ଆପଣ ଖାଦ୍ୟପ୍ରେମୀ କି? ଆମିଷ ଓ ନିରାମିଷ ଖାଇବାକୁ ଭଲ ପାଆନ୍ତି? ଘରରନ୍ଧା ଅପେକ୍ଷା ବଜାରରେ ମିଳୁଥିବା ନାଲି ଟହ ଟହ ମାଂସ ତରକାରି ବା ପନିର ମଟର ବେଶୀ ଭଲ ଲାଗୁଛି କି? ରାସ୍ତାକଡ଼ରେ କ୍ୟାଣ୍ଡି ଓ ବରଫଗୋଲା ଦେଖିଲେ ନଖାଇ ରହିପାରୁନାହାନ୍ତି? ଚଟ୍ପଟା ସ୍ୱାଦ, ଆଖିକୁ ରୁଚିଲା ରଙ୍ଗ ଆଉ ଚହଟୁଥିବା ବାସ୍ନା ଆପଣଙ୍କୁ ବିହ୍ବଳ କରୁଛି କି? ଖାଇବାର ମୋହ ଏଡ଼ାଇ ନପାରି ରାସ୍ତାକଡ଼ ଫୁଡ୍ଷ୍ଟଲ୍, ରେସ୍ତୋରାଁକୁ ପଶି ଯାଉଛନ୍ତି କି? ଟିକେ ସାବଧାନ ହୋଇଯାଆନ୍ତୁ! ସ୍ବାସ୍ଥ୍ୟ ସମସ୍ୟାର କବଳିତ ହୋଇପାରନ୍ତି। ‘ବିଶ୍ବ ଖାଦ୍ୟ ନିରାପତ୍ତା ଦିବସ’ ଅବସରରେ ବିଶେଷ ଆଲୋଚନା।
ଉପସ୍ଥାପନା: ପ୍ରଗତି ସାହୁ
କୁହାଯାଏ, ମଣିଷ ପ୍ରଥମେ ଆଖିରେ ଓ ତା’ପରେ ପାଟିରେ ଖାଏ। ଏପରି କହିବାର ତାତ୍ପର୍ଯ୍ୟ ହେଉଛି, ଖାଦ୍ୟ ଥାଳିଟି ଯଦି ଚିତ୍ତାକର୍ଷକ ହୋଇଥାଏ, ତେବେ ଖାଇବା ପାଇଁ ସ୍ବତଃ ଆଗ୍ରହ ସୃଷ୍ଟି ହୋଇଥାଏ। ଏଣୁ ପ୍ରସ୍ତୁତି ସମୟରେ ଖାଦ୍ୟକୁ ସୁସ୍ବାଦୁ ଓ ଆକର୍ଷଣୀୟ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ। ଆଉ ବିକ୍ରିପାଇଁ ବଜାରକୁ ଆସୁଥିବା ଖାଦ୍ୟପଦାର୍ଥ ଯେଭଳି ଦେଖୁ ଦେଖୁ ଗ୍ରାହକର ମନ ମୋହିନେବ, ସେଥିପ୍ରତି ପ୍ରସ୍ତୁତକର୍ତ୍ତା ଯତ୍ନବାନ୍ ଥାଆନ୍ତି। ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଣ୍ଡି, ଆଇସ୍କ୍ରିମ୍ଠାରୁ ନେଇ କେକ୍, କବାବ୍, ଜିଲାପି, ଲଡୁ, ପିଜା, ବର୍ଗର, ଚୋମିନ୍, ଚପ୍, କଟ୍ଲେଟ୍ ଆଦି ଫାଷ୍ଟ୍ଫୁଡ୍ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀକୁ ଆକର୍ଷକ କରାଯାଇଥାଏ। ଆଉ ଆକର୍ଷଣୀୟ ଦେଖାଯିବା ପାଇଁ ସେ ଖାଦ୍ୟରେ ରଙ୍ଗ ମିଶାଯାଏ। ଏଇ ଯେମିତି ଜିଲାପିରେ ସାଧାରଣତଃ ହଳଦିଆ ଓ ଲାଲ୍ରଙ୍ଗ ଦିଆଯାଉଥିବା ବେଳେ ଲଡୁରେ କମଳା ରଙ୍ଗ ଦିଆଯାଉଛି। କିଛିକ୍ଷଣ ପାଇଁ ଏସବୁ ଖାଦ୍ୟର ରଙ୍ଗିନ ମାୟାରେ ଆମେ ମସ୍ଗୁଲ୍ ହୋଇଯାଉ ସତ, କିନ୍ତୁ ଏହାଦ୍ବାରା ଜୀବନ ତମାମ୍ ରୋଗଗ୍ରସ୍ତ ହେବାର ଆଶଙ୍କା ଥିବା କଥାଟି ପାସୋରି ଦେଉ। ଏବେ ବଜାରରେ ଉପଲବ୍ଧ ହେଉଥିବା ଅଧିକାଂଶ ଖାଦ୍ୟରେ କୃତ୍ରିମ ରଙ୍ଗ (ଆର୍ଟିଫିସିଅାଲ୍ ଫୁଡ୍ କଲର୍) ବ୍ୟବହାର ହେଉଛି। ଯଦିଓ ଏହି ରଙ୍ଗ ଖାଦ୍ୟସାମଗ୍ରୀରେ ବ୍ୟବହାର ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଉଛି, ଏଥିରେ କିନ୍ତୁ ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଥିବା ଉପାଦାନ ଓ ରାସାୟନିକ ପଦାର୍ଥ ଭରିରହିଛି।
ପିଲାଙ୍କ ଖୁସିରେ ମିଶୁଛି ବିଷ!
ଛୋଟପିଲାଙ୍କର ଖୁବ୍ ପ୍ରିୟ ହେଉଛି କଟନ୍ କ୍ୟାଣ୍ଡି। ଲୋକମୁଖରେ ଏହା ବମ୍ବେଇ ମିଠେଇ ବା ବମ୍ବେ ଲଡ଼ୁ ନାମରେ ଅଧିକ ପରିଚିତ। ବିଭିନ୍ନ ମେଳାମହୋତ୍ସବରେ ବୁଲାବିକାଳି ଗୋଲାପି ଓ ଧଳାରଙ୍ଗର କ୍ୟାଣ୍ଡି ବିକ୍ରି କରୁଥିବା ନଜରକୁ ଆସନ୍ତି। ଏହି ଆକର୍ଷଣୀୟ ମିଠେଇ ଖାଇବାକୁ ପିଲାଙ୍କ ଭିତରେ ଆଗ୍ରହ କହିଲେ ନସରେ। ତେବେ ଏହାର ସୁନ୍ଦର ରୂପ ତଳେ ଲୁଚି ରହିଛି କର୍କଟରୋଗ ଆଶଙ୍କା ଭଳି ଭୟଙ୍କର ବିପଦ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ଏଥିରେ ବ୍ୟବହୃତ ଗୋଲାପୀ ରଙ୍ଗ କର୍କଟ ରୋଗର କାରଣ ହୋଇପାରେ। ଏହି ଖାଦ୍ୟ ରଙ୍ଗ ଏ ସବୁକୁ ବିଷାକ୍ତ କରେ ବୋଲି ପ୍ରମାଣିତ ହୋଇଛି। ତାମିଲନାଡୁ, ପୁଡ୍ଡୁଚେରୀ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଏହାର ବିକ୍ରି ନିଷିଦ୍ଧ କରିଥିବା ବେଳେ ଆଉ କେତେକ ରାଜ୍ୟରେ ଏବେ ବି ଏହା ପ୍ରସ୍ତୁତ ହେଉଛି। ଗତବର୍ଷ ଖାଦ୍ୟ ଓ ନିରାପତ୍ତା ବିଭାଗର ସନ୍ଧାନରୁ ଜଣାପଡ଼ିଥିଲା ଯେ ପିଲାଙ୍କ ପ୍ରିୟ କଟନ୍ କ୍ୟାଣ୍ଡିରେ ବ୍ୟବହୃତ ରଙ୍ଗରେ ‘ରେଡାମାଇନ୍-ବି’ ରହିଛି ା ଏହା ଏକ କୃତ୍ରିମ ରଙ୍ଗ। ଏହି ରାସାୟନିକ ରଙ୍ଗ କପଡ଼ା, ଚମଡ଼ା, କାଗଜ ଶିଳ୍ପରେ ଅଧିକ ବ୍ୟବହାର କରାଯାଇଥାଏ। ଏହା ଖୁବ୍ ଶୀଘ୍ର ପାଣିରେ ମିଳେଇଯାଏ। ‘ରେଡାମାଇନ୍-ବି’ ଜୈବିକଭାବେ ନଷ୍ଟ ହୋଇ ନଥାଏ, ଉଜ୍ଜ୍ବଳ ଆଲୋକରେ ଫିକା ମଧ୍ୟ ପଡ଼ି ନଥାଏ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏହାକୁ ଖାଦ୍ୟପଦାର୍ଥରେ ମିଶାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଆକ୍ଟ୍ ୨୦୦୬ ଅନୁସାରେ ଅପରାଧ। ଏବେ ବି ଅନେକ ଏ ସଂପର୍କରେ ଅବଗତ ହୋଇ ନଥିବାରୁ ଏହାକୁ ପିଲାଙ୍କୁ ଖୁଆଉଛନ୍ତି। ଏହା ବାନ୍ତି, ଚର୍ମ ଆଲର୍ଜି, ଡାଇରିଆ, ଯକୃତ୍ ସଂକ୍ରମଣ ଓ ରୋଗ ପ୍ରତିରୋଧକ ଶକ୍ତି ହ୍ରାସର କାରଣ ହୋଇଥାଏ ବୋଲି ଜଣାପଡ଼ିଛି।
ଏବେ ବି କେତେକ ଅଞ୍ଚଳରେ ଖରାଦିନେ ବୁଲାବିକାଳି ଚୁସ୍କି/ ବରଫଗୋଲା ବିକ୍ରି କରୁଛନ୍ତି। କେବଳ ପିଲା ନୁହନ୍ତି, ଯୁବପିଢ଼ି ବି ରଙ୍ଗିନ ମିଠାପାଣି ଦିଆ ବରଫଗୋଲା ଶୋଷାଡ଼ିବାରେ ଆନନ୍ଦ ପାଆନ୍ତି। ବରଫକୁ ଚୂନାକରି ତାହାକୁ ଗୋଲ୍ କରି ସେଥିରେ ନାଲି, ନେଳି, କମଳା, କଳା, ହଳଦିଆ ରଙ୍ଗ ଢାଳି ପରଷାଯାଏ। କିନ୍ତୁ ଏହି ଚୁସ୍କି ଦେହ ପାଇଁ ଖୁବ୍ କ୍ଷତିକାରକ। କାରଣ ରଙ୍ଗିନ ଓ ସ୍ବାଦିଷ୍ଠ କରିବା ପାଇଁ ଏଥିରେ ମିଶାଯାଉଥିବା ରଙ୍ଗ ମୁଖ୍ୟତଃ କପର୍ ସଲ୍ଫେଟ୍, ଲିଡ୍ କ୍ରୋମାଇଟ୍, ଲିଡ୍ ସଲ୍ଫେଟ୍ ଭଳି ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ। ଶସ୍ତା କପଡ଼ା ରଙ୍ଗ ବି ବରଫ ଗୋଲାରେ ମିଶାଯାଏ ବୋଲି ଜଣାପଡ଼ିଛି। ତେଣୁ ଏହାକୁ ଖାଇଲେ ପାକସ୍ଥଳୀ ଓ ଯକୃତ୍କୁ କ୍ଷତିଗ୍ରସ୍ତ କରେ। ପୁଣି ଏହାକୁ ପ୍ରସ୍ତୁତି କରିବାରେ ଦୂଷିତ ପାଣି ବ୍ୟବହାର ହେଉଥିବାରୁ ଝାଡ଼ାବାନ୍ତି, ତ୍ବଚାରେ ଆଲର୍ଜି ଓ ଦାନ୍ତରେ କଣା ହେବା ଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
ଫାଷ୍ଟଫୁଡ୍କୁ କରନ୍ତୁ ଲାଷ୍ଟ୍ଫୁଡ୍
ଆପଣ ଫାଷ୍ଟଫୁଡ୍ ପ୍ରିୟ କି? ଆପଣ ନିଶ୍ଚୟ ମଞ୍ଚୁରିଆନ୍ ଓ ଚାଇନିଜ୍ ଫ୍ୟୁଜନ୍ ଡିସ୍ ଖାଇବାକୁ ଫୁଡ୍କୋର୍ଟ କି ଫୁଡ୍ବଜାର ଯାଉଥିବେ। କାରଣ ଏସବୁ ଖୁବ୍ ସ୍ବାଦିଷ୍ଠ। ଆଉ କୋବି ମଞ୍ଚୁରିଆନ୍ ପ୍ରାୟ ସମସ୍ତଙ୍କ ପ୍ରିୟ। ରାସ୍ତାକଡ଼ ଷ୍ଟଲ୍ରୁ ଆରମ୍ଭ କରି ରେସ୍ତୋରାଁ ପର୍ଯ୍ୟନ୍ତ ସବୁଠି ଏହା ମିଳିଥାଏ। ବିଶେଷକରି, ନିରାମିଷ ଖାଉଥିବା ଲୋକଙ୍କ ପାଇଁ ଏହା ଏକ ସ୍ବାଦିଷ୍ଠ ଫାଷ୍ଟଫୁଡ୍। କିନ୍ତୁ ଏସବୁ ଖାଇବା ବେଳେ ସତର୍କ ରହନ୍ତୁ। କାରଣ ଏଥିଯୋଗୁଁ କର୍କଟ ପରି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି। ନିକଟରେ କର୍ଣ୍ଣାଟକ ସରକାର ଏହାର ବିକ୍ରି ନିଷେଧ କରିଛନ୍ତି। କୋବି ମାଞ୍ଚୁରିଆନ୍କୁ ରଙ୍ଗିନ କରିବା ପାଇଁ ଯେଉଁ ଫୁଡ୍ କଲର୍ ବ୍ୟବହାର କରାଯାଉଛି ତାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ।
ଏଥିରେ ରୋଡାମାଇନ୍ ବି ଓ କାର୍ମୋଇସିନ୍ ପରି ରାସାୟନିକ ପଦାର୍ଥ ରହିଛି। ଅନ୍ୟପକ୍ଷରେ ଏହା ମଧ୍ୟ ଅଭିଯୋଗ ହୁଏ କି, ଶଢ଼ା କଖାରୁ ଓ କଳମ ଶାଗ ଏସେନ୍ସ ମିଶାଇ ତିଆରି ହେଉଥିବା ସସ୍ ଫାଷ୍ଟ୍ଫୁଡ୍ରେ ବ୍ୟବହାର ହେଉଛି। ଏଭଳି ନିମ୍ନମାନର ସାମଗ୍ରୀରୁ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇଲେ ଖାଦ୍ୟନଳୀରେ କର୍କଟରୋଗ ହୋଇପାରେ ବୋଲି ଡାକ୍ତର ସତର୍କ କରିଛନ୍ତି। ତେଣୁ ଭଲ ଜିନିଷ ଖାଇବାକୁ ଇଚ୍ଛାହେଲେ ଫାଷ୍ଟଫୁଡ୍କୁ କେବେ ବି ପ୍ରଥମ ପସନ୍ଦ କରନ୍ତୁ ନାହିଁ, ବରଂ ତାକୁ ଲାଷ୍ଟ୍ ଫୁଡ୍ କରନ୍ତୁ।
ମିଠା ଜହର କି ରଙ୍ଗିନ ମିଠେଇ?
ମିଠା ବିନା ଉତ୍ସବ ମନା! ମିଠା ବିନା ପର୍ବପର୍ବାଣି ପାଳନ ଫିକା ପଡ଼ିଯାଏ। ମିଠାକୁ ଆକର୍ଷଣୀୟ ଓ ସ୍ବାଦିଷ୍ଠ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ରଙ୍ଗ ଓ ଏସେନ୍ସ ବ୍ୟବହାର କରାଯାଏ। ଜିଲାପି ହେଉ ବା ଲଡୁ କିମ୍ବା ସନ୍ଦେଶ- ଆଜିକାଲି ପ୍ରାୟ ମିଠାରେ ରଙ୍ଗ ଦିଆଯାଉଛି। ମିଠାକୁ ହଳଦିଆ ରଙ୍ଗ କରିବା ପାଇଁ ମେଟାନିଲ୍ େୟଲୋ, ସବୁଜ କରିବା ପାଇଁ ମ୍ୟାଲାକାଇଟ୍ ଗ୍ରିନ୍ ଓ ଲାଲ୍ ରଙ୍ଗ ପାଇଁ ସୁଡାନାଇଟ୍ ବ୍ୟବହାର କରାଯାଉଛି। ସିନ୍ଥେଟିକ୍ ଫୁଡ୍ କଲର୍ ମିଠାକୁ ଆକର୍ଷଣୀୟ ରୂପ ଦେଉଥିଲେ ହେଁ ଏହା ସ୍ବାସ୍ଥ୍ୟ ପ୍ରତି ବିପଦ। ପୁଣି କିଛି ପ୍ରସ୍ତୁତକାରୀ ମିଠାକୁ ଅଧିକ ଆକର୍ଷକ କରିବା ଲାଗି ଫୁଡ୍ କଲର୍ର ମାତ୍ରା ବଢ଼ାଇ ଦିଅନ୍ତି। ଯେଉଁଥିପାଇଁ ମିଠା ଅସ୍ବାସ୍ଥ୍ୟକର ହୋଇଯାଏ। ଏସବୁ ରଙ୍ଗ ଦ୍ବାରା କିଡ୍ନି ଓ ଲିଭର୍ ଖରାପ ହେବାର ଆଶଙ୍କା ରହିଛି ବୋଲି ଡାକ୍ତର ମତଦିଅନ୍ତି। କେହି କେହି ଏପରି ମିଷ୍ଟାନ୍ନକୁ ମିଠା ଜହର କହିବାକୁ ପଛାଉନାହାନ୍ତି।
ପରଖି ଖାଆନ୍ତୁ ଫଳ-ପରିବା
ବର୍ତ୍ତମାନ ଲୋକମାନେ ସ୍ବାସ୍ଥ୍ୟ ସଚେତନ ହୋଇପଡ଼ିବା ହେତୁ ତାଜା ପନିପରିବା ଓ ଫଳ ଖାଇବା ଉପରେ ଗୁରୁତ୍ବ ଦେଉଛନ୍ତି। ଅଧିକ ଦାମ୍ ହେଲେ ବି ସେମାନେ ତାଜା ତଥା ଉଜ୍ଜ୍ବଳ ଦେଖାଯାଉଥିବା ପରିବା ଓ ଫଳ କିଣିବାକୁ ପସନ୍ଦ କରନ୍ତି। କିନ୍ତୁ ଆମେ ମନେରଖିବା ଉଚିତ ଯେ ବଜାରରେ ଉପଲବ୍ଧ ଫଳ ସିଧା ବଗିଚାରୁ ଆସି ବିକ୍ରି ହେଉନାହିଁ। ଏହାକୁ କଞ୍ଚା ଅବସ୍ଥାରେ ଅଣାଯାଇ ରାସାୟନିକ ପଦାର୍ଥ ଦ୍ୱାରା ପଚାଯାଉଛି। ପୁଣି ଫଳକୁ ତାଜା ଦେଖାଇବା ଲାଗି ଏଥିରେ ରଙ୍ଗ ବି ବ୍ୟବହାର ହେଉଛି। ଏହି ପ୍ରକ୍ରିୟାରେ ବ୍ୟବସାୟୀ ଲାଭ ପାଇବା ବେଳେ ଉପଭୋକ୍ତାକୁ ବହୁମୂଲ୍ୟ ଦେବାକୁ ପଡୁଛି। କାରଣ ଫଳ ପଚାଇବା ଓ ରଙ୍ଗିନ କରିବାକୁ ଯେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି, ତାହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ଏମିତି କୃତ୍ରିମ ଭାବେ ପଚାଯାଇଥିବା ଫଳ ଆମ ପାଇଁ ବିଷତୁଲ୍ୟ। ସେହିପରି ପନିପରିବା ସବୁଜ ରଖିବା ପାଇଁ କପର୍ ସଲ୍ଫେଟ୍ ଓ କେତେକ କୀଟନାଶକ ଉପଚାର କରାଯାଏ। କୃତ୍ରିମ ଉପାୟରେ ପଚାଯାଇଥିବା ଫଳରେ ବାସ୍ନା ଓ ସ୍ବାଦ ନଥାଏ। ଯେଉଁ ରାସାୟନିକ ପଦାର୍ଥ ଫଳ ପଚାଇବା ପାଇଁ ବ୍ୟବହାର କରାଯାଏ ସେଗୁଡ଼ିକ ହେଲା ହାଇଡ୍ରୋକାର୍ବନ୍, ଏସିଟିଲିନ୍, ଏଥିଲିନ୍ ଇତ୍ୟାଦି। ଆଗରୁ କଦଳୀ ଓ ଆମ୍ବ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାର କରାଯାଉଥିଲା। କିନ୍ତୁ ଏହାକୁ ସରକାର ନିଷିଦ୍ଧ ଘୋଷଣା କରିବାରୁ ଆଜିକାଲି ଇଥିଲିନ୍ ଓ ଇଥେଫୋନ୍ ବ୍ୟବହାର କରାଯାଉଛି। ସରକାରଙ୍କ ନିୟମ ଅନୁସାରେ ଇଥିଲିନ୍ ବାଷ୍ପ ଫଳ ପଚାଇବା ପାଇଁ ୦.୦୦୧-୦.୦୧% ମାତ୍ରାରେ ଫସଲ, କିସମ ଓ ବୟସ ଅନୁସାରେ ୯୦-୮୫ ଆର୍ଦ୍ରତା ଓ ୧୮-୨୪ ଡିଗ୍ରି ସେଲ୍ସିୟସ୍ ଉତ୍ତାପ ଥିବା କୋଠରିରେ ବ୍ୟବହାର କରାଯାଇପାରେ। ଖାଦ୍ୟ ନିରାପତ୍ତା ଓ ମାନକ ନିୟନ୍ତ୍ରଣ ଆଇନ, ୨୦୧୧(ଏଫ୍ଏସ୍ଏସ୍ଆର୍) ଅନୁସାରେ କୌଣସି ଫଳ ଓ ପନିପରିବାରେ କୃତ୍ରିମ ରଙ୍ଗ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରିବା ମନା। ଫଳ ଓ ପନିପରିବାରେ ରାସାୟନିକ ପଦାର୍ଥ ଅଧିକ ଥିଲେ ଫୁସ୍ଫୁସ୍ରେ ଜଳ ଜମିଯାଏ। କୃତ୍ରିମ ଭାବରେ ପାଚିଥିବା ଆମ୍ବ ଖାଇଲେ ପାକସ୍ଥଳୀ ଓ ଅନ୍ତଃନଳୀରେ ଯନ୍ତ୍ରଣା ହୋଇଥାଏ।
ନିୟମିତ ଯାଞ୍ଚ ଚାଲିଛି, ସଚେତନ କରାଯାଉଛି
ଭାରତୀୟ ମିଠାଗୁଡ଼ିକରେ ରଙ୍ଗର ବ୍ୟବହାର କରାଯାଉଛି। ନହେଲେ ଅନ୍ୟକୌଣସି ଖାଦ୍ୟରେ ରଙ୍ଗର ବ୍ୟବହାର ଲାଗି ଅନୁମତି ନାହିଁ। ଖାଦ୍ୟ ସୁରକ୍ଷିତ କି ନୁହେଁ, ତାହା ଯାଞ୍ଚ କରିବା ଲାଗି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିୟମିତ ଅଭିଯାନ ଜାରିରହିଛି। ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ହୋଟେଲ୍ରେ ପର୍ଯ୍ୟବେକ୍ଷଣ କରାଯାଉଛି। ଯଦି କୌଣସିଠାରେ ଖାଦ୍ୟରେ କୌଣସି ତ୍ରୁଟି ଦେଖାଯାଏ ତେବେ ସେମାନଙ୍କୁ ଦଣ୍ଡିତ କରାଯାଏ। ପୂର୍ବରୁ ଫଳ ପଚାଇବା ପାଇଁ କାର୍ବାଇଡ୍ ବ୍ୟବହାର କରାଯାଉଥିଲା। କିନ୍ତୁ ଏହା ବଦଳରେ ଦୋକାନୀ ଇଥିଲିନ୍ ଓ ଇଥେଫୋନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସାବିତ୍ରୀ ପୂର୍ବରୁ ବିଭିନ୍ନ ଅଞ୍ଚଳରୁ କିଛି ସାମ୍ପୁଲ୍ ଏକତ୍ର କରାଯାଇଛି। ଏହାର ପରୀକ୍ଷଣ ଚାଲିଛି। ପରୀକ୍ଷା ପରେ ଏହାର ମାନ ଜଣାପଡ଼ିଲେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ସ୍ଥିର କରାଯିବ। ବିଭିନ୍ନ ମେଳା କିମ୍ବା ପର୍ବପର୍ବାଣି ଆସିବା ପୂର୍ବରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଏ ଏବଂ ଅସ୍ବାସ୍ଥ୍ୟକର ସାମଗ୍ରୀ ବ୍ୟବହାର ନକରିବାକୁ ସମସ୍ତଙ୍କୁ ସଚେତନ କରାଯାଏ।
-ସତ୍ୟଜିତ୍ ପଟେଲ୍, ଫୁଡ୍ ସେଫ୍ଟି ଅଫିସର୍, ବିଏମ୍ସି
ଖାଦ୍ୟରେ ମିଶୁଥିବା ରଙ୍ଗ ହୋଇପାରେ କ୍ୟାନ୍ସରର କାରଣ
ଦିନକୁ ଦିନ ଆମର ଫାଷ୍ଟଫୁଡ୍ ଖାଇବା ଅଭ୍ୟାସ ବଢ଼ିବାରେ ଲାଗିଛି। ପିଲାମାନଙ୍କୁ ଆକର୍ଷିତ କରିବା ଲାଗି ବଜାରକୁ ରଙ୍ଗବେରଙ୍ଗ ଚକୋଲେଟ୍ ମଧ୍ୟ ଆସିଲାଣି। ପିଲାଏ ପାଟି ଲାଳସାରୁ ଏସବୁ ବହୁ ମାତ୍ରାରେ କିଣି ଖାଉଛନ୍ତି। ଜେଲି ଓ ସୁଗାର୍ କ୍ୟାଣ୍ଡି ଭଳି ଚକୋଲେଟ୍ ନିୟମିତ ଖାଇବା ଦ୍ବାରା ପିଲାଙ୍କ ତ୍ବଚାରେ ବିଭିନ୍ନ ରୋଗ ଦେଖାଯାଉଛି। ଏହା ଅଧିକ ମିଠା ହୋଇଥିବାରୁ ସେମାନଙ୍କଠାରେ ମେଦବହୁଳତା ପରି ସମସ୍ୟା ବି ଦେଖାଯାଉଛି। ରଙ୍ଗ ବ୍ୟବହାର ହୋଇଥିବା ଖାଦ୍ୟ ଓ ବାସିଖାଦ୍ୟ ଯୋଗୁଁ ଗଳା ଓ ଜିଭ କୁଣ୍ଡାଇ ହେବା, ନିଃଶ୍ୱାସପ୍ରଶ୍ୱାସରେ କଷ୍ଟହେବା, ନିମ୍ନ ରକ୍ତଚାପ, ବାନ୍ତି, ଡାଇରିଆ, ଦେହରେ ଫଳିଯିବାଠାରୁ ଆରମ୍ଭ କରି କର୍କଟରୋଗ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏପରି ଖାଦ୍ୟାଭ୍ୟାସ ଧୀରେ ଧୀରେ ଯକୃତ୍ କ୍ୟାନ୍ସର, ପାକସ୍ଥଳୀ କ୍ୟାନ୍ସର୍ ଆଡ଼କୁ ବଢ଼ିବାରେ ଲାଗିଛି। ଆଜିକାଲି ଫଳକୁ ଆକର୍ଷଣୀୟ କରିବା ପାଇଁ ମଧ୍ୟ ରଙ୍ଗ ବ୍ୟବହାର ହେଉଛି, ଯାହାଦ୍ବାରା ବିଭିନ୍ନ ଏଲର୍ଜି ଦେଖାଯାଉଛି। ସେଥିପାଇଁ ସବୁଜିନିଷକୁ ପରଖି ଖାଇବା ଉଚିତ।
-ଡାକ୍ତର ସମ୍ବିତ୍ କୁମାର ଭୂୟାଁ,
ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍, ମଣିପାଲ୍ ହସ୍ପିଟାଲ୍, ଭୁବନେଶ୍ବର