ପ୍ରଜ୍ଞା ନିବେଦିତା ନାୟକ

ଆଗକାଳରେ ବୁଢ଼ାବୁଢ଼ୀମାନେ କହୁଥିଲେ ଥାଳିପୋଛି ଖାଅ। ଖାଦ୍ୟ ଛାଡ଼ନାହିଁ, ନହେ‌ଲେ ଲକ୍ଷ୍ମୀ ଛାଡ଼ିଯିବେ। ଏହାକୁ ସେତେବେଳେ ପ୍ରାୟ ଘରେ ନିୟମ ଭଳି ମାନୁଥିଲେ। ହେଲେ ଏବେ ଖାଦ୍ୟ ସ୍ବାଦିଷ୍ଠ ନହେଲେ କିମ୍ବା ବାସି ହୋଇଗଲେ ବା ବଳିଗଲେ ତାକୁ ଫିଙ୍ଗି ଦିଆଯାଉଛି। ଭାବିଲା ବେଳକୁ ଦୁଃଖଲାଗେ ଯେ ଏବେ ବି ଆମ ଚାରିପଟେ ଏମିତି ଅନେକ ମଣିଷ ଅଛନ୍ତି, ଯେଉଁମାନେ ଦୁଇଓଳି ପେଟପୂରା ଖାଇବାରୁ ବଞ୍ଚିତ। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ର ଖାଦ୍ୟ ଅପଚୟ ସୂଚକାଙ୍କ ୨୦୨୪ ଅନୁସାରେ ଭାରତ ପ୍ରତିବର୍ଷ ପ୍ରାୟ ୭୮ ନିୟୁତ ଟନ୍‌ ଖାଦ୍ୟ ଅପଚୟକରେ, ଯାହା ବିଶ୍ୱସ୍ତରରେ ଚୀନ୍‌ ପରେ ସର୍ବାଧିକ। ଯଦିଓ ଭାରତୀୟ ପରିବାରରେ ମୁଣ୍ଡପିଛା ହାରାହାରି ଖାଦ୍ୟ ଅପଚୟ ବିଶ୍ୱ ହାରାହାରି ତୁଳନାରେ କମ୍‌, ହେଲେ ଜନସଂଖ୍ୟା ଅଧିକ ହୋଇଥିବାରୁ ଏଠାରେ ସାମଗ୍ରିକ ଖାଦ୍ୟ ଅପଚୟ ଅନ୍ୟ ଦେଶ ତୁଳନାରେ ସମ୍ଭବତଃ ଅଧିକ। ୨୦୨୨ର ତଥ୍ୟ ଅନୁସାରେ ବିଶ୍ବର ବାର୍ଷିକ ମୁଣ୍ଡପିଛା ଖାଦ୍ୟ ଅପଚୟ ପରିମାଣ ୫୫ କିଲୋଗ୍ରାମ୍‌। ତେଣୁ ଖାଦ୍ୟ ଅପଚୟ ରୋକିବାକୁ ସମଗ୍ର ପୃଥିବୀରେ ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନ ନଷ୍ଟ ହେଉଥିବା କିମ୍ବା ଫିଙ୍ଗା ଯାଉଥିବା ବା ବଳିପଡୁଥିବା ଖାଦ୍ୟର ଉପଯୋଗ ଲାଗି ଅନେକ  ସଂସ୍ଥା ଓ ବ୍ୟକ୍ତିବିଶେଷ ଆଗେଇ ଆସିଲେଣି। ସେମାନେ  ବଳକା ଖାଦ୍ୟ ସଂଗ୍ରହକରି ତାକୁ ଖାଦ୍ୟଅଭାବୀଙ୍କ ନିକଟରେ ପହଞ୍ଚାଉଛନ୍ତି। 

Advertisment

କଟକର ସିକନ କୁମାର ସାହୁ ପେସାରେ ଜଣେ କାଚମିସ୍ତ୍ରୀ, ହେଲେ ନିଶା ତାଙ୍କର ସମାଜସେବା। ସମାଜିକ କାର୍ଯ୍ୟପାଇଁ ସେ କିଛି ସମମନସ୍କ ଯୁବକଙ୍କୁ ନେଇ ୨୦୧୮ରେ ଗଢ଼ିଥିଲେ ଜୟମହାବୀର ସେବା ସମିତି। ୩୦ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ବର୍ତ୍ତମାନ‌ ୩୫୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଅଛନ୍ତି। ସଡ଼କ ସୁରକ୍ଷା ଅଭିଯାନ, ବୃକ୍ଷରୋପଣ, ରକ୍ତଦାନ ଓ ସ୍ବାସ୍ଥ୍ୟ ଶିବିର ଭଳି କାର୍ଯ୍ୟ ସହ ବଳକା ଖାଦ୍ୟ ସଂଗ୍ରହ ଓ ବିତରଣ କରୁଛି ଏହି ସମିତି। ସିକନ କହନ୍ତି, ‘‘ବାହାଘର, ବ୍ରତଘର ହେଉ ବା ଅନ୍ୟ କୌଣସି ଉତ୍ସବରୁ କିମ୍ବା ବିଭିନ୍ନ ହୋଟେଲ୍‌ରୁ ବଳକା ଖାଦ୍ୟ ଆମେ ସଂଗ୍ରହ କରୁ। ସେମାନେ ଆମକୁ ଆମର ହେଲ୍‌ପ୍‌ଲାଇନ୍‌ ନମ୍ବର ବା ଆପ୍‌ ମାଧ୍ୟମରେ ଜଣାଇଦିଅନ୍ତି। ଆମେ ସେଠାରୁ ଖାଦ୍ୟ ସଂଗ୍ରହକରି ଯଥାସମ୍ଭବ ଶୀଘ୍ର ଗରିବ, ଅବହେଳିତ ଓ ଅସହାୟ ନିବାସରେ ଥିବା ଲୋକଙ୍କୁ ବାଣ୍ଟିଦେଇଥାଉ। କାରଣ, ଆମ ପାଖରେ ଖାଦ୍ୟକୁ ସୁରକ୍ଷିତ ଭାବେ ଗଚ୍ଛିତରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିବାହଋତୁରେ ‌ଆମେ ଦୈନିକ ପାଖାପାଖି ୪/୫ଟି ସ୍ଥାନରୁ ଖାଦ୍ୟ ସଂଗ୍ରହ କରିଥାଉ। ନଚେତ୍‌ ଅଲଗା ଦିନରେ ହୋଟେଲ୍‌ମାନଙ୍କରୁ ଖାଦ୍ୟ ସଂଗ୍ରହକରି ଆମେ ବାଣ୍ଟିଥାଉ। ଆମ ସଂସ୍ଥାର ଶାଖା କଟକ ସହିତ କଟକ ସଦର ଅଞ୍ଚଳର କିଶନନଗର ଓ ରାମକମଳପୁରଠାରେ ଅଛି। ଖାଦ୍ୟକୁ ସାଇତି ରଖିବା ତଥା ଦୂରରେ ଥିବା ଲୋକଙ୍କୁ ବଣ୍ଟନ ପାଇଁ ଆମକୁ ଗେ‌ାଟେ ଫ୍ରିଜର୍‌ ଓ ଭଲ ସ୍ଥାନଟିଏ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଆମେ ଅନୁରୋଧ କରିଛୁ।’’

ସେହିପରି ଆଉ ଏକ ଅନୁଷ୍ଠାନ ‌େହଉଛି ଭୁବନେଶ୍ବରର ଲଭ୍‌ଷ୍ଟାର୍‌ ସୋସିଆଲ୍‌ ୱାର୍କ ଟ୍ରଷ୍ଟ୍‌। ଅଟୋଚାଳକ କିଶାନ୍‌ ଦିଗାଲ ଏହାର ପ୍ରତିଷ୍ଠାତା। ଟିକ୍‌ଟକ୍‌ ଚାଲିଥିବା ସମୟରେ ଗୋଟେ ଗ୍ରୁପ୍‌ରୁ ଜନ୍ମ ନେଇଥିଲା ‌ଏହି ଯୋଜନା। ଥରେ ଗ୍ରୁପ୍‌ରେ ଜଣେ ସଦସ୍ୟଙ୍କ ବାପା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତିହେଲେ। ସେ ସହାୟତା ମାଗିବାରୁ ଗ୍ରୁପ୍‌ର ପାଖାପାଖି ୨୦୦ ସଦସ୍ୟ ନିଜ ସାଧ୍ୟ ମୁତାବକ ସହଯୋଗ କରିଥିଲେ ଏବଂ ଏଇଠୁ ଜନ୍ମ ନେଇଥିଲା ସମାଜସେବାର ଭାବନା। ଆଜିକୁ ୬ବର୍ଷ ହେଲା ଗରିବ ଲୋକଙ୍କୁ ଖାଦ୍ୟବଣ୍ଟନ ସହ ରକ୍ତଦାନ, କମ୍ବଳବଣ୍ଟନ ଆଦି ବିଭିନ୍ନ ସାମାଜିକ କାର୍ଯ୍ୟ କରିଆସୁଛି ଏହି ଅନୁଷ୍ଠାନ। ଏହାର ସଭାପତି କିଶାନ୍ ଦିଗାଲ୍‌ କହନ୍ତି, ‘‘ବିବାହ, ବ୍ରତ, ଜନ୍ମଦିନ ଆଦି ଭୋଜିରୁ ବଳକା ଖାଦ୍ୟ ସଂଗ୍ରହକରି ଦିନ ବା ରାତିରେ ଆମେ ରେଳଷ୍ଟେସନ୍‌, ବୃଦ୍ଧାଶ୍ରମ, ଅନାଥାଶ୍ରମ, ରାସ୍ତାକଡ଼ର ପଥିକ ଓ ଯାଯାବରମାନଙ୍କୁ ବାଣ୍ଟିଥାଉ। ବିଶେଷ କଥା ହେଲା, ପ୍ରଥମେ ଆମେ ସଂଗୃହୀତ ଖାଦ୍ୟ ଚାଖିଥାଉ ଓ ଖାଦ୍ୟର ମାନ ଠିକ୍‌ ଥିଲେ ତାକୁ ବାଣ୍ଟିଥାଉ।’’ ଲଭ୍‌ଷ୍ଟାର୍‌ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ଏବେ ଗଜପତିନଗରରେ ରହିଛି ଏବଂ ଏହାର ହେଲ୍‌ପ୍‌ଲାଇନ୍‌ ନମ୍ବର ୮୮୯୫୧୩୧୧୯୮। କିଶାନ୍ ପୁଣି କହନ୍ତି, ‘‘ଯାହାର ଖାଦ୍ୟ ବଳୁଛି ତାହାକୁ ନଷ୍ଟ ନକରି ଗରିବ ତଥା ଅସହାୟ ଲୋକଙ୍କୁ ଦେଇଦିଅନ୍ତୁ, ନଚେତ୍‌ ଆମକୁ ଯୋଗାଯୋଗ କରନ୍ତୁ।’’ ୨୦୨୦ରେ ୧୫/୨୦ଜଣ ଯୁବକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂଗଠନରେ ଏବେ ପାଖାପାଖି ୫୦୦ ସହଯୋଗୀ ଯୋଡ଼ି ହୋଇଛନ୍ତି। କେବଳ ଏହି ଦୁଇଟି ନୁହେଁ, ଏପରି ଅନେକ ଅନୁଷ୍ଠାନ ଅଛନ୍ତି ଯେଉଁମାନେ ପ୍ରତିଦିନ ବଳକା ଖାଦ୍ୟ ସଂଗ୍ରହକରି ଗରିବ ଓ ଅସହାୟ ଲୋକଙ୍କୁ ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଟାଉଛନ୍ତି।