‘ବାଇଶି ପାହାଚେ ଖେଳିବ ମୀନ’- ସତ ହେବ କି ଏ ମାଳିକା ବଚନ! ସାତଭାୟା, ପୋଡ଼ାମ୍‌ପେଟ୍ଟା ପରେ ବାଲେଶ୍ବର ଜିଲ୍ଲାର ତଳସାହି, ଉଦୟପୁର ତଥା ବୁଢ଼ାବଳଙ୍ଗ ମୁହାଣର ଉତ୍ତର ପଟ, ପୁରୀ ଜିଲ୍ଲାର ଯମୁନା ତଟ ଓ ପୁରୀ ସମୁଦ୍ର ତଟ, ଜଗତ୍‌ସିଂହପୁର ଜିଲ୍ଲାର ପାରାଦୀପ ବନ୍ଦର ଅଞ୍ଚଳ ଆଦି ସ୍ଥାନରେ ସାମୁଦ୍ରିକ ତଟକ୍ଷୟ ଆଶଙ୍କା ରହିଛି। କେବଳ ଓଡ଼ିଶା ନୁହେଁ, ଭାରତ ପାଇଁ ସମୁଦ୍ର ଜଳପତ୍ତନ ବୃଦ୍ଧି ଏକ ବଡ଼ ସଂକଟ ଭାବେ ଉଭା ହୋଇଛି।
ଏହି ମାଳିକା ବଚନ ପଛରେ ଥିବା ବୈଜ୍ଞାନିକ ସତ୍ୟକୁ ସାମ୍ନାକୁ ଆଣିଛି ଏଥରର ପ୍ରଚ୍ଛଦ ପ୍ରସଙ୍ଗ... 
ରିପୋର୍ଟ: ବିଭୂତି ପତି

Advertisment

‘ବାଇଶି ପାବଚ୍ଛେ ଖେଳିବ ମୀନ, ସିଂହାସନରେ ବରୁଣ...’। ମାଳିକାକାର ତଥା ଭବିଷ୍ୟଦ୍ରଷ୍ଟା ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ଏହି ପଂକ୍ତି ସ୍ପଷ୍ଟ ସୂଚିତ କରୁଛି ଯେ ଏପରି ଏକ ସମୟ ଆସିବ, ଯେତେବେଳେ ଶ୍ରୀମନ୍ଦିରର ବାଇଶି ପାହାଚରେ ମାଛ ଖେଳିବେ ଏବଂ ଜଳାଧିପତି/ ସମୁଦ୍ରପତି ବରୁଣ ସିଂହାସନରେ ଉପବିଷ୍ଟ ହେବେ। ସଂକ୍ଷେପରେ କହିଲେ, ମହାପୁରୁଷ ଅଚ୍ୟୁତାନନ୍ଦ ଶ୍ରୀମନ୍ଦିର ଜଳାର୍ଣ୍ଣବ ହେବା କଥା ଉଲ୍ଲେଖ କରିଛନ୍ତି।

ଆଜି ତାରିଖରେ ଅନେକେ ଏକଥାକୁ ବିଶ୍ବାସ କରିପାରୁନାହାନ୍ତି; ସେମାନେ ଭାବୁଛନ୍ତି ସତରେ କ’ଣ  କେବେ ଏପରି ହେବ? ସମୁଦ୍ର ତ ଶ୍ରୀମନ୍ଦିରଠାରୁ ଏତେ ଦୂରରେ ଅଛି, ପାଣି ଏତେ ବାଟ ମାଡ଼ି ଆସିବା କ’ଣ ସମ୍ଭବ? କିନ୍ତୁ ଜଳବାୟୁ ବିଜ୍ଞାନୀ ଓ ଗବେଷକମାନେ ଅଚ୍ୟୁତାନନ୍ଦଙ୍କ ଏହି ଭବିଷ୍ୟବଚନକୁ ସଂପୂର୍ଣ୍ଣ ଭୁଲ୍‌ ବୋଲି ଦର୍ଶାଇବାକୁ ଦ୍ବିଧା କରିବେ, ବରଂ ସହମତ ହେବାକୁ ପସନ୍ଦ କରିବେ। କାରଣ ବିଶ୍ବ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରକୃତିର ଆଚରଣ ସଂପୂର୍ଣ୍ଣ ବଦଳିଯାଇଥିବା ଦୃଷ୍ଟିଗୋଚର ହୋଇଛି। ସେହିପରି ‘କଳିଯୁଗ ଗୀତା’ରେ ଅଚ୍ୟୁତାନନ୍ଦ ଲେଖିଛନ୍ତି, “ମେଘ ଘୋଟିଯିବ ଅନ୍ଧାର କରି/ଘଡ଼ଘଡ଼ି ଚଡ଼ଚଡ଼ି ଆସିବ ମାଡ଼ି, ନଦୀ ବଢ଼ିବେ ପ୍ରବଳ ହୋଇ/ ଘୋର ପ୍ରଚଣ୍ଡ ବତାସ ଆସିବ ବହି, କେତେ ଘରଦ୍ୱାର ପଡ଼ିବ ଭାଙ୍ଗି/ପୃଥିବୀ ରୋଦନ କରିବ ବସି, ମରିବେ ତହିଁରେ ବହୁତ ଜନ/ଘୋର ଉତ୍ପାତ ବଢ଼ିବ ଦିନକୁ ଦିନ, ଭୂମିକମ୍ପେ ଲୋକ ପ୍ରାଣ ହାରିବ/ ସମୁଦ୍ରରୁ ପାଣି ଉଠି ମାଡ଼ି ଆସିବ...।’’ ବର୍ତ୍ତମାନ ଯଦି ଉପରୋକ୍ତ ପଂକ୍ତିର ବିଷୟବସ୍ତୁକୁ ଅନୁଧ୍ୟାନ କରିବା ତେବେ ଦେଖିବା ଶହ ଶହ ବର୍ଷ ତଳେ ଲେଖାଯାଇଥିବା ବାକ୍ୟାବଳି ଏବେ ବାସ୍ତବାୟିତ ହୋଇଉଠିଛି। ବାଦଲଫଟା ବର୍ଷା, ଭୂସ୍ଖଳନ, ଭୂକମ୍ପ, ବଜ୍ରପାତ, ଘୂର୍ଣ୍ଣିବାତ୍ୟା ଓ ଭୂପୃଷ୍ଠକୁ ସମୁଦ୍ର ମାଡ଼ିଆସିବା ଭଳି ଚରମ ଜଳବାୟୁ ଘଟଣା ଏବେ ନିୟମିତ ବ୍ୟବଧାନରେ ଘଟିଚାଲିଛି। ଆଲୋଚ୍ୟ ପଂକ୍ତିର ଶେଷ ବାକ୍ୟଟି ଉପରେ ନଜର ପକାନ୍ତୁ। ଅଚ୍ୟୁତାନନ୍ଦ ଲେଖିଛନ୍ତି- ‘ସମୁଦ୍ରରୁ ପାଣି ଉଠି ମାଡ଼ି ଆସିବ’। ଯଦି କେବେ ଏଭଳି ଘଟଣା ଘଟେ ତେବେ ସମୁଦ୍ରଠାରୁ ଅତିବେଶୀରେ ଦେଢ଼କିଲୋମିଟର ଦୂରତ୍ବରେ ଥିବା ଶ୍ରୀମନ୍ଦିର ପର୍ଯ୍ୟନ୍ତ ପାଣି ଚାଲିଆସିବା ବଡ଼କଥା ନୁହେଁ।  କାରଣ ୨୦୦୪ ମସିହାରେ ଭାରତ ମହାସାଗରରେ ସଂଘଠିତ ସୁନାମୀ ସମୟରେ ସର୍ବାଧିକ ୩୦ ଫୁଟ୍‌ ଉଚ୍ଚ‌ର ପାଣି ସମୁଦ୍ରରୁ ମାଡ଼ି ଆସିଥିଲା। ଭାରତର ଆଣ୍ଡାମାନ୍‌ ନିକୋବର ଦ୍ବୀପାଞ୍ଚଳ, କେରଳ, ପୁଡୁଚେରି, ଆନ୍ଧ୍ର ଓ ତାମିଲନାଡୁ ଉପକୂଳ ଏହାର ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ୧୧ରୁ ୧୬ ଫୁଟ୍‌ ଉଚ୍ଚରେ ପାଣି ସମୁଦ୍ରରୁ ଆସି ଦେଢ଼ରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭିତରକୁ ପଶିଆସିଥିଲା। 

ଅନ୍ୟପକ୍ଷରେ ସମୁଦ୍ରର ଜଳସ୍ତର ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଉପକୂଳ ଭୂଭାଗ ସମୁଦ୍ରଗର୍ଭରେ ଲୀନ ହେବା ପ୍ରକ୍ରିୟା ଜାରି ରହିଛି। ବିଶ୍ବ ଉତ୍ତପ୍ତୀକରଣ ହେତୁ  ହିମାଳୟର ହିମବାହ ଓ ମେରୁ ଅଞ୍ଚଳର ବରଫଖଣ୍ଡ ଦ୍ରୁତ ‌େବଗରେ ତରଳୁଛି। ଏହାର ପ୍ରଭାବରେ ସମୁଦ୍ର ମାଡ଼ି ଆସୁଛି। ଓଡ଼ିଶା ମଧ୍ୟ ଏହି ପ୍ରକ୍ରିୟାର ଶିକାର ହୋଇଚାଲିଛି। ଏଯାବତ୍ ଓଡ଼ିଶାର ୧୬ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇସାରିଲେଣି ବୋଲି ସରକାରୀ ତଥ୍ୟ କହୁଛି। ସମୁଦ୍ର ଗର୍ଭରେ ସତ୍ତା ହରାଇଥିବା ସାତଭାୟା ଏହାର ପ୍ରକୃଷ୍ଟ ଉଦାହରଣ। 
ଓଡ଼ିଶା ଉପକୂଳରେ ୧୭ କିଲୋମିଟର ଦୀର୍ଘ ସାତଭାୟା ଅଞ୍ଚଳ ଏକଦା ୭୦୦ ଲୋକଙ୍କର ବାସସ୍ଥଳୀ ଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଅଞ୍ଚଳ ଏବେ ବେଳାଭୂମି ସଦୃଶ ଦେଖାଯାଉଛି। ବିସ୍ତୀର୍ଣ୍ଣ ବାଲୁକାରାଶି ମଝିରେ ଠିଆ ହୋଇଛି ହାତଗଣତି ନଡ଼ିଆଗଛ  ଏବଂ ଚାରିଆଡ଼େ କେବଳ ବାଲିର ସ୍ତୁପ। ୧୫ ବର୍ଷ ପୂର୍ବେ ଏହା ଏକ ଚଳଚଞ୍ଚଳ ଜନପଦ ଥିଲା। ମାତ୍ର ସମୟକ୍ରମେ ପୂରା ସାତଖଣ୍ଡ ଗାଁକୁ ସମୁଦ୍ର ଖାଇଗଲା। ଏଠାକାର ଅଧିବାସୀଙ୍କୁ ଜିଲ୍ଲା ପ୍ରଶାସନ ବଗପାଟିଅାରେ ଥଇଥାନ କରିଛି। କିନ୍ତୁ ସାତଭାୟାବାସୀ ପାରମ୍ପରିକ ଜୀବନଜୀବିକାରୁ ବଞ୍ଚିତ ହୋଇଛନ୍ତି। 
ସେହିପରି ୨୦୦୭ ମସିହା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ପୋଡ଼ମପେଟ୍ଟା ଗାଁ ବେଶ୍ ଚଳଚଞ୍ଚଳ ଥିଲା। ଏକଦା ଏହି ସମୁଦ୍ରକୂଳିଆ ଗାଁଁରେ ୧୫୦୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ବସବାସ କରୁଥିଲେ। ମାତ୍ର ଏବେ ସେଠାରେ ସମୁଦ୍ର ମାଡ଼ିଆସିବା ଯୋଗୁଁ କେବଳ ଦୁଇଟି ପରିବାରର ମାତ୍ର ୧୧ ଜଣ ବାସ କରୁଛନ୍ତି। ପୁରୁଣା ସମୟର କଥା ବଖାଣି ଚନ୍ଦ୍ରଗିରି ପାରିଣ୍ଡି କହନ୍ତି, ‘‘ସବୁକିଛି ଠିକ୍‌ଠାକ ଥିଲା।

 କିନ୍ତୁ ହଠାତ୍‌ ସମୁଦ୍ର ଆଗକୁ ଆଗକୁ ବଢ଼ିଲା ଓ ପୂରା ଗାଁ ତା’ ଆଁରେ ପଶିଗଲା। ଆମର ଚଳଚଞ୍ଚଳ ଜୀବନ ଏକପ୍ରକାର ନିର୍ଜୀବ ପାଲଟିଗଲା।’’ ଏହି ପ୍ରକ୍ରିୟା ମଣିଷର ଭିଟାମାଟିରୁ ନେଇ ଜୀବନଜୀବିକା, ସଂସ୍କୃତି, ପରମ୍ପରା ଓ ଗାଁଗଣ୍ଡାର ଚଳଣିକୁ ଚଳୁ କରିଦେଉଛି।
କେବଳ ସାତଭାୟା କି ପୋଡ଼ାମ୍‌ପେଟ୍ଟା ନୁହେଁ, ବାଲେଶ୍ବର ଜିଲ୍ଲାର ତଳସାହି, ଉଦୟପୁର ତଥା ବୁଢ଼ାବଳଙ୍ଗ ମୁହାଣର ଉତ୍ତର ପଟ, ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦର ଅଞ୍ଚଳ, ପୁରୀ ଜିଲ୍ଲାର ଯମୁନା ତଟ ଓ ପୁରୀ ସମୁଦ୍ର ତଟ ଏବଂ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦରର ଉତ୍ତର ପଟ ଏବଂ ବାହୁଦା ନଦୀ ମୁହାଣର ଉତ୍ତର ପଟରେ ସାମୁଦ୍ରିକ ତଟକ୍ଷୟ ଆଶଙ୍କା ରହିଛି। ବର୍ତ୍ତମାନ ଭାରତ ପାଇଁ ସମୁଦ୍ର ଜଳପତ୍ତନ ବୃଦ୍ଧି ଏକ ବଡ଼ ସଂକଟ ଭାବେ ଉଭା ହୋଇଛି। ୨୦୧୩ରୁ ୨୦୨୨ ମଧ୍ୟରେ ସମୁଦ୍ର ପତ୍ତନ ବାର୍ଷିକ ହାରାହାରି ୪.୫ ମି.ମି. ବୃଦ୍ଧିପାଉଛି। ବୈଜ୍ଞାନିକ ଆକଳନ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଭାରତରେ ସାମୁଦ୍ରିକ ଜଳସ୍ତର ୧୯.୯ ସେ.ମି. ବୃଦ୍ଧିପାଇଥିବ। ଫଳରେ ସମୁଦ୍ରତଟର ୫୦୦ ମିଟର ମଧ୍ୟରେ ଥିବା ଅଞ୍ଚଳ ଜଳମଗ୍ନ ହେବ। ଏହା ଅଚ୍ୟୁତାନନ୍ଦଙ୍କ କଳିଯୁଗ ଗୀତା ଏବଂ ହାଡ଼ି ଦାସଙ୍କ ଜ‌ାଇଫୁଲ ମାଳିକାରେ ଉଲ୍ଲିଖିତ ପଂକ୍ତି, ‘ଦିନେ ସମୁଦ୍ର ମାଡ଼ି ଆସିବ, ବାଇଶି ପାହାଚରେ ମୀନ ଖେଳିବ। ଅନେକ ନଗରମାନ ଭସାଇଣ ନେବ, ପୂର୍ବଖଣ୍ଡ ଦରିଆରେ ସେ ଜଳ ମିଶିବ’କୁ ମନେପକାଇଦିଏ।   

ଜଳବାୟୁ ପରିବର୍ତ୍ତନ କେବଳ ଆମର ଦୈନନ୍ଦିନ ଜୀବନକୁ ବଦଳାଇ ଦିଏନାହିଁ, ଆମ ଚାରିପଟର ଦୃଶ୍ୟପଟକୁ ମଧ୍ୟ ସଂପୂର୍ଣ୍ଣ ଓଲଟପାଲଟ କରିଦେଇଥାଏ। ଏଣୁ ମହାସାଗରଗୁଡ଼ିକର ଜଳସ୍ତର ବୃଦ୍ଧି ସହିତ ଉପକୂଳ ଅଞ୍ଚଳର ଦୃଶ୍ୟ ମଧ୍ୟ ବଦଳିଯାଉଛି। ସେଣ୍ଟର୍ ଫର୍ ସାଇନ୍ସ ଆଣ୍ଡ୍ ଏନ୍‌ଭାଇରୋନ୍‌ମେଣ୍ଟ୍‌ ଚିନ୍ତନ ଗୋଷ୍ଠୀର ସଦସ୍ୟ ତମନ୍ନା ସେନ୍‌ଗୁପ୍ତା କହିଛନ୍ତି ଯେ ଦେଶର ଉପକୂଳ କ୍ଷୟ ଦ୍ବାରା ଅତିମାତ୍ରାରେ ପ୍ରଭାବିତ ଗ୍ରାମ ଓଡ଼ିଶାରେ ହିଁ ରହିଛି। ସେହିପରି ଓଡ଼ିଶାର ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ ମତ ଏମିତି। ସେ କହନ୍ତି, ‘‘ଜଳବାୟୁ ପରିବର୍ତ୍ତନ ଯୋଗୁଁ ତଥା ଅନ୍ୟାନ୍ୟ ପାରିବେଶିକ କାରଣ ଯୋଗୁଁ ଓଡ଼ିଶା ଉପକୂଳର ପ୍ରାୟ ଏକ-ତୃତୀୟାଂଶ କ୍ଷୟ ପାଉଛି। ଗ୍ରାମବାସୀମାନେ ବିପଦପ୍ରବଣ ଅଞ୍ଚଳରେ ଥିବା ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଥିବା ବେଳେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ପୁଣିଥରେ ନୂଆକରି ଜୀବନ ଆରମ୍ଭ କରିବା ଜଳବାୟୁ ଶରଣାର୍ଥୀଙ୍କ କ୍ଷେତ୍ରରେ ଖୁବ୍ କଷ୍ଟକର ହୋଇପଡୁଛି।’’

ଓଡ଼ିଆ ମାଳିକା ଉପରେ ଗବେଷଣା ଓ ଅନୁଧ୍ୟାନ କରିଥିବା ବିଶିଷ୍ଟ ଗବେଷକ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା କହନ୍ତି, “ଅଚ୍ୟୁତାନନ୍ଦ ଓ ହାଡ଼ି ଦାସଙ୍କ ମାଳିକାରେ ‘ବାଇଶି ପାହାଚେ ଖେଳିବ ମୀନ... ମାଡ଼ି ଆସିବ ସମୁଦ୍ର...’ ସଂପର୍କିତ ଯେଉଁ ବର୍ଣ୍ଣନା ରହିଛି, ତାହା ଆଜି ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ସତ ହେବାକୁ ଯାଉଛି। କିନ୍ତୁ, ମୁଁ ଏଠାରେ ସ୍ପଷ୍ଟ ଭାବେ କହିବାକୁ ଚାହେଁ, ମାଳିକାରେ ଦର୍ଶାଯାଇଥିବା ଘଟଣା ପ୍ରସଙ୍ଗ ସବୁ ଗୋଟିଏ ଗୋଟିଏ ସାଙ୍କେତିକ ବର୍ଣ୍ଣନା। ମାଳିକା ଭୟ ସୃଷ୍ଟି ପାଇଁ ନୁହେଁ, ବରଂ ଆମକୁ ସତର୍କ ଓ ସଚେତନ କରିବାକୁ ଲେଖାଯାଇଛି। ମାଳିକା ଲେଖିଥିବା ମହାପୁରୁଷମାନେ ସେହି ସମୟରେ ସ୍ପଷ୍ଟ ଦେଖିପାରିଥିଲେ ମଣିଷ କିପରି ପ୍ରକୃତି ମା’ ଉପରେ ଅତ୍ୟାଚାର ଆରମ୍ଭ କରି ଧ୍ବଂସ ସାଧନ କରୁଛି। ସେହି ଦୂରଦ୍ରଷ୍ଟାମାନେ ଜାଣିଥିଲେ ଆମେ ଯଦି ଭୟଶୂନ୍ୟ ହୋଇ ପ୍ରକୃତି ଉପରେ ଅତ୍ୟାଚାର କରି ତାକୁ ଛାରଖାର କରିବା, ତେବେ ନିଶ୍ଚିତ ପ୍ରଳୟ ମାଡ଼ି ଆସିବ। ପ୍ରକୃତି ପ୍ରତି ମଣିଷର ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ରହିବା ପାଇଁ ଏ ଭଳି ସାଙ୍କେତିକ ବର୍ଣ୍ଣନା କରାଯାଇଥିଲା। ବିଶ୍ୱର କୋଣଅନୁକୋଣରେ ପ୍ରକୃତି ଆଜି ମଣିଷ ଦ୍ୱାରା ଉତ୍ପୀଡ଼ିତ ହେଉଛି। ତେଣୁ ଭୂମିକମ୍ପ, ଭୂସ୍ଖଳନ ସଙ୍ଗକୁ ହିମବାହ, ମେରୁ ଓ ହିମାଳୟ ବରଫ ତରଳିବା, ଅତି ଅଥବା ସ୍ବଳ୍ପ ବୃଷ୍ଟି ସଙ୍ଗକୁ ବଜ୍ରପାତ, ସମୁଦ୍ର ପତ୍ତନ ବୃଦ୍ଧି ଓ କୂଳଲଙ୍ଘନ ଭଳି ଘଟଣା ଘଟିଚାଲିଛି। ଏହା ମଧ୍ୟ ପ୍ରମାଣିତ ହୋଇଗଲାଣି- ଏବେ ପୁରୀ ସମୁଦ୍ର ଯେପରି କୂଳ ଲଙ୍ଘୁଛି ମନେ ହେଉଛି ହୁଏ ତ ନିକଟ ଭବିଷ୍ୟତରେ ବାଇଶି ପାହାଚ ପର୍ଯ୍ୟନ୍ତ ସମୁଦ୍ର ମାଡ଼ିଆସିବ।’’

dgjgdjgdjjgd

ଯଦି ଆମେ ‘ମୀନ ଖେଳିବ’ ଉକ୍ତିକୁ ତର୍ଜମା କରିବା ତେବେ ସ୍ବତଃ ମନକୁ ଆସିବ କି ପାଣି ଜମା ହୋଇ ରହିଲେ ସେଥିରୁ ମାଛ ଜନ୍ମନେବେ। ତେବେ ଏହାର ଅନ୍ୟ ଏକ ଦିଗ ମଧ୍ୟ ରହିଛି। ଗତ କିଛି ବର୍ଷ ହେବ ଦେଖିବାକୁ ମିଳୁଛି, ହଠାତ୍‌ ବାଦଲଫଟା ବର୍ଷା ହୋଇ ଅତି କମ୍‌ ସମୟରେ ଜଳ ପ୍ରଳୟ ସୃଷ୍ଟି କରୁଛି। ଯଦି କେବେ ପୁରୀରେ ସେପରି ଘଟେ ତେବେ ଶ୍ରୀମନ୍ଦିର ବାଇଶି ପାହାଚ ପର୍ଯ୍ୟନ୍ତ ବର୍ଷାଜଳ ଆସିପାରେ। ଆମେ ସମସ୍ତେ ଜାଣିଛେ ଏବଂ ଅଳ୍ପ ବହୁତେ ଦେଖିଛେ କି ଅନେକ ସମୟରେ ବର୍ଷା ହେବା ବେଳେ ଆକାଶରୁ ମାଛ ପଡ଼େ। ଜଳସ୍ଥମ୍ଭ ସୃଷ୍ଟି ହେଲେ ଏମିତି ହୁଏ। ମୋଟାମୋଟି ଭାବେ ମାଳିକା ବଚନ ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ପ୍ରକୃତି ଓ ସାମାଜିକ ମୂଲ୍ୟବୋଧର ସୁରକ୍ଷା ତଥା ସଂରକ୍ଷଣ ପାଇଁ ମଣିଷ ସତର୍କ ରହିବା କଥା ମାଳିକାରେ ବର୍ଣ୍ଣିତ। ମାଳିକାର ସାଙ୍କେତିକ ବର୍ଣ୍ଣନାରେ ଥିବା ସତର୍କ ସୂଚନା ଆଜି ସତ୍ୟ ହେବାକୁ ଯାଉଛି। ତେଣୁ ପ୍ରକୃତିର ସୁରକ୍ଷା ଆମର ସର୍ବପ୍ରଥମ କର୍ତ୍ତବ୍ୟ ବୋଲି ମତ ରଖନ୍ତି ଡ. ପଣ୍ଡା। 

ସୁପରିଚିତ ପରିବେଶବିତ୍‌ ଓ ଜଳ ପରିଚାଳନା ବିଶେଷଜ୍ଞ ଡକ୍ଟର ତପନ ପାଢ଼ୀ କହନ୍ତି, “ଭାରତ ଏବେ ଘୋର ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ଯଦି ଚଳିତ ଶତାବ୍ଦୀ ‌‌ସୁଦ୍ଧା ବିଶ୍ୱ ତାପମାତ୍ରାରେ ୨ ଡିଗ୍ରି ସେଲ୍‌ସିୟସ୍‌ ବୃଦ୍ଧି ଘଟେ, ତେବେ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ପ୍ରାୟ ୬୦ ନିୟୁତ ଭାରତୀୟ ବିପଦରେ ପଡ଼ିପାରନ୍ତି। ପ୍ରାୟ ୮୦ ନିୟୁତ ଲୋକ ଅତ୍ୟଧିକ ଗରମଜନିତ କାରଣରୁ ହୃଦ୍‌ଘାତ ଓ ମସ୍ତିଷ୍କଜନିତ ରୋଗରେ ପଡ଼ି ମୃତ୍ୟୁର ନିକଟତର ହେବାର ଆଶଙ୍କା ବି ରହିଛି। ନିକଟରେ ହୋଇଥିବା ବିସ୍ତୃତ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ଜଳସ୍ତର ବୃଦ୍ଧି ଭାରତ ପାଇଁ ସାଙ୍ଘାତିକ ପରିଣାମ ଆଣିପାରେ। ସଂପ୍ରତି ଭାରତକୁ ପ୍ରମୁଖ ଦେଶ ଭାବେ ଆଧାର କରି କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଓଡ଼ିଶା ପ୍ରତି ଜଳବାୟୁ ପରିବର୍ତ୍ତନଜନିତ ବିପଦ ବିଷୟରେ ଉଲ୍ଲେଖ ଅଛି। ବୈଜ୍ଞାନିକଙ୍କ ଏହି ଆକଳନ ମାଳିକାର ସାଙ୍କେତିକ ବର୍ଣ୍ଣନାକୁ ସ୍ପଷ୍ଟ କରୁଛି। ପୁରୀରେ ସମୁଦ୍ର ଯେପରି କୂଳ ଲଙ୍ଘିବା ଆରମ୍ଭ କଲାଣି ଯଦି ସେଭଳି ସ୍ଥିତି ଲାଗି ରହେ, ହୁଏତ ଭବିଷ୍ୟତରେ ୨୨ ପାହାଚ ପର୍ଯ୍ୟନ୍ତ ପାଣି ମାଡ଼ି ଆସିବା ବିଚିତ୍ର ହେବ ନାହିଁ।”

ମାଳିକା ବଚନ ଏକ ରୂପକଥା ନୁହେଁ, ବାସ୍ତବତା

ମାଳିକା ବଚନ ଏକ ରୂପକଥା ନୁହେଁ, ଆଜିର ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ବାସ୍ତବତା ସର୍ବତ୍ର ପରିଲକ୍ଷିତ ହେଲାଣି ବୋଲି ଜଣାଶୁଣା ବୈଜ୍ଞାନିକ ଡକ୍ଟର ପ୍ରଣୟ ସ୍ବାଇଁ କହିଛନ୍ତି। ସେହିପରି ଗବେଷକ ଅଂଶୁମାନ ଦାସ କହନ୍ତି, “ପ୍ୟାରିସ୍‌ ରାଜିନାମା ଅନୁଯାୟୀ ଯଦି ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆମେ ଆଉ ଅଧିକ ବଢ଼ିବାକୁ ନଦେଇ ଏହାକୁ ୧.୫ ଡିଗ୍ରି ମଧ୍ୟରେ ନିୟନ୍ତ୍ରଣ କରି ରଖିବା, ତଥାପି ୨୧୦୦ ମସିହା ବେଳକୁ ସମୁଦ୍ର ପତ୍ତନ ଅତି କମ୍‌ରେ ପ୍ରାୟ ୪୮ ସେଣ୍ଟିମିଟର (ହାରାହାରି ୧.୫୭୪୮ ଫୁଟ )ରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ନିଶ୍ଚିତ। ଫଳରେ ଉପକୂଳବର୍ତ୍ତୀ ଗାଁଗଣ୍ଡା ଓ ସହର ସଂପୂର୍ଣ୍ଣ କିମ୍ବା ଆଂଶିକ ଜଳମଗ୍ନ ‌ହୋଇପାରେ। ଏଭଳି ପରିସ୍ଥିତିରେ ପୁରୀ ସହର ପ୍ରଭାବିତ ହେବା ଆଶଙ୍କାକୁ ଟାଳି ଦିଆଯାଇ ନପାରେ। ତେଣୁ ସମୁଦ୍ର ମାଡ଼ି ଆସିବା ନେଇ ମାଳିକା ବଚନ ରହିଛି ତାହାର ବାସ୍ତବତା ବାରି ହୋଇପଡୁଛି।”

ଭାରତର ପ୍ରାୟ ୩୪ ପ୍ରତିଶତ ଏବଂ ଓଡ଼ିଶାର ୫୦ ପ୍ରତିଶତ ଉପକୂଳବର୍ତ୍ତୀ ଅଞ୍ଚଳ ସାମୁଦ୍ରିକ ଅବକ୍ଷୟର ଶିକାର। ଭାରତୀୟ ଉପକୂଳର ପ୍ରାୟ ୩୪ ପ୍ରତିଶତରୁ ଅଧିକ ଜନବସତି ଅଞ୍ଚଳରେ କ୍ରମାଗତ ସମୁଦ୍ର ମାଡ଼ିଆସି ଧନଜୀବନ କ୍ଷୟକ୍ଷତି କରିଚାଲୁଛି। ସମୁଦ୍ର ପତ୍ତନ ବୃଦ୍ଧି ପଶ୍ଚିମବଙ୍ଗର ୭୦ ପ୍ରତିଶତ ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରୁଛି। ସେହିପରି କେରଳରେ ୬୫ ପ୍ରତିଶତ ଏବଂ ଗୁଜରାଟର ୬୦ ପ୍ରତିଶତ ଉପକୂଳବର୍ତ୍ତୀ ଅଞ୍ଚଳ ସାମୁଦ୍ରିକ ଅବକ୍ଷୟର ଶିକାର ହୋଇ କ୍ଷୟକ୍ଷତିର ସାମ୍ନା କରୁଛି। ଉପକୂଳବର୍ତ୍ତୀ ସ୍ଥାନରେ ରହୁଥିବା ଲୋକଙ୍କୁ ସମୁଦ୍ର ପତ୍ତନ ବୃଦ୍ଧି ବିପଦର ମୁକାବିଲା କରିବା ପାଇଁ ଅଧିକ ତାଲିମ ଓ ଜ୍ଞାନକୌଶଳ ଦିଆଯିବା ଆବଶ୍ୟକ ବୋଲି ଭୁବନେଶ୍ୱରସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ୍‌ ରିସର୍ଚ (ଏନ୍‌.ଆଇ.ଏସ୍‌.ଇ.ଆର୍‌.)ର ଦୁଇଜଣ ଗବେଷକ ଅଂଶୁମାନ ଦାସ ଓ ପ୍ରଣୟ ସ୍ବାଇଁ  ପ୍ରକାଶ କରିଛନ୍ତି।

sfhfshfhsfh

ଅନ୍ତର୍ଜାତୀୟ ପତ୍ରିକା “ଏନ୍‌ଭାର୍ଣ୍ଣମେଣ୍ଟାଲ୍‌ ମନିଟରିଂ ଆଣ୍ଡ୍ ଆସେସ୍‌ମେଣ୍ଟ୍‌”ରେ ପ୍ରକାଶିତ ଗବେଷଣା ସନ୍ଦର୍ଭ “ନେଭିଗେଟିଂ ଦି ସି ଲେଭଲ୍ ରାଇଜ୍: ଏକ୍ସପ୍ଲୋରିଂ ଦି ଇଣ୍ଟର୍‌ପ୍ଲେ ଅଫ୍ କ୍ଲାଇମେଟ୍ ଚେଞ୍ଜ୍‌, ସି ଲେଭଲ୍ ରାଇଜ୍, ଆଣ୍ଡ୍ କୋଷ୍ଟାଲ୍ କମ୍ମ୍ୟୁନିଟିଜ୍ ଇନ୍ ଇଣ୍ଡିଆ”ରେ ଏହି ଦୁଇ ବୈଜ୍ଞାନିକ ମତ ରଖିଛନ୍ତି ଯେ ସମୁଦ୍ର ପତ୍ତନ ବୃଦ୍ଧି ଓ ସମୁଦ୍ର କୂଳ ଲଙ୍ଘିବାଜନିତ ବିପର୍ଯ୍ୟୟର ମୁକାବିଲା, ନିଷ୍ପତ୍ତି ଗ୍ରହଣ ତଥା ପ୍ରସ୍ତୁତି ପ୍ରକ୍ରିୟା ଏବଂ ପରିବର୍ତ୍ତନ ସହିତ ଖାପଖୁଆଇବା ରଣନୀତି ପ୍ରଣୟନରେ ଅଧିକରୁ ଅଧିକ ଉପକୂଳବର୍ତ୍ତୀ ଅଧିବାସୀ ସାମିଲ ହେବା ଆବଶ୍ୟକ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ୨୦୨୩ ରିପୋର୍ଟକୁ ଦର୍ଶାଇ ଉଭୟ ଗବେଷକ କହନ୍ତି, “ସମୁଦ୍ର ପତ୍ତନ ଦ୍ରୁତ ବୃଦ୍ଧି କାରଣରୁ ଭାରତର ଉପକୂଳ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହୋଇ ଅନେକ ଜମି ନଷ୍ଟ ହେବ, ବିଶେଷକରି ବହୁ ମୂଲ୍ୟବାନ୍‌ କୃଷି କ୍ଷେତ୍ର ଧ୍ବଂସ ପାଇଛି। ଏହା ଉପକୂଳବର୍ତ୍ତୀ ଅଧିବାସୀଙ୍କ ଜୀବନଜୀବିକାକୁ  ପ୍ରଭାବିତ କରିଛି। ଭାରତୀୟ ଉପକୂଳର ପ୍ରାୟ ୩୩.୬ ପ୍ରତିଶତ ଜମି  ସାମୁଦ୍ରିକ ଅବକ୍ଷୟ ଦ୍ୱାରା ଧ୍ବଂସ ପାଇଥିବା ବେଳେ ୨୬.୯ ପ୍ରତିଶତ ଜମି ଧ୍ବଂସ ସାଧନ ମୁହଁରେ ଅଛି। ୧୯୯୦ରୁ ୨୦୧୬ ମଧ୍ୟରେ ଭାରତର ଉପକୂଳ ଅବକ୍ଷୟ ଯୋଗୁଁ ୨୩୫ ବର୍ଗ କିଲୋମିଟର ଜମି ସମୁଦ୍ର ଗର୍ଭରେ ଲୀନ ହୋଇଛି ଯାହାକି ଅତ୍ୟନ୍ତ ଚିନ୍ତାଜନକ।”