ବିଗତ ଦଶନ୍ଧିଗୁଡ଼ିକରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା ସଂଖ୍ୟା ବଢ଼ିଯିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି। ତେବେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସତ୍ତ୍ବେ କାହିଁକି ବିମାନ ଦୁର୍ଘଟଣା ବୃଦ୍ଧି ପାଉଛି? ଏ ପ୍ରଶ୍ନର ସରଳ ଉତ୍ତର ହେଲା ଜଳବାୟୁ ପରିବର୍ତ୍ତନ। ବର୍ତ୍ତମାନ ପୂର୍ବାନୁମାନ କରି ହେଉ ନ ଥିବା ଚରମ ପାଣିପାଗ ଘଟଣାମାନ ଅନୁଭୂତ ହେଉଛି। ଏଥି ଯୋଗୁଁ ବାୟୁମଣ୍ଡଳ ଅଶାନ୍ତ ରହୁଛି। ଏଭଳି ଅତ୍ୟନ୍ତ ତୀବ୍ର ତଥା ପ୍ରତିକୂଳ ପାଣିପାଗ ଯୋଗୁଁ ବିମାନ ଉଡ଼ାଣରେ ବିପଦ ସୃଷ୍ଟି ହେଉଛି। ଏହା ପାଇଲଟ୍ ଓ ବିମାନ ଚଳାଚଳ ନିୟନ୍ତ୍ରକମାନଙ୍କ ସକାଶେ ଅତ୍ୟନ୍ତ ଆହ୍ବାନମୂଳକ ପରିସ୍ଥିତି ସୃଷ୍ଟି କରୁଛି।

Advertisment

ବିଶେଷ କରି ଉତ୍ତର ଗୋଲାର୍ଦ୍ଧର ଆକାଶ ମାର୍ଗରେ ବଡ଼ଧରଣର ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପୃଥିବୀର ଉତ୍ତର ଗୋଲାର୍ଦ୍ଧର ଉପର ବାୟୁମଣ୍ଡଳରେ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେଉଥିବା ବାୟୁ (ଏହାକୁ ଜେଟ୍ ଷ୍ଟ୍ରିମ୍ ବୋଲି କୁହାଯାଏ)ର ବେଗ ବୃଦ୍ଧି ପାଇବାରେ ଲାଗିଛି। ଅଙ୍ଗାରକ ଉତ୍ସର୍ଜନ ଯୋଗୁଁ ବାୟୁ ୧ ଡିଗ୍ରି ସେଣ୍ଟିଗ୍ରେଡ୍ ଅଧିକ ଉତ୍ତପ୍ତ ହେଲେ ଜେଟ୍ ଷ୍ଟ୍ରିମ୍ ବେଗ ୨% ବୃଦ୍ଧି ପାଇଥାଏ। ବେଗରେ ଏପରି ବୃଦ୍ଧି କାରଣରୁ ବାୟୁମଣ୍ଡଳର ଉପରେ ବଡ଼ ଓ ତୀବ୍ର ଝଡ଼ମାନ ସୃଷ୍ଟି ହୋଇ ପବନରେ ଅସ୍ଥିରତାକୁ ବହୁଗୁଣିତ କରିଥାଏ।

ଉଡ଼ାଜାହାଜଗୁଡ଼ିକ ପ୍ରବଳ ବର୍ଷାକୁ ଅତିକ୍ରମ କରିବାକୁ ସକ୍ଷମ କିନ୍ତୁ ଅଚାନକ ଝଡ଼ବର୍ଷା ପାଇଲଟମାନଙ୍କ ଆଗକୁ ଦେଖି ପାରିବାର କ୍ଷମତାକୁ କମାଇ ଦିଏ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଡ଼ଧରଣର ତଥା ଦୀର୍ଘସ୍ଥାୟୀ ଝଡ଼ବର୍ଷା ବାରମ୍ବାର ଘଟିବ ବୋଲି ପାଣିପାଗ ବିଜ୍ଞାନୀମାନଙ୍କର ଆକଳନ ସତ୍ୟ ପ୍ରମାଣିତ ହୋଇସାରିଲାଣି। ଅବତରଣ ଓ ଉଡ଼ାଣ ଆରମ୍ଭ ବେଳେ ଏହି ଚରମ ପାଣିପାଗ ଘଟଣାମାନ ଯଥେଷ୍ଟ ଅଧିକ ବିପଦ ସୃଷ୍ଟି କରୁଥିବା ଆକଳନରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଭବିଷ୍ୟତର ବିମାନ ଯାତ୍ରାକୁ ପ୍ରଭାବିତ କରି ଅଧିକ ସମୟସାପେକ୍ଷ କରିଦେବାର ଆଶଙ୍କା ମଧ୍ୟ ରହିଛି। ଜେଟ୍ ଷ୍ଟ୍ରିମ୍ ତୀବ୍ରତର ହେବା କାରଣରୁ ବିମାନ ଅଧିକ ବାୟୁ ପ୍ରତିରୋଧର ସମ୍ମୁଖୀନ ହେବା ଫଳରେ ବିମାନର ଗତି ମଧ୍ୟ ହ୍ରାସ ପାଇବ।