ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସର୍ଜରି କରା ନ ଯାଇ କେବଳ ଏକ ଛୁଞ୍ଚିର ସହାୟତାରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କର ହାର୍ଟ ଭଲ୍ଭକୁ ବଦଳାଯାଇ ପାରିଛି । ସାଧାରଣତଃ ହାର୍ଟଭଲ୍ଭ ବଦଳାଇବା ଲାଗି ଓପନ ହାର୍ଟ ସର୍ଜରିର ଆବଶ୍ୟକତା ପଡିଥାଏ ଏବଂ ଏଥିପାଇଁ ବହୁତ ସମୟ ଲାଗିଥାଏ ।
କିନ୍ତୁ ଏହି ଘଟଣାରେ ଡାକ୍ତରମାନେ ବୃଦ୍ଧାକୁ କୌଣସି କଷ୍ଟ ନଦେଇ କେବଳ ଏକ ଛୁଞ୍ଚି ସହାୟତାରେ ମହିଳାଙ୍କର ଅସ୍ତ୍ରୋପଚାର ମାତ୍ର ଘଣ୍ଟାକ ଭିତରେ ଶେଷ କରିଥିଲେ । ଏହା ସଫଳ ମଧ୍ୟ ହୋଇଥିଲା । ଏହି ଅସ୍ତ୍ରୋପଚାରକୁ ଟ୍ରାନ୍ସକେଥେଟର ମାଇଟ୍ରେଲ୍ ଭଲଭ୍ ରିପ୍ଳେସ୍ମେଣ୍ଟ ( ଟି ଏମ୍ଭି ଆର୍ ) ବୋଲି କୁହାଯାଏ । ଡାକ୍ତରମାନଙ୍କ ଅନୁଯାୟୀ ଭାରତରେ ଏହା ହେଉଛି ଏହି ଧରଣର ପ୍ରଥମ ସଫଳ ଅସ୍ତ୍ରୋପଚାର ।
ହୃଦ୍ରୋଗ ବିଶେଷଜ୍ଞ ଡ ପ୍ରକାଶ ଚନ୍ଦ୍ରାଙ୍କ ଅନୁଯାୟୀ ମଧ୍ୟପ୍ରଦେଶର ୮୦ ବର୍ଷୀୟା ବୃଦ୍ଧାଙ୍କର ଓପନ ହାର୍ଟ ସର୍ଜରି କରାଯାଇଥିଲେ ମୃତ୍ୟୁର ଆଶଙ୍କା ଅଧିକ ଥିଲା । ଏଣୁ ଟିଏମ୍ଭି.ଆର୍ ଅସ୍ତ୍ରୋପଚାର କରାଯାଇଥିଲା । ଉକ୍ତ ବୃଦ୍ଧାଙ୍କୁ ଅସ୍ତ୍ରୋପଚାରର ତିନି ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ଜଣାଯାଇଛି । ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି ।