ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀଙ୍କୁ ମିଳିବ ରିହାତି

ଭୁବନେଶ୍ବର : ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ରାଜ୍ୟ ସରକାର ମଧ୍ୟ ଏହି କ୍ଷେତ୍ର ପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଅନେକ ସ୍ଥାନରେ ଖାଦ୍ୟ ପ୍ରକ୍ରିୟାକରଣ ପାର୍କ ସ୍ଥାପନ ହୋଇଛି। କାଜୁଠାରୁ ଆରମ୍ଭ କରି ଚାଉଳ ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ତେଣୁ ନିବେଶକମାନେ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପୁଞ୍ଜିନିବେଶ କରନ୍ତୁ ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିବେଶକମାନଙ୍କୁ ଆହ୍ବାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ମଧ୍ୟ ସଂଶୋଧନ ଅଣାଯାଇଛି। ଭିନ୍ନକ୍ଷମ ଏବଂ ବୈଷୟିକ ଡିଗ୍ରି/ଡିପ୍ଲୋମା ହାସଲକାରୀ ବ୍ୟକ୍ତିମାନେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରିବାକୁ ଆଗେଇ ଆସିଲେ ମହିଳା, ଏସ୍‌ସି ଓ ଏସ୍‌ଟିମାନଙ୍କ ଭଳି ସେମାନଙ୍କୁ ୩୩ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ। ତେବେ ଏହି ସବ୍‌ସିଡି ରାଶି ସର୍ବାଧିକ ୩ କୋଟି ଟଙ୍କା ମଧ୍ୟରେ ସୀମିତ ରହିବ। ସେହିଭଳି ବ୍ୟାଙ୍କ ଋଣ ନନେଇ ନିଜ ପାଣ୍ଠିରେ ମଧ୍ୟ ଯେଉଁମାନେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କରିବେ ସେମାନଙ୍କୁ ମଧ୍ୟ ସବସିଡି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ଏହି ଆଲୋଚନାଚକ୍ରରେ ଏମଏସଏମଇ ବିଭାଗର ଅତିରିକ୍ତ ଶାସନ ସଚିବ ଏଲ୍ ଏନ୍. ଗୁପ୍ତା ଯୋଗଦେଇ କହିଥିଲେ କାଜୁ, ପନିପରିବା, ଚିଙ୍ଗୁଡ଼ି, ନଡ଼ିଆ, ଚାଉଳ, ମାଛ ଏବଂ ବିଭିନ୍ନ ମସଲା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ। ଏତଦବ୍ୟତୀତ କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ, ସିଫା ଭଳି ଗବେଷଣା ପ୍ରତିଷ୍ଠାନ ମଧ୍ୟ ରହିଛି। ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟର ଯୁଗ୍ମ ସଚିବ ପରାଗ ଗୁପ୍ତା, କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟର ଅବସରପ୍ରାପ୍ତ ସଚିବ ଜେ ପି ମୀନା, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜର ସାଧାରଣ ପରିଚାଳକ (ବାଣିଜ୍ୟ) ଲଳିତ ସିଂହ ମାଙ୍ଗଲିଆ, ଆଇଟିସିର ସିଏଫଓ (ଖାଦ୍ୟ ବ୍ୟବସାୟ) ନୀଲ୍ କିଙ୍ଗଷ୍ଟନ୍ ଜାସ୍‌ପର୍‌, ଇଣ୍ଡୋ ନିସିନ ଫୁଡ୍ ଲିମିଟେଡର ଏମଡି ଗୌତମ ଶର୍ମା ପ୍ରମୁଖ ଯୋଗଦେଇ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସୁଯୋଗ, ସମ୍ଭାବନା ଓ ଚାଲେଞ୍ଜ ଆଦି ବିଷୟ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର