ପ୍ରଥମ ସ୍ତମ୍ଭ: ଦୁଇ ମୁଖ୍ୟମନ୍ତ୍ରୀ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଓଡ଼ିଶା ଆସିଥିଲେ ତାଙ୍କ କନିଷ୍ଠପୁତ୍ର ନବୀନ ପଟ୍ଟନାୟକ। ସେତେବେଳେ ତାଙ୍କ ବୟସ ୫୧ ବର୍ଷ। ତା’ ପୂର୍ବରୁ ସେ ନ୍ୟୁୟର୍କରେ ରହୁଥିଲେ। ଅନ୍ତର୍ଜାତୀୟ ରକ୍‌ଷ୍ଟାର୍ ମିକ୍ ଜ୍ୟାଗର୍ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ କେନେଡିଙ୍କ ପତ୍ନୀ ଜ୍ୟାକ୍‌ଲିନ୍ କେନେଡିଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ବସାଉଠା କରୁଥିଲେ ଏବଂ ରାଜନୀତିଠାରୁ ବହୁତ ଦୂରରେ ଥିଲେ। ନା ସେ କେବେ ଓଡ଼ିଶାରେ ରହିଥିଲେ, ନା ତାଙ୍କର ଓଡ଼ିଶା ସହିତ ବିଶେଷ ସଂପୃକ୍ତି ଥିଲା! ୨୦୦୦ ମସିହାରେ ଯେତେବେଳେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଅନେକ ଭବିଷ୍ୟବାଣୀ କରିଥିଲେ ଯେ ନବୀନବାବୁ ଓଡ଼ିଶା ରାଜନୀତିରେ ବେଶି ଦିନ ତିଷ୍ଠିପାରିବେ ନାହିଁ। ପୁଣି ସମାଲୋଚକମାନେ ମତ ଦେଉଥିଲେ ଯେ ନବୀନବାବୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ପରିଚାଳିତ ରିମୋଟ୍ କଣ୍ଟ୍ରୋଲ୍ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଆ ଭାଷା କହି ନ ପାରିବା, ରାଜନୈତିକ ଅନଭିଜ୍ଞତା, ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ରହିବା ଇତ୍ୟାଦି ତାଙ୍କ ବିଫଳତାର କାରଣ ହେବ ବୋଲି ସେମାନେ ଏକପ୍ରକାର ନିଶ୍ଚିତ ଥିଲେ। ହେଲେ ନବୀନବାବୁ ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରିଥିଲେ। ଓଡ଼ିଶାର ଜନସାଧାରଣ ତାଙ୍କୁ ୨୦୦୦ ମସିହାରୁ ଆଜିଯାଏଁ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ବାଛିବା ସହ ୨୪ ବର୍ଷ କାଳ ନିରଙ୍କୁଶ ଶାସନ କରିବାର ସୁଯୋଗ ଦେଇଥିଲେ। ନିର୍ମଳ ଭାବମୂର୍ତ୍ତି, ଦୁର୍ନୀତି ପ୍ରତି କଠୋର ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଆଦି ତାଙ୍କୁ ରାଜନୀତିର ଶୀର୍ଷରେ ପହଞ୍ଚାଇଥିଲା।

ଆଜିଯାଏଁ ଓଡ଼ିଶା ରାଜନୀତିରେ ସେ ଯେ ସବୁଠାରୁ ସଫଳ ତଥା ଜନପ୍ରିୟ ରାଜନେତା, ଏଥିରେ କୌଣସି ସନ୍ଦେହ ନାହିଁ। କ୍ରମାଗତ ୨୪ ବର୍ଷ ଶାସନ କଲା ପରେ ୨୦୨୪ ନିର୍ବାଚନରେ ଏକ ପରିବର୍ତ୍ତନର ସ୍ରୋତରେ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ତାଙ୍କଠାରୁ ଓଡ଼ିଶାବାସୀ ଛଡ଼େଇ ନେଇଛନ୍ତି। ଲୋକେ ବିଜୁ ଜନତା ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦୁଇଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ନବୀନ ଗୋଟିଏ ଆସନରେ ମାତ୍ର ୪୦୦୦ ଭୋଟ୍ ବ୍ୟବଧାନରେ ଜିତିବା ସହ ଅନ୍ୟ ସ୍ଥାନରେ ହାରିଯାଇଛନ୍ତି। ଓଡ଼ିଶାବାସୀ ଚାହିଲେ ଏବଂ ଭାରତୀୟ ଜନତା ପାର୍ଟିକୁ ସ୍ପଷ୍ଟ ଜନମତ ଦେଇ ସରକାର ପରିବର୍ତ୍ତନ କଲେ। ଏସବୁ ସତ୍ତ୍ୱେ ଆଜି ଓଡ଼ିଶାରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ନବୀନ ନେତୃତ୍ୱାଧୀନ ସରକାରକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ହରାଇବାର ଦୁଃଖରେ ବୁଡ଼ିଯାଇଛନ୍ତି। ସାରା ଓଡ଼ିଶା ଆଜି ନବୀନବାବୁଙ୍କୁ ଝୁରୁଛି। ସେଥିପାଇଁ ବୋଧହୁଏ କୁହାଯାଏ, ନବୀନ ହେଉଛନ୍ତି ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ବିସ୍ମୟ।

କିଏ ହେବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ? ଏହି ପ୍ରଶ୍ନର ଉତ୍ତରକୁ ଚାହିଁ ବସିଥିଲା ସାରା ଓଡ଼ିଶା। ଏ ସମୟରେ ମୋଦୀ ସରକାରରେ ୧୦ବର୍ଷ କାଳ ଗୁରୁତ୍ୱପୂର୍ଣ୍ଣ ବିଭାଗମାନଙ୍କର ମନ୍ତ୍ରୀପଦର ଦାୟିତ୍ୱ ତୁଲେଇ ଆସୁଥିବା ଅଭିଜ୍ଞ ନେତା ଧର୍ମେନ୍ଦ୍ର ପ୍ରଧାନ, ବର୍ଷୀୟାନ ବିଜେପି ନେତା ସୁରେଶ ପୂଜାରୀଙ୍କ ପରି ରାଜନେତାମାନଙ୍କ ନାମ ଅପେକ୍ଷିତ ଥିବାବେଳେ ଭାରତୀୟ ଜନତା ପାର୍ଟି ତରଫରୁ ମୋହନ ଚରଣ ମାଝୀଙ୍କ ନାମ ଘୋଷଣା ନିଶ୍ଚିତ ଭାବରେ ଅପ୍ରତ୍ୟାଶିତ ଥିଲା। ରାଜ୍ୟର ନେତୃତ୍ୱ ପାଇଁ ବଡ଼ ନାଁ ଆସିବା ପରିବର୍ତ୍ତେ ମୋହନ ମାଝୀଙ୍କ ପରି ଅତି ସାଧାରଣ ନାଁ ଆସିବା ଓଡ଼ିଶାବାସୀଙ୍କୁ ଚକିତ କରିଦେଇଥିଲା । ତାଙ୍କୁ ନେଇ ମୋ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା; ନାଁ ସେ କୌଣସି ରାଜନୈତିକ ପରିବାରର ଦାୟାଦ, ନା ରାଜ୍ୟ ରାଜନୀତିର ଏକ ବଡ଼ ଚେହେରା! କେନ୍ଦୁଝର ଜିଲ୍ଲା ରାଇକଳା ଗ୍ରାମର ଅତି ସାଧାରଣ ପରିବାରରୁ ଆସିଥିବା ଶ୍ରୀ ମାଝୀ ଶିଶୁମନ୍ଦିରର ଶିକ୍ଷକ ଭାବରେ ନିଜର କର୍ମଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସରପଞ୍ଚ ନିର୍ବାଚିତ ହୋଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ୨୪ ବର୍ଷରେ ୪ ଥର ବିଧାନସଭାକୁ ସେ ନିର୍ବାଚିତ ହୋଇସାରିଛନ୍ତି। ଗତ ୫ ବର୍ଷ ଧରି ସେ ବିରୋଧୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଛନ୍ତି। ବିଧାୟକ ରହିବା ସମୟରେ ପଞ୍ଚାୟତିରାଜଠାରୁ ଆରମ୍ଭ କରି ଶିଳ୍ପ, ଶ୍ରୀମନ୍ଦିର ପରିଚାଳନା, ପରିବେଶ ପ୍ରଦୂଷଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଗୃହ କମିଟିର ସଦସ୍ୟ ଭାବେ ନିଜ ଦଳର ପ୍ରତିନିଧିତ୍ବ କରିଛନ୍ତି ଏବଂ ଶାସନ ବ୍ୟବସ୍ଥାକୁ ଅତି ନିକଟରୁ ପରଖିଛନ୍ତି। ଜଣେ ସୁସଂଗଠକ, ଓଜସ୍ବୀ ବକ୍ତା ଓ ମେଳାପୀ ମଣିଷ ଭାବରେ ତାଙ୍କର ପରିଚୟ ଅଛି। ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗରେ ରହିଛି ଏକ ବିରାଟ ଆହ୍ବାନ। ଜଣେ ସଫଳ ମୁଖ୍ୟମନ୍ତ୍ରୀ ଭାବରେ ସେ ନିଜକୁ ପ୍ରମାଣିତ କରିପାରିବେ କି ନାହିଁ ତାହା କେବଳ ସମୟ ହିଁ କହିବ। କିନ୍ତୁ ମୁଁ ତାଙ୍କ ବିଷୟରେ ଯେତିକି ଅଧିକ ଜାଣିବାକୁ ପାଉଛି, ସେତିକି ନିଶ୍ଚିତ ହେଉଛି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପାଇଁ ଆବଶ୍ୟକ ସମସ୍ତ ଯୋଗ୍ୟତା ତାଙ୍କର ରହିଛି।

ଏ ନିର୍ବାଚନ ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ କେନ୍ଦ୍ରକରି ଲଢ଼ାଯାଇଛି ଓ ଜିତାଯାଇଛି। ଯଦି ୨୪ ବର୍ଷ ପୂର୍ବରୁ ବିଦେଶରୁ ଆସିଥିବା, ଓଡ଼ିଆ କହିପାରୁ ନଥିବା, ଓଡ଼ିଶା ସହ ସମ୍ପର୍କ ରଖି ନଥିବା, ରାଜନୀତିରେ ଅଭିଜ୍ଞତା ନଥିବା ନବୀନ ପଟ୍ଟନାୟକଙ୍କୁ ଆମେ ସୁଯୋଗ ଦେଇଛେ ଏବଂ ସେ ନିଜକୁ ପ୍ରମାଣିତ କରିଛନ୍ତି, ତେବେ ୨୪ ବର୍ଷର ରାଜନୈତିକ ଅଭିଜ୍ଞତା ରଖିଥିବା, ଓଡ଼ିଶାର ମାଟି-ପାଣି-ପବନରେ ବଢ଼ିଥିବା, ଓଡ଼ିଆ କହୁଥିବା ମୋହନ ଚରଣ ମାଝୀ ମଧ୍ୟ ସେଇ ସମାନ ସୁଯୋଗର ହକ୍‌ଦାର୍।

ତନୟା ପଟ୍ଟନାୟକ
ସଂପାଦକ

ସମ୍ବନ୍ଧିତ ଖବର