୨୦୧୯ ମସିହାର କଥା। ବାଲେଶ୍ବରରେ ଏକ ସମ୍ପାଦକୀୟ ବୈଠକରେ ଯୋଗଦେବା ବେଳେ ମୁଁ ଜାଣିବାକୁ ପାଇଲି ଯେ କନକ ନିଉଜ୍ର ସୋର ପ୍ରତିନିଧି ପ୍ରମୋଦ ଦାସଙ୍କ ଝିଅ ରକ୍ତ କର୍କଟରେ ଆକ୍ରାନ୍ତ। ତାକୁ ମାତ୍ର ପାଞ୍ଚ ବର୍ଷ। ସେ ଦିନଟା ସାରା ମତେ ଖୁବ୍ ବିଚଳିତ ଲାଗିଥିଲା, ମୁଁ କୌଣସି କାମରେ ଧ୍ୟାନ ଦେଇପାରି ନଥିଲି। ଝିଅର ସ୍ୱାସ୍ଥ୍ୟ ବିଷୟରେ କହିଲା ବେଳେ ପ୍ରମୋଦର ହାରିଯାଇଥିବା ଚେହେରାକୁ ମୁଁ ଯେତେ ଚେଷ୍ଟା କଲେ ବି ଭୁଲିପାରୁ ନଥିଲି। ମୁଁ ଜାଣିନି କାହିଁକି ମୋର ତା’ ଝିଅ ସହ ଦେଖା କରିବା ପାଇଁ ବହୁତ ଇଚ୍ଛା ହେଉଥିଲା। ପ୍ରମୋଦ ଆଉ ତା’ ପରିବାର ସାମୟିକ ଭାବରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇ ଏମ୍ସ୍ ପାଖରେ ତାଙ୍କ ଭାଇଙ୍କ ଘରେ ରହୁଥିଲେ। ସେଠାରେ ତା’ ଝିଅର ଚିକିତ୍ସା ହେଉଥିଲା। ତାଙ୍କ ଘରକୁ ଯିବା ପୂର୍ବଦିନ ମୁଁ ବଜାରକୁ ଯାଇ ଝିଅ ପାଇଁ କିଛି ପୋଷାକ ବାଛି ଆଣିଲି। ମୁଁ ପ୍ରଥମ ଥରପାଇଁ ଏମିତି କାହା ଘରକୁ ଯାଉଥିଲି, ଯାହା ଘରେ ଏକ ଶିଶୁ ମୃତ୍ୟୁ ସହ ସଂଘର୍ଷ କରୁଛି। ମତେ ଲାଗୁଥିଲା, ସେମାନଙ୍କ ଘରେ ଦୁଃଖ ଆଉ ନିରାଶାର ବାତାବରଣ ଥିବ। ସମସ୍ତଙ୍କ ଆଖିରେ ଲୁହ ଥିବ। ଯେଉଁଠି ପରିବାରର ଏକମାତ୍ର ଗେଲବସର ଝିଅ ଏପରି ନିଷ୍ଠୁର ରୋଗରେ ଆକ୍ରାନ୍ତ, ସେଠାରେ ଆଉ କ’ଣ ବା ଆଶା କରାଯାଇପାରେ! ମୋ ସଙ୍ଗରେ ଅଫିସ୍ର ସହକର୍ମୀ ଫ୍ଲୋରା ଥିଲା।
ଆଶ୍ଚର୍ଯ୍ୟ! ଦାଣ୍ଡ ଦୁଆରେ ଆମକୁ ହସ ହସ ମୁହଁରେ ସ୍ୱାଗତ କରାଗଲା। ପ୍ରମୋଦ ଭିତରକୁ ପାଛୋଟି ନେଲା। ପ୍ରମୋଦର ପତ୍ନୀ ଖୁବ ସୁନ୍ଦର ଥିଲେ। ଚଉକି ଭିଡ଼ିଆଣି ଆମକୁ ବସିବାକୁ ଦେଲେ। ପ୍ରମୋଦର ଭାଉଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ପଡ଼ିଶା ଘରର କିଛି ପିଲାଙ୍କ ଟ୍ୟୁସନ୍ ସାରୁଥିଲେ। ଆଉ ପ୍ରତିମା! ପ୍ରମୋଦର ଝିଅ! ତା’ କଥା କ’ଣ ବା କହିବି! ତା’ ଉପରେ ନଜର ପଡ଼ୁ ପଡ଼ୁ ମୋ ହୃଦୟ ଥରିଗଲା। ଦେହଟା ପୂରା କଙ୍କାଳସାର। କେମୋ ଚିକିତ୍ସାରେ ତା’ର ସବୁ ଚୁଟି ଝଡ଼ିଯାଇଛି। ହେଲେ ତା’ ଲାଜୁଆ ହସ ଟିକକ ଖୁବ୍ ଆକର୍ଷଣୀୟ ଥିଲା। ପ୍ରତିମା ତା’ ବଡ଼ବାପା ଝିଅ ଭଉଣୀ ସହ ଖେଳୁଥିଲା। ଆମେ ଚା ପିଉପିଉ ପ୍ରମୋଦ ଆଉ ତା’ର ପରିବାର ସହ କଥା ହେଉଥିଲୁ। ପ୍ରମୋଦ ତା’ ସ୍ତ୍ରୀଙ୍କୁ ପ୍ରତିମାର ମେଡିକାଲ ରିପୋର୍ଟ ଦେଖାଇବାକୁ କହିଲା। ଆମେ ତା’ର ଚିକିତ୍ସା, ସରକାରୀ ଅନୁଦାନ ଆଦି ବିଷୟରେ ଆଲୋଚନା କଲୁ। ପ୍ରମୋଦ ଫୋନ୍ରୁ ପ୍ରତିମା ଭଲ ଥିବା ସମୟର ଫଟୋ କାଢ଼ି ଦେଖାଇଲା। ଏବେର ପ୍ରତିମାକୁ ଦେଖିଲେ, ଲାଗୁଥିଲା ସେ କାହିଁ କୋଉଦିନର ଫଟୋ। ପ୍ରତିମା ତା’ର ବହି ସବୁ ଦେଖାଇବା ସହ ଏବେ ସ୍କୁଲ ଯାଇପାରୁନାହିଁ ଓ ସାଙ୍ଗମାନଙ୍କ ସହ ମିଶି ପାରୁନାହିଁ ବୋଲି ଦୁଃଖ କରିଥିଲା।
ମୁଁ ପ୍ରତିମାପାଇଁ ଆଣିଥିବା ପୋଷାକ ତାକୁ ହେଉଛି କି ନାହିଁ ଦେଖିବାକୁ କହିଲି। ସେ ତା’ ମାଆକୁ ନେଇ ଭିତରକୁ ଗଲା। କିଛି ମୁହୂର୍ତ୍ତ ପରେ ଯେତେବେେଳ ଗୋଟେ ନୂଆ ଡ୍ରେସ୍ ପିନ୍ଧି ବାହାରକୁ ଆସିଲା, ପୁଣିଥରେ ମୋ ହୃଦୟ ଦୁଃଖରେ ଭରିଗଲା। ମୁଁ ପାଞ୍ଚ ବର୍ଷର ଝିଅ ପାଇଁ କହି ଆଣିଥିବା ପୋଷାକ ତାକୁ ବହୁତ ଢିଲା, ବହୁତ ବଡ଼ ହେଉଥିଲା! ଟିକେ ହସିଦେଇ କହିଲି, ‘‘ଏସବୁ ବଦଳେଇ ଛୋଟ ସାଇଜ୍ର ନେଇ ଆସିବି।’’ ସେ ତା’ର ସେଇ ଲାଜମିଶା ହସଟେ ହସିଦେଲା। ଫେରିବା ସମୟ ହେଇସାରିଥିଲା। ଆମକୁ ଛାଡ଼ିବାପାଇଁ ଘରର ସମସ୍ତେ କାର୍ ପର୍ଯ୍ୟନ୍ତ ଆସିଲେ। ପ୍ରତିମା ବି ମାସ୍କଟିଏ ପିନ୍ଧି ବାହାରଯାଏ ଆସିଲା। ଡାକ୍ତର ତାକୁ ସଂକ୍ରମଣରୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମୁଁ ଗାଡ଼ିରୁ ସେମାନଙ୍କୁ ଦେଖୁଥିଲି। ଦୂରତା ବଢ଼ିବା ସହ କ୍ରମେ ଛୋଟ ହୋଇଯାଉଥିଲା ସେମାନଙ୍କ ଛବି। ଦୃଷ୍ଟିରୁ ହଜିଯିବା ଯାଏ ମୁଁ ପ୍ରତିମାକୁ ଦେଖୁଥିଲି। ଉତ୍ସାହର ସହ ହାତ ହଲାଇ ସେ ଆମକୁ ବିଦାୟ ଦେଉଥିଲା।
ଫ୍ଲୋରା ଯୋଗାଯୋଗରେ ରହି ପ୍ରତିମା ସଂପର୍କରେ ସମସ୍ତ ସୂଚନା ମତେ ଦେଉଥିଲା। କେବେ କେବେ ତା’ର ହସ ହସ ମୁହଁର ଫଟୋ ପଠାଉଥିଲା। ସେ ହସ୍ପିଟାଲ୍ରେ ପ୍ରତିମାକୁ ସାକ୍ଷାତ କରି ଡାକ୍ତରଙ୍କ ସହ କଥା ବି ହେଇଥିଲା। ଆଗକୁ ଦରକାର ପଡ଼ିଲେ ତା’ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଆମେ ଯୋଜନା କରିଥିଲୁ। ୨୦୨୧ ଏପ୍ରିଲ ୨୯ ତାରିଖ। ରାତି ୧୦.୩୦ ପାଖାପାଖି ମୁଁ ଖବର ପାଇଲି, ପ୍ରତିମା ଆଉ ନାହିଁ। ମୁଁ ପ୍ରମୋଦକୁ ଫୋନ୍ କଲି। ସେ କାନ୍ଦିକାନ୍ଦି କହିଲା, ‘‘ମ୍ୟାଡାମ୍, ଗଲାକାଲି ତା’ର ଜନ୍ମଦିନ ଥିଲା।’’ ଏ ଥିଲା କୁନି ପ୍ରତିମାର କାହାଣୀ। ହେଲେ ଆମ ଦୁନିଆରେ ଏମିତି ଅନେକ ପ୍ରତିମା ଅଛନ୍ତି, ଯେଉଁମାନଙ୍କ ପରିବାର ଧୈର୍ଯ୍ୟ ଓ ସାହସର ସହ ଏପରି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରୁଛନ୍ତି। ଜିତିବାର ଆଶାକୁ ବଳବତ୍ତର ରଖି, ଦିନ ପରେ ଦିନ ପ୍ରତ୍ୟେକ ସମୟକୁ ଯେତେ ସମ୍ଭବ ସାଧାରଣ ମଣିଷଟିଏ ପରି ଜିଇବାର ପ୍ରୟାସ କରୁଛନ୍ତି। ଈଶ୍ୱର ସେମାନଙ୍କୁ ଅଶେଷ ଶକ୍ତି ଦିଅନ୍ତୁ।
ତନୟା ପଟ୍ଟନାୟକ
ସଂପାଦକ