ଜୀବନକାଳରେ ଆଜି ପର୍ଯ୍ୟନ୍ତ ଆମେ ଦେଖିଥିବା ସବୁଠାରୁ ଭୟଙ୍କର ସମୟ ହେଉଛି କୋଭିଡ୍‌। ମାର୍ଚ୍ଚ ୨୦୨୦ରୁ ଆଜି ଭିତରେ ହୁଏତ ପାଞ୍ଚବର୍ଷ ବିତିସାରିଛି, ହେଲେ କୋଭିଡ୍‌ ମହାମାରୀର ଭୟାବହତା ଏବେ ବି ଆମ ସମସ୍ତଙ୍କ ମନରେ ତାଜା ଅଛି। କାଲି ପରି ଲାଗୁଛି। ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଗାଁ, ସହର, ବସ୍ତି, କଲୋନି; ଓଡ଼ିଶାରେ ଏମିତି କେହି ନଥିବେ ବା କୋଉ ଘର ନଥିବ ଯାହାର ସଦସ୍ୟ ଏହାର ଭୟାବହ ପ୍ରଭାବ ଅନୁଭବ କରି ନଥିବେ। ଏହା ଏତେ ନିଷ୍ଠୁର ଯେ ଏକାବେଳେ ପିଲାମାନଙ୍କୁ ବାପାମା’ ଛେଉଣ୍ଡ କରିଦେଇଛି। ପୁଣି ଏପରି ନିର୍ମମ ଯେ ବାପା, ମା’ଙ୍କ ଠାରୁ ଅତି କମ୍‌ ବୟସର ପିଲାମାନଙ୍କୁ ଛଡ଼େଇ ନେଇଛି। ଅକାଳରେ ସ୍ତ୍ରୀଠାରୁ ସ୍ବାମୀକୁ, ସ୍ବାମୀଠାରୁ ସ୍ତ୍ରୀକୁ ଟାଣି ନେଇଛି। ସମ୍ପର୍କୀୟ, ବନ୍ଧୁ, ସହକର୍ମୀ- କାହାକୁ ଛାଡ଼ିନି କୋଭିଡ୍‌। ସେ ସମୟର କ୍ଷତ ଏତେ ଗଭୀର ଯେ ଏବେ ବି ମୁଁ ଯେତେବେଳେ ଫେସ୍‌ବୁକ୍‌ ଖୋଲି କାହାର ଫଟୋ ଥିବା ପୋଷ୍ଟ୍‌ ଦେଖେ, ମୁହୂର୍ତ୍ତକ ପାଇଁ ମୋ ହୃଦୟ ଅଟକିଯାଏ।

Advertisment

ଆମ ‘ସମ୍ବାଦ’ ପରିବାର ସେହି ଦୁଇବର୍ଷ ମଧ୍ୟରେ ନଅଜଣ ସଦସ୍ୟଙ୍କୁ ହରାଇଥିଲା। ବିଜୟବାବୁ ଚାଲିଯିବା ସବୁଠାରୁ ବଡ଼ ଆଉ ପ୍ରଥମ କ୍ଷତି ଥିଲା। ୧୯୮୪ ମସିହାରେ ଯେବେ ‘ସମ୍ବାଦ’ ଆରମ୍ଭ ହେଲା,  ବିଜୟବାବୁ ଏହାର ପ୍ରଥମ ସଦସ୍ୟ ଥିଲେ ବୋଲି କହିଲେ ଭୁଲ୍‌ ହେବନାହିଁ। ବିଜୟବାବୁ ଡାକ୍ତରଖାନାରୁ ଆଉ ନଫେରିବା ଆମ ସମସ୍ତଙ୍କ ପାଇଁ ଶକ୍ତ ଧକ୍କା ଥିଲା। କୋଭିଡ୍‌ରେ ପ୍ରାଣ ହରାଇଥିବା ସଦସ୍ୟଙ୍କ ଦୁଃଖୀ ପରିବାରକୁ କୌଣସି ଶବ୍ଦରେ ପ୍ରବୋଧନା ଦେଇ ହେବନାହିଁ। ବିଜୟ କୁମାର ପଟ୍ଟନାୟକ, ଦେବେନ୍ଦ୍ର ସାମନ୍ତରାୟ, ପ୍ରଦୀପ କିଶୋର ସାହୁ, ପି. ପ୍ରଭାକର ରାଓ, ସୁମନ୍ତ କୁମାର ମହାନ୍ତି ଏବଂ ଆମର ବ୍ଲକ୍‌ ପ୍ରତିନିଧି ଶୁଭ୍ରାଂଶୁ ପାଣିଗ୍ରାହୀ, ଯତୀଶ ଚନ୍ଦ୍ର ଖମାରୀ, ଆଦିତ୍ୟ ସାହୁ ଓ ହିରଣ୍ୟ କୁମାର ପିଙ୍ଗୁଳାଙ୍କୁ ମୁଁ ପୁଣିଥରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଦ୍ବିତୀୟ ପର୍ଯ୍ୟାୟରେ ମୋ ଆଈ ଓ ମାମୁଶ୍ବଶୁର ପ୍ରାୟ ଏକା ସମୟରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଈ ଭୁବନେଶ୍ୱରରେ ଓ ମାମୁ କଟକରେ। ଆଈକୁ ଅଣାନବେ ବର୍ଷ ଏବଂ ମାମୁଙ୍କୁ ତେଷଠି ବର୍ଷ। ଉଭୟ ଭେଣ୍ଟିଲେଟର୍‌ରେ ଥିଲେ। ଆଈର ଅବସ୍ଥା ବେଳକୁ ବେଳ ଖରାପ ଆଡ଼କୁ ଗତି କରୁଥିଲା। ଆମେ ଆଶା ହରାଇସାରିଥିଲୁ ଏବଂ ଯେକୌଣସି ସମୟରେ ଏକ ଦୁଃସମ୍ବାଦ ଆସିପାରେ ବୋଲି ନିଜକୁ ପ୍ରସ୍ତୁତ କରୁଥିଲୁ। ‘‘ଅଣାନବେ ବର୍ଷ ବଞ୍ଚିଲା। ଏ ବୟସରେ ଚାଲିଯାଉ ପଛେ, ବିଚାରୀ ଆଉ କଷ୍ଟ ନପାଉ।’’ ଏମିତି ଏକ ଭାବନା ଆଣି ଆମେ ପରିବାର ଲୋକ ନିଜକୁ ସାନ୍ତ୍ୱନା ଦେଉଥିଲୁ। ସେପଟେ ଆମେ ସମସ୍ତେ ଈଶ୍ୱରଙ୍କ ପାଖରେ ମାମୁଙ୍କ ଆରୋଗ୍ୟ କାମନା କରୁଥିଲୁ। ସ୍ୱାସ୍ଥ୍ୟରେ ଉନ୍ନତିର ସାମାନ୍ୟ ସଙ୍କେତ ମିଳିଲେ ଆମେ ଆଶାବାଦୀ ହୋଇପଡୁଥିଲୁ। ଆଈ କୋଭିଡ୍‌ ପଞ୍ଝାରୁ ମୁକୁଳି ଘରକୁ ଫେରିଲା, ହେଲେ ମାମୁଶ୍ବଶୁର ଆଉ ଫେରିଲେ ନାହିଁ।

କୋଭିଡ୍‌-୧୯ ଆମକୁ ଅନେକ କନ୍ଦେଇଛି, ଆମଠାରୁ ଅନେକ କିଛି ଛଡ଼େଇନେଇଛି ଏବଂ ଅନେକ କିଛି ଶିଖେଇଛି। ପ୍ରଥମତଃ, ଏହା ଜୀବନର ଅନିଶ୍ଚିତତାକୁ ନିଶ୍ଚିତ କରିଛି। ଦ୍ବିତୀୟତଃ,ଏହା ପ୍ରମାଣ କରିଛି ଆମେ ସର୍ବନିୟନ୍ତା ନୁହନ୍ତି। କିଛି ଜିନିଷ ମଣିଷର ନିୟନ୍ତ୍ରଣ ବାହାରେ ଅଛି; ଯେତେ ଶକ୍ତି ପ୍ରୟୋଗ କଲେ, ଯେତେ ଗୋଡ଼ କଚାଡ଼ିଲେ ମଧ୍ୟ ତାହାକୁ ନିଜ ନିୟନ୍ତ୍ରଣକୁ ଆଣିହେବ ନାହିଁ। ତୃତୀୟତଃ, ମଣିଷ ବନାମ ପ୍ରକୃତି ଯୁଦ୍ଧରେ ବିଜୟ ସବୁବେଳେ ପ୍ରକୃତିର ହୋଇଥାଏ। ପ୍ରକୃତିର ଜଟିଳତାରୁ ଜନ୍ମିତ ଏକ ସାମାନ୍ୟ ଅଦୃଶ୍ୟ ଭୂତାଣୁ ଆମକୁ ଆଖି ଦେଖେଇ ଚୁପ୍‌ କରିଦେଇଛି। ଆମକୁ ଏହି ବିଶାଳ ବ୍ରହ୍ମାଣ୍ଡରେ ତୁଚ୍ଛ ବୋଲି ପ୍ରମାଣ କରିଦେଇଛି।

ଏତେ ଦୁଃଖ, ଯନ୍ତ୍ରଣା ଓ ଅସହାୟତା ଭିତରେ କୋଭିଡ୍‌ ଆମକୁ ଆମ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବାରେ ସାହାଯ୍ୟ କରିଛି। ପରିବାର, ସମ୍ପ୍ରଦାୟ, ସମାଜ ଓ ରାଷ୍ଟ୍ର ଭାବରେ ଆମେ ଏକତ୍ର ହୋଇ କୋଭିଡ୍‌ ପରି ଝଡ଼ର ମୁକାବିଲା କରିଥିଲୁ। ଏବେ କୋଭିଡ୍‌ ଫେରୁଛି। ସାତଜଣ ଚିହ୍ନଟ ସରିବା ପରି ଖବର ଦେଖି ଆମ ଛାତିରେ ଛନକା ପଶିଯାଇଛି। ପୁଣିଥରେ ୨୦୨୧ର ସେଇ ଅନ୍ଧକାରଭରା ଦିନଗୁଡ଼ିକ ମନେପଡ଼ିଯାଉଛି। ମନେପଡ଼ିଯାଉଛି ସେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବା କେତେ ଦୁର୍ବିଷହ ଥିଲା। ଆମେ ଥରେ ନିଜକୁ ପ୍ରମାଣ କରିସାରିଛେ। କୋଭିଡ୍‌ର ଚକ୍ରବ୍ୟୂହ ଭେଦି ବାହାରି ଆସିଛେ। ଆମେ ବ୍ୟୂହଭେଦର କୌଶଳ ପାଇସାରିଛେ। ଏକାଠି ଠିଆ ହେବା, ପରସ୍ପରକୁ ବିଶ୍ୱାସ କରିବା, ଶୃଙ୍ଖଳିତ ରହିବା। ମହାମାରୀ ଆମକୁ ଆଉଥରେ ପରୀକ୍ଷା କରିପାରେ। କିନ୍ତୁ ଆମେ ଏଥର ଆହୁରି ଶକ୍ତିଶାଳୀ ହୋଇ ଉଭା ହେବା। ପ୍ରକୃତିର ପ୍ରତିଟି ଆହ୍ୱାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା। କୋଭିଡ୍‌ ଆସୁ କି ଆଉ କିଛି, ଏକାଠି ହୋଇ ପୁଣିଥରେ ତା’ର ସାମନା କରିବା।

ତନୟା ପଟ୍ଟନାୟକ
ସଂପାଦକ