୧୮୧୭ ମସିହାରେ ଖୋର୍ଦ୍ଧାରୁ ବ୍ରିଟିଶ ଶାସନ ବିରୋଧରେ ଆରମ୍ଭ ହୋଇଥିବା ସଶସ୍ତ୍ର ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ପାଳନ ୨୦୧୭ରେ ନୂଆଦିଲ୍ଲୀରେ କରାଗଲା। ଏହି ସମୟରେ କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇଠାରେ ଏକ ପାଇକ ସ୍ମାରକୀ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆବଶ୍ୟକ ୧୦ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ରାଜ୍ୟ ସରକାର ମଧ୍ୟ ଘୋଷଣା କରିଥିଲେ। ଏହାପରେ ୨୦୧୯ ଡିସେମ୍ବର ୮ତାରିଖରେ ବରୁଣେଇର ପାଦଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ। ଏହାପରଠାରୁ ଦୀର୍ଘ ୩ ବର୍ଷ ବିଭିନ୍ନ ସମସ୍ୟା ମଧ୍ୟରେ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିନଥିଲା। ପ୍ରସ୍ତାବିତ ସ୍ଥାନର ୪ ଏକରରୁ ଊର୍ଦ୍ଧ୍ବ ଜମି ଇଡ୍କୋ ଘରୋଇ ଇଂଜିନିୟରିଂ କଲେଜ ଓ ବ୍ରିଟାନିଆ କମ୍ପାନୀକୁ ଦେଇଥିବାରୁ ଏହାକୁ ମୁକୁଳାଇବା କଷ୍ଟକର ହୋଇଥିଲା। ଏହାକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ପହଂଚିଥିଲା। ଶେଷରେ ସେମାନଙ୍କ ଅକ୍ତିଆରରେ ଥିବା ଜମିକୁ ବାଦ୍ ଦେଇ ବରୁଣେଇ ପାହାଡ଼ତଳ ସଂରକ୍ଷିତ ଜଙ୍ଗଲରୁ ସେତିକି ପରିମାଣ ଜମି ଅଧିଗ୍ରହଣ କରାଯିବାକୁ ଯୋଜନା ହୋଇଥିଲା। କିନ୍ତୁ ସଂରକ୍ଷିତ ଜଙ୍ଗଲର ଜମି ହୋଇଥିବାରୁ ଏହାକୁ ଅଧିଗ୍ରହଣ ଓ କିସମ ପରିବର୍ତ୍ତନରେ ଆଉ ୧ ବର୍ଷ ସମୟ ଲାଗିଯାଇଥିଲା। ଶେଷରେ ୨୦୨୨ ନଭେମ୍ବର ମାସରେ ରାଜ୍ୟ ସରକାର ଜମିର ପଟ୍ଟା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ହସ୍ତାନ୍ତର କରିଥିବା ବେଳେ ଡିସେମ୍ବର ୧୩ ତାରିଖରେ ସୀମା ଚିହ୍ନଟ କରାଯାଇଥିଲା। ୨୬ ତାରିଖରେ ବିଧିବଦ୍ଧ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ନିର୍ମାଣ ପାଇଁ ଇଣ୍ତିଆନ୍ ଅଏଲ୍ ଫାଉଣ୍ଡେସନ ପକ୍ଷରୁ ୧୦୦ କୋଟି ଟଙ୍କା, କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୯୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକସ ମୁକ୍ତ ଜମି ପ୍ରଦାନ କରାଯାଇଛି। ଏହାକୁ ଇଂଜିନିୟର୍ସ ଇଣ୍ତିଆ ଲିଃ ପକ୍ଷରୁ ନିର୍ମାଣ କରାଯାଉଛି।
ବେଗୁନିଆରେ ରାଜନୈତିକ ହିଂସା
ବେଗୁନିଆ ବ୍ଲକ୍ ଅଧ୍ୟକ୍ଷ ମନୋନୟନକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ କନ୍ଦଳ ତୀବ୍ର ରୂପ ଧାରଣ କରିଥିଲା। ମାର୍ଚ୍ଚ ୧୨ ତାରିଖରେ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସମର୍ଥକ ପ୍ରକାଶ ଚନ୍ଦ୍ର ସୁବୁଦ୍ଧିଙ୍କ ସମର୍ଥନରେ ଓ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ସାହୁଙ୍କ ଗୋଷ୍ଠୀ ଲକ୍ଷ୍ମୀଧର ସୁବୁଦ୍ଧି ସମର୍ଥନରେ ପରସ୍ପରକୁ ଆକ୍ରମଣ କରିଥିଲେ। ବ୍ଲକ୍ କାର୍ଯ୍ୟାଳୟରେ ପଶି କାର୍ଯ୍ୟାଳୟ ଓ କାର ଆଦି ଭାଙ୍ଗିବା ସହ ଲକ୍ଷ୍ମୀଧରଙ୍କ ସମର୍ଥକ ସମିତି ସଭ୍ୟଙ୍କୁ କାର୍ଯ୍ୟାଳୟ ମଧ୍ୟରେ ଅଟକ ରଖିଥିଲେ। ଏହାର ପ୍ରତିବାଦରେ ଲକ୍ଷ୍ମୀଧରଙ୍କ ସମର୍ଥକମାନେ ସାରୁଅ ଠାରେ ଦୀର୍ଘ ୩ଘଂଟା ରାସ୍ତା ଅବରୋଧ କରିଥିଲେ। ଶେଷରେ ସଶସ୍ତ୍ର ପୁଲିସ ପହଂଚି ପରିସ୍ଥିତିକୁ ସ୍ବାଭାବିକ କରିବା ସହ ୧୪୪ ଧାରା ଜାରି କରିଥିଲା।
ପୌର ପରିଷଦରେ ପ୍ରତ୍ୟେକ୍ଷ ନିର୍ବାଚନ
୩୦ ବର୍ଷ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ପୌର ପରିଷଦ ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଜାନୁଆରୀ ୧୫ ତାରିଖରେ ଖୋର୍ଦ୍ଧାର ୨ ପୌର ପରିଷଦ ଓ ୨ ଏନ୍ଏସିର ଅଧ୍ୟକ୍ଷ ଓ ୭୧ଟି ୱାର୍ଡ କାଉନ୍ସିଲର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୭୧ଟି ୱାର୍ଡ କାଉନସିଲର୍ ପାଇଁ ୨୪୨ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ୪ ପୌର ପରିଷଦ ଓ ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ୩୦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଭୋଟ ଦାନରେ ୧ଲକ୍ଷ ୯ ହଜାର ୫୫୪ ଜଣ ଭୋଟର ଦେଇଥିଲେ, ଯାହା ମୋଟ ଭୋଟରର ୬୪.୪୯ ପ୍ରତିଶତ ଥିଲା। ଜଟଣୀରେ ସର୍ବନିମ୍ନ ୫୬.୮୭ ପ୍ରତିଶତ ଥିବା ବେଳେ ବାଲୁଗାଁରେ ସର୍ବାଧିକ ୭୪.୩୯ ପ୍ରତିଶତ ରହିଥିଲା।
ରାଉତପଡ଼ା ବ୍ୟାଙ୍କ୍ ଜାଲିଆତି
ଚଳିତ ବର୍ଷର ଖୋର୍ଦ୍ଧା ଗ୍ରାମାଂଚଳରେ ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡ଼ା ଶାଖାରେ ୧ଶହରୁ ଊର୍ଦ୍ଧ୍ବ ଗରିବ, ଖଟିଖିଆ, ବୁଣାକାରଙ୍କ ସ୍ଥାୟୀ ଜମା, ଜମାଖାତା ଆଦିରେ ଜାଲିଆତି କରି ମୂଳ ଓ ସୁଧ ସହ ପ୍ରାୟ ୩କୋଟି ଟଙ୍କା ହଡ଼ପ। ଏହା ବ୍ୟାଙ୍କର ଦୁର୍ନୀତି ଓ ପ୍ରଶାସନର ଅପାରଗତାକୁ ପଦାରେ ପକାଇଥିଲା। ଏହି ଘଟଣାରେ ବ୍ୟାଙ୍କ ଶାଖାର ପୂର୍ବତନ ହିସାବ ରକ୍ଷକ, ସହକାରୀ ବ୍ୟାଙ୍କ ପରିଚାଳକ ଓ ଜଣେ ସହାୟକ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ହଡ଼ପ ଘଟଣା ବ୍ୟାଙ୍କ କତୃର୍ପକ୍ଷ ଓ ଜିଲ୍ଲାପାଳ ଜାଣି ସୁଦ୍ଧା ପ୍ରାୟ ୨ ମାସ ତଦନ୍ତ ଆଳରେ ଚପାଇ ରଖିଥିଲେ। ଏହି ଘଟଣାରେ ଅର୍ଥନୈତିକ ଅପରାଧ ଶାଖା କିମ୍ବା ଇଡି ଦ୍ବାରା ତଦନ୍ତ କରିବାକୁ ଦାବି ହୋଇଥିଲା। କ୍ଷତିଗ୍ରସ୍ତ ହିତାଧିକାରୀମାନେ ୫ଥରରୁ ଊର୍ଦ୍ଧ୍ବ ରାଉତପଡ଼ା ଶାଖା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆଦି ଦେଇଥିଲେ ମଧ୍ୟ ବ୍ୟାଙ୍କ କତୃର୍ପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କଠୋର ପଦକ୍ଷେପ ନିଆଯାଇନଥିଲା। ଏପରିକି ଗରିବ ହୀତାଧିକାରୀଙ୍କୁ ଯଥାଶୀଘ୍ର ଟଙ୍କା ଫେରାଇବା ପ୍ରତିଶ୍ରୁତି ମଧ୍ୟ ବର୍ଷ ଶେଷ ସୁଦ୍ଧା ପାଳନ ହୋଇପାରିନାହିଁ।