ଭାଭାରତ ୨୦୪୦ ସୁଦ୍ଧା ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରାଇବାର ପ୍ରସ୍ତୁତି କରୁଛି। ତେବେ ତା’ ପୂର୍ବରୁ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫ ମିସନ୍ ସମେତ ଚନ୍ଦ୍ରଯାନ-୬, ୭ ଓ ୮ ପାଇଁ ଯୋଜନା ପ୍ରସ୍ତୁତ କଲାଣି। ଜାତୀୟ ମହାକାଶ ଦିବସ ବୈଠକରେ ‘ଇସ୍ରୋ’ ଅଧିକାରୀମାନଙ୍କର ଏକ ଦୀର୍ଘକାଳୀନ ରୋଡ୍ମ୍ୟାପ୍ ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଜଣେ ମହାକାଶଚାରୀଙ୍କୁ ଅବତରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତ ପାଇଁ ଏହା ଏକ ମହତ୍ତ୍ବାକାଂକ୍ଷୀ ତଥା ରଣନୈତିକ ମିସନ୍। ପୂର୍ବରୁ ଚନ୍ଦ୍ରଯାନ-୪ ଓ ଚନ୍ଦ୍ରଯାନ-୫କୁ ସବୁଜ ସଙ୍କେତ ମିଳିସାରିଛି। ଏହା ଭାରତର ଚନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଭାରତ ମହାକାଶ ଅନୁସନ୍ଧାନ ଇତିହାସରେ ପ୍ରଥମଥର ଲାଗି ଚନ୍ଦ୍ରଯାନ-୪ ଚନ୍ଦ୍ରରୁ ନମୁନା ସଂଗ୍ରହ କରି ପଥର ଓ ମାଟି ପୃଥିବୀକୁ ଫେରାଇ ଆଣିବ। ଏହି ସମୟରେ, ଲୁପକ୍ସ ମିସନ ଭାବେ ପରିଚିତ ଚନ୍ଦ୍ରଯାନ-୫ ଜାପାନ ସହିତ ଅନୁବନ୍ଧିତ ହେବ। ଏହି ମିସନରେ ଭାରତ-ନିର୍ମିତ ଏକ ଲ୍ୟାଣ୍ଡର୍ ଏବଂ ଜାପାନ-ନିର୍ମିତ ଏକ ରୋଭର୍ ରହିବ। ଏହା ଏ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ନିୟୋଜିତ ଥିବା ସବୁଠାରୁ ଭାରୀ ରୋଭର୍ ହେବ ବୋଲି ଆଶା କରାଯାଉଛି। ଏହାସହ ଗ୍ରହ ଅନୁସନ୍ଧାନ କ୍ଷେତ୍ରରେ ଜାପାନ ସହିତ ସମ୍ପର୍କ ମଜବୁତ ହେବ। ଦେଖିବାକୁ ଗଲେ, ଇସ୍ରୋ ଚନ୍ଦ୍ରଯାନ-୬,୭ ଓ ୮ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରୁଛି। ପୂର୍ବ ମିସନ୍ଗୁଡ଼ିକ ଭଳି ଏହି ମିସନ୍ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ମନୁଷ୍ୟ ଅବତରଣ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ଉପରେ ଅଧିକ ଧ୍ୟାନ ଦେବ। ଏଥିରେ ଚନ୍ଦ୍ର ଚାରିପାଖରେ ନାଭିଗେସନ୍, ଯୋଗାଯୋଗ ଓ ରିଲେ ସିଷ୍ଟମ୍ ସୃଷ୍ଟି ତଥା ସଠିକ୍ ଅବତରଣକୁ ସୁନିଶ୍ଚିତ କରିବା ସହିତ ଆଗାମୀ କ୍ରୁ’ ମିସନ୍ ପାଇଁ ନିର୍ଭରଯୋଗ୍ୟ ତଥ୍ୟ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଅନ୍ତର୍ଭୁକ୍ତ। ‘ଇସ୍ରୋ’ ଅଧିକାରୀମାନଙ୍କ ମତରେ, ଏହି ମିସନଗୁଡ଼ିକ ୨୦୪୦ ପର୍ଯ୍ୟନ୍ତ ପ୍ରସ୍ତୁତ ରୋଡମ୍ୟାପ୍ ପାଇଁ ଗୋଟିଏ ଗୋଟିଏ ମାଇଲଖୁଣ୍ଟ। ଚନ୍ଦ୍ରଯାନ-୬ରୁ ୮ ପର୍ଯ୍ୟନ୍ତ ଭିତ୍ତିଭୂମି ସ୍ଥାପନ କରି, ଭାରତ ଏହାର ମହାକାଶଚାରୀମାନଙ୍କୁ ଏକ ସୁରକ୍ଷିତ ଓ ସଫଳ ଚନ୍ଦ୍ରାବତରଣ (ମୁନ୍ ଲ୍ୟାଣ୍ଡିଂ) ପାଇଁ ଆବଶ୍ୟକ ସପୋର୍ଟ ସିଷ୍ଟମ୍ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।
ଭାରତ ଚନ୍ଦ୍ରଯାନ-୪ର ସାମ୍ପୁଲ୍ ରିଟର୍ଣ୍ଣ ଓ ଚନ୍ଦ୍ରଯାନ-୫ର ଅନ୍ତର୍ଜାତୀୟ ସହଭାଗିତା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଭବିଷ୍ୟତ ମିସନ୍ର ଉନ୍ମୋଚନ ଏହା ସଙ୍କେତ ଦେଉଛି କି, ‘ଇସ୍ରୋ’ ଚନ୍ଦ୍ରରେ ମାନବ ଉପସ୍ଥିତି ପାଇଁ ସ୍ଥାୟୀ ମୂଳଦୁଆ ସ୍ଥାପନର ଯୋଜନା କରୁଛି। ଏହା ଭାରତ ମହାକାଶ ଯାତ୍ରାରେ ଏକ ସାହସିକ ପ୍ରଚେଷ୍ଟା କହିଲେ ଭୁଲ୍ ହେବ ନାହିଁ।