ସାଙ୍ଗମାନେ ପଡ଼ିଶାଙ୍କ ଠାରୁ ସାହାଯ୍ୟ ମାଗି ସ୍କୁଲ୍ ଛାଡ଼ିଥିବା ଛାତ୍ରୀଙ୍କୁ  ପାଠ ପଢ଼ାଇଲେ 

ଦୁଇ ବର୍ଷ ତଳେ ଯେତେ ବେଳେ ଷଷ୍ଠ ଶ୍ରେଣୀର ଛାତ୍ରୀ ବୁସୀରା ଶେଖ, ହଠାତ୍‌ ପାଠ ଛାଡ଼ିଦେଲେ, ତାଙ୍କ ସାଥୀ ନୀଦା ଶେଖ, ସୀଫା କୁରୈସୀ, କୁସୁମ ଚୌଧୁରୀ, ଅନୂ କୁମାଓ୍ଵତ ଓ ପୂଜା ଦୋଦୀ ମାନସିକ ସ୍ତରରେ ଆଘାତ ପାଇଥିଲେ। ସେମାନେ ସମସ୍ତେ ମୁମ୍ବଈ ଅନ୍ତର୍ଗତ ବସ୍ତି ଅଞ୍ଚଳ ମାଲଓ୍ଵାନୀରେ ଥିବା ‘ହୋଲି ମଦର୍‌ ସ୍କୁଲ୍‌’ର ଛାତ୍ରୀ। ଏହି ବିଦ୍ୟାଳୟରେ ପିଲାଙ୍କ ପଢ଼ା ଖର୍ଚ୍ଚ ଅତି କମ୍‌ ହୋଇଥିଲେ ହେଁ ସମସ୍ତଙ୍କ ପରିବାର ପକ୍ଷେ ବହନ କରିବା କଷ୍ଟକର। କାରଣ, ଅତି ଗରିବ ଘରର ଝିଅମାନେ ଏଠାରେ ପଢ଼ନ୍ତି। ବୁସୀରାଙ୍କ ପିତା-ମାତା ପଢ଼ା ଖର୍ଚ୍ଚ ବହନ କରି ନ ପାରିବାରୁ, ତାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ପଡ଼ିଥିଲା।
ତେବେ, ତାଙ୍କ ସାଙ୍ଗମାନେ ଚୁପ୍‌ ବସି ନ ଥିଲେ। ସେମାନେ ଚାହୁଁଥିଲେ, ବୁସୀରା ପୁଣି ଥରେ ସ୍କୁଲ୍‌ ଆସନ୍ତୁ। ପାଞ୍ଚ ସାଙ୍ଗ ବସ୍ତିରେ ଘୂରି-ବୁଲି କିଛି ଟଙ୍କା ଯୋଗାଡ଼ କରିବାରୁ, ବୁସୀରାଙ୍କ ହସହସ ମୁହଁ ପୁଣି ଥରେ ସ୍କୁଲ୍‌ରେ ଦେଖିବାକୁ ମିଳିଲା। ଏହି ସଫଳତା, ସ୍କୁଲ୍‌ ଛାଡ଼ୁଥିବା ଅନ୍ୟ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ଅନୁପ୍ରାଣିତ-ଉତ୍ସାହିତ କରିଥିଲା। ସେମାନଙ୍କୁ ସାହାଯ୍ୟ କରିଥିଲେ ‘ଟିଚ୍‌ ଫର୍‌ ଇଣ୍ଡିଆ’ର ଫେଲୋ ଜସମିନ ବାଲା। ବାଲାଙ୍କ ଉଦ୍ୟମରେ ସେମାନେ ଗଢ଼ିଛନ୍ତି ‘ପ୍ରୋଜେକ୍‌ଟ ବାଳିକା’। ମୁଖ୍ୟ ଲକ୍ଷ୍ୟ, ଆର୍ଥିକ କାରଣରୁ ସ୍କୁଲ୍‌ ଛାଡ଼ୁଥିବା ଝିଅଙ୍କ ସହାୟତା। ଏହା ଛଡ଼ା ସେମାନେ ସପ୍ତାହରେ ଦୁଇ ଦିନ ନିରକ୍ଷର ମହିଳାଙ୍କୁ ପଢ଼ାଉଛନ୍ତି। ଝିଅଙ୍କୁ ଇଂରେଜୀ କହିବା ଶିଖାଉଛନ୍ତି। ଗୋଟିଏ ବର୍ଷରେ ଏହି ଗୋଷ୍ଠୀ ଦ୍ୱାରା ଦୁଇ ଶହ ସ୍ଥାନୀୟ ବାଳିକା ଉପକୃତ ହେଲେଣି। ଆଗାମୀ ବର୍ଷ ଏହି ସଂଖ୍ୟା ପାଞ୍ଚ ଶହ ଟପିବ ବୋଲି, ସେମାନେ ଆଶା କରୁଛନ୍ତି।
ସମ୍ବନ୍ଧିତ ଖବର