କୌଣସି ବଡ଼ ସମସ୍ୟା ହେଲେ ଶରୀର ବିଭିନ୍ନ ଶୈଳୀରେ ଆଦ୍ୟ ସଂକେତ ପ୍ରେରଣ କରିଥାଏ। ପାଦରେ ଦେଖାଦେଉଥିବା ସେଭଳି କିଛି ସଂକେତ ବିଷୟରେ ଜାଣିବା। ପାଦ ଥଣ୍ଡା ରହିବା: ଯଦି ଗରମ ପରିବେଶରେ ବି ପାଦ ଥଣ୍ଡା ରହୁଛି ତେବେ ତାହା ରକ୍ତ ସଂଚାଳନ ସମସ୍ୟାର ସଂକେତ ହୋଇପାରେ। ପେରିଫେରାଲ୍ ଆର୍ଟେରି ଡିଜିଜ୍‌ (ପିଏଡି) ରୋଗରେ ଅତ୍ୟଧିକ ଚର୍ବି ଜମାଟ ବାନ୍ଧିବା ଯୋଗୁଁ ଧମନୀଗୁଡ଼ିକ ସଂକୁଚିତ ହୋଇଯାଏ, ଫଳରେ ପାଦ ପର୍ଯ୍ୟନ୍ତ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖାଦିଏ।

Advertisment

ଛୁଞ୍ଚି ଫୋଡ଼ିବା ପରି ଲାଗିବା: ପାଦରେ ନିୟମିତ ଛୁଞ୍ଚି ଫୋଡ଼ିବା ପରି ଲାଗିବା ଅଥବା ପାଦ ବଧିର ହୋଇଯିବା ସ୍ନାୟୁ କ୍ଷତିଗ୍ରସ୍ତ ହେବାର ଲକ୍ଷଣ ହୋଇପାରେ। ରକ୍ତ ଶର୍କରାର ମାତ୍ରା ଅଧିକ ରହିଲେ ସ୍ନାୟୁଗୁଡ଼ିକ ନଷ୍ଟ ହୋଇଯାଆନ୍ତି, ଯାହାକୁ ଡାଇବେଟିକ୍ ନ୍ୟୁରୋପାଥି ବୋଲି କୁହାଯାଏ। ଗୋଇଠିରେ ଯନ୍ତ୍ରଣା: ସକାଳୁ ବିଛଣାରୁ ଉଠିବା ପରେ ତୀବ୍ର ଯନ୍ତ୍ରଣା ହେବା ପ୍ଲାଣ୍ଟାର୍‌ ଫାସାଇଟିସ୍‌ ରୋଗର ଲକ୍ଷଣ ହୋଇପାରେ। ଏହି ରୋଗ ହେଲେ ଗୋଇଠିର ହାଡ଼ ସହ ଆଙ୍ଗୁଳିଗୁଡ଼ିକୁ ଯୋଡୁଥିବା ମାଂସପେଶୀ ଫୁଲିଯାଏ। ଏହା କ୍ରମେ ଶରୀରର ସବୁ ଗଣ୍ଠିକୁ ଆକ୍ରାନ୍ତ କରିପାରେ। ପାଦ କୁଣ୍ଡାଇ ହେବା: ଶୁଷ୍କତା ଓ କବକ ସଂକ୍ରମଣ ଯୋଗୁଁ ପାଦ କୁଣ୍ଡାଇ ହେବା ସାଧାରଣ କଥା। କିନ୍ତୁ ଯଦି ବାରମ୍ବାର ଠିକ୍ ହୋଇ ପୁଣି ପାଦ କୁଣ୍ଡାଇ ହେଉଛି ତାହା ଦୁର୍ବଳ ପ୍ରତିରୋଧକ ଶକ୍ତିର ଲକ୍ଷଣ ହୋଇପାରେ। ଏକ୍‌ଜିମା ଓ ସୋରାଇସିସ୍‌ ଭଳି ସ୍ଥାୟୀ ରୋଗର ପ୍ରଥମ ଲକ୍ଷଣ ମଧ୍ୟ ଏହିପରି ଭାବେ ଦେଖାଦେଇପାରେ।