ଭାରତୀୟ ବୈଜ୍ଞାନିକମାନେ ଆସାମରେ ଏକ ଅଣ୍ଡିରା ଗାଙ୍ଗେୟ ମଧୁରଜଳ ଡଲ୍ଫିନ୍ (ପ୍ଳାଟାନିଷ୍ଟା ଗାଙ୍ଗେଟିକା)କୁ ଉପଗ୍ରହ ଟ୍ୟାଗିଂ କରିବାର ବିରଳ କୃତିତ୍ବ ହାସଲ କରିଛନ୍ତି। ଫଳରେ ଏହି ବିପନ୍ନ ଜଳଚର ଜୀବଟିର ସଂରକ୍ଷଣ ଦିଗରେ ଏକ ଦୀର୍ଘସୂତ୍ରୀ ଯୋଜନା କରାଯାଇ ପାରିବ। ଏଥିସହ ଡଲ୍ଫିନ୍ ମାଧ୍ୟମରେ ସଂପୃକ୍ତ ଅଞ୍ଚଳର ପର୍ଯ୍ୟାବରଣ ସଂପର୍କିତ ତଥ୍ୟ ମଧ୍ୟ ହସ୍ତଗତ ହେବ। ଉଲ୍ଲେଖଯୋଗ୍ୟ, ଭାରତର ଜାତୀୟ ଜଳଚର ପ୍ରାଣୀ ଭାବେ ମନୋନୀତ ହୋଇଥିବା ଏହି ଗଙ୍ଗା ନଦୀ ଡଲଫିନ୍ ପ୍ରାୟତଃ ଅନ୍ଧ ଏବଂ ନିଜର ଜୈବିକ ଆବଶ୍ୟକତା ପାଇଁ ଏହା ପରିସଂସ୍ଥାନ ଅନୁକୂଳ ବାତାବରଣ ଉପରେ ନିର୍ଭରଶୀଳ। ଏହି ପ୍ରଜାତିର ପ୍ରାୟ ୯୦ ପ୍ରତିଶତ ଡଲଫିନ୍ ଭାରତରେ ବସବାସ କରନ୍ତି, ଯାହା ଐତିହାସିକ ଭାବରେ ଗଙ୍ଗା-ବ୍ରହ୍ମପୁତ୍ର-ମେଘନା ଓ କର୍ଣ୍ଣଫୁଲି ନଦୀ ପ୍ରଣାଳୀରେ ଆବଣ୍ଟିତ।
ତେବେ ଏ ପ୍ରକାର ଟ୍ୟାଗିଂ ଦ୍ବାରା ବିଶେଷ କରି ଡଲ୍ଫିନ୍ମାନଙ୍କର ସ୍ଥିତି ଓ ଆବଶ୍ୟକତା ଏବଂ ଅନ୍ୟ ଜଳଜୀବମାନଙ୍କର ଅବସ୍ଥା ଜାଣିବା ସମ୍ଭବ ହେବ ବୋଲି ଆଶା କରାଯାଉଛି। ଜ୍ଞାନକୌଶଳର ବିକାଶ ଯୋଗୁଁ ଏଭଳି ଟ୍ୟାଗିଂ ସମ୍ଭବ ହୋଇପାରିଛି। ଏପରିକି ଏହି ଟ୍ୟାଗିଂ ସୀମିତ ସମୟ ଭିତରେ ମଧ୍ୟ ଆର୍ଗୋସ୍ ଉପଗ୍ରହ ପ୍ରଣାଳୀ ସହିତ ସୁସଙ୍ଗତ ସଙ୍କେତ ପ୍ରେରଣ କରିପାରୁଛି। ବିଶ୍ବ ବନ୍ୟପ୍ରାଣୀ ପାଣ୍ଠି ପକ୍ଷରୁ କରାଯାଇଥିବା ଏକ ଗଣନା ଅନୁସାରେ ଭାରତରେ ମାତ୍ର ୧୨୭୨ଟି ଏହି ଶ୍ରେଣୀୟ ଡଲ୍ଫିନ୍ ରହିଛନ୍ତି।
ସୂଚନାଯୋଗ୍ୟ, ଏହି ଉପଗ୍ରହ ଟ୍ୟାଗିଂ ଡଲଫିନ୍ର ଗତିବିଧିରେ ମାନବିକ ହସ୍ତକ୍ଷେପକୁ କମ୍ କରିବା ପାଇଁ ଡିଜାଇନ୍ କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପକୁ ଏକ ଅଭୂତପୂର୍ବ ପ୍ରୟାସ ବୋଲି ଅଭିହିତ କରାଯାଇଛି, ଯାହା ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ଭାରତର ପ୍ରତିବଦ୍ଧତାକୁ ସୂଚାଉଛି ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/23/vgZglwLY0wQZA2iIbU2C.jpg)