ସଂପ୍ରତି ବିଶ୍ବବ୍ୟାପୀ ଡ୍ରୋନ୍ ବ୍ୟବହାର ବ୍ୟାପକରୁ ବ୍ୟାପକତର ହେଉଛି। ଏହା ନିଃସନ୍ଦେହ ଯେ, ଭବିଷ୍ୟତରେ ଯୁଦ୍ଧରେ ଡ୍ରୋନ୍ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବ। ଉନ୍ନତ ପ୍ରଯୁକ୍ତି ଓ ବିକଶିତ କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ପରିଚାଳିତ ଲଢୁଆ ଡ୍ରୋନ୍ ଏବେ ବିଶ୍ବ ଅସ୍ତ୍ର ବଜାରର ସବୁଠାରୁ ଅଧିକ ଚାହିଦା ଥିବା ଶସ୍ତ୍ରରେ ପରିଣତ ହୋଇଛି। ଡ୍ରୋନ୍ରେ ଆକ୍ରମଣକାରୀ ପକ୍ଷର ମାନବିକ କ୍ଷୟକ୍ଷତିର ଆଶଙ୍କା ନ ଥିବାରୁ ସାମରିକ ବିଶେଷଜ୍ଞମାନେ ଏହା ଉପରେ ବିଶେଷ ଗୁରୁତ୍ବାରୋପ କରୁଛନ୍ତି। ୨୦୧୦ ବେଳକୁ ପ୍ରାୟ ୬୦ଟି ଦେଶର ସାମରିକ ଡ୍ରୋନ୍ ଥିଲା। ୨୦୧୯ ବେଳକୁ ଡ୍ରୋନ୍ଧାରୀ ଦେଶସଂଖ୍ୟା ୯୦କୁ ବୃଦ୍ଧି ପାଇଲା। ଆମେରିକାର ବାର୍ଡ କଲେଜସ୍ଥିତ ଡ୍ରୋନ୍ ଅଧ୍ୟୟନ କେନ୍ଦ୍ରର ସଂସ୍ଥାପକ ତଥା ସହ-ନିର୍ଦ୍ଦେଶକ ଡାନ୍ ଗେଟିଙ୍ଗର୍ କହନ୍ତି, ବିଶ୍ବର ୧୦୧ ଦେଶ ମଧ୍ୟରୁ ୯୫ ଦେଶ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ସକ୍ରିୟ ଅଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍, ଚୀନ୍ ଓ ଭାରତ ନିକଟରେ ପ୍ରଥମ ଓ ଦ୍ବିତୀୟ ପ୍ରଜନ୍ମର ଡ୍ରୋନ୍ ରହିଛି। ଏହାଛଡ଼ା, ଚୀନ୍ ନିକଟରେ ‘କାଇହଙ୍ଗ୍ ଫାଇଭ୍’ ବା ‘ରେନ୍ବୋ ଭାଇଭ୍’ ଭଳି ତୃତୀୟ ପ୍ରଜନ୍ମର ଡ୍ରୋନ୍ ମଧ୍ୟ ଅଛି। ସେହିପରି, ଆମେରିକା ବାୟୁସେନା ମଧ୍ୟ ‘ଆର୍କ୍ୟୁ-ଫୋର୍ ଗ୍ଲୋବାଲ୍ ହକ୍’ ଓ ‘ଏମ୍କ୍ୟୁ-ନାଇନ୍ ରିପର୍’ ଭଳି ଅତ୍ୟାଧୁନିକ ଓ ଘାତକ ଡ୍ରୋନ୍ ନିର୍ମାଣ କରାଇଛି। ପ୍ରଥମ ବର୍ଗୀୟ ଡ୍ରୋନ୍ର ଓଜନ ୧୫୦ କିଲୋଗ୍ରାମ୍ରୁ କମ୍ ଏବଂ ତାହା ଅସ୍ତ୍ରବାହୀ ନୁହେଁ। ତାହା କେବଳ ସର୍ଭିଲେନ୍ସ୍ ବା ପର୍ଯ୍ୟବେକ୍ଷଣ ଅଭିଯାନ ନିମନ୍ତେ ଉଦ୍ଦିଷ୍ଟ। ଦ୍ବିତୀୟ ବର୍ଗୀୟ ଡ୍ରୋନ୍ର ଓଜନ ୧୫୦ରୁ ୬୦୦ କିଲୋ ମଧ୍ୟରେ। ସାମରିକ କ୍ଷେତ୍ରରେ ବ୍ୟବହାର ନିମିତ୍ତ ନିର୍ମିତ ହୋଇଥିବାରୁ ଏସବୁ ଏକାଧିକ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ତୃତୀୟ ବର୍ଗୀୟ ଡ୍ରୋନ୍ ସବୁ ୬୦୦ କିଲୋରୁ ଅଧିକ ଓଜନବିଶିଷ୍ଟ। ସେସବୁ ପର୍ଯ୍ୟବେକ୍ଷଣ ଏବଂ ଏକାଧିକ ଅସ୍ତ୍ରଶସ୍ତ୍ର ଧାରଣ ନିମନ୍ତେ ସମର୍ଥ।
ଡ୍ରୋନ୍ ନିର୍ମାଣ କୌଶଳ ଯେତେ ଅଧିକ ଉନ୍ନତ ହେଉଛି ସେଥିରେ ଅଧିକ ବୋମା, କ୍ଷେପଣାସ୍ତ୍ର ତଥା ଅନ୍ୟାନ୍ୟ ଆଗ୍ନେୟାସ୍ତ୍ର ଧାରଣ ନିମନ୍ତେ ବ୍ୟବସ୍ଥା କରାଯାଉଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କମାଣ ନିରୋଧୀ କ୍ଷେପଣାସ୍ତ୍ର ‘ଚାଇନିଜ୍ ବ୍ଲୁ ଆରୋ-ସେଭେନ୍’ ଓ ‘ୟୁଏସ୍ ହେଲ୍ଫାୟାର୍’, ବିଭିନ୍ନ ଆକାରର ଗାଇଡେଡ୍ ବୋମା, ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଓ ରକେଟ୍ ଆଦି ଅସ୍ତ୍ରଶସ୍ତ୍ର ଡ୍ରୋନ୍ଦ୍ବାରା ନିକ୍ଷେପ କରାଯାଇ ପାରୁଛି। ‘ଚାଇନିଜ୍ ବ୍ଲୋଫିସ୍ ଏ-ଥ୍ରି’ ଓ ‘ଟର୍କିସ୍ ସୋଙ୍ଗାର୍’ ଆଦି ନୂତନ ବର୍ଗର ହାଲୁକା, ପୁନଃବ୍ୟବହାରକ୍ଷମ ଅସ୍ତ୍ରବାହୀ ଡ୍ରୋନ୍ ବିଭିନ୍ନ ପ୍ରକାରର ମୋର୍ଟାର୍, ଗ୍ରେନେଡ୍ ଓ ହାଲୁକା ମେସିନ୍ ଗନ୍ ଆଦି ବହନ କରିପାରୁଛି।
ସମୟ ଥିଲା ଯୁଦ୍ଧରତ ଦେଶଗୁଡ଼ିକର ଆକାଶରେ ବିରାଟକାୟ ଯୁଦ୍ଧବିମାନ ଦୃଶ୍ୟମାନ ହେଲେ ଆତଙ୍କ ସୃଷ୍ଟି ହେଉଥିଲା। ହେଲେ ଏବେ ଆକାଶରେ ତା’ଠାରୁ ଆକାରରେ ଯଥେଷ୍ଟ କ୍ଷୁଦ୍ର ଦେଖାଯାଉଥିବା ଡ୍ରୋନ୍ ଅଧିକ ଆତଙ୍କ ଖେଳାଇ ଦେଉଛି। ସମୟ ବଦଳିବା ସହ ପ୍ରଯୁକ୍ତିବିଦ୍ୟାରେ ଆସିଛି ବୈପ୍ଳବିକ ଉତ୍ତରଣ। ଆଉ ଏହାର ଫଳସ୍ବରୂପ ଯୁଦ୍ଧରେ ଆକ୍ରମଣର ପ୍ରମୁଖ ଅସ୍ତ୍ର ପାଲଟିଛି ଡ୍ରୋନ୍।
ପ୍ରଥମ ବିଶ୍ବଯୁଦ୍ଧ ସମୟରେ ପ୍ରଥମ ପରୀକ୍ଷଣ!
ମାନବଶୂନ୍ୟ ଉଡ଼ନ୍ତା ଯାନ ବା ‘ୟୁଏଭି’ ହେଉଛି ଗୋଟାଏ ବିମାନ ଯେଉଁଥିରେ କର୍ମଚାରୀ ଏବଂ ଯାତ୍ରୀ ନ ଥା’ନ୍ତି। ସାଧାରଣ ଭାଷାରେ ଏହାକୁ ‘େଡ୍ରାନ୍’ କୁହାଯାଉଥିଲେ ବି ଏହାର ପ୍ରକୃତ ନାଁ ‘ରିମୋଟ୍ଲି ପାଇଲଟେଡ୍ ଭେଇକ୍ଲ୍’। ଏହାର ସଂକ୍ଷିପ୍ତ ନାମ ‘ଆର୍ପିଭି’। ନିର୍ଦ୍ଧାରଣ କରାଯାଇଥିବା ବେଗ ଏବଂ ଉଚ୍ଚତାରେ ଏହା ବହୁ ସମୟ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରେ। ଏ ଧରଣ ପ୍ରଥମ ଚାଳକଶୂନ୍ୟ ଉଡ଼ନ୍ତାଯାନ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ବ୍ରିଟେନ୍ ଓ ଆମେରିକାରେ ବିକଶିତ ହୋଇଥିଲା। ବ୍ରିଟେନ୍ ନିର୍ମାଣ କରିଥିବା କ୍ଷୁଦ୍ର ବେତାର ତରଙ୍ଗଦ୍ବାରା ନିୟନ୍ତ୍ରିତ ଉଡ଼ନ୍ତାଯାନ ‘ଏରିଏଲ୍ ଟାର୍ଗେଟ୍’ ପ୍ରଥମେ ୧୯୧୭ ମସିହା ମାର୍ଚ ମାସରେ ପରୀକ୍ଷା କରାଯାଇଥିଲା। ଆମେରିକା ନିର୍ମାଣ କରିଥିବା ଉଡ଼ନ୍ତାଯାନ ‘କେଟରିଙ୍ଗ୍ ବଗ୍’ ପ୍ରଥମେ ୧୯୧୮ ଅକ୍ଟୋବରରେ ଉଡ଼ିଥିଲା। ଉଡ଼ାଣ ପରୀକ୍ଷଣରେ ଉଭୟ ଯାନ ସଫଳ ହୋଇଥିଲେ ବି ଯୁଦ୍ଧରେ ବ୍ୟବହୃତ ହୋଇ ନ ଥିଲେ। କିନ୍ତୁ, ଯୁଦ୍ଧ ଲାଗିଥିବା ବେଳେ ମାନବଶୂନ୍ୟ ଉଡ଼ନ୍ତାଯାନର କ୍ରମୋନ୍ନତି ଓ ପରୀକ୍ଷା ଚାଲୁ ରହିଥିଲା।କୁହାଯାଏ, ପ୍ରଥମ ବିଶ୍ବଯୁଦ୍ଧରେ ଅଂଶଗ୍ରହଣ କରିଥିବା ସବୁପକ୍ଷ ଦେଶ ଅନେକ ବିଚିତ୍ର ଅସ୍ତ୍ରଶସ୍ତ୍ର ବିକଶିତ କରିଥିଲେ। ସେଥିରୁ ଗୋଟିଏ ହେଉଛି ୧୯୧୬ରେ ନିର୍ମିତ ପାଇଲଟ୍ରହିତ ବିମାନ ‘ରଷ୍ଟନ୍ ପ୍ରୋକ୍ଟର୍ ଏରିଏଲ୍ ଟାର୍ଗେଟ୍’। ଏଥିରେ ଆଧୁନିକ ‘ଡ୍ରୋନ୍’ ନିର୍ମାଣ ବୈଷୟିକ କୌଶଳ ଉପଯୋଗ କରାଯାଇଥିଲା।
ଏହାପରେ ଲକ୍ଷ୍ୟଭେଦ ଲାଗି ତାଲିମ ଉଦ୍ଦେଶ୍ୟରେ ୧୯୩୫ରେ ଇଂଲଣ୍ଡ ସ୍ବଳ୍ପମୂଲ୍ୟବିଶିଷ୍ଟ ବେତାର ତରଙ୍ଗଦ୍ବାରା ନିୟନ୍ତ୍ରିତ ଉଡ଼ନ୍ତାଯାନ ଉତ୍ପାଦନ କରିଥିଲା। ଏ ମଡେଲ୍ଗୁଡ଼ିକ ମଧ୍ୟରୁ ଗୋଟିକର ନାଁ ଥିଲା ‘ଡିଏଚ୍.୮୨ବି କୁଇନ୍ ବି’। ସମ୍ଭବତଃ ତାହାରି ନାଁରେ ଉଦ୍ବୁଦ୍ଧ ହୋଇ ସେତେବେଳେ ‘ଡ୍ରୋନ୍’ ଶବ୍ଦର ପ୍ରଚଳନ ଆରମ୍ଭ ହୋଇଥିଲା ଏବଂ ତାହା ହିଁ ଥିଲା ପ୍ରଥମ ଆଧୁନିକ ଡ୍ରୋନ୍। ଲକ୍ଷ୍ୟଭେଦ ଓ ତାଲିମ ପାଇଁ ଆମେରିକା ମଧ୍ୟ ଏତାଦୃଶ ଉଡ଼ନ୍ତାଯାନ ନିର୍ମାଣ କଲା। ଦ୍ବିତୀୟ ବିଶ୍ବଯୁଦ୍ଧ ଲାଗିଲା ବେଳକୁ ପାଇଲଟ୍ ନ ଥିବା ଦୂରରୁ ନିୟନ୍ତ୍ରିତ ଯେକୌଣସି ଉଡ଼ନ୍ତାଯାନକୁ ‘ଡ୍ରୋନ୍’ କୁହାଗଲା।
ଶୀତଳ ଯୁଦ୍ଧରେ ଡ୍ରୋନ୍ କ୍ୟାମେରା
ବିଳମ୍ବିତ ୧୯୫୦ ଦଶକ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟ ଦେଶ ସବୁ ‘ଆର୍ପିଏ’କୁ ଗୁପ୍ତଚର ବିମାନ ଭାବେ ବ୍ୟବହାର କଲେ। ଭିଏତ୍ନାମ୍ ଯୁଦ୍ଧରେ ‘ୟୁଏଭି’ର ପ୍ରାରମ୍ଭିକ ପରୀକ୍ଷଣ ବ୍ୟାପକ କରାଯାଇଥିଲା। ରେଡିଓ-ନିୟନ୍ତ୍ରିତ ଓ ଫିଲ୍ମ କ୍ୟାମେରା ଲାଗିଥିବା କ୍ଷୁଦ୍ରକାୟ ଡ୍ରୋନ୍ ସବୁ ଚୀନ୍ ଏବଂ ଉତ୍ତର ଭିଏତ୍ନାମ୍ ଉପରେ ଉଡ଼ି ଉଡ଼ି ଚିତ୍ର ଉତ୍ତୋଳନ କଲେ। ତାହାକୁ ସମୀକ୍ଷା କରି ବୈଷୟିକ, ଭୌେଗାଳିକ ଓ ଗୁଇନ୍ଦା ତଥ୍ୟାବଳି ସଂଗ୍ରହ କରାଯାଉଥିଲା।
ଗୁପ୍ତଚରଗିରିରୁ ଘାତକ ଅସ୍ତ୍ର
ଶୀତଳ ଯୁଦ୍ଧ ସମୟରେ ଡ୍ରୋନ୍ ସବୁ ନିର୍ଭରଯୋଗ୍ୟ ନ ଥିଲେ। କ୍ଷୁଦ୍ର ହେଲେ ବି ସେ ସବୁ ଥିଲେ ବ୍ୟୟବହୁଳ। ଆନାଲଗ୍ ରେଡିଓ ସଙ୍କେତ ରେଞ୍ଜ୍ ମଧ୍ୟରେ ପାଇଲଟ୍ଙ୍କୁ ରହିବାକୁ ପଡୁଥିଲା। ଭିଏତ୍ନାମ୍ ଯୁଦ୍ଧ ପରେ ଅନ୍ୟାନ୍ୟ ରାଷ୍ଟ୍ର ମାନବଶୂନ୍ୟ ଉଡ଼ନ୍ତାଯାନ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଗବେଷଣା ଚଳାଇଲେ। ଅଧିକ ଦକ୍ଷତାସମ୍ପନ୍ନ ନୂଆ ନୂଆ ମଡେଲ୍ ‘ୟୁଏଭି’ ନିର୍ମାଣ ହେଲା। ଏବେ ଯୁଦ୍ଧକ୍ଷେତ୍ରରେ ପରିକ୍ରମା କରୁଥିବା ଡ୍ରୋନ୍ ସବୁକୁ ତିନୋଟି ପ୍ରମୁଖ ବୈଷୟିକ ଉନ୍ନତି ପର୍ଯ୍ୟାୟ ଦେଇ ଆସିବାକୁ ପଡ଼ିଛି।
ପ୍ରଥମ ପ୍ରମୁଖ ଅଗ୍ରଗତି ହେଉଛି ୧୯୭୦ ଦଶକରେ ଇସ୍ରାଏଲୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଡିଜାଇନର୍ ଆବ୍ରାହାମ୍ କରେମ୍ ଗ୍ଲାଇଡର୍ ବା ବିନା ଇଞ୍ଜିନ୍ରେ ଉଡ଼ିପାରୁଥିବା ବିମାନ ବିକଶିତ କଲେ। ସେ ବିମାନଟିକୁ ଉଡ଼ନ୍ତା ଅବସ୍ଥାରେ ରଖିବାକୁ ତା’ର ପକ୍ଷଗୁଡ଼ିକୁ ଅଧିକ ଲମ୍ବା ଓ ପତଳା କରାଯାଇଥିଲା। ଫଳରେ ତାହା ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ଉଚ୍ଚ ଆକାଶରେ ରହିପାରିଲା। ‘ଏମ୍କ୍ୟୁ-ନାଇନ୍ ଆର୍’ ଭଳି ପାଇଲଟ୍ରହିତ ଡ୍ରୋନ୍ ଦୀର୍ଘ ସମୟ ଧରି ଆକାଶରେ ଉଡ଼ିବୁଲିବାର ରହସ୍ୟ ହେଉଛି ଉପରୋକ୍ତ ସୂତ୍ର। ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହେଉଛି ଯୁଦ୍ଧକ୍ଷେତ୍ରରେ ଥିବା କମାଣ୍ଡର୍ଙ୍କ ନିକଟକୁ ସିଧାସଳଖ ଫୁଟେଜ୍ ପ୍ରେରଣ ନିମନ୍ତେ ଟ୍ରାନ୍ସ୍ମିଟର୍ ବ୍ୟବହାର। ଆଜିକାଲି ରେଡିଓ ତରଙ୍ଗ ପରିବର୍ତ୍ତେ ସାଟେଲାଇଟ୍ ନେଟ୍ୱାର୍କ ଦ୍ବାରା ସେ ସବୁ ପ୍ରସାରଣ ବା ‘ଟ୍ରାନ୍ସ୍ମିଟ୍’ କରାଯାଉଛି।
ତୃତୀୟ ଅଗ୍ରଗତି ହେଉଛି ଡ୍ରୋନ୍ରେ ଅସ୍ତ୍ର ରଖାଯିବା ବ୍ୟବସ୍ଥା। ୨୦୦୧ରେ ଆମେରିକା ବାୟୁସେନା ଓ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପ୍ରଥମେ ସଫଳତାର ସହ ଡ୍ରୋନ୍ରେ କ୍ଷେପଣାସ୍ତ୍ର ଖଞ୍ଜିଲେ। ଆଜିକାଲି ଆମେରିକା ତା’ର ଡ୍ରୋନ୍ ସବୁକୁ ସୂଚନା ସଂଗ୍ରହ, ଯୁଦ୍ଧକ୍ଷେତ୍ର ନିମନ୍ତେ ସେନାର ଆବଶ୍ୟକ ଗୁଇନ୍ଦା ସୂଚନା ଏବଂ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ଖୋଜି ହତ୍ୟା କରିବା କାମରେ ନିୟୋଜିତ କରୁଛି। ଏହାଛଡ଼ା, ବିଦେଶରେ ଥିବା ଆତଙ୍କବାଦୀଙ୍କ ଉପରେ ଅସଂଖ୍ୟ ଡ୍ରୋନ୍ ଆକ୍ରମଣ କରି ଆମେରିକା ଇରାନୀୟ ମେଜର୍ ଜେନେରାଲ୍ କାସିମ୍ ସୋଲେଇମାନିଙ୍କୁ ହତ୍ୟା କରିଛି।
ଅସ୍ତ୍ର ବଜାରରେ ଡ୍ରୋନ୍
ଡ୍ରୋନ୍ ଯନ୍ତ୍ରାଂଶ ମୂଲ୍ୟ ହ୍ରାସ ଯୋଗୁଁ ଏବେ କେତେକ ଦେଶ ଅବାଧରେ ବୈଶ୍ବିକ ଯୋଗାଣକାରୀଙ୍କଠାରୁ ଡ୍ରୋନ୍ ଖରିଦ କରିବା ସୁଯୋଗ ପାଇଛନ୍ତି। ବିଦେଶରୁ ଯନ୍ତ୍ରାଂଶ ଆଣି ସ୍ବଦେଶରେ ଡ୍ରୋନ୍ ନିର୍ମାଣ କରିବା ନିମନ୍ତେ ସେମାନଙ୍କ ସରକାର ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି। ସମ୍ପ୍ରତି ଇନ୍ଧନ ସମସ୍ୟା ଏଡ଼ାଇବା ନିମନ୍ତେ ସୌରଶକ୍ତି ଚାଳିତ ‘ୟୁଏଭି’ ମଧ୍ୟ ନିର୍ମାଣ କରାଗଲାଣି। ଏବେ ବିଶ୍ବର ତିନି ଡଜନ୍ରୁ ଅଧିକ ରାଷ୍ଟ୍ର ନିକଟରେ ସଶସ୍ତ୍ର ଡ୍ରୋନ୍ ରହିଛି। କିନ୍ତୁ, ସେ ସବୁ ଡ୍ରୋନ୍ ସେମାନେ ନିଜେ ନିର୍ମାଣ ନ କରି ବିଦେଶୀ ରାଷ୍ଟ୍ରରୁ ଖରିଦ କରି ବଳୀୟାନ୍ ହୋଇଛନ୍ତି। ମାତ୍ର ସୂଚନା ସଂଗ୍ରହ ଓ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ଡ୍ରୋନ୍ର ତାତ୍ପର୍ଯ୍ୟ ଉପଲବ୍ଧି କରି ଭାରତର ସଶସ୍ତ୍ର ସେନା ବାହିନୀ ନିଜେ ମାନବଶୂନ୍ୟ ଉଡ଼ନ୍ତାଯାନ ବିକଶିତ କରୁଛି।
ଭାରତରେ ଡ୍ରୋନ୍
୧୯୯୦ ଦଶକରେ ଭାରତୀୟ ସେନା ପ୍ରଥମେ ଇସ୍ରାଏଲ୍ରୁ ‘ୟୁଏଭି’ କିଣିଥିଲା। ଅବିଳମ୍ବେ ବାୟୁସେନା ଓ ନୌସେନା ମଧ୍ୟ ଇସ୍ରାଏଲ୍ରୁ ଆବଶ୍ୟକ ଅନୁସାରେ ‘ୟୁଏଭି’ କିଣିଲେ। ତା’ପରେ ଆମେରିକା ଓ ଇସ୍ରାଏଲ୍ ଆଦି ଦେଶରୁ ଭାରତ ଡ୍ରୋନ୍ ସମ୍ବନ୍ଧୀୟ ବୈଷୟିକ ଜ୍ଞାନକୌଶଳ ହାସଲ କରି ସ୍ବଦେଶରେ କେତେଗୁଡ଼ିଏ ଡ୍ରୋନ୍ ପ୍ରକଳ୍ପ ଚଳାଇଲା। ୧୯୯୦ରେ ଭାରତ ପ୍ରଥମକରି ଡ୍ରୋନ୍ ନିର୍ମାଣ ଆରମ୍ଭକଲା। ସେତେବେଳେ ‘ଡିଆର୍ଡିଓ’ ‘ନିଶାନ୍ତ’ ନାମରେ ଚାରିଟି ଡ୍ରୋନ୍ ନିର୍ମାଣ କରିଥିଲେ ବି ଭାରତୀୟ ସେନା ସେଥିରେ ସନ୍ତୋଷ ବ୍ୟକ୍ତ କରି ନ ଥିଲା। ପରବର୍ତ୍ତୀ ସମୟରେ ‘ନିଶାନ୍ତ’ ଡ୍ରୋନ୍ରେ ଚକ ଲଗାଯାଇ ‘ପଂଛି’ ନାମରେ ଡ୍ରୋନ୍ ବିକଶିତ କରାଯାଇଥିଲେ ବି ତାହା ସେନାବାହିନୀରେ ସାମିଲ ହୋଇ ନ ଥିଲା।
ଡ୍ରୋନ୍ ଆମଦାନି ପାଇଁ ଭାରତ ସାଧାରଣତଃ ଇସ୍ରାଏଲ୍ ଉପରେ ନିର୍ଭରଶୀଳ। ଇସ୍ରାଏଲ୍ରୁ ଭାରତୀୟ ସେନା ‘ହେରନ୍ ୱାନ୍’, ‘ଦି ସର୍ଚର୍ ଏମ୍କେ ଟୁ’ ଓ ‘ହାରପ୍ ଲଇଟରିଙ୍ଗ୍ ମ୍ୟୁନିସନ୍’ ଆଦି ଡ୍ରୋନ୍ ଖରିଦ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଭାରତରେ ନିର୍ମିତ ଡ୍ରୋନ୍ ସବୁ ଅଦ୍ୟାବଧି ଯୁଦ୍ଧ କ୍ଷେତ୍ରରେ ବ୍ୟାପକଭାବେ ବ୍ୟବହୃତ ହୋଇନାହିଁ। ପାଟ୍ରୋଲିଙ୍ଗ୍, ଚିତ୍ରୋତ୍ତଳନ, କ୍ଷୟକ୍ଷତି ଆକଳନ, ଅସ୍ତ୍ରଶସ୍ତ୍ର ପରିବହନ କ୍ଷେତ୍ରରେ ଡ୍ରୋନ୍ ସବୁ ଭାରତୀୟ ସେନାକୁ ଖୁବ୍ ସହାୟକ ହେଉଛନ୍ତି। ଜମ୍ମୁ ଓ ଅବନ୍ତୀପଡ଼ା ବାୟୁସେନା ବିମାନଘାଟିରେ ବାୟୁସେନାର ଦୁଇଟି ‘ୟୁଏଭି’ ବା ‘ଡ୍ରୋନ୍’ ୟୁନିଟ୍ ମଧ୍ୟ ରହିଛି। ସୀମାନ୍ତ ବିଶେଷକରି ଚୀନ୍ ଓ ପାକିସ୍ତାନକୁ ଲାଗିଥିବା ସୀମାବର୍ତ୍ତୀ ଅଞ୍ଚଳରେ ଦୃଷ୍ଟି ରଖିବା ଲାଗି ଭାରତ ବିଭିନ୍ନ ଡ୍ରୋନ୍ ଉପଯୋଗ କରୁଛି। ବିଶେଷକରି ପଞ୍ଜାବ ସୀମାନ୍ତବର୍ତ୍ତୀ ଆନ୍ତର୍ଜାତିକ ସୀମାରେ ମଧ୍ୟ ଡ୍ରୋନ୍ ଦୁରୁପଯୋଗ ବୃଦ୍ଧିପାଉଛି। ଗତବର୍ଷ ସେ ଅଞ୍ଚଳରେ ସୀମା ସୁରକ୍ଷା ବଳ ଶତାଧିକ ଡ୍ରୋନ୍ ଦେଖିଥିଲା। ସେସବୁ ଡ୍ରଗ୍ ଓ ଅସ୍ତ୍ର ଚୋରାଚାଲାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି।
୧୯୯୯ରେ କାର୍ଗିଲ୍ ଯୁଦ୍ଧ ଲାଗିଥିବା ବେଳେ ଆକାଶରୁ ନିୟନ୍ତ୍ରଣ ରେଖା ଅଞ୍ଚଳର ଫଟୋ ଉତ୍ତୋଳନ ନିମନ୍ତେ ଭାରତ ପ୍ରଥମକରି ସେନା ଡ୍ରୋନ୍ ବ୍ୟବହାର କରିଥିଲା। ତା’ପରଠାରୁ ଭାରତୀୟ ସରକାରୀ ପ୍ରତିଷ୍ଠାନ ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ଏବଂ କେତେକ ଉଦ୍ୟୋଗ ‘ୟୁଏଭି’ ଓ ‘ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା’ କ୍ରମବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ସମ୍ପ୍ରତି ‘ଡିଆର୍ଡିଓ’ ଇମ୍ପେରିଆଲ୍ ଇଗଲ୍, ‘ଏଡିଇ’ ଓ ’ସିଏସ୍ଆଇଆର୍’ର ‘ଏନ୍ଏଏଲ୍’ ଗୋଲ୍ଡେନ୍ ହକ୍, ‘ଏନ୍ଏଏଲ୍’ ସ୍ଲାଏବାର୍ଡ’ ଓ ‘ଏନ୍ଏଏଲ୍/ଏଡିଇ ପୁଷ୍ପକ ଆଦି ଡ୍ରୋନ୍ ନିର୍ମାଣ କରୁଛନ୍ତି। ‘ଡିଆର୍ଡିଓ’ ଦ୍ବାରା ନିର୍ମିତ ଅଭୟ ଓ ଲକ୍ଷ୍ୟ ଡ୍ରୋନ୍ ଲକ୍ଷ୍ୟଭେଦୀ ବା ‘ଟାର୍ଗେଟ୍ ଡ୍ରୋନ୍’ ଶ୍ରେଣୀର।
ଡ୍ରୋନ୍ ଯୁଦ୍ଧରେ ଭାରତର ଅଗ୍ରଗତି
ଜୁନ୍ ୧୫-୧୬, ୨୦୨୦ରେ ଗଲ୍ୱାନ୍ ଉପତ୍ୟକା ସଂଘର୍ଷ ଘଟିବାର ଠିକ୍ ଚାରିବର୍ଷ ପରେ ଭାରତୀୟ ସେନାରେ ନାଗାସ୍ତ୍ର-୧ ମୁତୟନ କରି ଭାରତ ଡ୍ରୋନ୍ ଯୁଦ୍ଧରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହା ହେଉଛି ସ୍ବଦେଶରେ ନିର୍ମିତ ପ୍ରଥମ ଆତ୍ମଘାତୀ ଡ୍ରୋନ୍। ‘ଇକୋନୋମିକ୍ସ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍’ ଦ୍ବାରା ନିର୍ମିତ ଏହି ଡ୍ରୋନ୍ ଶତ୍ରୁପକ୍ଷ ଟ୍ୟାଙ୍କ୍, ଆର୍ମୋର୍ଡ୍ ଭେଇକ୍ଲ୍, ସେନା ଟ୍ରକ୍, ବଙ୍କର୍, ପୋଷ୍ଟ୍ ଓ ଅସ୍ତ୍ର ଗୋଦାମ ଆଦି ନିମିଷକ ମଧ୍ୟରେ ନଷ୍ଟ କରିଦେବ। ୯ କିଲୋ ଓଜନବିଶିଷ୍ଟ ନାଗାସ୍ତ୍ର ୧ ଚୀନ୍ ସୀମାବର୍ତ୍ତୀ ଲଦାଖର ନୁବ୍ରା ଉପତ୍ୟକାରେ ପରୀକ୍ଷା କରାଯାଇଥିଲା। ୩୦ ମିନିଟ୍ ଉଡ଼ି ମଧ୍ୟ ଏହା ଶତ୍ରୁପକ୍ଷ ରାଡାର୍ରେ ଚିହ୍ନଟ ହୋଇ ପାରି ନ ଥିଲା। ଡ୍ରୋନ୍ ଶିଳ୍ପରେ ଉତ୍ପାଦନ ଓ ବିନିଯୋଗ ବୃଦ୍ଧି କରିବା ନିମନ୍ତେ ସ୍ବଦେଶୀ କମ୍ପାନିଗୁଡ଼ିକୁ ଉତ୍ସାହ ଦେବା ଲାଗି ଭାରତ ବିଦେଶରୁ ଡ୍ରୋନ୍ ଆମଦାନି ନିଷେଧ କରିଛି। ୨୦୨୧ ମାର୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ‘ଦି ଡ୍ରୋନ୍ ରୁଲ୍ସ୍, ୨୦୨୧’ ଆରମ୍ଭ କରିଛି। ଉଦ୍ଭାବନ କ୍ଷେତ୍ରରେ ଐତିହାସିକ ସାମର୍ଥ୍ୟ, ସୂଚନା ପ୍ରଯୁକ୍ତିବିଦ୍ୟା, ସୁଲଭ ଇଞ୍ଜିନିୟରିଙ୍ଗ୍ ଆଞ୍ଚଳିକ ସ୍ତରରେ ଢେର୍ ଚାହିଦା ଥିବାରୁ ୨୦୩୦ ସୁଦ୍ଧା ସମଗ୍ର ବିଶ୍ବରେ ଡ୍ରୋନ୍ ହବ୍ ବା ଡ୍ରୋନ୍ ନାଭିଚକ୍ର ହେବା ଲାଗି ଭାରତର ସାମର୍ଥ୍ୟ ଅଛି। ଉନ୍ନତ ଡ୍ରୋନ୍ ବୈଷୟିକ ଜ୍ଞାନକୌଶଳଧାରୀ ଫ୍ରାନ୍ସ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାଗିଦାରୀ ଦେଶ ଭାରତୀୟ ଡ୍ରୋନ୍ ବିକଶିତ କରିବା ନିମନ୍ତେ ଆବଶ୍ୟକ ଜ୍ଞାନ ଓ ପାରଦର୍ଶିତା ଯୋଗାଇ ଦେଇ ପାରିବେ। ଏହା ବ୍ୟତିରେକେ ନିଜସ୍ବ ଉନ୍ନତ ଡ୍ରୋନ୍ ଟେକ୍ନୋଲଜି ବିକଶିତ କରିବା ଲାଗି ଭାରତ ‘ଗବେଷଣା ଓ ବିକାଶ’ ବା ‘ଆର୍ ଆଣ୍ଡ୍ ଡି’ ଉଦ୍ୟମ ପ୍ରତି ପ୍ରାଧାନ୍ୟ ଦେବା ଆବଶ୍ୟକ। ଏହାଦ୍ବାରା ବିଦେଶୀ ଯୋଗାଣକାରୀଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସଙ୍ଗେ ସଙ୍ଗେ ନିଜସ୍ବ ସେନା ସାମର୍ଥ୍ୟ ଉପରେ ଅଧିକ ନିୟନ୍ତ୍ରଣ ରହିବ।
ଭାରତୀୟ ଡ୍ରୋନ୍ର ବିଫଳତା ଓ ବିବାଦ
ଯଦିଓ ‘ୟୁଏଭି’ ସୃଷ୍ଟି କରାଯିବାର ମୂଳ ଉଦ୍ଦେଶ୍ୟରେ ଥିଲା ସେନା ବ୍ୟବହାର ଲାଗି କିନ୍ତୁ, ଆଜିକାଲି ସାଧାରଣ ଲୋକେ ଏହାକୁ ବିଭିନ୍ନ କାର୍ଯ୍ୟରେ ଅଧିକ ବ୍ୟବହାର କରୁଛନ୍ତି। ଭାରତରେ ବି ଡ୍ରୋନ୍ ବ୍ୟବହାର ବୃଦ୍ଧି ପାଉଛି। ଭାରତରେ ସମସ୍ତ ‘ଡ୍ରୋନ୍’ ଉଡ଼ାଣ ସମ୍ବନ୍ଧୀୟ ତତ୍ତ୍ବାବଧାନ କରୁଛି ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ)।
ସମ୍ପ୍ରତି ଡ୍ରୋନ୍ ଜଳବାୟୁ ପରିବର୍ତ୍ତନ ପର୍ଯ୍ୟବେକ୍ଷଣ, ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ଅନ୍ବେଷଣ ଅଭିଯାନ, ଫଟୋ ଉତ୍ତୋଳନ, ଭିଡିଓ ଉତ୍ତୋଳନ ଓ ଜିନିଷପତ୍ର ଡେଲିଭରି ଆଦି ଅନେକ କ୍ଷେତ୍ରରେ ବ୍ୟବହୃତ ହେଉଛି। ସୈନିକମାନେ ନିରାପଦରେ ଯାଇପାରୁ ନ ଥିବା ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ସର୍ଭିଲେନ୍ସ୍ କାର୍ଯ୍ୟ କରୁଛି ଡ୍ରୋନ୍। ଅମୋଘ ଅସ୍ତ୍ର ରୂପେ ବ୍ୟବହୃତ ହୋଇ ଡ୍ରୋନ୍ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ନିପାତ କରୁଛି। କିନ୍ତୁ, ପାଟ୍ରୋଲିଙ୍ଗ୍, ସର୍ଭିଲେନ୍ସ୍ ଓ ଟାର୍ଗେଟେଡ୍ ଆଟାକ୍ ଭଳି କାର୍ଯ୍ୟରେ ବେଠିକ୍ ତଥ୍ୟାବଳି କାରଣରୁ ଲକ୍ଷ୍ୟଭେଦରେ ବିଫଳ ହୋଇ ସେନା ଡ୍ରୋନ୍ ପ୍ରୟୋଗକୁ ବିବାଦୀୟ କରିପକାଇଛି। ଏସବୁ କ୍ଷେତ୍ରରେ ‘ଡ୍ରୋନ୍’ ଯୋଗୁଁ ଘଟୁଥିବା ସାଧାରଣ ଜନତାଙ୍କ ମୃତ୍ୟୁ ଏବେ ନୈତିକତା ପ୍ରଶ୍ନ ଉଠାଇଛି।
ଅନ୍ୟାନ୍ୟ କ୍ଷେତ୍ରରେ ଯେତେଯାହା ହେଲେ ବି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଓ ଇସ୍ରାଏଲ୍-ହମାସ୍ ସଂଘର୍ଷରେ ଡ୍ରୋନ୍ର ବ୍ୟାପକ ବ୍ୟବହାରରୁ ଆଧୁନିକ ଯୁଦ୍ଧରେ ଏହାର ଗୁରୁତ୍ବ ଉପଲବ୍ଧି କରିହେଉଛି। ଯୁଦ୍ଧ ସମୀକ୍ଷକ ଟିଏକ୍ସ ହେମିସ୍ଙ୍କ ମତରେ, ୟୁକ୍ରେନ୍ ଓ ଗାଜାରେ ଡ୍ରୋନ୍, କୃତ୍ରିମ ବୁଦ୍ଧିମତ୍ତା ଏବଂ ବ୍ୟାବସାୟିକ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ପରିବର୍ତ୍ତନ ଯୁଦ୍ଧ କ୍ଷେତ୍ରରେ ବାସ୍ତବ ସାମରିକ ବିପ୍ଳବ ସୃଷ୍ଟି କରୁଛି। ଦିନେ ଡ୍ରୋନ୍ ହିଁ ଭବିଷ୍ୟ ଯୁଦ୍ଧର ଦିଗବାରେଣୀ ହେବ ଏହା ଏକପ୍ରକାର ସୁସ୍ପଷ୍ଟ ହୋଇଗଲାଣି। ତେଣୁ, ଗୁଗଲ୍ର ପୂର୍ବତନ ମୁଖ୍ୟ ଏରିକ୍ ସ୍ମିଦ୍ ଯଥାର୍ଥରେ କହିଛନ୍ତି- ଭବିଷ୍ୟତରେ ଡ୍ରୋନ୍ ଦ୍ବାରା ଯୁଦ୍ଧାଦେଶ ଦିଆଯିବା ସହିତ ଯୁଦ୍ଧ ପରିଚାଳନା କରିବ।