ଗର୍ବ ଓ ଅହଂକାରର ପରିଣାମ କେବେହେଲେ ଭଲ ହୋଇ ନଥାଏ। ଅନେକ ବର୍ଷ ଧରି ମୋ ଭିତରେ ଗୋଟେ ଗର୍ବ ଥିଲା ଯେ ମୁଁ ରିଲ୍‌ସ୍ ଦେଖେନାହିଁ। କିନ୍ତୁ ଯେଉଁ କଥା ପାଇଁ ମୁଁ ଏତେ ଗର୍ବ କରୁଥିଲି, ଆଜି ମୁଁ ସେହି ରୋଗରେ ଆକ୍ରାନ୍ତ। ମୋବାଇଲ୍‌ରେ ରିଲ୍‌ସ୍‌ ଦେଖି ଅନେକ ସମୟ ନଷ୍ଟ କରିବା ମୋ ପାଇଁ ଚିନ୍ତାର ବିଷୟ ହୋଇଛି। ହେଲେ ପ୍ରତ୍ୟେକ ଜିନିଷର ଦୁଇଟି ପାର୍ଶ୍ବ ଥାଏ। ଏହା ସତ ଯେ ପ୍ରାୟ ସମୟ ଆଜୁରୁବାଜୁରୁ ରିଲ୍‌ସ୍‌ ଦେଖି ଆମେ ଅନେକ ମୂଲ୍ୟବାନ୍‌ ସମୟ ନଷ୍ଟ କରୁଛେ। କିନ୍ତୁ କେବେ କେବେ କିଛି ଶିକ୍ଷଣୀୟ ବିଷୟ ବି ଏହା ମାଧ୍ୟମରେ ଆମ ସାମ୍ନାକୁ ଆସିଥାଏ। କିଛିଦିନ ତଳେ ଏମିତି ଗୋଟାଏ କଥା ମୋର ଦୃଷ୍ଟି ଆକର୍ଷଣ କରିଥିଲା।

Advertisment

୧୯୩୮ ମସିହାରେ ହାଭାର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ଏକ ସର୍ବେକ୍ଷଣ ଅନୁଷ୍ଠିତ ହୋଇଥିଲା। ‘ମାନବୀୟ ଆନନ୍ଦ’ର କାରଣ ଅନୁସନ୍ଧାନ ଲାଗି ୭୫ ବର୍ଷ ଧରି ଚାଲିଥିବା ଏହି ସର୍ବେକ୍ଷଣ ଥିଲା ପୃଥିବୀର ଦୀର୍ଘତମ ସର୍ବେକ୍ଷଣ। ଏଥିରେ ଦୁଇଟି ଗୋଷ୍ଠୀକୁ ସାମିଲ କରାଯାଇଥିଲା। ଗୋଟିଏ ଗୋଷ୍ଠୀରେ ଥିଲେ ୨୬୮ ଜଣ ହାଭାର୍ଡ ସ୍ନାତକ ଏବଂ  ଅନ୍ୟଟିରେ ବୋଷ୍ଟନ୍‌ର ୪୫୬ ଜଣ ଅସୁବିଧାଗ୍ରସ୍ତ, ଅବହେଳିତ ଯୁବକ। ମଣିଷର ସୁଖ ଓ ସ୍ୱାସ୍ଥ୍ୟର କାରଣ ଖୋଜି ବାହାର କରିବା ଏହି ସର୍ବେକ୍ଷଣର ମୂଳ ଲକ୍ଷ୍ୟ ଥିଲା। ପ୍ରତି ଦୁଇବର୍ଷ ଅନ୍ତରରେ ପ୍ରଶ୍ନୋତ୍ତରୀ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ନିୟମିତ ସାକ୍ଷାତ୍‌କାର ନିଆଯାଉଥିଲା। ସେମାନଙ୍କୁ ସ୍ୱାସ୍ଥ୍ୟାବସ୍ଥା ମୂଲ୍ୟାଙ୍କନ, ରକ୍ତ ଓ ଅଙ୍ଗ ସକ୍ରିୟତା ପରୀକ୍ଷଣ, ମସ୍ତିଷ୍କ ମୂଲ୍ୟାଙ୍କନ ପାଇଁ ଏମ୍‌ଆର୍‌ଆଇ ଓ ଇଇଜି ଆଦି ପ୍ରକ୍ରିୟାର ସାମ୍ନା କରିବାକୁ ପଡୁଥିଲା। ସେମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ, ବୃତ୍ତି, ବେଉସା, ବନ୍ଧୁ, ପରିବାର ଓ ସମ୍ପର୍କ ଆଦି ପ୍ରତ୍ୟେକ ଦିଗର ଅଧ୍ୟୟନ ଓ ବିଶ୍ଳେଷଣ କରାଯାଉଥିଲା।

ଦଶନ୍ଧି ଦଶନ୍ଧି ଧରି ଗବେଷଣା ଏବଂ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କେବଳ ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ପାଇଁ  କରାଯାଉଥିଲା- ଏକ ସୁଖୀ ଓ ସୁସ୍ଥ ଜୀବନର ରହସ୍ୟ କ’ଣ? ଆଶ୍ଚର୍ଯ୍ୟଜନକ ଭାବରେ ପ୍ରସିଦ୍ଧି, ସଫଳତା, କ୍ୟାରିୟର୍‌ କିମ୍ୱା ଅର୍ଥ; ଏସବୁ ଭିତରୁ କୌଣସି ଗୋଟାଏ ବି କାରଣ ଉତ୍ତରରେ ଆସି ନଥିଲା। ଉତ୍ତର ଥିଲା- ଦୃଢ଼ ସଂପର୍କ। ବାସ୍ତବରେ ମଣିଷ ଜୀବନରେ ଏକମାତ୍ର ଗୁରୁତ୍ବପୂର୍ଣ୍ଣ ଜିନିଷ ହେଉଛି, ଅନ୍ୟମାନଙ୍କ ସହ ତା’ର ସଂପର୍କ। ମଣିଷର ପ୍ରକୃତ ଆବଶ୍ୟକତା ହେଉଛି ଧ୍ୟାନ, ଯତ୍ନ ଓ ଭଲପାଇବା। ଅର୍ଥ ବା ପଦମର୍ଯ୍ୟାଦା ସବୁବେଳେ ଏକ ଉତ୍ତମ ଜୀବନ ନିର୍ଦ୍ଧାରଣ କରି ନଥାଏ। ଅଧ୍ୟୟନ ଅନୁସାରେ, ସୁ-ସଂପର୍କ କେବଳ ଏକ ଉତ୍ତମ ଓ ଉନ୍ନତ ଜୀବନ ପାଇଁ ନୁହେଁ, ଦୀର୍ଘ ଜୀବନ ପାଇଁ ମଧ୍ୟ ଜରୁରି। ଅନ୍ୟପକ୍ଷରେ ନିର୍ଜନତା ଓ ଏକାକୀତ୍ବବୋଧ ନୈରାଶ୍ୟ, ଭଗ୍ନସ୍ୱାସ୍ଥ୍ୟ ଓ ଆୟୁକ୍ଷୟର ପ୍ରତ୍ୟକ୍ଷ କାରଣ। କେତେଜଣଙ୍କ ସହ ଆମର ସଂପର୍କ ରହିଛି, ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ; ତା’ଠାରୁ ଅଧିକ ଗୁରୁତ୍ବ ରଖେ କେତେଜଣଙ୍କ ସହ ଆମର ଗଭୀର ତଥା ଅନ୍ତରଙ୍ଗ ସଂପର୍କ ରହିଛି। ସତ କହିବାକୁ ଗଲେ, ମୋ ପାଇଁ ଏହି ନିର୍ଯାସ ବହୁତ ଭୟଙ୍କର ଥିଲା। କାରଣ ମୁଁ  ଯେତେବେଳେ ମୋ ଚାରିପାଖରେ ଥିବା ଲୋକଙ୍କ ଜୀବନ ଆଉ ମୋ ନିଜ ଜୀବନକୁ ଅତି ନିକଟରୁ ପରଖେ, ସେତେବେଳେ ମୋର ଅନୁଭବ ହୁଏ ଯେ ପୂରା ପୃଥିବୀ ‘ସଂପର୍କ’ ବ୍ୟତୀତ ଅନ୍ୟ ସବୁକିଛି ପଛରେ ଦୌଡୁଛି। ଆମେ ବହୁସଂଖ୍ୟକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଛୁ ଏବଂ ଆମର ହ୍ୱାଟ୍‌ସ୍‌ଆପ୍‌ ତାଲିକାରେ ଶହ ଶହ ଲୋକ ଅଛନ୍ତି। କିନ୍ତୁ ଯେତେବେଳେ ଆମେ ଦୁର୍ବଳ, ଦୁଃଖୀ କିମ୍ବା ହତାଶ ଅନୁଭବ କରୁ, ସେତେବେଳେ ଆମକୁ ଏପରି କେହି ଜଣେ ମିଳନ୍ତି ନାହିଁ, ଯାହା ସହ ଆମେ ଦୁଃଖ ବାଣ୍ଟିପାରିବା। ଆମେ ଗୋଟିଏ ଟେବୁଲ୍‌ରେ ଏକାଠି ବସି ଖାଉଛେ, କିନ୍ତୁ ନିଜ ଭିତରେ ପଦେ ମଧ୍ୟ କଥା ନ ହୋଇ ମୁଣ୍ଡକୁ ମୋବାଇଲ୍ ଆଗରେ ନୁଆଇଁ ଦେଉଛେ, ତା’ ଭିତରେ ହଜିଯାଉଛେ। ଆଜି ଭାଇ ଭାଇ ଭିତରେ ପଡୁନି, ପରିବାର ଭାଙ୍ଗିଯାଉଛି, ସଂପର୍କ ଛିଡ଼ିଯାଉଛି; କାରଣ ଅର୍ଥ, ସମ୍ପତ୍ତି, କ୍ୟାରିୟର୍, ମହତ୍ତ୍ବାକାଂକ୍ଷା, ସବୁକିଛି ଆମର ପ୍ରାଥମିକତା ତାଲିକାର ଶୀର୍ଷରେ ରହିଛି, କିନ୍ତୁ ସମ୍ପର୍କ ସ୍ଥାନ ପାଇଛି ତାଲିକାର ଶେଷଧାଡ଼ିରେ।

ଆମେ ନିରନ୍ତର ପ୍ରସିଦ୍ଧି, ଅର୍ଥ, କ୍ୟାରିୟର୍ ଓ ଲକ୍ଷ୍ୟ ପଛରେ ଧାଇଁଛୁ। ସାମୟିକ ଖୁସି ପାଇଁ ସମ୍ପର୍କକୁ ବଳି ଦେଉଛୁ। ହେଲେ ୭୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ହାଭାର୍ଡ ଅଧ୍ୟୟନ ଯେଉଁ ବାସ୍ତବତାକୁ ଆମ ସାମ୍ନାରେ ଆଣି ଠିଆ କରାଇଛି ଏବଂ ଯେଉଁ ସତ୍ୟକୁ ପ୍ରକାଶ କରିଛି; ତାହା ହେଲା, ସଫଳତା ନୁହେଁ, ଦୃଢ଼ ସଂପର୍କ ହିଁ ହେଉଛି ଏକ ସୁଖୀ ତଥା ସୁସ୍ଥ ଜୀବନର ପ୍ରକୃତ ମୂଳଦୁଆ। ଅତ୍ୟଧିକ ବିଳମ୍ବ ହେବା ପୂର୍ବରୁ ଆମକୁ ନିଜର ପ୍ରାଥମିକତାର ପୁନଃମୂଲ୍ୟାୟନ କରିବାକୁ ପଡ଼ିବ। ଏହା ବୁଝିବାକୁ ହେବ ଯେ ଆମେ ଯାହା ହାସଲ କରୁ ସେଥିରେ ପ୍ରକୃତ ଖୁସି ନଥାଏ, ବରଂ ଯେଉଁ ପାରିବାରିକ ଓ ସାମାଜିକ ସଂପର୍କର ବନ୍ଧନକୁ ପାଳିପୋଷି ବଢ଼ାଇଥାଉ ଏବଂ ଜୀବନସାରା ଯେଉଁ ପ୍ରେମ ବାଣ୍ଟିଥାଉ, ସେଥିରେ ହିଁ ଅସଲ ଖୁସି ରହିଛି।

ତନୟା ପଟ୍ଟନାୟକ
ସଂପାଦକ