ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ଲୋକଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ସକାଳୁ ଉଠିବା ପରଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସୋସିଆଲ ମିଡିଆ ସହ ଜଡ଼ିତ ରହୁଛନ୍ତି ଲୋକେ। ନିଜର ଫଟୋ ଓ ଭିଡିଓ ସେୟାର କରି ଫଲୋୟର୍ସ ବଢ଼ାଇବାକୁ ସମସ୍ତେ ଚେଷ୍ଟା କରୁଥିବା ଦେଖାଯାଉଛି। ଫଲୋୟର୍ସ ବଢ଼ାଇବା ନିଶାରେ କିଛି ଲୋକ ଅଜବ ଢ଼ଙ୍ଗରେ ନାଚୁଥିବା ବେଳେ କିଛି ଲୋକ ଅଶ୍ଲୀଳ କମେଡି ଭିଡିଓ ସେୟାର କରୁଛନ୍ତି। ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ମିଛ କହି ଫଲୋୟର୍ସ ବଢ଼ାଇବାକୁ ଚେଷ୍ଟା କରିଥିବା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ବିଗତ କିଛି ବର୍ଷ ଧରି ଫିଟନେସ୍ ଇନଫ୍ଲୁଏନ୍ସର ଭାବେ ଜଣାଶୁଣା ମିଆନବାଓବାଓ ନିୟମିତ ଭାବେ ତାଙ୍କ ଫଲୋୟର୍ସମାନଙ୍କୁ ସୋସିଆଲ ମିଡିଆରେ କର୍କଟ ରୋଗ ସହିତ ତାଙ୍କର ଲଢ଼େଇ ଏବଂ ଚିକିତ୍ସାର ଅପଡେଟ୍ ଦେଉଥିଲେ। ତିନି ବର୍ଷ ପୂର୍ବେ ସେ ତାଙ୍କ ଫଲୋୟର୍ସମାନଙ୍କୁ କହିଥିଲେ ଯେ ତାଙ୍କୁ ଅଗ୍ନାଶୟ କର୍କଟ ରୋଗ ହୋଇଛି ଏବଂ ସେ ଶେଷ ପର୍ଯ୍ୟାୟରେ ଅଛନ୍ତି। ସେବେଠାରୁ ସେ ନିରନ୍ତର ଭାବେ ନିଜର ଫିଟନେସ୍ ରୁଟିନ୍ ଭିଡିଓ ସେୟାର କରୁଥିଲେ ଏବଂ ଏହା ତାଙ୍କର କର୍କଟ ଚିକିତ୍ସାର ଏକ ଅଂଶ ବୋଲି କହୁଥିଲେ। କର୍କଟ ରୋଗ ହୋଇଥିବା ନେଇ ଜଣାଇବା ପରେ ତାଙ୍କ ଫଲୋୟର୍ସ ସଂଖ୍ୟା ବଢ଼ିବା ସହ ଲୋକ ଶୀଘ୍ର ସୁସ୍ଥ ହୁଅ ବୋଲି କାମନା କରିବା ଆରମ୍ଭ କରିଥିଲେ।
ହେଲେ ୩ବର୍ଷ ପରେ ଏବେ ମିଆନବାଓବାଓ ମିଛ କହିଥିବା ସ୍ବୀକାର କରି ନିଜ ୧୧,୦୦୦ ଇନଷ୍ଟା ଫଲୋୟର୍ସମାନଙ୍କୁ କ୍ଷମା ମାଗିଛନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି, “ମୁଁ ମୋର ସମସ୍ତ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କୁ କ୍ଷମା ମାଗିବାକୁ ଚାହେଁ, ଯେଉଁମାନେ ମୋତେ କର୍କଟ ରୋଗ ହୋଇଥିବା ଜାଣି ମୋର ଯତ୍ନ ନେଉଥିଲେ, ମୋତେ ସମର୍ଥନ କରିଥିଲେ, ମୋତେ ଉତ୍ସାହିତ କରିଥିଲେ। ମୁଁ କର୍କଟ ରୋଗ ହୋଇଥିବା ନେଇ ମିଛ କହିଥିଲି। ସୋସିଆଲ ମିଡିଆରେ ମୋର ଫଲୋୟର୍ସ ସଂଖ୍ୟା ବଢ଼ାଇବା ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ମୁଁ ଏଭଳି ମିଛ କହିଆସୁଥିଲି। କେବଳ ସୋସିଆଲ ମିଡିଆରେ ନୁହେଁ ମୁଁ ମୋ ପରିବାରକୁ ମଧ୍ୟ ମିଛ କହିଥିଲି।”
ଏଭଳି ସ୍ବୀକାରୋକ୍ତି ପରେ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ଫଲୋୟର୍ସ ବଢ଼ାଇବା ପାଇଁ ମହିଳାଜଣକ ଏତେ ବଡ଼ ମିଛ କହିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।