ପୁନଶ୍ଚ ପୃଥିବୀ କ’ଣ ? ଗତ କିଛିଦିନ ହେବ ଅନେକେ ମୋତେ ଏହି ପ୍ରଶ୍ନ ପଚାରୁଛନ୍ତି। ୨୦୨୧ ମସିହା ଏପ୍ରିଲ ମାସରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ବହୁ ବିଶାଳ ବୃକ୍ଷ, ଅନେକ ପଶୁପକ୍ଷୀ, ସ୍ଥାନୀୟ ଅଧିବାସୀଙ୍କ ଜୀବନଜୀବିକା ଧ୍ବଂସ ପାଇଯାଇଥିଲା। ପ୍ରାୟ ଦୁଇ ସପ୍ତାହ ଧରି ଏହି ନିଆଁ ଲିଭିବାର ନାଁ ଧରି ନଥିଲା। ସେହି ସମୟରେ ‘କନକ ନିଉଜ୍’ ‘‘ନିଆଁ ଲିଭାଅ, ଶିମିଳିପାଳ ବଞ୍ଚାଅ’’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲା। ‘‘ହାତ ମିଶାଇବା, ନିଆଁ ଲିଭାଇବା। ସରକାରଙ୍କୁ ଶୁଣାଇବା ଜନତାଙ୍କ ସ୍ୱର। ଶିମିଳିପାଳ ପାଇଁ ଭିଡ଼ିଓ ପଠାନ୍ତୁ। ନିଆଁ ଲିଭାଇବାକୁ ଆହ୍ୱାନ କରନ୍ତୁ’’- ‘କନକ ନିଉଜ୍’ର ଏହି ଆହ୍ବାନ ସମ୍ବଳିତ ହ୍ବାଟସ୍ଆପ୍ ଅଭିଯାନରେ ବହୁ ସଂଖ୍ୟାରେ ଦର୍ଶକ ଯୋଡ଼ି ହୋଇଥିଲେ। ‘ସମ୍ବାଦ’ରେ ମଧ୍ୟ ଲଗାତାର ଖବର ପ୍ରକାଶ ପାଇଥିଲା। ହଜାର ହଜାର ପାଠକ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶିମିଳିପାଳ ବଞ୍ଚାଇବାକୁ ସମସ୍ତଙ୍କ ସ୍ୱର ଏକ ହୋଇଯାଇଥିଲା। ଜନତାର ଏହି ମିଳିତ ସ୍ୱର ସରକାରଙ୍କୁ ଉକ୍ତ ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥିଲା।
କିଛିଦିନ ପରେ ନିଆଁ ଲିଭିଗଲା। ହୁଏତ ସେ ଧ୍ବଂସର ତାଣ୍ଡବଲୀଳାକୁ ଓଡ଼ିଶାବାସୀ ପାସୋରିଗଲେ। କିନ୍ତୁ ଗୋଟିଏ କଥା ମୋ ମନକୁ ବାରମ୍ବାର ବିଚଳିତ କରୁଥିଲା। ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ସାରା ଭାରତବର୍ଷରେ ଓଡ଼ିଶା ସବୁଠାରୁ ଅସୁରକ୍ଷିତ ପ୍ରଦେଶ। ବନ୍ୟା, ବାତ୍ୟା, ମରୁଡ଼ି, ଅତ୍ୟଧିକ ତାପମାତ୍ରା ବୃଦ୍ଧି, ବନାଗ୍ନି ଆଦି ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଆମେ କେତେ ପ୍ରଭାବିତ ତାହା ଆଉ କାହାକୁ ଅଛପା ନାହିଁ। ଏହା ସମସ୍ତେ ସ୍ବୀକାର କରିବେ ଯେ ଆଜି ଜଳବାୟୁ ପରିବର୍ତ୍ତନ ଓ ତା’ର ପ୍ରଭାବ ସମଗ୍ର ମାନବ ଜାତି ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। ଯଦି ଆମେ ଏ ଦିଗରେ ତୁରନ୍ତ କାର୍ଯ୍ୟ ନକରିବା ତା’ହେଲେ ମାନବ ସମାଜର ଅସ୍ତିତ୍ବ ଅଚିରେ ଲୋପ ପାଇଯିବ। ଏଥିରୁ ରକ୍ଷା ପାଇବାର ଏକମାତ୍ର ବାଟ ହେଉଛି; ପ୍ରକୃତିର ଏହି ଧ୍ୱଂସଲୀଳାର ନୀରବଦ୍ରଷ୍ଟା ନ ସାଜି, ଏକାଠି ହୋଇ,ଏହାକୁ ନିୟନ୍ତ୍ରିତ କରିବାକୁ ପଡ଼ିବ।
ମୁଁ ମୋ ନିଜକୁ ପ୍ରଶ୍ନ କଲି, ‘‘ଆମେ ଗର୍ବରେ କହୁଛୁ, ଆମେ ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ଅନୁଷ୍ଠାନ। ଆମ ପାଖରେ ଲୋକପ୍ରିୟ ଖବରକାଗଜ, ରେଡ଼ିଓ, ଟିଭି ଓ ଡିଜିଟାଲ୍ ମାଧ୍ୟମ ଅଛି। ଅନେକ ଦଶନ୍ଧି ଧରି ଆମେ ଭାଷାଜ୍ଞାନ, ରକ୍ତଦାନ, ସାହିତ୍ୟଘର ପରି ଅନେକ କାର୍ଯ୍ୟକ୍ରମ କରିଆସୁଛୁ। ହେଲେ ଆମେ ଆମ ପୃଥିବୀର ସୁରକ୍ଷା ପାଇଁ କ’ଣ କରୁଛୁ ?’’ ଏହି ଭାବନାରୁ ୨୦୨୧ ମସିହା ଅଗଷ୍ଟ ମାସରେ ଜନ୍ମ ନେଇଛି ‘ପୁନଶ୍ଚ ପୃଥିବୀ’। କେବଳ ଦୁର୍ବିପାକ ସମୟରେ ନୁହେଁ, କେବଳ ପରିବେଶ ଦିବସ, ଜଳ ଦିବସ ବା ମୃତ୍ତିକା ସଂରକ୍ଷଣ ଦିବସ ପରି ବିଶେଷ ଦିନରେ ନୁହେଁ; ବରଂ ଖବରକାଗଜ, ରେଡ଼ିଓ, ଟିଭି ବା ଡିଜିଟାଲ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର ‘ପରିବେଶ ଡେସ୍କ’ ଆରମ୍ଭ କରି ନିୟମିତ ସଚେତନତାଧର୍ମୀ ଲେଖା ବା କାର୍ଯ୍ୟକ୍ରମ ପରିବେଷଣ କରିବାପାଇଁ ଆମେ ସଂକଳ୍ପ ନେଇଛୁୁ।
ପୁନଶ୍ଚ ପୃଥିବୀ କ’ଣ? ଏହା କେବଳ ଏକ ଅଭିଯାନ ନୁହେଁ, ଏହା ଏକ ଜନଆନ୍ଦୋଳନ। ଆମର ଗୋଟିଏ ବୋଲି ପୃଥିବୀ। ପୃଥିବୀ ବଞ୍ଚିଲେ ଆମେ ବଞ୍ଚିବା- ଚଳିତବର୍ଷଠାରୁ ଆମେ ଏହି ବାର୍ତ୍ତାକୁ ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସ୍ଥିର କରିଛୁ। ସ୍ଥାନୀୟ ବିଧାୟକମାନଙ୍କ ନେତୃତ୍ୱରେ ଆମେ ପରିବେଶ ପଞ୍ଚାୟତମାନ ସଂଯୋଜନା କରିବା ଆରମ୍ଭ କରିଛୁ। ରାଜ୍ୟର ୧୪୭ଟି ବିଧାନସଭା କ୍ଷେତ୍ରରେ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହେବ ଏବଂ ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ ହେବ, ଯାହାର ଆଧାରରେ ଉକ୍ତ ଅଞ୍ଚଳରେ କ’ଣ ଅସୁବିଧା ରହିଛି ଏବଂ ସେଥିପାଇଁ କି ପ୍ରସ୍ତୁତି ଆବଶ୍ୟକ, ତାହା ନିର୍ଣ୍ଣୟ କରାଯାଇପାରିବ। ପ୍ରତ୍ୟେକ ଦିନ ‘ସମ୍ବାଦ’ରେ ପରିବେଶ ପାଇଁ ଉତ୍ସର୍ଗୀକୃତ ସଂପୂର୍ଣ୍ଣ ପୃଷ୍ଠା, ‘କନକ ନିଉଜ୍’ରେ ୩୦ ମିନିଟ୍ ଅବଧିର ପରିବେଶ ବୁଲେଟିନ୍, ‘ରେଡ଼ିଓ ଚକଲେଟ୍’ରେ ଗୀତ, ସାକ୍ଷାତକାର ଏବଂ ‘ସମ୍ବାଦ ଡିଜିଟାଲ୍’ରେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ ଓ ପରିବେଷିତ ହେବ। ଆମେ ସମସ୍ୟା ଉତ୍ଥାପନ କରିବୁ, ପ୍ରଶ୍ନ ପଚାରିବୁ, ସମାଧାନର ପନ୍ଥା ଖୋଜି ବାହାର କରିବାକୁ ଚେଷ୍ଟା କରିବୁ, ପରିବେଶ ସୁରକ୍ଷା ପାଇଁ ଯେଉଁମାନେ ସମର୍ପିତ, ଯେଉଁମାନେ ଏ ଦିଗରେ ଅବିଶ୍ରାନ୍ତ ଭାବରେ କାର୍ଯ୍ୟ କରିଆସୁଛନ୍ତି, ସେମାନଙ୍କୁ ଆଗକୁ ଆଣିବୁ।
ଏଇ ସେପ୍ଟେମ୍ବର ମାସରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ବିଭିନ୍ନ ପ୍ରତିଯୋଗିତାରେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ‘ସମ୍ବାଦ ସାହିତ୍ୟଘର’ ସଦସ୍ୟମାନେ ଗତ ପାଞ୍ଚ ବର୍ଷରେ ପାଞ୍ଚ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଛନ୍ତି। ସବୁ ବର୍ଗର ସହଭାଗୀଙ୍କୁ ନେଇ ଆହୁରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଅକ୍ଟୋବର ୨, ୩ ଓ ୪ ତାରିଖରେ ଆମେ ଏକ ପରିବେଶ ମହାସମ୍ମିଳନୀ ଆୟୋଜନ କରୁଛୁ, ଯେଉଁଠି ପରିବେଶକୁ ଭଲପାଉଥିବା ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଗୋଟିଏ ଛାତ ତଳେ ଏକତ୍ରୀତ ହୋଇ ସମାଧାନର ବାଟ ଖୋଜିବେ। ଆମର ପ୍ରୟାସ ହେବ, ଯେପରି ଆଗାମୀ କିଛି ବର୍ଷ ଭିତରେ ଆମ ଗଣମାଧ୍ୟମ ସହ ଜଡ଼ିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ୫୦୦ରୁ ଅଧିକ ସାମ୍ବାଦିକ ନିଜ ନିଜ ଅଞ୍ଚଳରେ ପରିବେଶ ସାମ୍ବାଦିକତା କରୁଥିବେ।
ବୋଧହୁଏ, ଦେଶର ଇତିହାସରେ କୌଣସି ଗଣମାଧ୍ୟମ ଅନୁଷ୍ଠାନ ଦ୍ୱାରା ଜଳବାୟୁ ଓ ପରିବେଶ ପ୍ରସଙ୍ଗକୁ ଲୋକଙ୍କ ପାଖରେ ଏତେ ବ୍ୟାପକ ଭାବେ ପହଞ୍ଚାଇବାରେ ଏହା ସର୍ବବୃହତ ପଦକ୍ଷେପ। ମୁଁ ଏକଥା ଅହଂକାରରେ ନୁହେଁ, ବରଂ ଦାୟିତ୍ବବୋଧର ସହ କହୁଛି। କେବଳ ବର୍ଷଟିଏ ପାଇଁ ନୁହେଁ, ଅନ୍ତତଃ ୧୨ ବର୍ଷ ଯାଏ ଆମେ ଏହି କାର୍ଯ୍ୟ ହାତକୁ ନେଉଛୁ। ଆମେ କରୁଛୁ ଏବଂ ଯେତେ ଦୂର ସମ୍ଭବ ଆମେ କରୁଥିବୁ। କିନ୍ତୁ ଏକୁଟିଆ ନୁହେଁ, ଆମ ପାଇଁ ଆମ ପାଠକ, ଶ୍ରୋତା, ଦର୍ଶକ, ଅନ୍ୟ ସମସ୍ତଙ୍କର ସହଯୋଗ ଓ ସହଭାଗିତା ନିତାନ୍ତ ଆବଶ୍ୟକ। ସେ ଯିଏ ବି ହୁଅନ୍ତୁ, ଯଦି ପରିବେଶ ପାଇଁ ଚିନ୍ତା କରୁଛନ୍ତି, କିଛି କରୁଛନ୍ତି ବା କରିବାର ଇଚ୍ଛା ରଖିଛନ୍ତି, ତାଙ୍କ ପାଇଁ ‘ସମ୍ବାଦ ପରିବାର’ର ଦୁଆର ସବୁବେଳେ ଖୋଲା। ଆଗାମୀ କାଲି ପାଇଁ ଆଜି ଏକାଠି ହେବାର ସମୟ ଆସିଯାଇଛି।
ତନୟା ପଟ୍ଟନାୟକ
ସଂପାଦକ