ସବୁଦିନ ପରି ମୁଁ ଗାଡ଼ିରେ ବସି ଘରୁ ବାହାରିଗଲି। କିଛି ସମୟ ପରେ ଭୁବନେଶ୍ୱରର ବ୍ୟସ୍ତ ଟ୍ରାଫିକ୍ରେ ଗାଡ଼ି ଅଟକିଲା। ଅନ୍ୟଦିନ ଭଳି ସେଦିନ ବି ମୁଁ ଫୋନ୍ରେ ମୁହଁ ପୋତି ବସିଥିଲି। ଗାଡ଼ିର ଝରକା କାଚରେ ଠକ୍ ଠକ୍ ଶବ୍ଦ ଫୋନ୍ ସ୍କ୍ରିନ୍ରୁ ଦୃଷ୍ଟି ହଟାଇବାକୁ ବାଧ୍ୟ କଲା। କାଚ ସେପାଖେ ଠିଆ ହୋଇଥିଲା କୁନିଝିଅଟିଏ। ସାତ କି ଆଠ ବର୍ଷର ହବ। ଠିକ୍ ମୋ ପୁଅ ବୟସର। ତା’ ମଇଳା ଅପରିଷ୍କାର ହାତକୁ ପାଟି ପାଖକୁ ନେଇ ଖାଇବାର ଇଙ୍ଗିତ କରୁଥିଲା। କ୍ଷଣକ ପାଇଁ ଆମ ଆଖି ମିଶିଗଲା। ତା’ ଆଖି ଦୁଇଟି ବିକଳ, ଅସହାୟ ଓ ଆଶାହୀନ ଦିଶୁଥିଲା। ମୁଁ ମୁଣ୍ଡ ହଲେଇ ନାହିଁ ବୋଲି ଇସାରା ଦେଇ ପୁଣି ଫୋନ୍ ସ୍କ୍ରିନ୍କୁ ଆଖି ଫେରେଇ ଆଣିଲି। ସେ ସେମିତି ଠକ୍ ଠକ୍ କରିଚାଲିଥାଏ। ମୁଁ ନ ଶୁଣିଲା ପରି ପଥର ଭଳି ବସିରହିଲି। କିଛିବର୍ଷ ପୂର୍ବରୁ ନିଶ୍ଚିତ କରିଥିଲି, ରାସ୍ତାରେ ଭିକ ମାଗୁଥିବା ଏ ପିଲାଙ୍କୁ ପଇସା ଦେବି ନାହିଁ। ସେମାନେ ଅପରାଧୀମାନଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ସେମାନଙ୍କୁ ଜବରଦସ୍ତି ଭିକ ମଗାଯାଏ। ଭୋକ ମାରିବା ପାଇଁ ଭିକ ପଇସାରେ ସେମାନଙ୍କୁ ଶସ୍ତା ଡ୍ରଗ୍ସ ଓ ନିଶା ଦିଆଯାଏ। ପିଲାଟିକୁ ମୁଁ ନ ଦେଖିଲା କି ନ ଶୁଣିଲା ପରି ବସିରହିବାଟା ନିଶ୍ଚୟ ନିଷ୍ଠୁର ମନେହେଇପାରେ, ହେଲେ ପଇସା ଦେଇ ଏଇ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାଟା ବି ଉଚିତ ହେବ ନାହିଁ। ଠକ୍ ଠକ୍, ଠକ୍ ଠକ୍। ଟ୍ରାଫିକ୍ ଲାଇଟ୍ ବି ଯେମିତି ସେତେବେଳକୁ ତା’ର ରଙ୍ଗ ନ ବଦଳାଇବା ପାଇଁ ମନ କରିଥିଲା। ମୁଁ ଦୀର୍ଘନିଃଶ୍ୱାସ ନେଲି। ତା’ ଆଖିଯୋଡ଼ିକ ସଙ୍ଗରେ ପୁଣି ଥରେ ଆଖି ମିଶେଇବା ପାଇଁ ମୋର ସାହସ ନଥିଲା। ମନେ ମନେ କହିଲି, ‘‘ହେ ଜଗନ୍ନାଥ! ପିଲାଟିକୁ ସାହା ହୁଅ।’’
‘‘ଖାଲି ଜଗନ୍ନାଥଙ୍କୁ ଡାକିଦେଲେ କ’ଣ ହେବ?’’ ଖତେଇ ହେଲା ଭଳି କୁଆଡୁ ଯେମିତି ଗୋଟିଏ ସ୍ୱର ମୋ କାନରେ ବାଜିଲା, ‘‘ତତେ ଲାଜ ଲାଗୁନି, କିଛି ପଇସା ଦେଲେ ବିଚରା ଛୁଆଟା କ’ଣ ଦିଇଟା ଖାଆନ୍ତା। କେଜାଣି କେବେଠୁ ଖାଇ ନଥିବ? ତା’ ଭୋକିଲା ପେଟର ଚିତ୍ର ତା’ ଆଖିରୁ ସ୍ପଷ୍ଟ ବାରିହେଇ ପଡୁଛି। ମୁହଁ ବୁଲେଇଦେଇ ତୁ କେମିତି ବସିପାରୁଛୁ? ତତେ ଟିକେ ଦୟା ଲାଗୁନି?’’ କିନ୍ତୁ ଟଙ୍କା ଦେଲେ ତ ସେ ସେଥିରେ ଖାଇବା କିଣିବ ନାହିଁ, ବରଂ ନିଶା କରିବ; କିମ୍ବା ସେ ପଇସା ଆଉ କେହି ତା’ଠୁ ଛଡ଼େଇ ନେଇଯିବ। ଆରଥରକ ନିଶ୍ଚୟ ପାଖରେ କିଛି ଖାଦ୍ୟ ପ୍ୟାକେଟ୍ ରଖିବି। ମାଗିଲେ ଦେବି। ଜାଣିବି ତା’ ପେଟକୁ ସେ ଖାଇଲା। ‘‘ଗଲାଥର ବି ଏଇ କଥା କହିଥିଲୁ। କାଇଁ ସେ ଖାଦ୍ୟ ପ୍ୟାକେଟ୍? କାମ ଭିତରେ ପୁଣି ଭୁଲିଗଲୁନା?’’ ଧିକ୍କାର କଲା ପରି ସେ ସ୍ବରଟି ପୁଣି ମତେ ପ୍ରଶ୍ନ କଲା, ‘‘କେବେ ଜାଣିବାପାଇଁ ଚେଷ୍ଟା କରିଛୁ, ଏ ଛୋଟ ପିଲାମାନେ କାହିଁକି ନିଶା କରନ୍ତି? ଗୋଟେ ନିର୍ଦ୍ଦୟ, ନିର୍ମମ, କଷ୍ଟଦାୟକ ଜୀବନରୁ କିଛି ମୁହୂର୍ତ୍ତର ମୁକ୍ତି ପାଇଁ, ଆନନ୍ଦରେ ନୁହେଁ!’’
ଏ ପିଲାମାନଙ୍କୁ ବ୍ୟବହାର କରାଯାଉଛି। ରୀତିମତ ଗୋଟେ ରାକେଟ୍ ଚାଲିଛି। ଅପରାଧୀମାନେ ପିଲା ଚାଲାଣ କରୁଛନ୍ତି। ସେମାନଙ୍କୁ ଭିକ ମଗାଇବା କାମରେ ଲଗାଉଛନ୍ତି। ପଇସା ଦେବା ମାନେ ଏଇ ଅପରାଧ ଚକ୍ରକୁ ସହଯୋଗ କରିବା। ପଇସା ଦେଲେ କେବେ ବି ଏହାର ଅନ୍ତ ଘଟିବ ନାହିଁ। ‘‘ତା’ହେଲେ ଏଇଟା କାହାର ଭୁଲ୍? ସେ ପିଲାର ନା ବ୍ୟବସ୍ଥାର? ଯଦି ସେ ଭିକ ସଂଗ୍ରହ ବିନା ଫେରିଯିବ ତେବେ କ’ଣ ହେବ? ଭୀଷଣ ମାଡ଼ ଖାଇବ ବା ଆଉ କିଛି ଭୟଙ୍କର ଦଣ୍ଡ ପାଇବ! ପଇସା ନଦେଲେ କ’ଣ କାଲିକି ତା’ର ସ୍ଥିତି ବଦଳିଯିବ? ସବୁ ସମସ୍ୟାର ସମାଧାନ ହେଇଯିବ? ଗୋଟେ ସାଧାରଣ ଜୀବନ ବଞ୍ଚିବାର ସୁଯୋଗ ତାକୁ ମିଳିଯିବ? ବରଂ ଆଜି ଟିକେ ସହାନୁଭୂତି ଦେଖେଇଲେ, ହୁଏତ ଦି’ମୁଠା ଦାନା ତା’ ପେଟକୁ ଚାଲିଯାଆନ୍ତା!’’
ପିଲାମାନଙ୍କର ସ୍ଥାନ ସ୍କୁଲ୍ରେ, ଏକ ସୁରକ୍ଷିତ ଗୃହରେ; ରାସ୍ତାକଡ଼ରେ ନୁହେଁ। କିନ୍ତୁ ଦୟା ଦେଖାଇ ପଇସା ଦେଲେ, ସେମାନେ ସବୁବେଳେ ନିର୍ଭରଶୀଳ ହୋଇ ରହିବେ। କେବେ ବି ଏହି ଚକ୍ରବ୍ୟୂହରୁ ମୁକୁଳି ପାରିବେ ନାହିଁ। ହେଲେ କେଉଁଠି ତ ଏହାର ଅନ୍ତ ଘଟିବା ଉଚିତ! ‘‘ତା’ହେଲେ ତାକୁ ସଙ୍ଗରେ ଘରକୁ ନେଇଯା। ସ୍କୁଲ୍କୁ ନେଇ ତା’ ନାମ ଲେଖେଇଦେ। କରିପାରିବୁକି? ଯଦି ନା, ତା’ହେଲେ ଭାଷଣ ନ ମାରି ତା’ ଦୁଃଖ ବୁଝିବା ପାଇଁ ଥରେ ଚେଷ୍ଟା କର। ସରକାର, ସାମାଜିକ ଅନୁଷ୍ଠାନ, ସମାଜସେବୀ ଇତ୍ୟାଦି ଏମାନଙ୍କ ଜୀବନରେ ସୁଧାର ଆଣିବାପାଇଁ କାମ କରୁଛନ୍ତି। ଅନେକ ପିଲା ଉଦ୍ଧାର ମଧ୍ୟ ହେଉଛନ୍ତି। କିନ୍ତୁ ଏ ପିଲାଠୁ ମୁହଁ ଆଡ଼େଇ ଦେଇ, ସାହାଯ୍ୟର ଛୋଟ ହାତଟେ ନ ବଢ଼େଇବା କ’ଣ ଠିକ୍?’’ ଏଇ କିଛି ମୁହୂର୍ତ୍ତ ମଧ୍ୟରେ ମୋ ଭିତରେ ଯେମିତି ଗୋଟାଏ ଯୁଦ୍ଧ ହେଇଗଲା। ଟ୍ରାଫିକ୍ ଲାଇଟ୍ର ରଙ୍ଗ ବଦଳିଲା। ଗାଡ଼ି ଆଗକୁ ବଢ଼ିଲା। କୁନିଝିଅଟି କିଛି ପାଦ ଗାଡ଼ି ପଛେ ପଛେ ଆସିଲା, ତା’ପରେ ଅଟକିଗଲା। ମୋ ମନରେ ଉଠିଥିବା ପ୍ରଶ୍ନର କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ।
ତନୟା ପଟ୍ଟନାୟକ
ସଂପାଦକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/04/uBgkxqsF9fJGa7IDVr6g.jpg)