ଯୁଆଡ଼େ ଚାହିଁବ ପାଣି! ଗାଁର ସବୁଠାରୁ ଉଚ୍ଚସ୍ଥାନରେ ଥିବା ମନ୍ଦିରରେ ଠାକୁରଙ୍କ ମୂର୍ତ୍ତି ବେକ ପର୍ଯ୍ୟନ୍ତ ବୁଡ଼ି ରହିଥିଲା। ତିନି ମହଲା ବିଶିଷ୍ଟ ଏଇ ମନ୍ଦିରର ଉପର ତାଲାରେ ଛୁଆପିଲା, ବୁଢ଼ାବୁଢ଼ୀ, କୁକୁର, ବିଲେଇ, ଛେଳି, ମେଣ୍ଢା ସମସ୍ତେ ଏକାଠି ଆଶ୍ରୟ ନେଇଥିଲେ। ଯେଉଁମାନଙ୍କର ଡଙ୍ଗା ଥିଲା ସେମାନଙ୍କ ପରିବାରର ଜଣେ ଧନସମ୍ପତ୍ତି ଜଗି ରହିଥିଲା, ଅନ୍ୟମାନେ ସୁରକ୍ଷିତ ସ୍ଥାନକୁ ଉଠିଯାଇଥିଲେ। ଚେନ୍ନାନ୍ ପରିହାର ଡଙ୍ଗା ନାହିଁ, ସେ ବା କୁଆଡ଼େ ଯାଇପାରିବ? ତେଣେ ତା’ ମୁନିବ ତିନିଦିନ ଆଗରୁ ଘର ଛାଡ଼ି ପାର୍। ବନ୍ୟା ପାଣି ଘର ଭିତରେ ପଶିବା ପୂର୍ବରୁ ନଡ଼ିଆ ବାହୁଙ୍ଗା ଓ ବାଉଁଶ ବାଡ଼ ତିଆରି କରି ରଖିଥିଲା ଚେନ୍ନାନ୍। ସେସବୁ ଦେଇ ଦୁଇଦିନ ଧରି ପାଣିକୁ ଅଟକାଇ ଘର ଭିତରେ ଜଗି ବସିଥିଲା। ଚେନ୍ନାନ୍ ଭାବୁଥିଲା, ଦିନ ଦୁଇଟା ପରେ ପାଣି ଛାଡ଼ିଯିବ। କିନ୍ତୁ ପାଣି ବଢ଼ି ଚଟାଣ ବୁଡ଼ିବା ଆରମ୍ଭ ହେଲା। ଏଣେ ବାଡ଼ିରେ ୪/୫ଟା କଦଳୀ କାନ୍ଦି, ଖଳାରେ ଗଦା ମରା ହୋଇଛି ଧାନ। ଘର ଛାଡ଼ି ଚାଲିଗଲେ ଚୋର ସବୁ ସଫା କରିଦେବେ।

Advertisment

ଘରେ ଏବେ ଆ‌ଣ୍ଠୁଏ ପାଣି। ବାହାରେ ଛାତିଏ ଉଚ୍ଚରେ ପାଣି ଲହଡ଼ି ମାରିଲାଣି। ତା’ ନୁଆଁଣିଆ ଚାଳଘରର ଛପର କେବେ ବି ଭାସିଯାଇପାରେ। ଘର ଭିତରୁ ସେ ବିକଳରେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲା, କିନ୍ତୁ ଶୁଣିବ ବା କିଏ? ଏଣେ ଘରେ ତା’ ମୁହଁକୁ ଚାହିଁ ସନ୍ତ୍ରସ୍ଥ ଅବସ୍ଥାରେ ବସିଛନ୍ତି ଗର୍ଭବତୀ ସ୍ତ୍ରୀ, ଚାରି ପିଲା ଆଉ ପୋଷା ବିଲେଇ ଓ କୁକୁର। ଚେନ୍ନାନ୍ ଏକପ୍ରକାର ନିଶ୍ଚିତ ହୋଇଗଲା ଯେ, ଆଉ ବାର ଘଣ୍ଟା ଭିତରେ ତା’ ଛପର ଉପରେ ପାଣି ଚାଲିବ ଆଉ ସମସ୍ତଙ୍କର ସଲିଳ ସମାଧି ହୋଇଯିବ। ତାକୁ କିଛି କରିବାକୁ ପଡ଼ିବ। ଘରର ଚାଳ କଣାକରି ବାହାରକୁ ମୁଣ୍ଡ କାଢ଼ି ଚାହିଁଲା ଚେନ୍ନାନ୍। ଚାରିଆଡ଼େ ପାଣି। ହଠାତ୍ ନଜର ପଡ଼ିଲା, କିଛି ଦୂରରେ ବଡ଼ ଡଙ୍ଗାଟେ ହଲିଦୋହଲି ଯାଉଛି। ନିଜର ସବୁ ବଳ ଖଟାଇ ଚିତ୍କାର କଲା ସେ। ସୌଭାଗ୍ୟକୁ ତା’ର ଆକୁଳ ଚିତ୍କାର ନାଉରିଆ କାନରେ ପଡ଼ିଲା। ଡଙ୍ଗାରେ ଥିବା ‌େଲାକମାନେ ଚେନ୍ନାନ୍‌ର ଅବସ୍ଥା ବୁଝିପାରିଲେ ଏବଂ ତା’ ଆଡ଼କୁ ଆସିଲେ। ଡଙ୍ଗାଟି ପାଖକୁ ଆସିବା ମାତ୍ରେ ସ୍ତ୍ରୀ, ଚାରିପିଲା ଓ ପୋଷା ବିଲେଇ, କୁକୁରଙ୍କୁ ଚାଳବାଟ ଦେଇ ଉପରକୁ ଆଣିଲା। ଡଙ୍ଗାଟା ପାଖେଇ ଆସିବା ମାତ୍ରେ ତରତର ହୋଇ ସ୍ତ୍ରୀ ଓ ଚାରି ପିଲାଙ୍କୁ ଚଢ଼ାଇଦେଲା ଚେନ୍ନାନ୍। ଏଇ ମୌକା ଦେଖି ପୋଷା ବିଲେଇଟା ଖପ୍‌କରି ଚଢ଼ିଗଲା ଡଙ୍ଗାରେ। କୁକୁରଟା କୁଆ‌େଡ଼ ଗଲା? କେହି ମନେପକାଇଲେ ନାହିଁ ତା’ କଥା। ଡଙ୍ଗା ଛାଡ଼ିଦେଲା। ଧୀରେଧୀରେ ପଛକୁ ରହିଗଲା ଚେନ୍ନାନ୍‌ର କୁଡ଼ିଆଟା।

କିଛିକ୍ଷଣ ପରେ ଫେରିଲା ପୋଷା କୁକୁର। ତା’ ମାଲିକର ପରିବାର ଯେଉଁଠି ଥିବେ ବୋଲି ସେ ଆଶା କରିଥିଲା, ସେଠି କେହି ନ ଥିଲେ- ଦେଖିଲା ଡଙ୍ଗାଟା ବହୁ ଦୂରକୁ ଚାଲିଗଲାଣି। ସେ ବିକଳରେ ଭୁକି ଭୁକି ଚେନ୍ନାନ୍‌ର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କଲା। ଜଣେ ମଣିଷ ଅସୁବିଧାରେ ପଡ଼ିଲେ ଯେମିତି ଅସହାୟ ଭାବେ କନ୍ଦାକଟା କରେ, କୁକୁରଟା ସେମିତି ବିଳାପ କରୁଥିଲା। ଛପରର ଚାରିଦିଗକୁ ବିକଳ ହୋଇ ଧାଉଁଥିଲା ସେ। ଠାଆକୁ ଠାଆ ଶୁଙ୍ଘି ପକାଉଥିଲା। ପୁଣି ବିକଳରେ ଭୁକୁଥିଲା। କିନ୍ତୁ ତାର ଆକୁଳ ଚିତ୍କାର ପବନରେ ମିଳେଇଗଲା। ସେଠି ତା’ ଅସହାୟତାର ଆର୍ତ୍ତନାଦ ଶୁଣିବାକୁ କେହି ନଥିଲେ।
କୁକୁରଟା ଭୋକରେ ଆଉଟୁପାଉଟୁ ହେଉଥିଲା। ଚାଳରୁ ଓହ୍ଲେଇ କୁଡ଼ିଆ ଭିତରଟାଯାକ ଘାଣ୍ଟି ପକାଇଲା। କେଉଁଠୁ ବି କିଛି ପାଇଲାନି। ପୁଣି ଆରମ୍ଭ ହୋଇଗଲା ପ୍ରବଳ ବର୍ଷା। ଚାଳ ଉପରେ ମୁହଁକୁ ମାଡ଼ି ଜାକିଜୁକି ହୋଇ ପଡ଼ିଥିଲା। ଇତିମଧ୍ୟରେ ତା’ ମାଲିକ ସୁରକ୍ଷିତ ଭାବେ ଅମ୍ବାଲାଗୁଜାରେ ପହଞ୍ଚି ଯାଇଥିଲା। ରାତିର ଘନଅନ୍ଧାର ଭିତରେ କୁକୁରଟା ଦେଖିଲା ଟିକେ ଦୂରରେ ବିରାଟ କୁମ୍ଭୀରଟେ ପହଁରୁଛି। କୁମ୍ଭୀରଟା କ୍ରମଶଃ ପାଖାପାଖି ହେଉଥିଲା। ଭୟରେ ଭୁକିବାକୁ ଲାଗିଲା ସେ। ମାତ୍ର ତା’ ଆଡ଼କୁ ନଜର ଦେଇ କୁମ୍ଭୀରଟା ଚାଳରେ ଘଷିହୋଇ ପହଁରି ଆଗକୁ ଚାଲିଗଲା। ବାସ୍ତୁହରା ଅସହାୟ ପ୍ରାଣୀଟା କୁଡ଼ିଆ ଉପରେ ବସି ଅନ୍ଧାରରେ ବୁଡ଼ିଯାଇଥିବା ଆକାଶକୁ ଚାହିଁ ଭୁକୁଥିଲା। କାଳେ ତା’ ଆକୁଳ ନିବେଦନ କାହା କାନରେ ପଡ଼ିଯିବ! ବାୟୁଦେବ ତା’ର ଅସହାୟତାକୁ ଉପଲବ୍ଧି କରି ଆର୍ତ୍ତନାଦକୁ ବହୁ ଦୂର ଯାଏ ବାହି ନେଉଥିଲେ। କିଛି ଲୋକ କୁକୁରଟାର କାନ୍ଦଣା ଶୁଣିପାରୁଥିଲେ, ମନେମନେ ଆହା ଚୁଚୁ କରୁଥିଲେ। ପୁଣି କିଛି ଲୋକ ଦରଦ ଦେଖାଇ ଭାବୁଥିଲେ- ‘‘ଆହା! ପୋଷା କୁକୁରଟାକୁ ଏକୁଟିଆ ଛାଡ଼ିଦେଇ କେମିତି ପଳେଇଛନ୍ତି ଘରଲୋକ! ଏଗୁଡ଼ା କ’ଣ ମଣିଷପଣିଆ!!’’

ତେଣେ ଚେନ୍ନାନ୍‌ର ମନେପଡ଼ିଗଲା ନିଜ କୁକୁର କଥା। ସବୁଦିନ ସେ ଖାଇସାରିବା ପରେ ଗୁଳାଏ ଭାତ କୁକୁର ମୁହଁରେ ଦିଏ। ସେ ଖାଇ ବସିଥିଲା ଆଉ ଭାବୁଥିଲା ସେକଥା। ଏଣେ କୁକୁରଟାର ଭୁକିବା ଶବ୍ଦ ଅଧିକ ଦୀର୍ଘ ଓ ତୀବ୍ର ହେଉଥିଲା। ହଠାତ୍ ଘଡ଼ିକ ପାଇଁ ଥମିଗଲା ସେ। ଦୂରରୁ କେହି ଜଣେ ସୁଲଳିତ କଣ୍ଠରେ ରାମାୟଣ ପାଠ କରୁଥିଲା। ସେଇ ଆଡ଼କୁ କାନ ଡେରିଲା, ଆଉ କିଛି ସମୟ ନିରବିଗଲା। ପୁଣି ସବୁ ଶକ୍ତି ଖଟେଇ ଚିତ୍କାର ଆରମ୍ଭ କଲା, ସତେ ଯେମିତି ମଣିଷର ବେଦରଦପଣିଆ ଯୋଗୁ ତା’ ଛାତି ଚିରି ହୋଇଯାଉଛି। ରାତିର ନିରବତାକୁ ଭାଙ୍ଗି ପବନରେ ପ୍ରତିଧ୍ବନିତ ହେଉଥିଲା ରାମାୟଣର ପଙ୍‌କ୍ତି। ବେସାହାରା କୁକୁରଟା ପୁଣି କାନଡେରି ଶୁଣିଲା ରାମାୟଣ। ତା’ ଶରୀରରେ ଯେଭଳି ଶ୍ବାସପ୍ରଶ୍ବାସ ନଥିଲା, ନିସ୍ପନ୍ଦ ହୋଇ ଠିଆହୋଇ ଶୁଣୁଥିଲା। ରାତି‌େର ଶିରିଶିରି ହୋଇ ବହୁଥିଲା କାଲୁଆ ପବନ। ରାମାୟଣର ସୁମଧୁର ପଙ୍‌କ୍ତି ସବୁକୁ ଭସାଇ ନେଉଥିଲା ଦୂରକୁ, ବହୁ ଦୂରକୁ। କିଛି ସମୟ ପରେ ପୁଣି ଛାଇଗଲା ନିରବତା, କେବଳ ଶୁଭୁଥିଲା ପବନର ସାଇଁସାଇଁ ଶବ୍ଦ। କୁକୁରଟା ଭୁକିଭୁକି ନିସ୍ତେଜ ହୋଇପଡ଼ିଥିଲା।

ରାତି ପାହିଲା, କିନ୍ତୁ ପାଣି କମିବାର ଚିହ୍ନବର୍ଣ୍ଣ ନ ଥାଏ। ମଧ୍ୟାହ୍ନ ବେଳକୁ ତା’ ନଜର ପଡ଼ିଲା ଗୋଟାଏ ଛୋଟ ଡଙ୍ଗାରେ ଦୁଇଜଣ ଆସୁଛନ୍ତି। ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଭୁକିବା ଆରମ୍ଭ କଲା ସେ। ଲାଙ୍ଗୁଡ଼ ହଲେଇ ସ୍ନେହ ଜଣାଇଲା। ସେ ଟିକିଏ ଆଗକୁ ଯାଇ ଡଙ୍ଗା ଭିତରକୁ ଡେଇଁବା ଲାଗି ନିଜକୁ ପ୍ରସ୍ତୁତ କଲା। ସେମାନଙ୍କ ଭିତରୁ ଜଣେ ଚିତ୍କାର କଲା- ‘‘ଏଇ ଦେଖ ସେ ପାଣି ଭିତରେ ଗୋଟେ କୁକୁର ରହିଯାଇଛି।’’ ଲୋକଟିର କଥା ଯେମିତି ବୁଝିପାରିଲା କୁକୁର, କୃତଜ୍ଞତା ଜଣାଇ ଲାଙ୍ଗୁଡ଼ ହଲାଇଲା। ଆରଜଣକ କହିଲା- ‘‘ଚାଲ ତାକୁ ନେଇଯିବା।’’ ବଞ୍ଚିବାର ଆଶା ପାଇଗଲା କୁକୁର। ଡଙ୍ଗା ଭିତରକୁ ଡେଇଁ ପଡ଼ିବାକୁ ବାରମ୍ବାର ଚେଷ୍ଟା କଲା ସେ। କିନ୍ତୁ ପାଣି ସୁଅରେ ଡଙ୍ଗାଟା ତା’ଠାରୁ ଦୂରକୁ ଚାଲିଗଲା। ପୁଣି ଆକୁଳ ଆ‌େବଦନ କଲା ସେ। ଭୁକିଲା, ଲାଙ୍ଗୁଡ଼ ହଲାଇଲା, ମୁଣ୍ଡ ଉପରକୁ କରି ଡେଇଁଲା। ଡଙ୍ଗାର ନାଉରିଆ ମୁହଁ ଫେରାଇ ତାକୁ ଚାହିଁଲା ମୁହୂର୍ତ୍ତକ ପାଇଁ। ଡଙ୍ଗାଟା ସେମିତି ଦୂରକୁ ଦୂରକୁ ଭାସି ଚାଲିଥିଲା। କୁକୁରଟାର ବୁକୁଫଟା ଚିତ୍କାର, ଆକୁଳ ଆ‌େବଦନ ଉଛୁଳା ପାଣିର ପିଠିରେ ବାଜି ପବନରେ ମିଳାଇ ଯାଉଥିଲା। ତା’ ମନରେ ଚେଇଁ ଉଠିଥିବା ଆଶା ଟିକକ ପାଣିଫୋଟକା ପରି ମିଳାଇଗଲା। ଡଙ୍ଗା ଦୃଷ୍ଟି ଆଢୁଆଳରୁ ଯିବା ପର୍ଯ୍ୟନ୍ତ ନିଶ୍ଚଳ ହୋଇ ତାକୁ ଚାହିଁ ରହିଥିଲା ସେ। କୁଡ଼ିଅାର ଛପରର ଶୀର୍ଷକୁ ଉଠିଯାଇ ପୁଣି ଭୁକିଉଠିଲା କୁକୁରଟା। ସତେ ଯେମିତି ସେ ସ୍ବଗତୋକ୍ତି କରୁଥିଲା, ବଞ୍ଚିଥିଲା ପର୍ଯ୍ୟନ୍ତ ଏ ମଣିଷଗୁଡ଼ାଙ୍କୁ କେବେ ବି ଭଲପାଇବି ନାହିଁ। ଥଣ୍ଡା ପାଣି ଟିକିଏ ପିଇଗଲା ସେ। ଆକାଶରେ ଉଡୁଥିବା ପକ୍ଷୀଗୁଡ଼ାଙ୍କୁ ଚାହିଁଲା। କିଛି ଦୂରରେ ପାଣି ସୁଅରେ ପହଁରୁଥିବା ସାପଟାକୁ ବି ଦେଖିଲା। ଚାହୁଁଚାହୁଁ ଚାଳ କଣାକରି ଯେଉଁ ବାଟେ ଚେନ୍ନାନ୍ ତା’ ପରିବାର ଲୋକଙ୍କୁ ଡଙ୍ଗାକୁ ଚଢ଼ାଇଥିଲା ସେ ବାଟ ଧରି ସାପଟା କୁଡ଼ିଆ ଭିତରକୁ ପଶିଗଲା। ସମସ୍ତେ ଖୋଜୁଥିଲେ ସୁରକ୍ଷିତ ସ୍ଥାନ। ସବୁ ଦେଖୁଥିଲା କୁକୁରଟା, ହେଲେ କିଛି ପ୍ରତିକ୍ରିୟା ନଥିଲା। ଆସନ୍ନ ମୃତ୍ୟୁର ଭୟ ତାକୁ କ୍ରମେ ଆବୋରି ବସୁଥିଲା, ଜୀବନ ସଂଗ୍ରାମ ସେ ହାରିଯାଉଥିଲା। ଉପାସରେ ଆଉ କେତେ ବା ଲଢ଼ିବ! ତଥାପି ସେ ପୁଣି ଭୁକିଲା ଜୋର୍‌ରେ। କେହି ହେଲେ ତା’ ଦୁଃଖ ବୁଝନ୍ତେ! ବୁଝିବାରେ ବି ଅସୁବିଧା ନାହିଁ, ବଞ୍ଚିବା ଲାଗି ଆର୍ତ୍ତ ଚିତ୍କାରର ଭାଷା ସାର୍ବଜନୀନ।

ପୁଣି ଝଡ଼ବର୍ଷା ଆରମ୍ଭ ହୋଇଗଲା। ତା’ କୋପରେ ଦୋହଲିବାକୁ ଲାଗିଲା ଛପରଟା। ଘରର ଚାରିକାନ୍ଥ ବି ପାଣି ମାଡ଼ରେ ‌େନ‌େସମି ଯାଉଥିଲା। କୁକୁରଟାର କାନରେ ପଡ଼ିଲା ମଣିଷର କଣ୍ଠସ୍ବର- ‘‘ଏଇଠି କେଉଁଠି ବୋଧେ କୁକୁରଟେ କାନ୍ଦୁଛି। ଏ ଘରର ଲୋକ ‌େବାଧେ ସଙ୍ଗରେ ନେଇନାହାନ୍ତି!’’ ବାଡ଼ିର କଦଳୀ ଗଛ ପାଖଦେଇ ଯାଉଥିବା ଡଙ୍ଗାରେ ଦୁଇଜଣ କଥାବାର୍ତ୍ତା ହେଉଥିଲେ। ଡଙ୍ଗାଟା କଦଳୀ କାନ୍ଦି, ନଡ଼ିଆ ଓ ନଡ଼ାରେ ଭର୍ତ୍ତି ହୋଇଥିଲା। କୁକୁରଟା ପାଣି ପାଖକୁ ଚାଲିଯାଇ ଜୋର୍‌ରେ ଭୁକିବାକୁ ଲାଗିଲା। ସେମାନଙ୍କ ମଧ୍ୟରୁ ଜଣେ ଚେନ୍ନାନ୍‌ର କଦଳୀ ଗଛ ପାଖରେ ପହଞ୍ଚି ଯାଇଥିଲା। ଅନ୍ୟଜଣକ ତାକୁ କହିଲା- ‘‘ସାବଧାନ, କୁକୁରଟା ବୋଧେ ଡେଇଁପଡ଼ିବ ଡଙ୍ଗାକୁ।’’ସେ ଏତିକି କହୁକହୁ କୁକୁରଟା ଡିଆଁ ମାରିଦେଲା। କଦଳୀ ଗଛକୁ ହାତ ବଢ଼ାଉଥିବା ଲୋକଟା ପାଣିକୁ ଖସିପଡ଼ିଲା। ଆରଜଣକ ତାକୁ ହାତଦେଇ ପାଣିରୁ ଉଠାଇ ଆଣିଲା। ତେଣେ କୁକୁରଟା ପହଁରି ପହଁରି ଛପରର ମଥାନକୁ ପଳାଇ ଆସିଲା। ସେମାନେ ଦୁଇଟା କଦଳୀ ଗଛରେ ଫଳିଥିବା କାନ୍ଦିଗୁଡ଼ାକ କାଟିନେଇ ଡଙ୍ଗାରେ ଲଦିଲେ। କୁକୁରକୁ ଜୋର୍‌ରେ ଭୁକୁଥିବା ଦେଖି ଜଣେ କହିଲା- ‘‘ରହ ରହ ତୋ କଥା ଆମେ ବୁଝୁଛୁ।’’ ଗୋଟାଏ ଚୋର ଡଙ୍ଗାରୁ ଓହ୍ଲାଇ ଚାଳ ଉପରେ ଚଢ଼ିଲା। ଯେମିତି ସେ ପାଖକୁ ଆସିଛି କୁକୁରଟା ତା’ ଗୋଡ଼କୁ କାମୁଡ଼ି ପୁଳାଏ ମାଂସ ନେଇଗଲା। ଯନ୍ତ୍ରଣାରେ ଲୋକଟା ଡଙ୍ଗାକୁ ଦୌଡ଼ି ପଳାଇଲା। ଡଙ୍ଗାରେ ଥିବା ଲୋକଟା କାତରେ କୁକୁରର ମୁଣ୍ଡରେ ଜୋର୍‌କରି ପାହାରଟେ ପକାଇଲା। କୁକୁରଟା ଯନ୍ତ୍ରଣାରେ ଭୁକିଲା, କିନ୍ତୁ ତା’ର ସ୍ବର ଥିଲା ଅତ୍ୟନ୍ତ କ୍ଷୀଣ। ତେଣେ କୁକୁର କାମୁଡ଼ା ଖାଇଥିବା ‌େଲାକଟା ଯନ୍ତ୍ରଣାରେ ଚିତ୍କାର କରୁଥିଲା। ସେତେବେଳକୁ ମଝିରାତି। ଗୋଟାଏ ବଡ଼ ମଲାଗାଈ ଭାସି ଭାସି ଆସି କୁଡ଼ିଆ ନିକଟରେ ଲାଗିଲା। କୁକୁରଟା ତା’ ପାଖକୁ ଆସି ଦେଖିଲା, କିନ୍ତୁ ତା’ ଉପରକୁ ଚଢ଼ିବା ଲାଗି ସାହସ କୁଳାଉ ନଥିଲା ତା’ର। ଏଣେ ପେଟରେ ଭୋକ। କ୍ରମେ ଶବଟା ପଚି ଖ‌ଣ୍ଡ ଖଣ୍ଡ ହୋଇ ଭାସିବା ଆରମ୍ଭ କଲା। କୁକୁରଟା ଶେଷରେ ଶବ ଉପରକୁ କୁଦାମାରି ମେଞ୍ଚାଏ ମାଂସ କାମୁଡ଼ି ଧରିଲା।

ହଠାତ୍ ଉଭାନ୍ ହୋଇଗଲା କୁକୁରଟା। ତେଣେ ଗାଈର ପଚା ମୃତଦେହଟା ବି ପାଣିରେ ବୁଡ଼ିଗଲା। ଏହାପରେ କେବଳ ଶୁଣାଗଲା ପବନର ସୁ ସୁ ଗର୍ଜନ ଆଉ ବେଙ୍ଗମାନଙ୍କର ସମୂହ ରଡ଼ି। ପାଣି ଲହଡ଼ିମାରି ନଈକୁ ଗଡୁଥିଲା। କୁକୁରଟା ପୂରା ନିରବ, ତା’ର ବୁକୁଫଟା ଚିତ୍କାର କି ଆକୁଳ କାନ୍ଦଣା ବନ୍ଦ ହୋଇଯାଇଥିଲା। ଚେନ୍ନାନ୍‌ର କୁଡ଼ିଆଟା ବି ପାଣି ଭିତରେ କେଉଁଅାଡ଼େ ମିଳାଇଗଲା। ନିଜର ମୃତ୍ୟୁ ପର୍ଯ୍ୟନ୍ତ ପୋଷା କୁକୁରଟା ତା’ ମାଲିକର ସମ୍ପତ୍ତିକୁ ଜଗି ରହିଥିଲା। ଏବେ ସେ କୁମ୍ଭୀରର ଖାଦ୍ୟ ପାଲଟିଯିବ ଆଉ ମାଲିକର ଘର ବି ତ ନାହିଁ, ସେ କାହାକୁ ବା ଜଗିଥାଆନ୍ତା! ଧୀରେଧୀରେ ପାଣି କମିଲା। ଚେନ୍ନାନ୍ ପହଁରି ପହଁରି ତା’ କୁଡ଼ିଆ ନିକଟକୁ ଆସିଲା ଖାସ୍ ତା’ ପୋଷା କୁକୁରଟାକୁ ଦେଖିବା ପାଇଁ। ଗୋଟାଏ ବଡ଼ ନଡ଼ିଆ ବାହୁଙ୍ଗା ତଳେ ଚାପିହୋଇ ପଡ଼ିଥିଲା ଗୋଟାଏ ମଲା କୁକୁର, ତା’ ଶରୀରରେ ପୋକ ଲାଗିଯାଇଥିଲା। ଇଏ ତା’ କୁକୁର ନୁହେଁ ତ! ଚିହ୍ନଟ କରିବା ପାଇଁ ଚେନ୍ନାନ୍ ଓଲଟାଇଦେଲା ମଲା କୁକୁରଟାକୁ। ଗୋଟାଏ କାନ ନଥିଲା। ହୁଏତ କୁମ୍ଭୀରଟେ କାମୁଡ଼ି ଖାଇଦେଇଥାଇପାରେ। ତା’ ଚମଡ଼ା ବି ପଚି କଦାକାର ହୋଇଯାଇଥିଲା। ମାଲୁମ ପଡୁ ନଥିଲା ତା’ ଦେହର ରଙ୍ଗ। ଏଇଟା ତା’ କୁକୁରର ଶବ କି ନାହିଁ ଠଉରାଇ ପାରୁ ନଥିଲା ଚେନ୍ନାନ୍।

‘ସ୍ବସ୍ତିପ୍ରଭା’, ଶାସନପଡ଼ିଆ,
ପୁରୁଣା ଭୁବନେଶ୍ବର