ଆମେରିକାରେ ଗତ କିଛି ସପ୍ତାହ ରହଣିର ଅନୁଭୂତି ମୋ ପାଇଁ ଖୁବ୍ ସୁଖଦ ଓ ସମୃଦ୍ଧ ଥିଲା। ବିଭିନ୍ନ ସହରକୁ ଗସ୍ତ କରିବା ଭିତରେ ମୁଁ ସେଠାକାର କଳା-ସ୍ଥାପତ୍ୟ-ସଂସ୍କୃତି ଓ ଜନଜୀବନ ବିଷୟରେ ଅନେକ ନୂଆ କଥା ଜାଣିଲି। ବିଭିନ୍ନ ସଂଗଠନ ପରିଦର୍ଶନ କରି ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ୍-ଆଲୋଚନା କଲି, ବଡ଼ ବଡ଼ ବିଶ୍ୱବିଦ୍ୟାଳୟକୁ ଯାଇ ଅଧ୍ୟାପକମାନଙ୍କ ସହ କଥାବାର୍ତ୍ତା ହେଲି। ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କଲି। ଏଥିସହ ମହିଳା ରାଜନେତା, ସରକାରୀ ପ୍ରତିନିଧି ଓ ବାଣିଜ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭେଟିବାର ସୁଯୋଗ ବି ପାଇଲି। ଏସବୁ ମୋ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଓ ଶିକ୍ଷଣୀୟ ଥିଲା।
ଏହି ଗସ୍ତରୁ ବହୁ ପ୍ରେରଣା ନେଇ ମୁଁ ନିଜ ଦେଶକୁ ଫେରିଛି। ଆମେରିକୀୟମାନଙ୍କର ବୃତ୍ତିଗତ ପ୍ରତିବଦ୍ଧତା, ନିୟମ-କାନୁନ ପାଳନ କରିବାରେ ଶୃଙ୍ଖଳା, ଜଳବାୟୁ ପରିବର୍ତ୍ତନକୁ ନେଇ ଗମ୍ଭୀରତା, ପ୍ରଯୁକ୍ତିରେ ପ୍ରଗତି, ବିଜ୍ଞାନ ଓ ପରୀକ୍ଷଣ ଉପରେ ଗୁରୁତ୍ବ ତଥା ବିବିଧ ସାଂସ୍କୃତିକ ଧାରାର ସମନ୍ବୟ ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ମୋ ସହିତ ନିଜ ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଆମ ଦେଶର ଛଅଜଣ ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଥିଲେ। ଆମେ ଆମ ଦେଶର ନୀତି, କାର୍ଯ୍ୟଧାରା ତଥା ଆମେ ସାମ୍ନା କରୁଥିବା ସମସ୍ୟା ଓ ସଂଘର୍ଷକୁ ନେଇ ଆମ ଅନୁଭୂତି ସେମାନଙ୍କ ସହ ବାଣ୍ଟିଥିଲୁ। ଯଦିବା ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ରରେ ଆମେରିକା ଆମଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ, ତଥାପି ଆଜିର ଦିନରେ ଆମେ ସାମ୍ନା କରୁଥିବା ଅନେକ ସମସ୍ୟା ସେଠାରେ ବି ରହିଛି। ଏ କ୍ଷେତ୍ରରେ ଉଭୟ ଦେଶର ଅବସ୍ଥା ପ୍ରାୟତଃ ସମାନ, ଯେପରିକି କ୍ଷୁଦ୍ର ବ୍ୟବସାୟୀମାନଙ୍କର ସମସ୍ୟା। ମୋର ଦୃଢ଼ ବିଶ୍ୱାସ, ଭାରତ ଓ ଆମେରିକାକୁ ପରସ୍ପରଠାରୁ ଅନେକ କିଛି ଶିଖିବାର ଅଛି ଏବଂ ଉଭୟ ଉଭୟଙ୍କୁ ଅନେକ କିଛି ଦେବାର ଅଛି। ଆମେରିକା ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପରସ୍ପରକୁ ଚିହ୍ନିବାରେ, ଆଲୋଚନା ମାଧ୍ୟମରେ ଉଭୟ ଦେଶର ଶକ୍ତି, ସମସ୍ୟା ଓ ସଂଘର୍ଷକୁ ବୁଝିବାରେ ନିଶ୍ଚିତ ଭାବରେ ସହାୟକ ହୋଇଛି। ଏହା ଏକ ସୁନ୍ଦର ପଦକ୍ଷେପ।
ଆମେରିକାରେ ରହିବା ସମୟରେ ମୁଁ ଅନେକ ସ୍ମୃତି ସାଉଁଟିଛି। କିନ୍ତୁ ସେ ଭିତରେ ମୋ ପାଇଁ ସବୁଠାରୁ ସ୍ୱତନ୍ତ୍ର ଥିଲା, ଓଡ଼ିଆ ସମାଜର ସଦସ୍ୟମାନଙ୍କ ସହ ବିତାଇଥିବା ମୁହୂର୍ତ୍ତ। ମୁଁ ଯେଉଁ ଦେଶ ବା ସ୍ଥାନକୁ ବି ଯାଏ ସେଇ ଅଞ୍ଚଳର ସଭ୍ୟତା ଓ ସଂସ୍କୃତିକୁ ହୃଦୟ ଖୋଲି ଉପଭୋଗ କରିଥାଏ। କିନ୍ତୁ ଅଜଣା ଜାଗାରେ ନିଜ ଲୋକଙ୍କୁ ଖୋଜି ପାଇବା, ତାଙ୍କ ସହ ମିଶିବା ଏବଂ ସମୟ ଅତିବାହିତ କରିବାର ଅନୁଭୂତି ସବୁବେଳେ ନିଆରା। ସେଠାରେ ଯେଉଁମାନଙ୍କ ସହ ସାକ୍ଷାତ୍ କରିବାର ସୁଯୋଗ ମୁଁ ପାଇଲି, ଗୋଟି ଗୋଟି କରି ସମସ୍ତଙ୍କ ନାଁ ନେବା ମୋ ପାଇଁ କଷ୍ଟକର ହେଇପାରେ। ହେଲେ ମୁଁ ଏତିକି ନିଶ୍ଚୟ କହିବି, ମୋତେ ସେଠାରେ ମିଳିଥିବା ଭବ୍ୟ ସ୍ୱାଗତ, ଆତିଥ୍ୟ ଓ ସ୍ନେହ ପାଇଁ ମୁଁ ସେମାନଙ୍କ ନିକଟରେ ସବୁଦିନପାଇଁ ଋଣୀ ରହିବି। ଆମେରିକାରେ ଓଡ଼ିଶାର ଲୋକମାନେ ସଫଳ ହେଉଛନ୍ତି, ନିଜ ରାଜ୍ୟ ପାଇଁ ଗୌରବ ଅର୍ଜନ କରୁଛନ୍ତି, ଏହା ଦେଖି ମୋର ଖୁବ୍ ଗର୍ବ ଅନୁଭବ ହେଲା। ସେଠାରେ ଓଡ଼ିଆ ଲୋକେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛନ୍ତି, ଲକ୍ଷ ଲକ୍ଷ ଡଲାର୍ର କାରବାର ସମ୍ଭାଳୁଛନ୍ତି, ରାଜନୀତି, ଚିକିତ୍ସା ବିଜ୍ଞାନ ପରି କ୍ଷେତ୍ରରେ ମଧ୍ୟ ଖୁବ ନାଁ କରିଛନ୍ତି। ମୁଁ ଏମିତି କେତେଜଣ ଓଡ଼ିଆଙ୍କ ସହ ମିଶିଲି, ଯେଉଁମାନେ ଚାଳିଶ ବର୍ଷରୁ ଅଧିକ ସମୟ ସେଠାରେ ରହିଲେଣି, କିନ୍ତୁ ସେମାନଙ୍କ ହୃଦୟରେ ଆମଠାରୁ ଯଥେଷ୍ଟ ଅଧିକ ଓଡ଼ିଆପଣ ରହିଛି। ମହିଳାମାନେ ହାତରେ ସୁଦଶା ବ୍ରତ ବାନ୍ଧନ୍ତି, ପ୍ରଥମାଷ୍ଟମୀ ପାଇଁ ଘରେ ଘରେ ହଳଦୀପତ୍ର ପିଠା ପ୍ରସ୍ତୁତ ହୁଏ, ମାଣବସା ଗୁରୁବାରରେ ଘରେ ଚିତା ପଡ଼େ। ପୁଣି ୟୁଟ୍ୟୁବ୍ ଚ୍ୟାନେଲରୁ ଓଡ଼ିଶାର ଟିକିନିଖି ଖବର ସେମାନେ ରଖନ୍ତି, ଓଡ଼ିଆ ସିନେମା ଦେଖନ୍ତି, ଓଡ଼ିଆ ଗୀତ ଶୁଣନ୍ତି, ମାଟିର ମହକକୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରନ୍ତି। ସେତିକି ନୁହେଁ, ଯେତେବେଳେ ମାତୃଭୂମି ପାଇଁ କିଛି କରିବା ଦରକାର ପଡ଼େ, ଆଗଭର ହୋଇପଡ଼ନ୍ତି। ଆଜି ବି ନିଜ ଭିତରେ ସେମାନେ ଓଡ଼ିଶାକୁ ଅତି ଆଦରରେ ସାଇତି ରଖିଛନ୍ତି।
ଥରେ ସେମାନଙ୍କୁ, ଆଉ ଥରେ ଆମକୁ ଦେଖି ପରଖିଲା ପରେ ମୋ ମନକୁ ଆସିଲା; ନିଜ ମାଟି, ନିଜ ଦେଶରେ ନିଜ ପ୍ରଥା ଓ ପରମ୍ପରାର ମହତ୍ତ୍ବ ଆମେ ଯେତେ ଉପଲବ୍ଧି କରି ନଥାଉ, ବିଦେଶରେ ଥିଲେ ବା ନିଜ ଜନ୍ମମାଟିଠାରୁ ଦୂରରେ ଥିଲେ ସେସବୁର ଗୁରୁତ୍ବ ଢେର୍ ଅଧିକ ଉପଲବ୍ଧି କରିଥାଉ। ଠିକ୍ ଯେମିତି ଘରେ ଥିବା ବେଳେ ପରିବାରର ସଦସ୍ୟଙ୍କ ସହ ଆତ୍ମୀୟତା ଓ ଅନ୍ତରଙ୍ଗତାକୁ ଆମେ ଯେତେ ଅନୁଭବ କରି ନଥାଉ, ଦୂରକୁ ଗଲେ କିମ୍ବା ପରିବାରଠାରୁ ଦୂରରେ ରହିଲେ ସେମାନଙ୍କ ଅନୁପସ୍ଥିତି ସେତେ ଅଧିକ ଅନୁଭବ କରିଥାଉ। ଦର୍ପଣକୁ ମୁହଁର ଅତି ନିକଟକୁ ନେଇ ଦେଖିଲେ ଚେହେରା ସ୍ପଷ୍ଟ ଦେଖିହୁଏନି। କିନ୍ତୁ କିଛି ଦୂରକୁ ନେଇ ଦେଖିଲେ ନିଜକୁ ଭଲ ଭାବେ ଦେଖିହୁଏ, ଭଲମନ୍ଦ ବାରିହୁଏ।
ତନୟା ପଟ୍ଟନାୟକ
ସଂପାଦକ