କେ.ପ୍ରତୀକା ୟସିନୀ: ଦେଶର ସର୍ବପ୍ରଥମ କିନ୍ନର ପୁଲିସ୍‌ ସବ୍‌ଇନ୍ସପେକ୍ଟର

ଚେନ୍ନାଇ: ଦେଶର ସର୍ବପ୍ରଥମ କିନ୍ନର ପୁଲିସ୍‌ ସବ୍‌ଇନ୍ସପେକ୍ଟର ଭାବେ ୨୭ ବର୍ଷ ବୟସ୍କା କେ. ପ୍ରତୀକା ୟସିନୀ ଗତ ସୋମବାର ଦିନ ତାମିଲନାଡ଼ୁ ପୁଲିସ୍‌ ପ୍ରଶାସନରେ ଯୋଗ ଦେଇଛନ୍ତି। ତାଙ୍କୁ ଚୋଲାଇମେଡୁ ଥାନା ସବ୍‌-ଇନ୍ସପେକ୍ଟର ଭାବେ ପ୍ରଥମ ନିଯୁକ୍ତି ମିଳିଛି।

ଉଲ୍ଲେଖଯୋଗ୍ୟ, ସାଲେମ୍‌ ଅଞ୍ଚଳରେ ରହୁଥିବା ଜନୈକ ଅଟୋ ଡ୍ରାଇଭର ଆରାସାନ୍‌ ଓ ତାଙ୍କ ପତ୍ନୀ ସୁମତିଙ୍କ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ୟାସିନୀ। ପରେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିବା ବେଳେ ସେ ଘର ପରିତ୍ୟାଗ କରି ଗୋଟିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରହି ସେଠାରେ ଚାକିରି କରୁଥିଲେ। ହେଲେ, ସେ ପ୍ରଥମରୁ ପୁଲିସ୍‌ ବିଭାଗରେ ଚାକିରି କରିବା ପାଇଁ ଚାହୁଁଥିଲେ ଏବଂ ଏଥିପାଇଁ ଆବେଦନ ମଧ୍ୟ କରୁଥିଲେ। ହେଲେ ପ୍ରତିଥର ତାଙ୍କ ଆବେଦନ ନାକଚ ହୋଇ ଯାଉଥିଲା। ପୁଲିସ୍‌ ପ୍ରଶାସନ ପକ୍ଷରୁ କୁହାଯାଉ ଥିଲା ଯେ ପୁଲିସ୍‌ ବିଭାଗରେ ନିଯୁକ୍ତି ପାଇଁ ତୃତୀୟ ଲିଙ୍ଗ ବ୍ୟକ୍ତିମାନଙ୍କର ଶାରିରୀକ ପରୀକ୍ଷା ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

ଏହା ବିରୋଧରେ ସେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଲିସ୍‌ ବିଭାଗରେ ନିଯୁକ୍ତି ପାଇଁ ତାଙ୍କ ଆବେଦନକୁ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ନିଯୁକ୍ତି ପାଇଁ ହୋଇଥିବା ସମସ୍ତ ପରୀକ୍ଷାରେ ସେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଟ୍ରେନିଂ ପାଇଁ ପୁଲିସ୍‌ ଏକାଡେମିକୁ ପଠା ଯାଇଥିଲା ସେଠାରୁ ସେ ସଫଳତା ପୂର୍ବକ ଟ୍ରେନିଂ ସମାପ୍ତ କରିବା ପରେ ତାଙ୍କୁ ମୋମବାର ଦିନ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି କହିଛନ୍ତି ତାମିଲନାଡୁର ପୁଲିସ୍‌ ଆଇଜି।

ୟାସିନୀଙ୍କର ଏହି ନିଯୁକ୍ତି ଏବେ ତୃତୀୟ ଲିଙ୍ଗ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ନୂତନ ଆଶା ଓ ସମ୍ଭାବନା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର