ଆମେମାନେ ଜାଣିଛନ୍ତି ଯେ ପ୍ରାଣୀ ଓ ଉଦ୍ଭିଦ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଲା, ଉଦ୍ଭିଦମାନେ ନିଜେ ନିଜର ଖାଦ୍ୟ ସୃଷ୍ଟି କରିପାରୁଥିବା ବେଳେ ପ୍ରାଣୀମାନେ ଏଥି ପାଇଁ ଉଦ୍ଭିଦ ଉପରେ ନିର୍ଭର କରିଥା’ନ୍ତି। ତେଣୁ ପ୍ରାଣୀମାନଙ୍କୁ ଖାଦ୍ୟ ପାଇଁ ଏଠି ସେଠି ଘୂରିବାକୁ ପଡ଼େ କିନ୍ତୁ ଉଦ୍ଭିଦମାନେ ନିଜ ସ୍ଥାନରେ ରହି ନିଜର ଖାଦ୍ୟ ସୃଷ୍ଟି କରିପାରିଥା’ନ୍ତି। ତେବେ ଉଦ୍ଭିଦମାନେ ଆଲୋକ ସଂଶ୍ଳେଷଣ ବା ଫଟୋସିନ୍ଥେସିସ୍ ନାମକ ପ୍ରକ୍ରିୟାରେ ନିଜ ପାଇଁ ଆବଶ୍ୟକ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି। ଏହି ପ୍ରକ୍ରିୟାରେ ଉଦ୍ଭିଦ ତାହାର ପତ୍ରରେ ଥିବା ପତ୍ରହରିତ୍ ବା କ୍ଲୋରୋଫିଲ୍ ସାହାଯ୍ୟରେ ସୂର୍ଯ୍ୟାଲୋକ, ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ଏବଂ ଭୂଇଁରୁ ଜଳ ସଂଗ୍ରହ କରି ନିଜର ଖାଦ୍ୟ ପ୍ରସ୍ତୁତ କରିଥାଏ। ସୁତରାଂ ଉଦ୍ଭିଦର ଏହି ଖାଦ୍ୟସୃଷ୍ଟି ପ୍ରକ୍ରିୟା ପାଇଁ ପ୍ରତ୍ୟକ୍ଷ ସୂର୍ଯ୍ୟାଲୋକ ଅପରିହାର୍ଯ୍ୟ। ତେବେ ନିକଟରେ ବୈଜ୍ଞାନିକମାନେ କୃତ୍ରିମ ଫଟୋସିନ୍ଥେସିସ୍ ପ୍ରୟୋଗ କରି ଉଦ୍ଭିଦର ଖାଦ୍ୟ ତିଆରି କରିପାରିଛନ୍ତି ଯେଉଁଥିରେ ସିଧାସଳଖ ସୌରରଶ୍ମି ବ୍ୟବହାର ନକରି ବିଦ୍ୟୁତ୍ ଶକ୍ତିର ବିନିଯୋଗ କରାଯାଇଥିଲା।
ଏହି କୃତ୍ରିମ ଫଟୋସିନ୍ଥେସିସ୍ ପଦ୍ଧତିରେ ଦୁଇ ଥାକିଆ ବିଦ୍ୟୁତ୍ ଉତ୍ପ୍ରେରୀକରଣ ପ୍ରକ୍ରିୟା ଅବଲମ୍ବନ କରାଯାଇଛି। ପ୍ରଥମେ ଜଳ ଓ ଅଙ୍ଗାରକାମ୍ଳ ବାଷ୍ପକୁ ବିଦ୍ୟୁତ୍ ଶକ୍ତି ଦ୍ବାରା ଏସିଟେଟ୍ ନାମକ ରାସାୟନିକ ପଦାର୍ଥରେ ପରିବର୍ତ୍ତିତ କରାଯାଇଛି। ତାହାପରେ ଉଦ୍ଭିଦର ଖାଦ୍ୟ ସୃଷ୍ଟିକାରୀ ଜୈବିକ ପଦାର୍ଥଗୁଡ଼ିକ ଅନ୍ଧାରରେ ଏସିଟେଟ୍କୁ ଶୋଷିନେଇ ସେଥିରେ ବୃଦ୍ଧି ଘଟାଉଛନ୍ତି। ତାହା ପୁଣି ବିଦ୍ୟୁତ୍ ପ୍ରଭାବରେ ଉଦ୍ଭିଦର ଈପ୍ସିତ ଖାଦ୍ୟରେ ପରିଣତ ହେଉଛି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି କୃତ୍ରିମ ଉପାୟରେ ସୂର୍ଯ୍ୟାଲୋକ ବିନିଯୋଗ ତୁଳନାରେ ୧୮ ଗୁଣ ଅଧିକ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି। ଏଥିରେ ସୌରରଶ୍ମିକୁ ପ୍ରତ୍ୟକ୍ଷ ଆଲୋକ ଶକ୍ତି ଭାବେ ଉଦ୍ଭିଦ ବ୍ୟବହାର ନ କରି ପରୋକ୍ଷରେ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍ ଶକ୍ତି ଭାବେ ବ୍ୟବହାର କରି ଏଭଳି ବହୁଗୁଣା ଅଧିକ ଖାଦ୍ୟ ସୃଷ୍ଟି କରିପାରୁଛି। ଏହି ନୂତନ ପ୍ରକ୍ରିୟା ଭବିଷ୍ୟତରେ ଖାଦ୍ୟ ସଂକଟ ଦୂର କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି।