ସ୍ୱାସ୍ଥ୍ୟ ଓ ଫିଟନେସ୍ କଥା ଉଠିଲେ ପ୍ରୋଟିନ୍ର ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହା ମାଂସପେଶୀ ଗଠନ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ଶକ୍ତି ସ୍ତର ସ୍ଥିର ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଏ ପରିପ୍ରେକ୍ଷୀରେ ଅଣ୍ଡାକୁ ପ୍ରାୟତଃ ପ୍ରୋଟିନର ସର୍ବଶ୍ରେଷ୍ଠ ଉତ୍ସ ଭାବରେ ବିବେଚନା କରାଯାଏ। ୧୦୦ ଗ୍ରାମ ଅଣ୍ଡାରେ ପ୍ରାୟ ୧୩ ଗ୍ରାମ ପ୍ରୋଟିନ୍ ସହିତ ସମସ୍ତ ନଅଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ରହିଥାଏ। ତେବେ ଏପରି ଅନେକ ନିରାମିଷ ଖାଦ୍ୟ ରହିଛି ଯାହା ଅଣ୍ଡା ଅପେକ୍ଷା ଅଧିକ ପ୍ରୋଟିନ୍ ଯୋଗାଇପାରିବ। ଆଜି ସେପରି କିଛି ଖାଦ୍ୟ ବାବଦରେ ଜାଣିବା।
ସୋୟାବିନ୍ ହେଉଛି ଉଦ୍ଭିଦ ପ୍ରୋଟିନର ସର୍ବୋତ୍ତମ ଉତ୍ସ ମଧ୍ୟରୁ ଗୋଟିଏ। ୧୦୦ ଗ୍ରାମ ଶୁଷ୍କ ସୋୟାବିନ୍ରେ ୩୮ ଗ୍ରାମ ପ୍ରୋଟିନ୍ ସମେତ ସମସ୍ତ ନଅଟିଯାକ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ରହିଛି। ସେହିପରି ଛେନା କେବଳ ଖାଇବାକୁ ସ୍ବାଦିଷ୍ଠ ନୁହେଁ, ବରଂ ଏହା ମାଂସପେଶୀ ମରାମତି ଓ ହାଡ଼ ସ୍ୱାସ୍ଥ୍ୟକୁ ସମର୍ଥନ କରେ।
ଶହେ ଗ୍ରାମ ଛେନାରେ ୧୯ ଗ୍ରାମ ପ୍ରୋଟିନ୍ ରହିଛି। ତେବେ ଏଥିରେ ମେଥିଓନାଇନ୍ ଏବଂ ସିଷ୍ଟାଇନ୍ ପରି ଦୁଇଟି ଆମିନୋ ଏସିଡ୍ ସାମାନ୍ୟ କମ୍ ଥାଏ। ସେହିପରି ଶହେ ଗ୍ରାମ୍ ଶୁଖିଲା କାବୁଲି ବୁଟ ବା ଛୋଲେରୁ ୧୯ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଏଥିରେ ମଧ୍ୟ ମେଥିଓନାଇନ୍ ଓ ସିଷ୍ଟାଇନ୍ କମ୍ ଥିବାରୁ ରୁଟି ସହିତ ଖାଇଲେ ତାହାର ଭରଣା କରାଯାଇପାରିବ। ଏଥି ସହିତ ରାଜମା ବା କିଡ୍ନି ବିନ୍ ଖାଇବା କେବଳ ସ୍ବାଦିଷ୍ଠ ନୁହେଁ, ଏହା ପ୍ରୋଟିନ୍ ଓ ଲୌହସାରରେ ମଧ୍ୟ ଭରପୂର। ଏହା ରୋଗ ପ୍ରତିରୋଧକ ଶକ୍ତି ଏବଂ ଶକ୍ତି ବୃଦ୍ଧି ପାଇଁ ଉପାଦେୟ। ଶହେ ଗ୍ରାମ୍ ରାଜମାରୁ ୨୩ ଗ୍ରାମ ପ୍ରୋଟିନ୍ ମିଳେ, କିନ୍ତୁ ଏଥିରେ ମଧ୍ୟ ମେଥିଓନିନ୍ କମ୍ ରହିଥିବାରୁ ଅନ୍ନ ସହ ଏହାର ଯୋଡ଼ି ଆମିନୋ ଏସିଡ୍ ପ୍ରୋଫାଇଲ୍ ପୂରଣ କରିବାରେ ସକ୍ଷମ ହୋଇପାରିବ। ସେହିପରି ଇଡଲି ଓ ଦୋସା ପରି ଖାଦ୍ୟରେ ବ୍ୟବହୃତ ହେଉଥିବା ବିରି ଡାଲି ମଧ୍ୟ ଭିଟାମିନ୍ ବି’ରେ ଭରପୂର। ଶହେ ଗ୍ରାମ୍ ବିରି ଡାଲିରୁ ୨୩ ଗ୍ରାମ୍ ପ୍ରୋଟିନ୍ ମିଳିପାରିବ। ଏହାକୁ ଭାତ, ବାଜରା କିମ୍ବା ରୁଟି ସହିତ ମିଶାଇ ଖାଇବା ସବୁଠାରୁ ସ୍ବାସ୍ଥ୍ୟପ୍ରଦ।