ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ: ଜାଣନ୍ତୁ ଏହି ଭାରତୀୟ ମହିଳାଙ୍କ ବିଷୟରେ ଯେଉଁମାନେ ସେନା ଓ ଦେଶ ପାଇଁ ଗୌରବ ଆଣିଛନ୍ତି

ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଆସନ୍ତୁ ଏହି ଅବସରରେ ଏମିତି କେତେଜଣ  ଭାରତୀୟ ମହିଳାଙ୍କୁ ମନେପକାଇବା,ଯେଉଁମାନେ ସେନା ଓ ଦେଶ ପାଇଁ ଗୌରବ ଆଣିଛନ୍ତି।

ଯେବେ ଯେବେ ଦେଶ ଉପରେ ବିପଦ ପଡ଼ିଥାଏ ସେନାର ପୁରୁଷ କର୍ମୀଙ୍କ ସହିତ ମହିଳା  ବି କାନ୍ଧକୁ କାନ୍ଧ ମିଳାଇ ଶତ୍ରୁକୁ କଡ଼ା ଜବାବ ଦେଇଥିବା ଭଳି  ଅନେକ ଘଟଣା ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସେନାରେ ସାମିଲ ହୋଇ ଦେଶର ରକ୍ଷା କରିଛନ୍ତି ଏବଂ ସେନା ଓ ଦେଶ ପାଇଁ ଗୌରବ ଆଣିଛନ୍ତି।

କିରଣ ଶେଖାଓ୍ଵତ: ରାଜସ୍ଥାନର ଝିଅ ତଥା ହରିୟାଣାର ବୋହୂ ଲେଫ୍ଟନାଣ୍ଟ କିରଣ ଶେଖାଓ୍ଵତ ସହିଦ୍‌ ହୋଇଥିବା ପ୍ରଥମ ମହିଳା ଅଧିକାରୀ ଥିଲେ। ୨୦୧୫ ମାର୍ଚ୍ଚ ୨୪ ତାରିଖରେ ଗୋଆରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଲେଫ୍ଟନାଣ୍ଟ କିରଣ ଶେଖାଓ୍ଵତ ସହିଦ ହୋଇଯାଇଥିଲେ। ସହିଦ ଦେବାର ପାଞ୍ଚ ବର୍ଷ ପୂର୍ବେ ସେ ଭାରତୀୟ ନୌସେନାରେ ଭର୍ତ୍ତି ହୋଇଥିଲେ।

ନୌସେନାର ପ୍ରଥମ ମହିଳା ଲେଫ୍ଟନାଣ୍ଟ:  ପୁନିତା ଅରୋଡା ଭାରତୀୟ ନୌସେନାର ପ୍ରଥମ ମହିଳା ଲେଫ୍ଟନାଣ୍ଟ ଜେନେରାଲ ଥିଲେ। ପୁନିତାଙ୍କ ଜନ୍ମ ୧୩ ଅକ୍ଟୋବର ୧୯୩୨ରେ ପାକିସ୍ତାନର ଲାହୋରରେ ହୋଇଥିଲା। ୨୦୦୪ରେ ପୁନିତା ଅରୋଡା ଭାରତୀୟ ନୌସେନାରେ ପ୍ରଥମ ମହିଳା ଲେଫ୍ଟନାଣ୍ଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ୨୦୦୨ରେ ବିଶିଷ୍ଟ ସେବା ପଦକ ମିଳିଥିଲା। ୩୬ବର୍ଷର କାର୍ଯ୍ୟକାଳ ଭିତରେ ସେ ପାଖାପାଖି ୧୫ଟି ପଦକ ହାସଲ କରି ସାରିଛନ୍ତି।

ଭାରତୀୟ ବାୟୁସେନାର ପ୍ରଥମ ମହିଳା ଏୟାର ମାର୍ସଲ: ପଦ୍ମାବତୀ ବାନାର୍ଜୀ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଏୟାର ମାର୍ସଲ ହୋଇଥିଲେ। ସେ ଚିକିତ୍ସା ସେବାର ମହାନିର୍ଦ୍ଦେଶକ ରହିଥିଲେ। ପଦ୍ମାବତୀ ୧୯୬୮ରେ ଭାରତୀୟ ବାୟୁସେନା ନିଯୁକ୍ତି ପାଇଥିଲେ।

ସେନାର ସ୍କ୍ଵାର୍ଡ ଅଫ୍‌ ଅନର ହାସଲ କରିଥିବା ଦେଶର ପ୍ରଥମ ମହିଳା କ୍ୟାଡେଟ: ଦିବ୍ୟା ଅଜିତ କୁମାର ୭ବର୍ଷ ପୂର୍ବେ ମାତ୍ର ୨୧ବର୍ଷ ବୟସରେ ସେନାର ସ୍କ୍ଵାର୍ଡ ଅଫ୍‌ ଅନର ହାସଲ କରିଥିବା ଦେଶର ପ୍ରଥମ ମହିଳା କ୍ୟାଡେଟ ବନିଥିଲେ। ଦିବ୍ୟା ପାଠପଢ଼ାରେ ମଧ୍ୟ ତିନିଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

 

ତିନିଜଣ ମହିଳା ବନିଥିଲେ ଦେଶର ପ୍ରଥମ ଫାଇଟର ପ୍ଲେନ୍‌ ପାଇଲଟ: ୨୦୧୬ ଜୁନ୍‌ ୧୮  ଦିନ  ତିନି ଜଣ ମହିଳା ଫାଇଟର ପ୍ଲେନ ଉଡାଇଥିଲେ। ଏହି ତିନିଜଣ ମହିଳା ହେଉଛନ୍ତି, ବିହାରର ବେଗୁସରାଏର ଭାବନା କଣ୍ଠ, ମଧ୍ୟପ୍ରଦେଶର ଅବନି ଚତୁର୍ବେଦୀ ଓ ବଡୋଦରାର ମୋହନା ସିଂହ। ଏହି ମହିଳା ପାଇଲଟ୍ ପ୍ରଥମ ଥର ବାୟୁସେନାର ଫାଇଟର ପ୍ଲେନ୍‌ରେ କମିସନ୍‌ ହୋଇଥିଲେ। ଏହି ତିନିଜଣ ମହିଳା ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ବନିଛନ୍ତି।

ଶାନ୍ତି ତିଗ୍ଗା ୧୩ ଲକ୍ଷ ସେନା ଯବାନଙ୍କ ମଧ୍ୟରେ ପ୍ରଥମ ମହିଳା ଯବାନ ଭାବେ ଗୌରବ ହାସଲ କରିଛନ୍ତି। ପ୍ରଶିକ୍ଷଣ ଶିବିର ସମୟରେ ତିଗ୍ଗା ବନ୍ଧୁକ ଧରି ଲକ୍ଷ୍ୟ ଭେଦ କରିବା କୌଶଳ ପାଇଁ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଲକ୍ଷ୍ୟ ଭେଦରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ତିଗ୍ଗା ।

କାରଗିଲ୍‌ ଗର୍ଲ: ଗୁଞ୍ଜନ୍‌ ସକ୍‌ସେନାଙ୍କୁ ‘କାରଗିଲ୍‌ ଗର୍ଲ’ ଭାବେ ଜଣାଯାଇଥାଏ। କାରଗିଲ ଯୁଦ୍ଧରେ ଭାରତୀୟ ମହିଳା ସେନା ପାଇଲଟ ବି ଶତ୍ରୁକୁ କଡ଼ା ଜବାବ ଦେବାରେ ପଛଘୁଞ୍ଚା ଦେଇ ନ ଥିଲେ। ଫ୍ଲାଇଟ ଲେଫ୍ଟଣ୍ଟାଟ ଗୁଞ୍ଜନ୍‌ ସକସେନାଙ୍କୁ ଆଜି ଖୁବ୍‌ କମ୍‌ ଲୋକ ଚିହ୍ନିଛନ୍ତି। କିନ୍ତୁ କାରଗିଲ୍‌ ଯୁଦ୍ଧରେ ତାଙ୍କର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ଥିଲା।

ମେଜର ଖୁସବୁ କନଓ୍ଵାର: ଦେଶର ରାଜଧାନୀ ଦିଲ୍ଲୀରେ ରାଜପଥରେ ଆୟୋଜିତ ଗଣତନ୍ତ୍ର ଦିବସ ଅବସରରେ ଆସାମ ରାଏଫଲ୍ସର ଏହି ମହିଳା  ପ୍ରଥମ ଥର ପରେଡରେ ସାମିଲ ହୋଇଥିଲେ,  ଯାହାକୁ ମେଜର ଖୁସବୁ କନଓ୍ଵାର ପରିଚାଳନା କରିଥିଲେ।

୨୦୧୯ ଜାନୁଆରି ୧୫ରେ ଆର୍ମି ଡେ ଅବସରରେ ଆର୍ମି ପରେଡର ନେତୃତ୍ୱ ଜଣେ ମହିଳା ଅଫିସର ଲେଫ୍ଟନାଣ୍ଟ  ଭାବନା କସ୍ତୁରୀ ହିଁ କରିଥିଲେ। ଲେଫ୍ଟନାଣ୍ଟ ଭାବନା କସ୍ତୁରୀ ଆର୍ମି ସର୍ଭିସ୍‌ର ୧୪୪ ଜଣିଆ ସ୍କ୍ବାଡର ନେତୃତ୍ୱ  ନେଇଥିଲେ।

ସମ୍ବନ୍ଧିତ ଖବର