ରେଡିଓ ଚକଲେଟ୍କୁ ୧୮ ବର୍ଷ ପୂରିଗଲା। ଆଉ ମୋ ହୃଦୟରେ ରେଡିଓ ଚକଲେଟ୍ର ସ୍ଥାନ ସ୍ୱତନ୍ତ୍ର। କାରଣ ଏଇଠାରୁ ମୁଁ ପ୍ରଥମେ କାମ ଆରମ୍ଭ କରିଥିଲି। ପୁନେରୁ ସ୍ନାତକ ଶେଷ କରିବା ପରେ, ସ୍ନାତକୋତ୍ତର ପୂର୍ବରୁ ବର୍ଷେ/ ଦୁଇବର୍ଷ କାମ କରିବାର ଅନୁଭୂତି ଅର୍ଜନ କରିବାକୁ ଚାହୁଥିଲି। ୨୦୧୦ ମସିହାରେ ରେଡିଓ ଚକଲେଟ୍ରେ ମୁଁ କାମ କରିବା ଆରମ୍ଭ କରିଥିଲି। ଯଦିଓ ବହୁତ ଭାବିଚିନ୍ତି ମୁଁ ଏହି ନିଷ୍ପତ୍ତି ନେଇ ନଥିଲି, କିନ୍ତୁ ନିଶ୍ଚିତ ଭାବରେ ଏହା ମୋ ଜୀବନର ଏକ ଉତ୍ତମ ନିଷ୍ପତ୍ତି ଥିଲା। ସେତେବେଳେ ‘ସମ୍ବାଦ’ କିମ୍ବା ‘କନକ ନ୍ୟୁଜ୍’ରେ ମୋ ଭଳି ଜଣେ ୨୧ ବର୍ଷୀୟା ନୂଆ ପିଲାର ଅବସ୍ଥା ନିଶ୍ଚୟ ସାଂଘାତିକ ହେଇଥାଆନ୍ତା! ହେଲେ ଚକଲେଟ୍ ଟିମ୍ ଛୋଟ ଥିଲା, ଊର୍ଜାରେ ଭରପୂର ଏବଂ ଭାରି ଜୀବନ୍ତ ଲାଗୁଥିଲା। ସତରେ ସେଇ କେତେଦିନ ମୋ ଜୀବନରେ ଧୁମ୍ ମିଠା ଭରିଦେଇଥିଲା।
ବାବା ସବୁବେଳେ କହନ୍ତି, ଯେତେବେଳେ କଟକ ଓ ରାଉରକେଲାରେ ଏଫ୍ଏମ୍ ଷ୍ଟେସନ୍ ପାଇଁ ବିଡ୍ କରିବାର ସୁଯୋଗ ଆସିଥିଲା, ସେ ଖୁବ୍ ଉତ୍ସାହିତ ଥିଲେ। ହେଲେ ସମସ୍ତେ ତାଙ୍କୁ ମନା କରିଥିଲେ ଆଉ କହିଥିଲେ, ‘‘ଆଜିକାଲି ରେଡିଓ କିଏ ଶୁଣୁଛି? ରେଡିଓ କୋଉ ଚାଲିବ!’’ ପ୍ରାୟ ସମସ୍ତଙ୍କଠାରୁ ନାକଟେକା ସହ ଏଭଳି କଥା ଶୁଣିବାକୁ ମିଳିଥିଲା। ବାବା ତ ସହଜରେ ପଛକୁ ହଟିବା ଲୋକ ନୁହନ୍ତି। ସେ ଏକ ଛୋଟ ପରୀକ୍ଷା କଲେ। ତାଙ୍କର ୧୦ଜଣ ବନ୍ଧୁଙ୍କୁ ପଚାରି ବୁଝିଲେ ସେମାନଙ୍କ ଘରେ ରେଡିଓ ସେଟ୍ ଅଛି କି ନାହିଁ। ୧୦ଜଣଙ୍କ ଭିତରୁ ମାତ୍ର ଜଣଙ୍କ ଘରେ ରେଡିଓ ସେଟ୍ ଥିଲା। ସେଇଠି ହିଁ ତାଙ୍କୁ ଅଟକି ଯିବାର ଥିଲା। ମାତ୍ର ସେ କୋଉ ଅଟକିବା ନା ହାର୍ ମାନିବା ଲୋକ! ଯାହା ହେବ ଦେଖାଯିବ ନ୍ୟାୟରେ ଦୁଇଟିଯାକ ଷ୍ଟେସନ୍ ପାଇଁ ବିଡ୍ କଲେ ଏବଂ ବିଡିଙ୍ଗ୍ରେ ସଫଳ ମଧ୍ୟ ହେଲେ। ଏଇଠୁ ଆରମ୍ଭ ହେଲା ଓଡ଼ିଶାର ପ୍ରଥମ ଘରୋଇ ଏଫ୍ଏମ୍ ଷ୍ଟେସନ୍- ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍।
ରେଡିଓ ଚକଲେଟ୍ର ୧୮ତମ ଜନ୍ମବାର୍ଷିକୀରେ ମୋତେ ପଚରାଗଲା, ବହୁତ ବଡ଼ କର୍ପୋରେଟ୍ ମାଲିକାନାରେ ଥିବା ଆଉ ଦୁଇଟି ଜାତୀୟ ଚେନ୍ର ଷ୍ଟେସନ୍ ଆମ ସହିତ ଏକାଠି ଓଡ଼ିଶାରେ ପ୍ରବେଶ କରିଥିଲେ। ସେମାନଙ୍କ ସହ ପ୍ରତିଯୋଗିତା କରି ଏତେ ବର୍ଷ ଧରି ଏକ ନମ୍ବର ସ୍ଥାନ ବଜାୟ ରଖିବା କେତେ କଷ୍ଟ ଥିଲା? ଉତ୍ତରରେ ମୁଁ କହିଥିଲି, କଷ୍ଟ ତ ନିଶ୍ଚୟ ଥିଲା, ହେଲେ ଏକ ସରଳ ନିଷ୍ପତ୍ତି ଆମକୁ ଆଗରେ ରହିବାର ବାଟ ସୁଗମ କରିଦେଇଥିଲା। ଓଡ଼ିଆ ଅସ୍ମିତାକୁ ଆମେ ରେଡିଓ ଚକଲେଟ୍ର ମୂଳମନ୍ତ୍ର କରିଦେଇଥିଲୁ। ଆମ ରେଡିଓଜକିମାନେ ଓଡ଼ିଆରେ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଆମ ଷ୍ଟେସନ୍ରେ ଶ୍ରୋତା ଅଧିକରୁ ଅଧିକ ଓଡ଼ିଆ ଗୀତ ଶୁଣିବାକୁ ପାଉଥିଲେ। ଆମର ସମସ୍ତ କାର୍ଯ୍ୟକ୍ରମ- କାହାଣୀ, ନାଟକ, ଟକ୍ ସୋ, ସାମାଜିକ ବାର୍ତ୍ତା, ସବୁକିଛି ଓଡ଼ିଆ ଭାଷାରେ ଥିଲା। ଖାଲି ସେତିକି ନୁହେଁ, ରଜରୁ ରଥଯାତ୍ରା, ସାବିତ୍ରୀ, ପ୍ରଥମାଷ୍ଟମୀ, ମାଣବସା ଗୁରୁବାର, ବାଲିଯାତ୍ରା, ଓଡ଼ିଆ ଘରର ଯେତେ ପର୍ବ, ପରମ୍ପରା, ରେଡିଓ ଚକଲେଟ୍ରେ ସେସବୁ ପାଳନ ହେଉଥିଲା। ଆମକୁ ଅନେକ ଅଭିଜ୍ଞ ଲୋକ କହିଥିଲେ,ଏତେ ବଡ଼ ବଡ଼ ହିନ୍ଦୀ ଭାଷାଭାଷୀ ଷ୍ଟେସନ୍ଙ୍କ ସହିତ ପ୍ରତିଯୋଗିତା କରିବାକୁ ହେଲେ, ପ୍ରଥମେ ଆମକୁ ସେମାନଙ୍କ ପରି ହେବାକୁ ପଡ଼ିବ। ହିନ୍ଦୀ ଗୀତ ବଜେଇବା ସହିତ ହିନ୍ଦୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ପଡ଼ିବ। ଆମେ କିନ୍ତୁ ଦୃଢ଼ ନିଶ୍ଚିତ ଥିଲୁ। ଆମ ରେଡିଓ ଓଡ଼ିଶାର, ଓଡ଼ିଆମାନଙ୍କର। ଆମ ରେଡିଓ ଯାହା କହିବ, ଓଡ଼ିଆମାନଙ୍କ ପାଇଁ, ଓଡ଼ିଆରେ ଓଡ଼ିଆ ରୀତିନୀତି ଓ ସଂସ୍କୃତି, ପରମ୍ପରାର କଥା କହିବ। ଆମେ ଯାହା ନୁହେଁ, କାହିଁକି ସେମିତି ହେବାକୁ ଚେଷ୍ଟା କରିବା? ଆମେ ଯେମିତି, ଆମେ ସେମିତି ରହିବା। ଆମେ ଆମ ମାର୍ଗ ସ୍ଥିରକଲୁ, ଆଉ ଆଗେଇଗଲୁ। ଆମେ ଜିତିଲୁ। ଓଡ଼ିଶା ଓ ଓଡ଼ିଶାବାସୀ ରେଡିଓ ଚକଲେଟ୍କୁ ଆପଣାର କଲେ। ଘର, ପାନ ଦୋକାନ, ଗାଡ଼ି, ପେଟ୍ରୋଲ୍ ପମ୍ପ୍, ଢାବା ସବୁଠି ୧୦୪ ଏଫ୍ଏମ୍ ବାଜିଲା। ଲୋକପ୍ରିୟତା ଏମିତି ବ୍ୟାପିଯାଇଥିଲା ଯେ ଜାତୀୟ ସ୍ତରରେ ରେଡିଓ ଚକଲେଟ୍ର ଆଶାତୀତ ସଫଳତା ଚର୍ଚ୍ଚାର ବିଷୟ ପାଲଟିଲା। ଶେଷରେ ଆମ ପ୍ରତିଯୋଗୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟକ୍ରମରେ ଓଡ଼ିଆ ଗୀତ, ଓଡ଼ିଆ ବିଷୟବସ୍ତୁ ଯୋଡ଼ିବାପାଇଁ ବାଧ୍ୟ ହେଲେ।
ବେଳେବେଳେ ଜୀବନରେ ପ୍ରତିଯୋଗିତା ଏତେ ବଡ଼ ରୂପରେ ଆସେ ଯେ ଆମେ ଭୟଭୀତ ଓ ନିରାଶ ହୋଇଯାଉ। ନିଜ ଉପରେ ନିଜର ସନ୍ଦେହ ଆସେ। ଭରସା ଦୋହଲିଯାଏ। ଆମକୁ ଲାଗେ, ବୋଧହୁଏ ମୁଁ ପାରିବିନି। କିନ୍ତୁ ସେଇ ସମୟରେ ଆମ ପାଇଁ ବ୍ରହ୍ମାସ୍ତ୍ର ସାଜେ ଆତ୍ମବିଶ୍ୱାସ। ଟଙ୍କା, କୋଠା, ଭିତ୍ତିଭୂମି ଇତ୍ୟାଦିରେ ହୁଏତ କେହି ପଛରେ ରହିଯାଇପାରେ, ହେଲେ ଚିନ୍ତାଧାରା, ସର୍ଜନଶୀଳତା ଓ ଆତ୍ମବିଶ୍ବାସ ସବୁବେଳେ ଅପରାଜେୟ ହୋଇ ରହେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ତନୟା ପଟ୍ଟନାୟକ
ସଂପାଦକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/15/Tsieei2tRC65xS1ipbzC.jpg)