ନାହିଁ। ଖାଲି ଟିକେ ଜଗିଥିବୁ ଆଉ ସମୟରେ ଖୁଆଇଦେବୁ। ଝିଅ ସବୁବେଳେ କହେ, ନାତିଟା କ’ଣ ଟିକେ ଚଗଲା ହଉଛି। ଭିଡିଓ କଲ୍ରେ ବିଶେଷ କିଛି ଜଣା ପଡ଼େନି। ମୁଁ ଝିଅକୁ ବୁଝେଇଦିଏ, ଏଇ ବୟସରେ ପିଲା ଟିକେ ଏମିତି ହୁଅନ୍ତି। ହେଲେ ଏମିତି ହୁଅନ୍ତି ! ମୁଁ ନିଜେ ଦେଖିଲି ବୋଲି ସିନା ଜାଣିଲି ! ଏତେ ଜିଦି ! ଏତେ ଅଥୟ ! ଏତେ ଚଗଲା! ବାପ୍ରେ ବାପ୍।’’
‘‘ଖାଇବାକୁ ଡାକିଲେ କହିବ ଭୋକ ଲାଗୁନି। ଶୋଇବାକୁ ଡାକିଲେ କହିବ ନିଦ ମାଡ଼ୁନି। ଖଟରୁ ସୋଫା, ଚଉକିରୁ ଟେବୁଲ ଖାଲି ଡେଉଁଛି। ଟିକେ ହେଲେ ଥୟ ନୁହେଁ। ତା’ ପଛରେ ମୁଁ କେତେ ଗୋଡ଼େଇବି? ଆଲମିରା, ଡ୍ର, ଯାହା ପାରିଲା ଘାଣ୍ଟିଚକଟି ଦେଲା। କେତେ କିଏ ସଜାଡ଼ିବ? ତା’ ମା’ ଯାହା ତା’ ପାଇଁ ରାନ୍ଧିଥିବ, ସେସବୁ ତାକୁ ରୁଚେନି। ଚିପ୍ସ, ଚକଲେଟ୍, ମ୍ୟାଗି;ଏସବୁ ତାର ପସନ୍ଦ। ବିକଳ ହେଇ ଛୁଆଟା ମାଗୁଥିବ। ମୁଁ କେମିତି ଦେବିନି କହିଲୁ? ଛୁଆଟା ଆଉ ଚକଲେଟ୍ ଖାଆନ୍ତାନିକି! ଏମିତି ତ ଖାଉନି। କିଛି ହେଲେ ପେଟକୁ ଯାଉ। ଏଇଆ ଭାବି ସେ ଯାହା ମାଗେ, ମୁଁ କେବେକେବେ ଦେଇଦିଏ। ଆଚ୍ଛା କହିଲୁ ଝିଅ, ତମେ ତ ଯିଏ ଯାହାର ଯୁଆଡ଼େ ପଳେଇବ, ମୁଁ ଏକୁଟିଆ ଘରେ ବସି କରିବି କ’ଣ ? ମୋବାଇଲ ଟିକେ ଦେଖେ, ନହେଲେ ଟିଭିଟା ଲଗେଇଦିଏ। ନାତି ବି ମୋ ସାଙ୍ଗେ ବସିପଡ଼େ।ଏଣେ ଝିଅ କହୁଛି, ତାକୁ ମୋବାଇଲ କି ଟିଭି ବେଶୀ ଦେଖେଇବୁନି। ସତ କହିବାକୁ ଗଲେ, ଟିଭିରେ ଘଣ୍ଟେ ଦି’ଘଣ୍ଟା କାର୍ଟୁନ ଲଗେଇଦେଲେ ଛୁଆଟା ଟିକେ ସ୍ଥିର ହୋଇ ବସିଯାଏ ଆଉ ସେତିକି ସମୟ ମତେ ତ୍ରାହି ମିଳିଯାଏ। ଝିଅ ଦିନେ ମତେ ବିଗିଡ଼ିଲା। ମୁଁ କୁଆଡେ ତା’ ପିଲାର ମୁହଁ ବଢ଼େଇ ଦଉଛି। ମୁଁ ବି ତାକୁ ସିଧାସିଧା ଶୁଣେଇଦେଲି, ‘କ’ଣ ହେଲା ସେଇଠୁ? ଅଜାଆଈମାନେ ତ ମୁହଁ ବଢ଼େଇବାକୁ ଥାଆନ୍ତି। ପିଲାକୁ ଜଗିବା ଆଉ ଶୃଙ୍ଖଳା ଶିଖେଇବା ତ ତମ କାମ। ତମେ ତ ସମୟ ଦେଇପାରୁନ! ସବୁ ମୋ ଉପରେ ଲଦିଦେଲେ କେମିତି ହବ?’ ମତେ ଚାକିରି ଆଉ ଭବିଷ୍ୟତ କଥା କହି ବୁଝେଇଲା। ହେଲେ ମୁଁ କ’ଣ କରିବି। ଛୁଆପିଲା କରିବା ପୂର୍ବରୁ ସେ କଥା ଭାବିଥାନ୍ତ ! ତମେ ଦି’ଜଣ ରୋଜଗାର କରୁଛ। ତମ ଛୁଆ ପାଇଁ ନହେଲେ ଗୋଟେ ଲୋକ ରଖ। ମୁଁ ପାରିବିନି। ମତେ ଛାଡ଼ିଦିଅ। ଯାହା ତ କହିଲା କହିଲା, ମୋତେ ପୁଣି ପଚାରୁଛି, ‘ତୋର ଭୁବନେଶ୍ୱରରେ କ’ଣ କାମ କି?’ ତମର ଖାଲି କାମ, ମୋର କାମ ନାହିଁ ! କିଟି ଗ୍ରୁପ୍, ସାଙ୍ଗସାଥୀ, ବନ୍ଧୁବାନ୍ଧବ, ମନ୍ଦିର, ସତ୍ସଙ୍ଗ, ମେଳା, ବାହାଘର, ବ୍ରତଘର; ଏଠି ତ ସମୟ ଚାହୁଁଚାହୁଁ କଟିଯାଏ। ସେଠି ଦିନରାତି ଗୋଟିଏ ଘର ଭିତରେ ବନ୍ଦ ହେଇଥାଅ। ସେଇ ବାଙ୍ଗାଲୋରରେ ମୋର ଗୋଟେ କଲେଜ୍ ବେଳର ସାଙ୍ଗ ରହେ। ଯିବି ଯିବି ବୋଲି ଛଅ ମାସ ହେଇଗଲା, ତାକୁ ଟିକେ ଦେଖା କରିପାରିଲିନି।’’
ମୁଁ କହିଲି, “ମାଉସୀ ! ତା’ହେଲେ ସେମାନେ ତ ହଇରାଣ ହେଉଥିବେ?”
ରଥ ମାଉସୀ କହିଲେ,‘‘ତା’ ଶାଶୁକୁ ଡକେଇଦେଇଛି। ଶାଶୁ ଗଲାପରେ ପୁଣି ମୋ ପାଳି ପଡ଼ିବ। ମୁଁ କିନ୍ତୁ ରୋକଠୋକ କହିଦେବି, ତମ ପିଲା ଦାୟିତ୍ୱ ତମର। ମୁଁ ଯେତିକି ପାରିବି ସାହାଯ୍ୟ କରିବି। ମୋ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ରହିଲେ ଚଳିବନି। ମୁଁ ଯିବି ମୋ ନାତି ସାଙ୍ଗରେ ସମୟ କାଟିବାକୁ। ଡ୍ୟୁଟି କରିପାରିବିନି। ମୁଁ ତା’ ଆଈ, ଆୟା ନୁହେଁ।”