ନୂଆଦିଲ୍ଲୀ: ତାମିଲନାଡୁର ରାମନାଥପୁରମ ଜିଲ୍ଲାର ପମ୍ବନର ମତ୍ସ୍ୟଜୀବୀମାନେ ଏକ ବିରଳ ମାଛ ଧରିବା ପରେ ଭୟଭୀତ ହୋଇଯାଇଛନ୍ତି। କାରଣ ଉକ୍ତ ମାଛ ପ୍ରଳୟ ଆସିବା ନେଇ ସଙ୍କେତ ଦେଇଥାଏ।
ସୂଚନାଯୋଗ୍ୟ, ରାମେଶ୍ୱରମର ମାଛଧରା ବନ୍ଦରର ମତ୍ସ୍ୟଜୀବୀମାନେ ମନ୍ନାର ଉପସାଗରରୁ ଫେରୁଥିବା ସମୟରେ ସେମାନଙ୍କ ଜାଲରେ ଏକ ବିରଳ ମାଛ ପଡ଼ିଥିଲା। ଏହି ମାଛର ଓଜନପ୍ରାୟ ଛଅ କିଲୋଗ୍ରାମ ରହିଥିବା ସହିତ ଦେଖିବାକୁ ଚକଚକ ମାରୁଥାଏ।
ଉକ୍ତ ମାଛକୁ ଏକ ଓରଫିସ୍ ଭାବରେ ଚିହ୍ନଟ କରାଯାଇଛି। ଏହି ମାଛ ଗଭୀର ସମୁଦ୍ରରେ ରହୁଥିବା ପ୍ରଜାତିର ମାଛ। ଯାହା କି କ୍ୱଚିତ୍ ମାଛ ଧରିବା ଜାଲରେ ପଡ଼ିଥାଏ। ଏହି ଓରଫିସ୍ କୁ ପ୍ରାୟତଃ "ପ୍ରଳୟକାରୀ ମାଛ" କୁହାଯାଏ। କାରଣ ଜାପାନୀ ଉପକୂଳରେ ମତ୍ସ୍ୟଜୀବୀମାନଙ୍କ ଜାଲରେ ଯେବେଯେବେ ଏହି ମାଛ ପଡ଼ିଛି ସେବେସେବେ ଭୂମିକମ୍ପ କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆସିଛି।
ବିଶେଷକରି ଜାପାନରେ କିଛି କ୍ଷେତ୍ରରେ ଲୋକମାନେ ବଡ଼ ଭୂମିକମ୍ପ ଆସିବା ପୂର୍ବରୁ ଓରଫିସ୍ କୂଳକୁ ଆସୁଥିବାର ଦେଖିଛନ୍ତି। ସେମାନଙ୍କ ବିଶ୍ୱାସ ଯେ ଉକ୍ତ ଓରଫିସ ପାଣି ତଳେ ଭୂକମ୍ପ ଆସିବାର ଅନୁଭବ କରି ପାରନ୍ତି। ତେଣୁ ମଣିଷଙ୍କୁ ସତର୍କ କରିବା ପାଇଁ ଏମାନେ କୂଳକୁ ଚାଲି ଆସିଥାଆନ୍ତି। ଏହି ତତ୍ତ୍ୱକୁ ବିଜ୍ଞାନ ଦ୍ୱାରା ଏଯାବତ ନିଶ୍ଚିତ କରାଯାଇ ନାହିଁ।