ସେତେବେଳେ ମୋତେ ବୟସ ମାତ୍ର ସାତ ବର୍ଷ। ହଠାତ୍‌ ମୋ ଦେହ ଭୀଷଣ ଖରାପ ହୋଇଗଲା। ଏବେ ବି ମନେଅଛି, ମୋ ଅବସ୍ଥା ଏତେ ସଙ୍ଗିନ ଥିଲା ଯେ ମାସାଧିକ କାଳ ସ୍କୁଲ୍‌ରୁ ଛୁଟି ନେବାକୁ ପଡ଼ିଥିଲା। ଯେତେବେଳେ ଜ୍ବର ସପ୍ତାହେ ପର୍ଯ୍ୟନ୍ତ କମିଲାନି, ରକ୍ତ ପରୀକ୍ଷା କରିବାପାଇଁ ଡାକ୍ତର ପରାମର୍ଶ ଦେଲେ। ପରୀକ୍ଷାରୁ ଜଣାପଡ଼ିଲା, ମୋତେ ଟାଇଫଏଡ୍ ହେଇଛି। ମା’ ରାସ୍ତାକଡ଼ ଖାଦ୍ୟ ଖାଇବା ପାଇଁ ମୋତେ ସବୁବେଳେ ବାରଣ କରୁଥିଲା। କିନ୍ତୁ ସ୍କୁଲ୍ ଛୁଟି ପରେ ଗେଟ୍ ବାହାରେ ଥିବା ଠେଲାଗାଡ଼ିରୁ ଆଇସ୍‌କ୍ରିମ୍‌ ଆଉ ଗୁପ୍‌ଚୁପ୍‌ ଖାଇବାର ଲାଳସା ମୁଁ ଛାଡ଼ିପାରୁ ନଥିଲି, କାରଣ ତା’ର ମଜା ନିଆରା। ମା’ର ସବୁବେଳେ ଡର ଥାଏ, କାଳେ କେତେବେଳେ କୋଉ ଜଳବାହୀ ସଂକ୍ରାମକ ରୋଗ ଧରିପକାଇବ! ଶେଷରେ ତା’ ଡର ସତ ହୋଇଗଲା।

Advertisment

ମୁଁ ଡାକ୍ତରଙ୍କ କହିବା ଅନୁସାରେ ଔଷଧ ଖାଇବା ଆରମ୍ଭ କଲି। ଅନେକ ଦିନ ଧରି ଦେହରେ ଜ୍ବର ରହିଲା। ପ୍ରଥମ କିଛି ଦିନ ଶରୀରରେ ତାପମାତ୍ରା କମ୍ ରହିଲା, ପୁଣି ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଡାକ୍ତର କହିଲେ, ଦେହରୁ ଜ୍ବର ଓହ୍ଲାଇବାକୁ ସାଧାରଣଠାରୁ ଟିକେ ଅଧିକ ସମୟ ତ ଲାଗୁଛି, କିନ୍ତୁ ଭୟ କରିବାର କିଛିନାହିଁ। କେବେ କେବେ ଜ୍ବର କମିବାକୁ ଏମିତି ଅଧିକ ସମୟ ନିଏ। ହେଲେ ସବୁ ପ୍ରକାରର ଚିକିତ୍ସା, ଔଷଧ ପରିବର୍ତ୍ତନ ସତ୍ତ୍ୱେ ଜ୍ବର କମିବାର ନାଁ ନେଉ ନଥାଏ। ମୋର ଝାପ୍‌ସା ମନେପଡୁଛି, ମୁଁ ପ୍ରାୟ ଦିନସାରା ଖଟରେ ପଡ଼ିରହୁଥିଲି, କାରଣ ମୁଁ ବହୁତ ଦୁର୍ବଳ ଅନୁଭବ କରୁଥିଲି। ଘରକୁ ବହୁତ ଲୋକ ମୋତେ ଦେଖିବାକୁ ଆସୁଥିଲେ। ହଠାତ୍‌ ଦିନେ କାଳୁମା’ ଆସି ପହଞ୍ଚିଲା। ମୁଁ ଜନ୍ମ ହେଲା ବେଳକୁ କାଳୁମା’ ଆମ ଘରେ ଥିଲା। ବର୍ଷେ ହେବା ଯାଏ ସେ ମୋତେ ଧରିଛି, ମୋ ଯତ୍ନ ନେଇଛି। ତା’ପରେ ସେ କାମ ଛାଡ଼ି ଚାଲି ଯାଇଥିଲା। କିନ୍ତୁ ମଝିରେ ମଝିରେ ଆମକୁ ଦେଖିବାକୁ ଆସେ। ସେଦିନ ମତେ ୧୦୬ ଜ୍ବର। କାଳୁମା’ କହିଲା, ‘‘ଏଇ ବରମୁଣ୍ଡାରେ ଜଣେ ସ୍ତ୍ରୀଲୋକ ଦେହରେ ମଙ୍ଗଳା ଲାଗୁଛନ୍ତି। ଟିକେ ଝାଡ଼ିଦେଲେ ଝିଅ ଭଲ ହେଇଯିବ।’’ ମା’ କହିଲା, ‘‘ଏତେ ଜ୍ବରରେ ଛୁଆଟାକୁ ବାହାରକୁ ନେଇଯିବା ଠିକ୍‌ ହେବନି। ତା’ଛଡ଼ା ମୁଁ ଏସବୁରେ ବିଶ୍ୱାସ କରେନି।’’

କାଳୁମା’ ବହୁତ ବାଧ୍ୟ କଲା। ଅନିଚ୍ଛା ସତ୍ତ୍ୱେ ମା’ କଥା ଭାଙ୍ଗି ନପାରି ରାଜିହେଲା। ଆମେ ଯାଇ ସେଠି ପହଞ୍ଚିଲା ବେଳକୁ ମନ୍ଦିର ବନ୍ଦ ଥିଲା। ଅଳ୍ପ କେତେଜଣ ସେଠାରେ ଥିଲେ। କିଛି ସମୟ ପରେ ଜଣେ ଅତି ସାଧାରଣ ଦେଖାଯାଉଥିବା ମହିଳା ମନ୍ଦିରରେ ଆସି ପହଞ୍ଚିଲେ। ମନ୍ଦିର ଦୁଆର ଖୋଲି ଚକାମାଡ଼ି ବସିଲେ। ସେ ମନକୁ ମନ କ’ଣ ଗୁଡ଼ାଏ କହୁଥିଲେ। ତାଙ୍କ କେଶ ମୁକୁଳା ଥିଲା। ଧୀରେ ଧୀରେ ତାଙ୍କ ମୁହଁର ଭାବଭଙ୍ଗୀ ବଦଳିଲା, ଯେମିତିକି ସେ ସମ୍ପୂର୍ଣ୍ଣ ଭାବରେ ଆଉ ଜଣେ ବ୍ୟକ୍ତି। କିଛି ମୁହୂର୍ତ୍ତ ପରେ ସେ ମୋ ଆଡ଼କୁ ଇସାରା କଲେ। କାଳୁମା’ ମୋତେ କୋଳରେ ଧରି ତାଙ୍କ ପାଖକୁ ଯାଇ ବସିଲା। ସେ ଗୁଣୁଗୁଣୁ ହୋଇ କ’ଣ ସବୁ କହୁଥାନ୍ତି ଆଉ ମଝିରେ ମଝିରେ ହାତରେ ଧରିଥିବା ଛାଟରେ ବେଶ୍ ଜୋର୍‌ରେ ମୋତେ ପାହାରେ ପାହାରେ ଦେଉଥାଆନ୍ତି। ତା’ପରେ ଗୋଟେ ଷ୍ଟିଲ୍ ଗିଲାସରୁ ଫୁଲ, କଦଳୀ, ବେଲପତ୍ର ମିଶା ପାଣି ଆଣି ମୋ ପାଟିରେ ଦେଲେ। ସେପଟେ ମା’ ମୁଣ୍ଡ ହଲେଇ ମୋତେ ସେ ପାଣି ନପିଆଇବାକୁ କାଳୁମା’କୁ ମନାକରୁଥାଏ। ସହଜେ ତ ଟାଇଫଏଡ୍ ଜଳବାହିତ ରୋଗ, ତା’ପରେ ଇଏ ପୁଣି କୋଉ ବୋଲି କୋଉ ପାଣି! ମା’ ଭାରି ବ୍ୟସ୍ତ ହେଲା। କାଳେ ଦେହଟା ଆହୁରି ବିଗିଡ଼ିଯିବ! ଡାକ୍ତର ଏସବୁ ଜାଣିଲେ ଭାରି ବିରକ୍ତ ହେବେ। ମା’ ବିକଳରେ ଠାକୁରଙ୍କୁ ଡାକୁଥାଏ। ଆମେ ଘରକୁ ଫେରିଲୁ। ସବୁଦିନ ସଂଧ୍ୟାବେଳକୁ ମୋର ତାପମାତ୍ରା ବଢ଼େ, ସେଦିନ କିନ୍ତୁ ରାତିରେ ଜ୍ବର ୧୦୧କୁ କମିଲା। ତା’ ପରଦିନ ସକାଳୁ ଉଠିଲା ବେଳକୁ ଦେହରେ ତାପମାତ୍ରା ସ୍ବାଭାବିକ ଭାବେ ଯେତିକି ରହିବା କଥା ତା’ଠାରୁ ବି କମ୍ ଅଛି। ଆଶ୍ଚର୍ଯ୍ୟଜନକ ଭାବେ ଜ୍ବର ଆଉ ଫେରିଲା ନାହିଁ। ମୁଁ ସୁସ୍ଥ ହୋଇଗଲି।

ଜ୍ବର ଡାକ୍ତରଙ୍କ ଔଷଧରେ କମିଲା କି ମହିଳାଙ୍କ ମନ୍ତୁରା ପାଣିରେ ଗଲା, ତାହା ଭଗବାନଙ୍କୁ ଜଣା। ପୁଣି ଡାକ୍ତରଙ୍କ ଚିକିତ୍ସା ପାଇଁ ନା ସେ ମହିଳା ଝାଡ଼ିଦେଲାରୁ ମୁଁ ଭଲ ହୋଇଗଲି, ତାହା ବି ମୁଁ ଜୋର୍‌ ଦେଇ କହିପାରିବି ନାହିଁ! କିନ୍ତୁ ମୋର ହୃଦ୍‌ବୋଧ ହେଲା, ବିଜ୍ଞାନ ଆଉ ତର୍କ ଦ୍ୱାରା ସବୁ କଥାକୁ ବୁଝାଯାଇ ପାରେନା। ବେଳେବେଳେ ଏମିତି କିଛି ଘଟିଥାଏ, ଯାହା ତର୍କର ଊର୍ଦ୍ଧ୍ବରେ। ଏହା ମୋର ଏକ ବ୍ୟକ୍ତିଗତ ଅନୁଭୂତି ମାତ୍ର, ଆଉ ଅନେକଙ୍କର ବି ଏଭଳି ଅନୁଭୂତି ରହିଛି। ଅସଲରେ, ଆମ ଚଉହଦିରେ ଘଟୁଥିବା ଏମିତି ଅନେକ ଅସାଧାରଣ ଘଟଣା ଆମକୁ ମାନିବାକୁ ବାଧ୍ୟ କରେ ଯେ ଆମ ସୀମିତ ଜ୍ଞାନର ବାହାରେ ହୁଏତ ଏପରି ଅଲୌକିକ ଶକ୍ତି ରହିଛି, ଯାହାର ଅସ୍ତିତ୍ବକୁ ତର୍କ ଓ ବିଜ୍ଞାନ ପ୍ରମାଣିତ କରିପାରେନାହିଁ!

ତନୟା ପଟ୍ଟନାୟକ
ସଂପାଦକ