ମୋର ମନେଅଛି, ୨୦୧୪ ମସିହାରେ ମୁଁ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧିମାନଙ୍କର ଏକ ବୈଠକରେ ଯୋଗଦେଇଥିଲି। ବୈଠକ ଗୃହ ଓଡ଼ିଶାର ୩୦ଟି ଜିଲ୍ଲାର ‘ସମ୍ବାଦ’ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଭରପୂର ଥିଲା। ଏଇ ଭିଡ଼ରେ ଜଣେ ସମସ୍ତଙ୍କଠାରୁ ଅଲଗା ଥିଲେ। ସୀମନ୍ତିକା ନନ୍ଦ। ଦେବଗଡ଼ ଡିସି। ମୋ ବ୍ୟତୀତ ସେହି କୋଠରିରେ ସେ ଥିଲେ ଏକମାତ୍ର ମହିଳା। ସମସ୍ତେ ନିଜ ନିଜ ଜିଲ୍ଲାର ଅବସ୍ଥା ଓ ବ୍ୟବସ୍ଥା ବିଷୟରେ କହୁଥିଲେ। ଯେତେବେଳେ ସୀମନ୍ତିକାଙ୍କ ପାଳି ଆସିଲା, ତାଙ୍କ ଆତ୍ମବିଶ୍ବାସ ଓ ଊର୍ଜା ଦେଖି ମୁଁ ପ୍ରଭାବିତ ହୋଇଥିଲି। ମୋ ପାଖରେ ବସିଥିବା ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ପଚାରିଲି,‘‘ଇଏ କ’ଣ ଆମର ଏକମାତ୍ର ମହିଳା ଡିସି?’’ ସେ ଉତ୍ତର ଦେଲେ,‘‘ହଁ, ଏକମାତ୍ର ମହିଳା ଡିସି। ହେଲେ ସେ କୌଣସି ପୁରୁଷଙ୍କଠାରୁ କମ୍ ନୁହନ୍ତି। ସେ ଜଣେ ଭଲ ମଣିଷ ଏବଂ ତାଙ୍କର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ।’’
ତା’ପରେ ସୀମନ୍ତିକାଙ୍କର ବରଗଡ଼କୁ ବଦଳି ହୋଇଥିଲା। ସେଠାରେ କିଛି ବର୍ଷ କାମ କରିବା ପରେ ସେ କଟକ ସଂସ୍କରଣକୁ ଆସିଲେ। ସୀମନ୍ତିକା ତାଙ୍କ ପରିବାର; ସ୍ୱାମୀ ଓ ଏକମାତ୍ର ପୁଅ ସହିତ କଟକକୁ ସ୍ଥାନାନ୍ତରିତ ହେଲେ। ପରେ ଜାଣିଲି ସେ ଏକ ସାମ୍ବାଦିକ ପରିବାରରୁ ଆସିଛନ୍ତି। ତେଣୁ ତାଙ୍କର ସାମ୍ବାଦିକତା ପ୍ରତି ପ୍ରତିବଦ୍ଧତା ଦେଖି ଆଶ୍ଚର୍ଯ୍ୟ ହେବାର ନଥିଲା। ସେ ଜଣେ ସକ୍ରିୟ, ଦକ୍ଷ ଓ ନିଷ୍ଠାପର ସାମ୍ବାଦିକ। ଟେଲିଫୋନ୍ ଦ୍ୱାରା ହେଉ ନହେଲେ ହ୍ବାଟ୍ସ୍ଆପରେ, କୌଣସି ଖବର ସଂଗ୍ରହ କରି ଡେସ୍କ୍ରେ ପହଞ୍ଚାଇବାରେ ସେ ସବୁବେଳେ ପ୍ରଥମ। ତାଙ୍କ କାର୍ଯ୍ୟ କରିବାର ନୀତି ଓ ଶୈଳୀ ବିରଳ। କୌଣସି କଥା ବା କାମ ପାଇଁ ଦ୍ବିତୀୟବାର ମନେପକେଇବାକୁ ପଡ଼େନାହିଁ। ତାଙ୍କ ଅଭିଧାନରେ ‘ନା’ ବୋଲି ଶବ୍ଦ ନଥାଏ। ଖବର ସଂଗ୍ରହ, ରକ୍ତଦାନ, ଖବରକାଗଜ ବିତରଣ, ପୁନଶ୍ଚ ପୃଥିବୀ, ବିଜ୍ଞାପନ ଆଦି ସବୁ କାମରେ, ସବୁ ବିଭାଗରେ ସେ ଆଗରେ।
ଏମିତି କୌଣସି ଉତ୍ସବ, ପର୍ବପର୍ବାଣି, ବିଶେଷ ଦିନ ନଥିବ, ଯେଉଁଦିନ ସୀମନ୍ତିକାଙ୍କର ଟେଲିଫୋନ୍ କି ହ୍ବାଟ୍ସ୍ଆପ୍ ଆସି ନଥିବ। ୨୦୨୧ ଫେବ୍ରୁଆରିରେ ଥିଲା ତାଙ୍କ ପୁଅ ବ୍ରତଘର। ମୋର ଭଲଭାବରେ ମନେଅଛି, ସେଥିପାଇଁ ସେ କେଡ଼େ ଖୁସି ଥିଲେ। ଦିନେ ସକାଳୁ ସକାଳୁ ଆମ କଟକ ଘରେ ନିମନ୍ତ୍ରଣ ପତ୍ର ଧରି ହାଜର। ତାଙ୍କ ନିମନ୍ତ୍ରଣରେ ଏତେ ଆଗ୍ରହ, ଆପଣାପଣ ଆଉ ଉଷ୍ମତା ଥିଲା ଯେ ଜଣେ ଯେତେ ଅସୁବିଧାରେ ଥିଲେ ବି ସେ ନିମନ୍ତ୍ରଣକୁ ଏଡ଼ାଇ ପାରିବନାହିଁ। ଗତ ସୋମବାର ସନ୍ଧ୍ୟାରେ ସେ ମୋତେ ଫୋନ୍ କରିଥିଲେ। ‘‘ମ୍ୟାଡାମ୍, ମୁଁ ଟିକେ ଛୁଟିରେ ଯାଉଛି। ଡାକ୍ତର ଅପରେସନ୍ କରି ଇଉଟେରସ୍ ଆଉ ଓଭାରି କାଢ଼ିଦେବା ପାଇଁ କହିଛନ୍ତି। ଗୋଟେ ସିଷ୍ଟ୍ ହୋଇଯାଇଛି।’’ ମୁଁ ଟିକେ ବ୍ୟସ୍ତ ହୋଇଗଲି। ହେଲେ ସେ ଆଉ ତାଙ୍କ ସ୍ୱର ସବୁଥର ପରି ଥିଲା ଅବିଚଳିତ। ଠିକ୍ ତା’ ପରଦିନ, ମଙ୍ଗଳବାର ସନ୍ଧ୍ୟାରେ ଆମ ନ୍ୟୁଜ୍ ଏଡିଟର୍ ଭବାନୀ ତ୍ରିପାଠୀଙ୍କ ଫୋନ୍ ଆସିଲା- ‘‘ସୀମନ୍ତିକା ଆଉ ନାହିଁ!’’
ଏବେ ବି କିଛି ବୁଝି ହେଉନି। ବିଶ୍ୱାସ କରିହେଉନି ଯେ ସୀମନ୍ତିକା ଆଉ ନାହାନ୍ତି! କହନ୍ତି, ଭଗବାନ ଭଲଲୋକଙ୍କୁ ଶୀଘ୍ର ତାଙ୍କ ପାଖକୁ ଡାକି ନେଇଯାଆନ୍ତି। ହେଲେ ମନ ଆଦୌ ବୁଝୁନି। ଡାକ୍ତରଖାନାରେ କାହାର କିଛି ବି ଛୋଟ ବଡ଼ କାମ ପଡ଼ିଲେ ଯିଏ ଆଗ ପହଞ୍ଚିଯାଇ ଠିଆ ହୁଏ, ସମସ୍ତଙ୍କ କଥା ଟିକିନିଖି ବୁଝେ, ଆଜି ତା’ କଥା ଭଗବାନ କାହିଁକି ବୁଝିଲେନି! ସେ ‘ସମ୍ବାଦ’କୁ ହୃଦୟରୁ ଭଲପାଉଥିଲେ। ସାମ୍ବାଦିକତାକୁ ହୃଦୟରୁ ଆପଣେଇଥିଲେ। ତାଙ୍କ ପରି ଜଣେ ସର୍ବଗୁଣସମ୍ପନ୍ନା, ବିରଳ ସହକର୍ମୀଙ୍କୁ ହରାଇ ‘ସମ୍ବାଦ’ ପରିବାର ଆଜି ମର୍ମାହତ। ଖାଲି ଆମେ ନୁହେଁ, ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକ ତାଙ୍କୁ ଝୁରୁଛନ୍ତି।
ତାଙ୍କର ଦୀପ୍ତିମନ୍ତ ଆଖି, ହସହସ ମୁହଁ ମନେପଡ଼ି ବଡ଼ ବ୍ୟସ୍ତ ବିଚଳିତ ଲାଗୁଛି। ଯେତେଯେତେ ମୁଁ ଭାବୁଛି, ସେତିକି ନିଶ୍ଚିତ ହେଉଛି ସୀମନ୍ତିକା କେବେ ସାଧାରଣ ମହିଳା ନଥିଲେ। ସେ ଥିଲେ ସମ୍ପୂର୍ଣ୍ଣ ଅସାଧାରଣ। ନହେଲେ ମାତ୍ର ୪୨ ବର୍ଷ ବୟସରେ ସେ ଏତେ କାମ କରିପାରି ନଥାନ୍ତେ, ଏତେ ଲୋକଙ୍କ ମନ ଛୁଇଁଯାଇ ନଥାନ୍ତେ କି, ନିଜ ବ୍ୟକ୍ତିତ୍ୱ ଓ ସାମ୍ବାଦିକତା ଜରିଆରେ ଏତେ ପ୍ରଭାବ ବିସ୍ତାର କରିପାରି ନଥାନ୍ତେ। ଏକ ଛୋଟ ଜୀବନରେ ସେ ଅନେକ ବଡ଼କଥା ଶିଖେଇଦେଇ ଗଲେ। ସେ ଆଉ ନାହାନ୍ତି ସତ, କିନ୍ତୁ ସୀମନ୍ତିକା...ଏଇ ନାଁଟି ବହୁତ ମନେପଡ଼ିବ।
ତନୟା ପଟ୍ଟନାୟକ
ସଂପାଦକ