ନୂଆଦିଲ୍ଲୀ : ମହିଳାମାନଙ୍କୁ ସବୁ କ୍ଷତ୍ରରେ ସମାନ ଅଧିକାର ଦେବା ପାଇଁ ସରକାର ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ସବୁ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କଠାରୁ କମ ନୁହେଁ ଏହି କଥାକୁ ପ୍ରମାଣ କରିବା ପାଇଁ ଆଉ ଏକ ପ୍ରୟାସ ଆରମ୍ଭ କରିଛି ଦିଲ୍ଲୀ ପୁଲିସ । ପୂର୍ବ ସପ୍ତାହରେ ମାଓ ପ୍ରବଣ ଜିଲ୍ଲାଗୁଡ଼ିକରେ ଛତିଶଗଡ଼ ପୁଲିସ ମହିଳା କମାଣ୍ଡୋମାନଙ୍କୁ ନିୟୋଜିତ କରିଥିବାର ଖବର ଆସିଥିଲା । ଏବେ ଦିଲ୍ଲୀ ପୁଲିସ ମଧ୍ୟ ସେପରି କିଛି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ସ୍ୱାଟ୍ ଟିମ୍ ବା ସ୍ପେଶାଲ ଓ୍ଵିପନ୍ ଆଣ୍ଡ ଟାକ୍ଟିସ୍ ଟିମ୍ରେ ପ୍ରଥମ ଥର ପାଇଁ ଦିଲ୍ଲୀ ପୁଲିସ ମହିଳାମାନଙ୍କୁ ସାମିଲ କରିବାକୁ ଯାଉଛି ।
ଏହି ଟିମ୍ରେ ଆତଙ୍କବାଦୀ ବିରୋଧୀ ଅପରେସନ ଏବଂ ବଡ଼ ବଡ଼ ଅପରାଧୀକୁ ଧରିବା ପାଇଁ ୨୦୦ଜଣଙ୍କ କମାଣ୍ଡୋ ଥିବା ବେଳେ ଏବେ ସେହି ଟିମ୍ରେ ୪୦ ଜଣ ମହିଳା କମାଣ୍ଡୋଙ୍କୁ ସାମିଲ କରାଯିବ ବୋଲି ଜଣା ପଡ଼ିଛି । କୌଣସି ଆତଙ୍କବାଦୀ ଅକ୍ରମଣର ତୁରନ୍ତ ଜବାବ୍ ଦେବା ପାଇଁ ଏହି ଟିମ୍କୁ ବିଭିନ୍ନ ନୂତନ ଅସ୍ତ୍ରଶସ୍ତ୍ରରେ ଲଢ଼େଇ କରିବାର କୌଶଳର ପ୍ରଶିକ୍ଷଣ ଦିଆଯାଉଥିବା ଜଣାପଡ଼ିଛି । ୨୦୦୮ରେ ଘଟିଥିବା ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ଏଭଳି ପ୍ରଶିକ୍ଷିତ କମାଣ୍ଡୋଙ୍କ ସଂଖ୍ୟା କମ ଥିବାରୁ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ଼ଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା ।
/sambad/media/post_attachments/wp-content/uploads/2018/03/Delhi_Police_Women_760x400-300x158.jpg)
ଏଭଳି ପରିସ୍ଥିତି ଯେପରି ଆଗକୁ ନ ଉପୁଜେ ସେଥିପାଇଁ ୨୦୦୯ରେ ଦିଲ୍ଲୀ ପୁଲିସକୁ ସ୍ୱାଟ୍ ଟିମ୍ ଗଠନ କରିବା ପାଇଁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ଟିମ୍ ଗଢ଼ାଯାଇ ୨୦୦ଜଣ କମାଣ୍ଡୋଙ୍କୁ ନିଯୋଜିତ କରାଯାଇଥିଲା । କୌଣସି ପ୍ରତିକୂଳ ପରିସ୍ଥିତିରେ କିପରି ସଙ୍ଗେ ସଙ୍ଗେ ପଦକ୍ଷପ ନିଆଯାଇ ପାରିବ ସେଥିପାଇଁ କମାଣ୍ଡୋମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏବେ ଏହି ଟିମ୍ରେ ୪୦ ଜଣ ମହିଳାଙ୍କୁ ସାମିଲ କରିବା ପାଇଁ ଦିଲ୍ଲୀ ପୁଲିସ ନିଷ୍ପତ୍ତିି ନେବା ସହ ସେମାନଙ୍କୁ ସବୁ କ୍ଷେତ୍ରରେ ପାରଙ୍ଗମ କରାଇବା ପାଇଁ ୧୦ ମାସ ପର୍ଯ୍ୟନ୍ତ ବିଶେଷ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣା ପଡ଼ିଛି ।