ଦିଲ୍ଲୀରେ ଥାଇ ପଢୁଥିଲା ବେଳେ ଦ୍ୱାଦଶ ସରିବାର ସମୟ। ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଝିଅମାନଙ୍କ ପାଇଁ ଶାଢ଼ି ପିନ୍ଧିବାର ନିୟମ ଥାଏ। ଆମେ ସେହି ବିଦାୟ ଉତ୍ସବ ଦିନ ପାଇଁ ଯେତିକି ପ୍ରତୀକ୍ଷା କରିଥାଉ, ତା’ଠାରୁ ଅଧିକ ଉତ୍ସାହିତ ଥାଉ ଶାଢ଼ି ପିନ୍ଧିବା ପାଇଁ। କିଏ କେଉଁ ଶାଢ଼ି ପିନ୍ଧିବ, ସେ ବିଷୟରେ ଆମ ସାଙ୍ଗମାନଙ୍କ ଭିତରେ ଚାଲିଲା ରୀତିମତ ଚର୍ଚ୍ଚା। ଯେହେତୁ କାଁ ଭାଁ ଶାଢ଼ି ପିନ୍ଧିବାର ସୁଯୋଗ ମିଳୁଥିଲା, ଆମମାନଙ୍କ ପାଇଁ ଏହା ଏକ ପର୍ବ ପାଲଟିଯାଇଥିଲା। ଆରମ୍ଭ ହେଲା ଶାଢ଼ି ବାଛିବାର ପ୍ରକ୍ରିୟା। ପ୍ରଥମେ ମା’ର ଆଲମାରି ଉପରୁ ତଳ ପର୍ଯ୍ୟନ୍ତ ସବୁ ଥାକ, ସବୁ ଶାଢ଼ି ଦେଖିଦେଲି। ନା! ମୁଁ ଯାହା ଖୋଜୁଥିଲି ମୋତେ ମିଳିଲାନି। ମା’କୁ କହିଲି ମୁଁ ଗୋଟେ ଶାଢ଼ି କିଣିବି। ମା’ ସାଙ୍ଗରେ ଦିଲ୍ଲୀର କନଟ୍ ପ୍ଲେସ୍, ସାଉଥ୍ ଏକ୍ସଟେନ୍ସନ୍, ଲାଜପତ ନଗରର ପ୍ରାୟ ସବୁ ଦୋକାନ ଖୋଜିଦେଲି। ମୋ ମନକୁ କିଛି ବି ପାଇଲା ନାହିଁ। ମା’ ବିରକ୍ତ ହୋଇ ପଚାରିଲା, ‘‘ଆରେ ତୁ କ’ଣ ଖୋଜୁଛୁ?’’ ସତ କହିବାକୁ ଗଲେ ମୁଁ କ’ଣ ଖୋଜୁଛି ନିଜେ ବି ଜାଣି ନ ଥିଲି। କିନ୍ତୁ, ମୁଁ ଯାହିତାହିରେ ସନ୍ତୁଷ୍ଟ ହେବାକୁ ଆଦୌ ପ୍ରସ୍ତୁତ ନ ଥିଲି। ସମ୍ବର୍ଦ୍ଧନା ଉତ୍ସବ ଆଉ ଦଶ/ବାର ଦିନ ବାକି ଥାଏ। ଏଯାଏଁ ମୋ ଶାଢ଼ିବଛା କାମ ଛିଡ଼ି ନ ଥାଏ। ଏ ଭିତରେ ମୁଁ ଦି’ତିନି ଦିନ ପାଇଁ ଭୁବନେଶ୍ୱର ଆସିଥାଏ। ଆଈଘରକୁ ଯାଇ ତା’ର ଶାଢ଼ି ଦେଖି ଆସିବାକୁ ମା’ କହିଲା। ମୁଁ ନାକଟେକି ପଚାରିଲି, “ମୁଁ ଆଈର ଶାଢ଼ି ପିନ୍ଧିବି?” ମା’ ବାଧ୍ୟକଲା। ଥରେ ଯାଇ ଦେଖି ଆସିବାରେ କ’ଣ ଅସୁବିଧା ଅଛି! କାଳେ ତୋର କିଛି ପସନ୍ଦ ଆସିବ! ଆଈ ଘରେ ନ ଥିଲା, କିନ୍ତୁ ମୋ ପାଇଁ ତା’ ଶାଢ଼ି ଆଲମିରା ଖୋଲା କରିଦେଇଯାଇଥିଲା। ମୁଁ ଦେଖିଲି ଥାକଗୁଡ଼ିକ ଓଡ଼ିଶା ହସ୍ତତନ୍ତ ଶାଢ଼ିରେ ଭର୍ତ୍ତି। ମୁଁ ଦିଲ୍ଲୀର ସୋ’ ରୁମ୍ରେ ଦେଖିଥିବା ଶାଢ଼ିଗୁଡ଼ିକ ଠାରୁ ଏ ଶାଢ଼ିସବୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ସେ ଶାଢ଼ି ମୋର ପସନ୍ଦ କି ନା, ସେକଥା ମୁଁ ନିର୍ଣ୍ଣୟ କରିପାରୁ ନ ଥିଲି। କିନ୍ତୁ, କିଛି ତ ଥିଲା ଯାହା ମତେ ସେ ଶାଢ଼ିଗୁଡ଼ିକ ପ୍ରତି ଆକର୍ଷିତ କରୁଥିଲା। ଏକରୁ ଆରେକ ବଳି ସୁନ୍ଦର ସୁନ୍ଦର ଶାଢ଼ି ଭିତରେ, ଗୋଟିଏ କଳା ଆଉ ମେରୁନ୍ ରଙ୍ଗର ଶାଢ଼ି ମୋର ଦୃଷ୍ଟି ଆକର୍ଷଣ କଲା। ପଶାପାଲି - ସିଲ୍କଶାଢ଼ିରେ ହରିଣ, ବତକ, ଶଙ୍ଖ, ଚକ୍ର, ଫୁଲ ଆଦିର ହାତବୁଣା ଚିତ୍ର। ସେ ଶାଢ଼ିଟିକୁ ନେଇ ମୁଁ ଦିଲ୍ଲୀ ଫେରିଲି।
ବିଦାୟ ସମ୍ୱର୍ଦ୍ଧନାର ସନ୍ଧ୍ୟା। ସ୍କୁଲ୍ ଗେଟ୍ ଭିତରେ ପଶିଗଲା ବେଳକୁ ଶହଶହ ରଙ୍ଗିନ, ଚିକ୍ମିକ୍, ଡିଜାଇନ୍ର ଶାଢ଼ି ସମାହାରରେ ପରିବେଶ ଅତ୍ୟନ୍ତ ରମଣୀୟ ମନେ ହେଉଥିଲା। ଏମ୍ବ୍ରୋଡରି, ଜରିକାମ, ଚୁମ୍କି, ପଥର, ମୋତି, ମାଳିଖଚିତ ଶାଢ଼ିଗୁଡ଼ିକ ସତେ ଯେପରି ପରସ୍ପର ସହିତ ପ୍ରତିଯୋଗିତା କରୁଥିଲେ। ମୁଁ ସେ ଗହଳି ଭିତରେ ଯେତେଯେତେ ଆଗକୁ ବଢୁଥାଏ, ପ୍ରତିଟି ପାଦରେ ମୋ ଆତ୍ମବିଶ୍ୱାସକୁ କେହି ଯେମିତି ପଛକୁପଛକୁ ଟାଣୁଥାଏ। ଏସବୁ ଶାଢ଼ି ଭିତରେ ମୋ ଶାଢ଼ି ମୋତେ ଅତି ସାଧାରଣ ଲାଗିବାକୁ ଆରମ୍ଭ ହୋଇଥାଏ। ମନେ ହେଉଥାଏ ଯେମିତି ମୁଁ ଆଉ ମୋ ଶାଢ଼ି ଏଇ ଜାକଜକମ ଭିତରେ ଧୀରେଧୀରେ ହଜିଯାଉଛୁ। ସାମ୍ନାରୁ ଆସୁଥାନ୍ତି ଆମ ରାଜନୀତି ବିଜ୍ଞାନ ଶିକ୍ଷୟିତ୍ରୀ ଉଷା ନାୟର। ହସହସ ମୁହଁରେ ଅତି ଆଗ୍ରହରେ ମୋତେ କହିଲେ, “କେତେ ସୁନ୍ଦର ଶାଢ଼ିଟେ ପିନ୍ଧିଛୁ ତନୟା, କେଉଁଠୁ ଆଣିଛୁ?” ମୁଁ ଟିକେ ସଚେତନ ହୋଇ କହିଲି, “ଏ ଶାଢ଼ି ମୋ ଆଈର।’’ ମୁଁ ଆଉଥରେ ପଚାରିଲି, “ମ୍ୟାମ୍, ସତରେ ଆପଣଙ୍କୁ ମୋ ଶାଢ଼ି ଭଲ ଲାଗୁଛି? ମତେ ଲାଗୁଥିଲା ଅନ୍ୟମାନଙ୍କ ଶାଢ଼ି ଆଗରେ ଏ ଶାଢ଼ିଟି ଫିକା ପଡ଼ିଯାଉଛି। ମୁଁ ତ ନିରାଶ ହେଇଯାଇଥିଲି।’’ ଉଷା ମ୍ୟାମ୍ ଏଥର ଆଉ ଟିକେ ଜୋର୍ରେ ହସି ମତେ କହିଲେ, “ତୁ ଗୋଟେ ପାଗଳୀ। ତୁ ଜାଣିନୁ ତୁ କ’ଣ ପିନ୍ଧିଛୁ। ତୁ ପିନ୍ଧିଥିବା ଶାଢ଼ିରେ କଳା, କାରିଗରୀ, ସଂସ୍କୃତିର ଅପୂର୍ବ ମିଶ୍ରଣ ପ୍ରତିଫଳିତ ହେଉଛି।” ତୋ’ ଶାଢ଼ି ପାଇଁ ତୁ ଆଜି ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ଲାଗୁଛୁ।” ସେଇଦିନ ଠାରୁ ଆରମ୍ଭ ହେଲା ଓଡ଼ିଶା ହସ୍ତତନ୍ତ ସହିତ ମୋର ନିବିଡ଼ ସମ୍ପର୍କ।
ମୋ ବାହାଘର ଦିନ ମୁଁ ପିନ୍ଧିଥିଲି ଖଣ୍ଡେ ସମ୍ବଲପୁରୀ ସିଲ୍କ ଶାଢ଼ି। କୌଣସି ବିଶେଷ ଅବସରରେ ମୁଁ ଓଡ଼ିଶା ହସ୍ତତନ୍ତ ଶାଢ଼ି ପିନ୍ଧିବାର ସୁଯୋଗ ଆଦୌ ହାତଛଡ଼ା କରେନାହିଁ। ବୁଣାକାରଙ୍କ କାରିଗରୀ ନିଖୁଣତାରେ ଆମ ହସ୍ତତନ୍ତ ଶାଢ଼ି ଏତେ ଜୀବନ୍ତ ଏବଂ ସମୃଦ୍ଧ ଦେଖାଯାଏ ଯେ ନାରୀ ଦେହରେ କୌଣସି ଅଳଙ୍କାରର ଆବଶ୍ୟକ ପଡ଼େନି। ମୁଁ ବିଭିନ୍ନ ରାଜ୍ୟର ଶାଢ଼ି ପିନ୍ଧିବାର ସୁଯୋଗ ପାଇଛି, କିନ୍ତୁ ଓଡ଼ିଶା ହସ୍ତତନ୍ତ ସବୁବେଳେ ମୋର ପ୍ରଥମ ପସନ୍ଦ।ଯେବେଯେବେ ଓଡ଼ିଶା ହସ୍ତତନ୍ତ ଶାଢ଼ି ପିନ୍ଧେ, ମୋତେ ଲାଗେ ମୁଁ କେଉଁ ସାଧାରଣ କନା ଖଣ୍ଡେ ପିନ୍ଧିନି, ବରଂ ଓଡ଼ିଶାର ଅସ୍ମିତା, କଳା, ସଂସ୍କୃତି, ଐତିହ୍ୟ ତଥା ଓଡ଼ିଆ ବୁଣାକାର ଭାଇଭଉଣୀମାନଙ୍କର ଅସାଧାରଣ କଳା କାରିଗରୀର ପ୍ରତୀକକୁ ସଗର୍ବ, ସସମ୍ମାନ ମୁଁ ଧାରଣ କରିଛି।
ତନୟା ପଟ୍ଟନାୟକ
ସଂପାଦକ