କାଫେ ପଜିଟିଭ୍‌ : ଏଚ୍‌ଆଇଭି ଆକ୍ରାନ୍ତଙ୍କ ଦ୍ୱାରା ପରିଚାଳିତ ଦେଶର ପ୍ରଥମ କଫି ଷ୍ଟଲ୍‌

କୋଲକାତା: ଦକ୍ଷିଣ କୋଲକାତାର ଲେକ୍‌ ଗାର୍ଡେନ୍‌ ଠାରେ ଖୋଲିଥିବା ଏକ କଫି ଷ୍ଟଲ୍‌ ଏବେ ଚର୍ଚ୍ଚାରେ। ‘କାଫେ ପଜିଟିଭ୍‌’ ଭାବେ ନାମିତ ଏହି କଫି ଷ୍ଟଲ୍‌, ଏଚ୍‌ଆଇଭି ଆକ୍ରାନ୍ତ ଯୁବକ-ଯୁବତୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଦେଶରେ ଏହା ପ୍ରଥମ। କଫି ଦୋକାନରେ କାର୍ଯ୍ୟକରୁଥିବା ସମସ୍ତ ୧୦ ଜଣ ଯୁବକ-ଯୁବତୀ ସ୍ଥାନୀୟ ଅଞ୍ଚଳରେ ଥିବା ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏକ ଅନାଥାଶ୍ରମର ଅନ୍ତେବାସୀ। ସାମାଜିକ କର୍ମୀ କାଲଲ୍‌ ଘୋଷଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ। ଅନାଥାଶ୍ରମରେ ପ୍ରାୟ ସତୁରି ଜଣ ରହନ୍ତି। ଏମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଏବଂ ଏଚ୍‌ଆଇଭି ରୋଗୀଙ୍କ ପ୍ରତି ସର୍ବସାଧାରଣରେ ଥିବା ନକାରାତ୍ମକ ମନୋଭାବ ଦୂର କରିବା ଉଦ୍ଦେଶ୍ୟରେ, ସେ ଏହି ଟି ଷ୍ଟଲ୍‌ ଆରମ୍ଭ କରିଛନ୍ତି।

Outlook

‘କାଫେ ପଜିଟିଭ୍‌’ର ସମସ୍ତ କର୍ମଚାରୀ ଖାଦ୍ୟ ପ୍ରସ୍ତୁତି, ବ୍ୟବସାୟ ପରିଚାଳନା ଆଦି ବାବଦରେ ତାଲିମପ୍ରାପ୍ତ। କଫି, ଚାହା, କେକ୍‌, ସାଣ୍ଡ୍‌ଓ୍ଵିଚ୍‌ ଆଦି ପ୍ରସ୍ତୁତ ହେଉଛି। ଦୋକାନକୁ ପ୍ରତିଦିନ ପାଖାପାଖି ୫୦ରୁ ଅଧିକ ଗ୍ରାହକ ଆସୁଛନ୍ତି। ବଡ଼ କଥା ହେଲା, ଖାଦ୍ୟ କିଂବା ପାନୀୟ ପ୍ରସ୍ତୁତି-ପ୍ରଣାଳୀ ଦେଖିପାରିବା ଭଳି ସୁବିଧା ଗ୍ରାହକମାନଙ୍କ ପାଇଁ ରହିଛି। ଏଚ୍‌ଆଇଭି ଭୂତାଣୁ ଆକ୍ରାନ୍ତଙ୍କ ପ୍ରତି ନକାରାତ୍ମକ ମନୋଭାବରୁ ଆମ ସମାଜ ମୁକ୍ତ ନୁହେଁ। ଅନେକ ସାମାଜିକ କଟକଣା ଓ ବାସନ୍ଦ ମଧ୍ୟରେ ଏମାନେ ରହୁଛନ୍ତି। ଏ ପରିସ୍ଥଳେ ‘କାଫେ ପଜିଟିଭ୍‌’ ସର୍ବସାଧାରଣଙ୍କ ପାଇଁ ଏକ ମହତ୍‌ ବାର୍ତ୍ତାର ପ୍ରତୀକ ପାଲଟିଛି।

ସମ୍ବନ୍ଧିତ ଖବର