ସବିତା ମହାଳିକ ୨୦୨୪ ମସିହାରେ ମୁମ୍ବାଇଠାରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିକର ଖାଦ୍ୟ ଚୟନ, ପ୍ରସ୍ତୁତି, ରନ୍ଧନ ଓ ତାଲିମ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ପୁଷ୍ଟିକର ଖାଦ୍ୟ ବିଶେଷଜ୍ଞ ଭାବେ ପୁରସ୍କୃତ ହୋଇଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପୁଷ୍ଟିକର ଖାଦ୍ୟ ଯୋଜନା ଓ ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତି ଓ ତାଲିମ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ସବିତା ମହାଳିକ ଏକାଧିକବାର ସମ୍ମାନିତ ହୋଇଛନ୍ତି। ବିଶ୍ୱର ବିଭିନ୍ନ ମଞ୍ଚରେ ପୁଷ୍ଟିକର ଖାଦ୍ୟ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଭାଗନେଇ ସେ ଓଡ଼ିଶାର ପାରମ୍ପରିକ ପୁଷ୍ଟିକର ଖାଦ୍ୟ ଏବଂ ଏହାର ପୋଷଣ ଯୁକ୍ତ ଦକ୍ଷତାର ପ୍ରଚାର ଓ ପ୍ରସାର କରି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ସେ ଜଣେ ଶିଶୁ ଓ କିଶୋର ପୁଷ୍ଟିକର ଖାଦ୍ୟ ବିଶେଷଜ୍ଞ ଭାବେ ଦେଶରେ ସୁଖ୍ୟାତି ଲାଭ କରିଛନ୍ତି। ଝାଡ଼ଖଣ୍ଡସ୍ଥିତ ଧାନବାଦ ସହରରେ ରହୁଥିବା ଏହି ସୁନାମଧେୟ ଓଡ଼ିଆ ପୁଷ୍ଟିକର ଖାଦ୍ୟ ବିଶେଷଜ୍ଞ ସବିତା ମହାଳିକ ସମ୍ବାଦ ସୁଶ୍ରୀ ପୃଷ୍ଠା ସହିତ ପୋଷଣ ଯୁକ୍ତ ଆହାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି।
ନିକଟରେ ଭାରତ ୨୦୨୫ ପୋଷଣ ସପ୍ତାହ ପାଳନ କରିଛି। ଚଳିତବର୍ଷର ପୋଷଣ ସପ୍ତାହ ଆହ୍ବାନରେ କୁହାଯାଇଛି, ‘ପିଲାଙ୍କଠୁ ନେଇ ସବୁ ବର୍ଗ ଓ ବୟସର ଲୋକମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’। ଓଡ଼ିଶା ଭଳି ରାଜ୍ୟରେ ଏହାର ଆବଶ୍ୟକତା ଯଥେଷ୍ଟ ରହିଛି। ଆଜିବି ଓଡ଼ିଶାର ସର୍ବାଧିକ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ବିଶେଷଜ୍ଞ ନାହାନ୍ତି। ଓଡ଼ିଶାରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ଏଦିଗରେ ଧ୍ୟାନ ଦିଆଯାଇନାହିଁ। ପୁଷ୍ଟିକର ଖାଦ୍ୟ ଚୟନ, ଭୋଜନ କରିବାର ବିଧି, ଏପରିକି ଏହାକୁ ରାନ୍ଧିବା ଓ ପ୍ରସ୍ତୁତି କରିବାର ମଧ୍ୟ ତାଲିମ ନେବା ଆବଶ୍ୟକତା ରହିଛି ବୋଲି କହନ୍ତି ସବିତା। ଓଡ଼ିଶାର ପାରମ୍ପରିକ ଖାଦ୍ୟରେ ଅତ୍ୟନ୍ତ ପୁଷ୍ଟିକର ଓ ପୋଷକଯୁକ୍ତ ଅଟେ। ଏସବୁ ଖାଦ୍ୟ ଆମକୁ ରୋଗରୁ ପ୍ରାକୃତିକ ସୁରକ୍ଷା ପ୍ରଦାନ କରିଥାଏ। କିନ୍ତୁ ଏହାର ପ୍ରସ୍ତୁତିର ପରିମାଣ ଓ ଚୟନ, ଖାଇବା ବିଧି, ସାଙ୍ଗକୁ ରନ୍ଧନପ୍ରଣାଳୀ ଉପରେ ସ୍ୱତନ୍ତ୍ର ଭାବେ ବିଶେଷଜ୍ଞଙ୍କ ଦ୍ୱାରା ଧ୍ୟାନ ଦିଆଯିବା ଜରୁରି। ଏହା ହୋଇନପାରିଲେ ପୁଷ୍ଟିକର ଖାଦ୍ୟରୁ ବାସ୍ତବ ଉପଯୋଗୀତା ଓ ଲାଭ ମିଳିପାରିବ ନାହିଁ।
ଶିଶୁଠାରୁ ଆରମ୍ଭ କରି ବୟସ୍କ, ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି। ମୁଖ୍ୟତଃ ଓଡ଼ିଶା ଭଳି ଗ୍ରାମୀଣ ଓ ଆଦିବାସୀବହୁଳ ରାଜ୍ୟରେ ଶିଶୁମାନଙ୍କ ପାଇଁ ବିଦ୍ୟାଳୟସ୍ତରରୁ ନେଇ ନିଜ ନିଜ ଘରେ ପୋଷଣଯୁକ୍ତ ଖାଦ୍ୟ ଯୋଗାଇଦେବା ଉପରେ ସମସ୍ତେ ସଚେତନ ହେବାର ନିତାନ୍ତ ଆବଶ୍ୟକତା ରହିଛି। ପ୍ରତ୍ୟେକ ରାଜ୍ୟସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଇ ପୋଷଣଖାଦ୍ୟ ଯୋଗାଇବା କାର୍ଯ୍ୟକ୍ରମ ପରିଚାଳନା ଜରୁରି। ଅବଶ୍ୟ ବର୍ତ୍ତମାନ ଓଡ଼ିଶା ସରକାର ଏଦିଗରେ ଏକ ଦୃଢ଼ ପଦକ୍ଷେପ ଗ୍ରହଣକରି ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ୟୁନିସେଫ୍ ସହଭାଗିତାରେ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟକର ଖାଦ୍ୟ ଅଭିଯାନ ଆରମ୍ଭ କରିବା ନିଶ୍ଚିତ ଏକ ସମୟୋଚିତ ଉତ୍ତମ କାର୍ଯ୍ୟ। ଶିଶୁ, କିଶୋର ଓ ମହିଳାଙ୍କ ପାଇଁ ନିରାପଦ, ବିବିଧ ତଥା ପୁଷ୍ଟିକର ଖାଦ୍ୟ ଅଭ୍ୟାସ ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ। ବିଭିନ୍ନ ବ୍ୟକ୍ତିବିଶେଷ ଓ ପୁଷ୍ଟିକର ଖାଦ୍ୟ ଯୋଗାଣରେ ସାମିଲ ହୋଇଥିବା ଗୋଷ୍ଠୀମାନେ କିପରି ସ୍ୱାସ୍ଥ୍ୟକର ଖାଦ୍ୟ ଚୟନ କରିବେ, ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ପୁଷ୍ଟିକର ଖାଦ୍ୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବେ ଏବଂ ସାମଗ୍ରିକ ସୁସ୍ଥତା ପାଇଁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବେ ଏହି ଅଭିଯାନ ମାଧ୍ୟମରେ ତାଲିମ ଗ୍ରହଣ କରିବେ। ସମସ୍ତେ ମିଶି ସମସ୍ତଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଜରୁରି ବୋଲି କହିଛନ୍ତି ବିଶିଷ୍ଟ ପୁଷ୍ଟିକର ଓ ପୋଷାଣଯୁକ୍ତ ଖାଦ୍ୟ ବିଶେଷଜ୍ଞ ସବିତା।
ସରକାରୀସ୍ତରରେ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟର ଉପଯୁକ୍ତ ମାନ ନିର୍ଦ୍ଧାରଣ ସାଙ୍ଗକୁ ରନ୍ଧନ ପ୍ରଣାଳୀ ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ଏପରିକି ଘରେ ଅଧିକାଂଶ ମା’ ଓ ବିଦ୍ୟାଳୟରେ ରୋଷେଇ କରୁଥିବା ପରିଚାଳିକାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟପ୍ରସ୍ତୁତି ଓ ପ୍ରଣାଳୀ ଉପରେ ତାଲିମପ୍ରାପ୍ତ ପ୍ରାୟତଃ ନୁହନ୍ତି। ଖାଦ୍ୟରେ ବିଭିନ୍ନ ଖାଦ୍ୟସାରକୁ ସୁରକ୍ଷିତ ରଖି ଏହାକୁ ପୋଷଣଯୁକ୍ତ ଖାଦ୍ୟରେ ପ୍ରସ୍ତୁତି କରିବାକୁ ହେଲେ ଭାତ, ଡାଲି ଓ ତରକାରି ରାନ୍ଧିବା ନିର୍ଦ୍ଦିଷ୍ଟ ପ୍ରଣାଳୀ ମଧ୍ୟ ରହିଛି। ଜଙ୍କ୍ଫୁଡ୍ର ବିପଦ ଉପରେ ସଚେତନ ହେବା ସାଙ୍ଗକୁ ଏହା ଉପରେ କଠୋର କଟକଣା ଏବଂ ଏହାର ମାନ ଓ ଗୁଣକୁ ପରୀକ୍ଷା କରିବା ସରକାରଙ୍କ ଦାୟିତ୍ୱ। ଏସବୁର ସଚେତନତା ପାଇଁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟରୁ ତାଲିମ ଦେବା କାର୍ଯ୍ୟକ୍ରମକୁ ବାଧ୍ୟତାମୂଳକ କରିବା ଜରୁରି ବୋଲି ମୁଁ ବିଭିନ୍ନ ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ଅଧିକାରୀଙ୍କୁ ପରାମର୍ଶ ଦେଇଛି। ପୁଷ୍ଟିକର ଖାଦ୍ୟ ଖାଇବା ସହିତ ଆଜିର ଜୀବନଶୈଳୀ ଢାଞ୍ଚାର ପରିବର୍ତ୍ତନ ଆବାଳ ବୃଦ୍ଧ ବନିତାଙ୍କ ପାଇଁ ଅପରିହାର୍ଯ୍ୟ। ଟିଭିରୁ ନେଇ ସେଲ୍ ଫୋନ୍ ସ୍କ୍ରିନ୍ରୁ ଯଥାସମ୍ଭବ ନିଜେ ଓ ନିଜ ପିଲାମାନଙ୍କୁ ଦୂରେଇ ରଖିବା ଜରୁରି। ଏହା ଆମର ଶାରୀରିକ ସହନଶୀଳତାକୁ ଦୁର୍ବଳ କରିବା ସହିତ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏଭଳିସ୍ଥିତିରେ ପୁଷ୍ଟିକର ଖାଦ୍ୟର ସୁପ୍ରଭାବ ଶରୀର ଉପରେ ବିଶେଷ ଲାଭଦାୟକ ହେବନାହିଁ। ସାଙ୍ଗସାଥୀଙ୍କ ସହିତ ବାହ୍ୟ ମନୋରଞ୍ଜନ, କ୍ରୀଡ଼ା ଓ ପରିବାରଭିତ୍ତିକ ଶାରୀରିକ କାର୍ଯ୍ୟକାଳପ ସବୁର ପ୍ରୋତ୍ସାହିତ କରିବା ସଫଳ ପୁଷ୍ଟିକର ଖାଦ୍ୟ ଅଭିଯାନର ଅନ୍ୟତମ ମାଇଲ୍ଖୁଣ୍ଟ ବୋଲି ସବିତା ମହାଳିକ କହିଛନ୍ତି। ଶେଷରେ ମୁଁ ମୋର ଏକ ନିଜସ୍ୱ ବାର୍ତ୍ତାରେ କହିବାକୁ ଚାହିବି, “ଖାଦ୍ୟ ହେଉଛି ଔଷଧ।’’