ସ୍କୁଲ୍ରେ ପଢୁଥିବା ସମୟର କଥା। ମୁଁ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥାଏ। ହଠାତ୍ ସେଠି ଗୋଟେ କୁକୁରଛୁଆ ମୋତେ କାମୁଡ଼ି ଦେଲା। ଅବଶ୍ୟ କ୍ଷତ ଏତେ ଗଭୀର ନଥିଲା। ଚିକିତ୍ସା ପରେ ଯଦିଓ କ୍ଷତଟି ଅଳ୍ପ ଦିନରେ ଶୁଖିଗଲା, ହେଲେ କୁକୁର କାମୁଡ଼ା ଭୟ ମୋ ମନରେ ସବୁଦିନ ପାଇଁ ରହିଗଲା। କୁକୁର କାମୁଡ଼ା ଏକ ନିୟମିତ ଘଟଣା। କିନ୍ତୁ ଆଜିକାଲି ଏହାର ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ିଯାଇଛି। ପୁଣି କିଛି ଭୟଙ୍କର କୁକୁର ଆକ୍ରମଣ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ୨୦୨୩ ମସିହାରେ ହାଇଦ୍ରାବାଦ ସହରରେ ରାସ୍ତାକଡ଼ର ଦଳେ କୁକୁର ଗୋଟିଏ ଛୋଟ ଶିଶୁକୁ ଆକ୍ରମଣ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଥିଲା। ଛୁଆଟି ପ୍ରାଣବିକଳରେ ଦଉଡ଼ି ଦଉଡ଼ି ଖସିଯିବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ତାକୁ କାମୁଡ଼ି ଭିଣି ପକାଇଲେ। ଶିଶୁଟିର ବାପା ଉଦ୍ଧାର କରିବାପାଇଁ ଧାଇଁ ଯାଇଥିଲେ। କିନ୍ତୁ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ପିଲାଟିର ମୃତ୍ୟୁ ହୋଇଗଲା। ଏହି ହୃଦୟବିଦାରକ ଦୃଶ୍ୟ ପୂରା ଦେଶକୁ ବ୍ୟଥିତ କରିଥିଲା। ଏହା ଏକମାତ୍ର ଘଟଣା ନୁହେଁ। ୨୦୨୩ ମାର୍ଚ୍ଚରେ ଦିଲ୍ଲୀରେ ମାତ୍ର ତିନି ଦିନ ଅନ୍ତରରେ ଦୁଇ ଭାଇ ଆନନ୍ଦ (୭ ବର୍ଷ) ଓ ଆଦିତ୍ୟ (୫ ବର୍ଷ)ଙ୍କର ବୁଲା କୁକୁର ଆକ୍ରମଣରେ ଅକାଳ ମୃତ୍ୟୁ ହୋଇଥିଲା। ଲୁଧିଆନାର ୬ ବର୍ଷର ଆଦିତ୍ୟ, ନାଗପୁରର ୩ ବର୍ଷର ବଂଶ, ସୁରତର ୨ ବର୍ଷର ମର୍ସିଲା, ବଲାଙ୍ଗୀରର ୩ ବର୍ଷ ବୟସର ଦୀପା ମୁଣ୍ଡା; ଏମାନେ ସମସ୍ତେ କୁକୁର ଆକ୍ରମଣରେ ପ୍ରାଣ ହରାଇଥିବା ନିଷ୍ପାପ ଶିଶୁ।
ଏହା ଛୋଟ ସମସ୍ୟା ନୁହେଁ। ଆସନ୍ତୁ ତଥ୍ୟ ଉପରେ ନଜର ପକାଇବା। ଭାରତରେ ୨୦୧୯ରୁ ୨୦୨୨ ମଧ୍ୟରେ ଦେଢ଼କୋଟିରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ୨୦୨୩ ଜାନୁଆରିରୁ ୨୦୨୪ ନଭେମ୍ବର ମଧ୍ୟରେ ଓଡ଼ିଶାରେ ୫,୨୦,୦୦୦ କୁକୁର କାମୁଡ଼ା ମାମଲା ପଞ୍ଜିକୃତ ହୋଇଛି ଏବଂ ରାଜ୍ୟରେ ଏହି ସଂଖ୍ୟା ମାସିକ ୨୩,୬୪୭। ୨୦୨୪ ଜୁଲାଇରେ ଭୁବନେଶ୍ୱରରେ ମାତ୍ର ଦୁଇଦିନରେ ୨୦ ଜଣ ବୁଲା କୁକୁରଙ୍କ କାମୁଡ଼ାରେ କ୍ଷତାକ୍ତ ହେବା ଘଟଣା ହଇଚଇ ସୃଷ୍ଟି କରିଥିଲା। ଆଉ ଭାରତରେ ରାବିଜ୍ (ଜଳାତଙ୍କ) ଜନିତ ମୃତ୍ୟୁ, ବିଶ୍ୱର ରାବିଜ୍ ମୃତ୍ୟୁର ଶତକଡ଼ା ୩୬ ଭାଗ।
ସାଧାରଣତଃ ଶିଶୁ ଓ ବୟସ୍କ ଅଧିକ ସଂଖ୍ୟାରେ କୁକୁରଙ୍କ ଆକ୍ରମଣର ଶିକାର ହୁଅନ୍ତି। ପୁଣି କୁକୁର କାମୁଡ଼ା ପୀଡ଼ିତ ରାବିଜ୍ର ଶିକାର ହୁଅନ୍ତି। ଏହା ଏମିତି ଏକ ଭୟଙ୍କର ରୋଗ, ଯାହା ମୃତ୍ୟୁକୁ ବି ଡାକି ଆଣିପାରେ। ଏକ ହିସାବ ଅନୁଯାୟୀ, ଦେଶରେ ୬୦ ନିୟୁତ ବୁଲା କୁକୁର ଅଛନ୍ତି। ଏହା ହିଁ ବିପଦର ଆକାରକୁ ଦର୍ଶାଏ। କିନ୍ତୁ ଏହାର ଆଉ ଏକ ଦିଗ ରହିଛି। ଭାରତରେ ବହୁସଂଖ୍ୟକ ଲୋକ କୁକୁରଙ୍କୁ ଭଲ ପାଆନ୍ତି। ସେମାନେ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି, ପାଖରେ ଆଣି ରଖନ୍ତି, ଅବହେଳିତ ଓ ନିରାଶ୍ରୟ ବୋଲି ବିଚାର କରନ୍ତି। ଏହି କୁକୁରପ୍ରେମୀଙ୍କ ମତରେ ଏତେ ସଂଖ୍ୟକ କୁକୁର ରାସ୍ତାରେ ବୁଲିବାର କାରଣ ହେଉଛେ ଆମେ। ଭୁବନେଶ୍ୱର ଭଳି ବଡ଼ ସହରର ଅଳିଆ ଆବର୍ଜନା ହିଁ ବୁଲା କୁକୁରଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହୋଇଛି। ତା’ ଛଡ଼ା ଆମେ ସେମାନଙ୍କ ଜନ୍ମସଂଖ୍ୟାରେ ନିୟନ୍ତ୍ରଣ ଆଣିବା ଲାଗି ଯଥେଷ୍ଟ ପଦକ୍ଷେପ ନେଇନାହୁଁ। ଫଳରେ ବୁଲା କୁକୁର ବଢ଼ିଚାଲିଛନ୍ତି। ଯଦିଓ କିଛି ପ୍ରାଣୀପ୍ରେମୀ ଏମାନଙ୍କର ଆଦରଯତ୍ନ କରନ୍ତି; କିନ୍ତୁ ରାସ୍ତାକଡ଼ରେ, ଗଳିକନ୍ଦିରେ ବୁଲୁଥିବା କୁକୁରମାନେ ଅଧିକାଂଶ ସମୟରେ ଭୋକିଲା ତଥା ଭୟଭୀତ ଅବସ୍ଥାରେ ଥାଆନ୍ତି।
ଭାରତ ଭଳି ‘ଜୀବେ ଦୟା’ ଭାବନା ବିଶ୍ବାସୀ ଦେଶରେ ଆମେ ମଣିଷଙ୍କୁ ସୁରକ୍ଷିତ ରଖିବା ନା କୁକୁରଙ୍କୁ? ଏ ବିତର୍କ ସବୁବେଳେ ଆମକୁ ତ୍ରୁଟି ସଜାଡ଼ିବାରୁ ବିରତ ରଖିଛି। କେତେକ ବୁଲା କୁକୁରଙ୍କୁ ମାରିଦେବା ଉଚିତ ବୋଲି ମନେକରନ୍ତି। କିନ୍ତୁ ପ୍ରାଣୀପ୍ରେମୀ ଏପରି ଚିନ୍ତାଧାରାକୁ ପ୍ରବଳ ବିରୋଧ କରନ୍ତି। ସେମାନଙ୍କ ଦୃଷ୍ଟିରେ ଏହା ଏକ ଅପରାଧ। ପୁଣି ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଏହି ପ୍ରସଙ୍ଗକୁ ଅଣଦେଖା କରନ୍ତି, ଏହା ଆଦୌ ଏକ ସମସ୍ୟା ନୁହେଁ ବୋଲି ମନେକରନ୍ତି। ମାତ୍ର କୁକୁର କାମୁଡ଼ାରେ ଆତ୍ମୀୟସ୍ବଜନଙ୍କୁ ହରାଇଥିବା ପରିବାରଙ୍କୁ ଏହା ଖୁବ୍ ବ୍ୟଥିତ କରେ।
ଏହି ସମସ୍ୟାର ସମାଧାନ ସମ୍ଭବ। ୨୦୨୪ ଜାନୁଆରିର ୩୩,୫୪୭ କୁକୁର କାମୁଡ଼ା ମାମଲା ଦର୍ଶାଉଛି ଯେ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ପ୍ରାଣୀ ସୁରକ୍ଷା ସଂଗଠନ ଓ ସରକାରୀ ଅନୁଷ୍ଠାନଗୁଡ଼ିକରୁ ଆର୍ଥିକ ଓ ଆବଶ୍ୟକ ଅନ୍ୟାନ୍ୟ ସହାୟତା ନେଇ ବନ୍ଧ୍ୟାକରଣକୁ ତ୍ୱରାନ୍ୱିତ କରିବାକୁ ହେବ। କୁକୁର ବନ୍ଧ୍ୟାକରଣ ଓ ଟିକାକରଣ ଦ୍ବାରା କୁକୁରମାନଙ୍କୁ କ୍ଷତି ନ ପହଞ୍ଚାଇ ସେମାନଙ୍କ ସଂଖ୍ୟା ହ୍ରାସ କରାଯାଇପାରିବ। ପୁଣି ସହରବଜାରରୁ ଆବର୍ଜନା ସଫା କରିବା ଅର୍ଥ ରାସ୍ତାରେ ବୁଲୁଥିବା କୁକୁରମାନଙ୍କୁ ଖାଦ୍ୟଭାବ ଭିତରକୁ ଠେଲିଦେବା। ଏଭଳି ସ୍ଥିତିରେ ନିଜର ସୁରକ୍ଷା ଲାଗି ଆମକୁ ବୁଲାପ୍ରାଣୀଙ୍କ ଲାଗି ଖାଦ୍ୟ ଜୁଟାଇବାକୁ ହେବ। ସେତିକିରେ ଚଳିବ ନାହିଁ, ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ପ୍ରକୃଷ୍ଟ ଭାବେ ଉପସ୍ଥାପନ କରିବାକୁ ପଡ଼ିବ ଏବଂ କ୍ରମଶଃ ବଡ଼ ଆକାର ଧାରଣ କରୁଥିବା ଏହି ବିପଦ ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାକୁ ହେବ। ବୁଝାଇବାକୁ ପଡ଼ିବ ଯେ ଏହା ଆଦୌ ପ୍ରାଣୀଙ୍କ ପ୍ରତି ଦୟାକୁ ବିରୋଧ ନୁହେଁ, ବରଂ ଆମେ କୁକୁର ପ୍ରତି ଦୟାଶୀଳ ହେବା ସହ ମଣିଷ ପ୍ରତି ବି ସମଭାବେ ଯତ୍ନବାନ୍ ହେବା ଜରୁରି।
ତନୟା ପଟ୍ଟନାୟକ
ସଂପାଦକ