ଇଥିଓପିଆରେ ଅଛନ୍ତି ସୁରୀ ନାମକ ଏକ ଆଦିବାସୀ ଜନଜାତି। ଏମାନେ ବାହ୍ୟ ଜଗତଠାରୁ ଦୂରେଇ ରୁହନ୍ତି। ହେଲେ ଆଜିକାଲି ନିଜର ଜୀବନଜୀବିକା ପାଇଁ ସେମାନେ ପର୍ଯ୍ୟଟକଙ୍କୁ ନିଜ ନିକଟତର ହେବାକୁ ଅନୁମତି ଦେଉଛନ୍ତି। ଫଳରେ ଏହି ଜନଜାତି ସମ୍ପର୍କିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଏହି ଜନଜାତିରେ ମହିଳାଙ୍କୁ ବହୁତ ସ୍ବାଧୀନତା ଦିଆଯାଇଥାଏ। ଏମାନେ ନିଜ ଜୀବନସାଥୀ ନିଜେ ବାଛିପାରିବାର ସ୍ବାଧୀନତା ଅଛି। ତା’ସହ ନିଜ ଇଚ୍ଛା ମୁତାବକ ସମ୍ପର୍କ ଭାଙ୍ଗି ମଧ୍ୟ ପାରିବେ। ଏହି ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଫୁଲ, ପତ୍ରକୁ ଗହଣାଭାବେ ବ୍ୟବହାର କରନ୍ତି। ଏହାସହ ଚେହେରାରେ ଧଳା, ହଳଦିଆ, ନାରଙ୍ଗି ରଙ୍ଗ ଲଗାଇ ତା’ଉପରେ ବିନ୍ଦି ଭଳି ଛୋଟ ଛୋଟ ଗୋଲାକାର ମୁଖଚିତ୍ରଣ କରନ୍ତି। ସୁରୀ ମହିଳାମାନେ ଫୁଲ ଓ ପତ୍ର ଦ୍ୱାରା ସଜାଇ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥା’ନ୍ତି।

Advertisment

ଏହାଦ୍ୱାରା ସେମାନେ ବହୁତ ସୁନ୍ଦର ଦେଖାଯାଇଥା’ନ୍ତି। ଆଉ ଏକ କଥା ଏହି ଜନଜାତିରେ ଚଉଡ଼ା ଓଠ ଥିବା ମହିଳାଙ୍କୁ ଅଧିକ ସୁନ୍ଦର ବୋଲି ଧରାଯାଏ। ତେଣୁ ଝିଅ ଟିକେ ବଡ଼ ହେବାମାତ୍ରେ ସେମାନଙ୍କ ତଳ ଦାନ୍ତରୁ ଦୁଇଟି ଭାଙ୍ଗି ଦିଆଯାଏ। ଆଉ ତଳ ଓଠକୁ କାଟି ତା’ ମଧ୍ୟରେ ମାଟି କିମ୍ବା କାଠର ଗୋଲାକାର ଡିସ୍କ ବା ପ୍ଲେଟ୍‌ ରଖି ଦିଆଯାଏ। ମାଟି ପ୍ଲେଟ୍‌ ଯେତେ ବଡ଼ ସେ ଝିଅ ସେତେ ସୁନ୍ଦର ଧରାଯାଏ। ଓଠ ପ୍ଲେଟ୍‌ର ସାଇଜ୍‌ ଅନୁସାରେ ଝିଅବାପା ପୁଅ ଘରକୁ ଯୌତୁକ ମାଗିଥା’ନ୍ତି। ଛୋଟ ପ୍ଲେଟ୍‌ ହୋଇଥିଲେ ଝିଅବାପା ୪୦ଟି ଗାଈ ମାଗନ୍ତି ଏବଂ ଓଠର ପ୍ଲେଟ୍‌ ବଡ଼ ହୋଇଥିଲେ ୬୦ଟି ଗାଈ ମାଗନ୍ତି। ଏହା ଅଜବ ଲାଗିଲେ ବି କାଳ କାଳ ଧରି ଏହି ପ୍ରଥା ଏଠାରେ ଚାଲିଆସିଛି। ସୁରୀ ଜନଜାତିର ଲୋକେ ପ୍ରାଣୀ ଚରାଇବା କାମ କରନ୍ତି। ଏମାନେ ସୁରମା ନାମରେ ବି ପରିଚିତ।