ଈଶ୍ବରଙ୍କ ସୃଷ୍ଟିରେ ଏକ ଅନୁପମ ଅବଦାନ ହେଉଛି ଫୁଲ। ଫୁଲର ସୌନ୍ଦର୍ଯ୍ୟ, ସୁଗନ୍ଧ ଓ ଉପକାରିତା ଅଲଗା ଅଲଗା। ଫୁଲଗଛଟିଏ ଲଗାଇବା, ଠାକୁରଙ୍କୁ ଫୁଲଟିଏ ଦେବା ଏବଂ ଫୁଲ ଗଛ ଲଗାଇ ରୋଗ ଭଲ କରିବା ବା ବ୍ୟବସାୟ କରିବା ସବୁଥିରୁ ଆନନ୍ଦ ମିଳେ।

Advertisment

ଗୋଲାପ

ଫୁଲରାଣୀ ଗୋଲାପର ରୂପ ଯେମିତି, ଗୁଣ ସେମିତି। ପ୍ରେମରେ ପଡ଼ିଥିବା ପୁଅଝିଅମାନଙ୍କ ପାଖରେ ନାଲି ଗୋଲାପ ଫୁଲର ଚାହିଦା କାହିଁରେ କ’ଣ! ‘ରୋଜ୍‌ ଡେ’ରେ ପ୍ରିୟଜଣଙ୍କୁ ଗୋଲାପ ଫୁଲ ଉପହାର ଦେବା ଏବେ ଫ୍ୟାସନ୍‌ ହୋଇଗଲାଣି। ବନ୍ଧୁମାନଙ୍କୁ ହଳଦିଆ ଗୋଲାପ ଦେଇ କେହି କେହି ଖୁସି ହୁଅନ୍ତି। ବାହାଘରରେ ବର କନ୍ୟାଙ୍କ ବରମାଳାରେ ଗୋଲାପ କଢ଼ ସବୁବେଳେ ସମସ୍ତଙ୍କର ପସନ୍ଦ। କନ୍ୟାର କେଶ ସଜ୍ଜାରେ ବି ଥାଏ ଗୋଲାପର ସ୍ତବକ। ଗୋଲାପ ଫୁଲର ଜଳକୁ କେବଳ ମୁହଁର ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଖାଦ୍ୟ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ପାନ ମସଲା ଗୁଲକନ୍ଦ୍‌ର ତିଆରିରେ ଶୁଖିଲା ପାଖୁଡ଼ା ମିଶାଯାଏ। ସୁଆଦିଆ ପଲଉରେ ମଧ୍ୟ ଗେଲାପ ଫୁଲ ପାଖୁଡ଼ା ମିଶାଯାଏ। ଗୋଲାପ ଜଳର ବ୍ୟବହାର ତ୍ବଚାରେ ଏକ ସତେଜତା ଆଣିଦେଇଥାଏ ଏବଂ ମୁହଁର ଚମକ ମଧ୍ୟ ବଢ଼ାଇଥାଏ। ଏହି ଜଳ ଆପଣ ନିଜେ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଗାଧୁଆ କୁଣ୍ଡରେ ତଟକା ଗୋଲାପ ପାଖୁଡ଼ା ପକେଇ ସ୍ନାନ କଲେ ସତେଜ ଲାଗେ। ପାରମ୍ପରିକ ଚାଇନିଜ୍ ମେଡିସିନ୍‌ରେ ଶହଶହ ବର୍ଷ ଧରି ରୋଜ୍‌ ଟି କୁ ଋତୁସ୍ରାବ ସମୟର ଯନ୍ତ୍ରଣାକୁ କମ୍‌ କରିବା ପାଇଁ, ଆଣ୍ଟିଡିପ୍ରେସାଣ୍ଟ୍‌ ଡ୍ରିଙ୍କ୍, ଷ୍ଟ୍ରେସ୍ ଫ୍ରି ଡ୍ରିଙ୍କ୍ ତଥା ମାନସିକ ଶାନ୍ତି ପାଇଁ ବ୍ୟବହାର କରାଯାଇଛି। ଏହା ପ୍ରାକୃତିକ ଉପାୟରେ କ୍ୟାଫେନ୍ ଫ୍ରି ହୋଇଥିବାରୁ ମନକୁ ଶାନ୍ତ ରଖେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଶରୀରକୁ ଫ୍ରି-ରାଡିକଲ୍ସରୁ ରକ୍ଷା କରେ ଏବଂ ଆଣ୍ଟିଇନ୍‌ଫ୍ଲାମେଟୋରୀ ପଦାର୍ଥ ଭାବରେ କାମ କରେ। ସେହିପରି ଏଥିରେ ଥିବା ପଲିଫେନୋଲ୍‌ କିଛି ପ୍ରକାର କ୍ୟାନ୍‌ସର୍‌, ହୃଦ୍‌ରୋଗ, ମଧୁମେହ ଓ ମସ୍ତିଷ୍କର ଡିଜେନେରେସନ୍‌ରୁ ରକ୍ଷାକରେ। ଏଥିରେ ଥିବା ଗ୍ୟାଲିକ୍ ଏସିଡ୍, କିମ୍ଫେରୋଲ୍ ଓ କ୍ୟୁର୍ସେଟିନ୍ ପରି ପଦାର୍ଥ କ୍ୟାନ୍‌ସର୍‌ ବିରୋଧୀ, ଆଣ୍ଟିଇନ୍‌ଫ୍ଲାମେଟୋରୀ ଏବଂ ଏହା ସ୍ମରଣଶକ୍ତି ବଢ଼ାଏ। ଏଥିରେ ଥିବା ଆନ୍ଥୋସିଆନିନ୍ସ ଆଖି ଓ ମୂତ୍ରନଳୀକୁ ସୁସ୍ଥ ରଖେ।

ଗେଣ୍ଡୁ

ଘର ଅଗଣାରୁ ଫୁଲ ଦୋକାନ ସବୁଠି ସହଜରେ ଆପଣ ଗେଣ୍ଡୁଫୁଲ ପାଇପାରିବେ। ଗୁରୁବାର ଲକ୍ଷ୍ମୀପୂଜାଠୁ ପେଣ୍ଡାଲ୍‌ ସଜା ଗେଣ୍ଡୁଫୁଲକୁ ଆଗ ଖୋଜାଯାଏ। ଏଇ ଫୁଲ ସହଜରେ ମଉଳେ ନାହିଁ। ଏହାର ଚାଷ, ରକ୍ଷଣାବେକ୍ଷଣ ମଧ୍ୟ ଖୁବ୍‌ ସହଜ। ମାରିଗୋଲ୍ଡ ବା ଗେଣ୍ଡୁ ଫୁଲ ଭାରତରେ ବହୁଳ ମାତ୍ରାରେ ଉପଲବ୍ଧ। ଏହା ବିଶେଷ କରି ଶୀତ ଋତୁରେ ଅଧିକ ଅମଳ ହୋଇଥାଏ ହେଲେ ଏବେ ବର୍ଷସାରା ମିଳୁଛି। ଏଥିସହ, ମାରିଗୋଲ୍ଡ ତେଲରେ ଆଣ୍ଟି-ଇନ୍‌ଫ୍ଲାମେଟୋରି ପ୍ରଭାବ ରହିଛି। ଏହି ଫୁଲକୁ ଚର୍ମ ଶୁଷ୍କତା ଦୂର କରିବା ପାଇଁ ବ୍ୟବହାର କରାଯାଇପାରେ। ଏଥିରେ ଆପଣ ଚା ମଧ୍ୟ ପ୍ରସ୍ତୁତ କରିପାରିବେ। ଅଧ କପ୍‌ ଫୁଲକୁ ଅଧ କପ୍‌ ଫୁଟୁଥିବା ପାଣି ସହିତ ମିଶାଇ ଚା ତିଆରି କରିପାରିବେ। ଏହାର ପତ୍ରଗୁଡ଼ିକୁ ଶିଶୁର ସ୍ନାନରେ ମଧ୍ୟ ବ୍ୟବହାର କରାଯାଇପାରେ। ଗୋଡ଼ ହାତ ଖଣ୍ଡିଆ ହୋଇଗଲେ ଗାଁ ଗହଳିରେ ଗେଣ୍ଡୁପତ୍ରକୁ ଦଳି ତାର ରସ ଲଗାଇଦେଲେ କ୍ଷତ ଶୁଖିଯାଏ। ଆଜି ଦେଶର ପାଖାପାଖି ୧୦୦୦୦ ଏକର କ୍ଷତରେ ୪୫୦୦୦ ଟନ୍ ଗେଣ୍ଡୁ ଫୁଲ ଅମଳ କରି ପାଖାପାଖି ୯୦୦୦ ଚାଷୀ ପରିବାର ବାର୍ଷିକ ଏକର ପିଛା ୨-୩ ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି। କ୍ୟାରୋଟିନ୍ସ ଓ କ୍ୟାରୋଟିନୋଏଡ୍ ଯୋଗୁଁ ଗେଣ୍ଡୁ ଫୁଲଟି ସୁନ୍ଦର ହଳଦିଆ ରଙ୍ଗର ହୋଇଥାଏ। ଏହି ଦୁଇଟି ପଦାର୍ଥ ଭିଟାମିନ୍‌-ଏ ତିଆରିରେ ସାହାଯ୍ୟ କରନ୍ତି, ଯାହା ଚର୍ମ ଓ ଚକ୍ଷୁର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏଥିରେ ଥିବା ଲ୍ୟୁଟେଇନ୍ ନାମକ କ୍ୟାରୋଟିନୋଏଡ୍, ଆଣ୍ଟିଇନ୍‌ଫ୍ଲାମେଣ୍ଟୋରି ଗୁଣ ଯୋଗୁଁ ଆଖିକୁ ସୂର୍ଯ୍ୟକିରଣରୁ ସୁରକ୍ଷା ଦିଏ ଏବଂ ବୟସାଧିକ କାରଣରୁ ଦେଖାଯାଉଥିବା ମ୍ୟାକୁଲାର୍ ଡିଜିଜ୍, ଦୃଷ୍ଟିଶକ୍ତି କ୍ଷୀଣ ହେବାରୁ ବଞ୍ଚାଏ।

publive-image

ମଲ୍ଲୀ

ସାଧାରଣତଃ ଖରାଦିନେ ମଲ୍ଲୀଫୁଲ ଫୁଟେ। ଏଇ ଛୋଟିଆ ଧଳା ଫୁଲଟିର ବାସ୍ନା ବେଶ୍‌ ମୋହକ। ସ୍ତ୍ରୀ ଲୋକମାନେ ଗଭାରେ ମଲ୍ଲୀମାଳର ଗଜରା ପିନ୍ଧନ୍ତି। ‘ମଲ୍ଲୀମାଳ ଶ୍ୟାମକୁ ଦେବି, ମନ ତୋଷିବି’ ଅନେକଙ୍କର ଏକ ପ୍ରିୟ ଗୀତ। ମଲ୍ଲୀ ବା ଜସ୍ମିନ୍‌ ଫୁଲର ଉପକାରିତା ମଧ୍ୟ ବେଶ୍‌ ନିଆରା। ଏଥିରେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ଯଥା ଫେସ୍ କ୍ରିମ୍, ଲୋସନ୍‌, ସାବୁନ ଓ ତେଲ ଇତ୍ୟାଦି ତିଆରି ହୁଏ। ଫୁଲ ପାଖୁଡ଼ାଗୁଡ଼ିକୁ ଗୋଟିଏ ରାତି ପାଣିରେ ଭିଜାଇ ଏହାର ଏକ ସ୍ପ୍ରେ ମଧ୍ୟ ପ୍ରସ୍ତୁତ କରିପାରିବେ ଏବଂ ଫ୍ରିଜରେ ରଖି ପ୍ରତିଦିନ ଏକ ସପ୍ତାହ ପାଇଁ ନିଜ ଚର୍ମରେ ବ୍ୟବହାର କରିପାରିବେ। ଏହାଦ୍ବାରା ଚର୍ମରେ ବେଶ୍‌ ପରିବର୍ତ୍ତନ ମଧ୍ୟ ଆସିବ। ନାଁରୁ ହିଁ ଜସ୍‌ମିନ୍ ଟି’ ନିଜ ସୁଗନ୍ଧ ପାଇଁ ବେଶ ଆଦୃତ ଥିବ ବୋଲି ଆପଣ ଅନୁମାନ କରିପାରୁଥିବେ। ମଲ୍ଲୀ ଫୁଲ ଚା’ରେ ପଲିଫେନୋଲ୍‌ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ ଫ୍ରି-ରାଡିକଲ୍‌ରୁ ରକ୍ଷା କରି ହୃଦ୍‌ରୋଗ ଓ କ୍ୟାନ୍‌ସର୍‌ରୁ ସୁରକ୍ଷା ଦିଏ। ଏଥିରେ ଥିବା ଇଜିସିଜି ନାମକ ପଲିଫେନୋଲ୍‌ ଏଲ୍‌ଡିଏଲ୍ (ବ୍ୟାଡ୍ କୋଲେଷ୍ଟୋରଲ୍‌)ର ଅକ୍ସିଡେସନ୍‌କୁ ରୋକିଥାଏ, ଯାହା ହୃଦ୍‌ରୋଗର ଆଶଙ୍କା କମାଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ଗୁଡ଼ିକ ଆଣ୍ଟିଇନ୍‌ଫ୍ଲାମେଟୋରିକାରୀ ଓ ଫ୍ୟାଟ୍‌ ବା ଲିପିଡ୍‌ର ମାତ୍ରା କମ କରିଥାନ୍ତି। ଶରୀରରେ ମେଟାବୋଲିଜିମ୍‌କୁ ତୀବ୍ର କରି ମେଦବହୁଳତାକୁ ନିୟନ୍ତ୍ରଣ କରେ। ମୁଖଗହ୍ୱରକୁ ସଫା ରଖି ଦନ୍ତକ୍ଷୟରୁ ସୁରକ୍ଷା ଦିଏ। ମଲ୍ଲୀ ଫୁଲ ଚା’ ମନକୁ ଶାନ୍ତ କରେ, ଚିନ୍ତା ଦୂର କରେ ଓ ସୁଖନିଦ୍ରା ପ୍ରଦାନ କରେ। କିନ୍ତୁ ଜସ୍‌ମିନ୍ ଗ୍ରୀନ୍ ଟି ରେ କ୍ୟାଫେନ୍ ଥିବା କାରଣରୁ ଏହା ମସ୍ତିଷ୍କକୁ ସଜାଗ ରଖେ ଏବଂ ଡୋପାମାଇନ୍ ତଥା ସେରୋଟୋନିନ୍ ପରି ହରମୋନ୍‌ କ୍ଷରଣ କରି ମନକୁ ଶାନ୍ତ ରଖେ।

ପଦ୍ମ

ମା’ ଲକ୍ଷ୍ମୀଙ୍କ ହାତରେ ଶୋଭାପ‌ାଏ ପଦ୍ମଫୁଲ। ସୁନ୍ଦରତା, କୋମଳତା ଓ ଦିବ୍ୟତାର ପ୍ରତୀକ ହେଉଛି ଏହି ଫୁଲ। ପଦ୍ମଫୁଲ ମଞ୍ଜିରୁ ପ୍ରସ୍ତୁତ ହୁଏ ‘ମଖ୍‌ନା’। ଏହା ପାଟିକୁ ସୁଆଦିଆ ଲାଗିବା ସହିତ ଦେହ ପାଇଁ ମଧ୍ୟ ହିତକର। ସେମିତି ‘ପଦ୍ମନାଡ଼/ ନାଦ୍‌ରୁ’ ଗୋ‌ଟେ ଲୋକପ୍ରିୟ ପରିବା ର ବିକଳ୍ପ ଭାବରେ ବ୍ୟବହାର ହୁଏ। ଏଥିରୁ ଅନେକ ସୁଆଦିଆ ବ୍ୟଞ୍ଜନ ଓ ଆଚାର ଆଦି ପ୍ରସ୍ତୁତ ହୁଏ। ଏହି ଫୁଲରେ ପ୍ରଚୁର ପରିମାଣରେ ଭିଟାମିନ୍‌ ରହିଥାଏ, ଯାହା ତ୍ବଚାକୁ ଆର୍ଦ୍ର ରଖିବାରେ ସାହାଯ୍ୟ କରେ। ତା’ଛଡ଼ା ଏଥିରେ ଆଣ୍ଟି ଏଜିଙ୍ଗ୍‌ ଗୁଣ ବି ରହିଥାଏ। ତେଣୁ ପଦ୍ମ ଫୁଲର ପାଖୁଡ଼ାକୁ ସବୁଦିନ ବାଟି ଲଗାଇବା ଫଳରେ ବୟସର ଛାପ ଦୂର ହେବା ସହିତ ବ୍ରଣ ସମସ୍ୟା ମଧ୍ୟ କମିଥାଏ। ତେବେ ପଦ୍ମ ମଧୁର ଦାମ୍‌ ମଧ୍ୟ ବେଶ୍‌ ଅଧିକ। ଚାପ ଓ ଚିନ୍ତାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ପଦ୍ମ ଫୁଲ ବ୍ୟବହାର କରିପାରିବେ। ଆୟୁର୍ବେଦ ଅନୁଯାୟୀ, ନ୍ୟୁସିଫେରିନ୍‌ ଓ ଆପୋମର୍ଫାଇନ୍ ନାମକ ଦୁଇଟି ଯୌଗିକ ପଦ୍ମ ଫୁଲରେ ମିଳିଥାଏ। ଯାହା ଆପଣଙ୍କ ମନକୁ ସିଧାସଳଖ ପ୍ରଭାବିତ କରିଥାଏ ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଆୟୁର୍ବେଦରେ ପଦ୍ମ ଫୁଲ ଅନେକ ଉପାୟରେ ବ୍ୟବହୃତ ହୁଏ। ଶୀତଦିନେ ଶୁଖିଲା କେଶରେ ପଦ୍ମ ତେଲ ଲଗାଇଲେ ଆପଣଙ୍କ କେଶ ସୁସ୍ଥ ଓ ମୋଟା ହୋଇପାରେ। ଯଦି ଆପଣ ଚାହାଁନ୍ତି, ଆପଣ ଆଣ୍ଟିଅକ୍ସିଡାଣ୍ଟ୍‌ରେ ଭରପୁର ନୀଳ ପଦ୍ମ ଫୁଲକୁ ଡାଏଟ୍‌ରେ ଅନ୍ତର୍ଭୁକ୍ତ କରିପାରିବେ। ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇଆସୁଛି ଏବଂ ଏହା ମଧ୍ୟ ଯନ୍ତ୍ରଣା ଉପଶମକାରୀ।

ସୂର୍ଯ୍ୟମୁଖୀ

ଦାଉ ଦାଉ ସୂର୍ଯ୍ୟକିରଣ ପରି ଗାଢ଼ ହଳଦିଆ ଏଇ ଫୁଲଟି ଦିନସାରା ସତେକି ସୂର୍ଯ୍ୟଙ୍କ ଆଡ଼କୁ ହିଁ ନିଘା ରଖିଥ‌ାଏ। ଦେଖିବାକୁ ଏହି ଫୁଲ ଯେତିକି ସୁନ୍ଦର ତା’ର ପାଖୁଡ଼ା ଓ ମଞ୍ଜି ବି ସେତିକି ଦରକାରୀ। ଖରାଦିନରେ କିଛି ଲୋକଙ୍କ ଦେହରେ ସନ୍‌ବର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାକୁ ଦୂର କରିବା ପାଇଁ ସବୁଦିନ ଏହି ଫୁଲର ପାଖୁଡ଼ାକୁ ବାଟିକରି ଲଗାଇବା ଉଚିତ। ଧୀରେ ଧୀରେ ଏହି ସମସ୍ୟା ଦୂର ହୋଇଯିବ। ଏହି ଫୁଲର ମଞ୍ଜିକୁ ସୁପର୍‌ ଫୁଡ୍‌ ଭାବେ ଗଣାଯାଏ। ଏଥିରେ କ୍ୟାଲସିୟମ୍‌, ପ୍ରୋଟିନ୍‌, ଫାଇବର୍‌, ଫୋଲେଟ୍‌, ଜିଙ୍କ୍‌, ଆଇରନ୍‌, ଭିଟାମିନ୍‌ ଏ ଓ ଭିଟାମିନ୍‌ ବି୬ ମିଳିଥାଏ। ସୂର୍ଯ୍ୟମୁଖୀ ଫୁଲର ମଞ୍ଜିକୁ ରୋଷ୍ଟ କରି ଖାଇବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ। ଯାହାଦ୍ୱାରା ହାଡ଼ ସମ୍ବନ୍ଧୀୟ ଅନେକ ରୋଗ ଯେପରିକି, ବୋନ୍‌ ଡେନ୍‌ସିଟି କମ ହେବା, ଅର୍ଥରାଇଟିସ୍‌, ଅଷ୍ଟିଓଆଥ୍ରାଇଟିସ୍‌ ତଥା ଗଣ୍ଠି ଯନ୍ତ୍ରଣା ପରି ରୋଗ ଦୂର ହୋଇଥାଏ। ଖାଲି ସେତିକି ନୁହେଁ ସୂର୍ଯ୍ୟମୁଖୀ ଫୁଲ ସେବନରେ ହୃଦୟ ସହ ଜଡ଼ିତ ରୋଗ କମ ହୋଇଥାଏ। ଏଥିରେ ଥିବା ଭିଟାମିନ ସି, ଭିଟାମିନ ଏ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ରକ୍ତଚାପ, କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ। ଖାଦ୍ୟ ପ୍ରସ୍ତୁତିରେ ସୂର୍ଯ୍ୟମୁଖୀ ତେଲକୁ ଆଧୁନିକ ଭାରତୀୟ ଗୃହିଣୀମାନେ ଏବେ ବେଶ୍‌ ପସନ୍ଦ କରୁଛନ୍ତି।